ଟୋକିଓ ଅଲିମ୍ପିକ୍ସ ନିଷ୍ପତ୍ତି ଆଜି: ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ମେ’ ମାସ ଧାର୍ଯ୍ୟ ହୋଇନାହିଁ: ଆଇଓସି‌

ସିଡନି: ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ଉପରେ କରୋନା ଭୂତାଣୁ ସଂକ୍ରମଣର କଳା ବାଦଳ ଘୁରି ବୁଲୁଛି। ଫଳରେ ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ ହେବା ନେଇ ଆଶଙ୍କା ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି। ବିଶ୍ବବ୍ୟାପୀ ଏହି ଭୂତାଣୁକୁ ମହାମାରୀ ଆଖ୍ୟା ମିଳି ସାରିଥିଲେ ମଧ୍ୟ ଠିକଣା ସମୟରେ ଏହି ପ୍ରତିଯୋଗିତା ଆୟୋଜନ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି (ଆଇଓସି) ଆଶାବାଦୀ ରହିଛି। ଆଇଓସିର ସମନ୍ବୟ ଆୟୋଗ ମୁଖ୍ୟ ଜନ୍‌ କୋଟ୍‌ସ କହିଛନ୍ତି ନିଷ୍ପତ୍ତି ନେବା ପାଇଁ କୌଣସି ଶେଷ ତାରିଖ ଧାର୍ଯ୍ୟ କରାଯାଇନାହିଁ। ଆଇଓସି ମଧ୍ୟ ଏଥି ଲାଗି କାହାରିକୁ ଦାୟିତ୍ବ ଦେଇନାହିଁ। ଏଭଳି କଥା ଡିକ୍ ପାଉଣ୍ଡ୍‌ଙ୍କର ନିଜସ୍ବ ହୋଇଥାଇ ପାରେ ଆଇଓସିର ନୁହେଁ, ପ୍ରତ‌ିଯୋଗିତା ଲାଗି ଆହୁରି ୪ ମାସ ରହିଛି ବୋଲି କୋଟ୍‌ସ କହିଛନ୍ତି। କୋଟ୍‌ସ ମଧ୍ୟ ଆଇଓସିର ଉପସଭାପତି ଏବଂ ଅଷ୍ଟ୍ରେଲିଆ ଅଲିମ୍ପିକ୍ ସମିତିର ମୁଖ୍ୟ ଅଛନ୍ତି। ସୂଚନାଯୋଗ୍ୟ, ଆଇଓସିର ପୂର୍ବତନ ଉପସଭାପତି ଡିକ୍ ପାଉଣ୍ଡ୍‌ କିଛି ଦିନ ତଳେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ‘ଅଲିମ୍ପିକ୍ ଆୟୋଜନ କିମ୍ବା ସ୍ଥଗିତ ନେଇ ଆଇଓସି ମେ’ ମାସକୁ ସମ୍ଭାବ୍ୟ ଶେଷ ଦିନ ଧାର୍ଯ୍ୟ କରିଛି’। ଯାହାକୁ କୋଟ୍ସଙ୍କ ଉକ୍ତି ଖଣ୍ଡନ କରିଛି। ମଙ୍ଗଳବାର ଆଇଓସି ଅଧିକାରୀମାନେ ଏକ ଟେଲିକନ୍‌ଫରେନ୍‌ସିଂ ପରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକ୍ସ ଅନୁଷ୍ଠିତ ହେବ। ବିଭିନ୍ନ ଦେଶ ଏଥି ପାଇଁ ନିଜ ନିଜ ପ୍ରସ୍ତୁତିରେ ରହିଛନ୍ତି। କିଛି ଖେଳର ଯୋଗ୍ୟତା ପର୍ଯ୍ୟାୟ ଶେଷ ହୋଇଛି। କିନ୍ତୁ ବହୁ ଖେଳର ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ପ୍ରତ‌ିଯୋଗିତା କରୋନା ପ୍ରଭାବିତ ହୋଇଥିବାରୁ ଏବେଠାରୁ ଅବଶିଷ୍ଟ ଯୋଗ୍ୟତାକୁ ନେଇ ଆଶଙ୍କା ଜାତ ହୋଇଛି। ଚୀନର ନିଜସ୍ବ ଖେଳାଳିମାନେ ୟରୋପର ବିଭିନ୍ନ ଦେଶରେ ଅଭ୍ୟାସ କରୁଥିଲେ, କିନ୍ତୁ କରୋନା ପ୍ରଭାବ ପରେ ଏବେ ପ୍ୟାରିସ୍‌ରେ ୬୦୦ ଚାଇନିଜ୍ କ୍ରୀଡ଼ାବିତ୍‌ ଏକାଠି ହୋଇଛନ୍ତି। ସେମାନେ ସେଠାରୁ ସିଧାସଳଖ ଟୋକିଓ ଗସ୍ତ କରିବା ଯୋଜନା ପ୍ରସ୍ତୁତ ହୋଇଛି। କରୋନା ଭୂତାଣୁ ଥିବା କୌଣସି ଖେଳାଳିଙ୍କୁ ବିମାନରେ ନିଆଯିବ ନାହିଁ ବୋଲି କୋଟ୍‌ସ କହିଛନ୍ତି। ଚାଇନିଜ୍ ମାନେ ସାଧାରଣତଃ ଅତି ସଂଗଠିତ ଥିବାରୁ କିଛି ଅସୁବିଧା ହେବ ନାହିଁ ବୋଲି କୋଟ୍‌ସ ଆଶା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ କିଛି ଖେଳାଳି ମଧ୍ୟ ଏବେଠାରୁ ଅଲିମ୍ପିକ୍ସର ସ୍ଥଗିତ ରଖାଯାଉ ବୋଲି ମତ ରଖିବା ଆରମ୍ଭ କରିଛନ୍ତି। ଆୟୋଜକ ଦେଶ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କିନ୍ତୁ ଅଲିମ୍ପିକ୍ସ ଠିକଣା ପଥରେ ରହିଛି ବୋଲି ଆଶ୍ବାସନା ଦେଇଛନ୍ତି।

ଆଶଙ୍କାରେ ୟୁରୋ କପ୍‌
ଅଲିମ୍ପିକ୍ସ ପୂର୍ବରୁ ଅନ୍ୟତମ ବଡ଼ ଅନ୍ତର୍ଜାତୀୟ ପ୍ରତିଯୋଗିତା ହେଉଛି ୟୁରୋ କପ୍‌ ଫୁଟ୍‌ବଲ୍‌। ଜୁନ୍‌ ୧୨ରୁ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବାକୁ ଖେଳସୂଚୀ ଧାର୍ଯ୍ୟ ରହିଛି। ଏକାଧିକ ଫୁଟ୍‌ବଲ୍‌ ପ୍ରତିଯୋଗିତା ପ୍ରଭାବିତ ହୋଇ ସାରିଥିବାବେଳେ ଏବେ ଏହା ହେବ କି ନ ହେବ ବଡ଼ ପ୍ରଶ୍ନ ଉଠିଛି। ସବୁ ଚାମ୍ପିଅନ୍ସ ଲିଗ୍ ଏବଂ ୟୁରୋପା ଲିଗ୍‌ ମ୍ୟାଚ୍‌ ବାତିଲ ହୋଇ ସାରିଥିବାବେଳେ ଏନ୍‌ବିଏ ମଧ୍ୟ ଆଶଙ୍କା ଭିତରେ ରହିଛି। ଅଲିମ୍ପିକ୍ସ ପରେ ଟୋକିଓ ପାରା ଅଲିମ୍ପିକ୍ସ ମଧ୍ୟ ଅଗଷ୍ଟ ୨୫ ତାରିଖରୁ ଆରମ୍ଭ‌ ହେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର