ଆଇଏସ୍‌ଏଲ୍‌: ଆଜି ଇଷ୍ଟ୍ ବେଙ୍ଗଲ-ଓଡ଼ିଶା ଏଫ୍‌ସି

ଭୁବନେଶ୍ବର: ଭୁବନେଶ୍ବର ଭିତ୍ତିକ ଦଳ ଓଡ଼ିଶା ଏଫ୍‌ସି ଶୁକ୍ରବାର ଚଳିତ ଆଇଏସ୍‌ଏଲ୍‌ରେ ନିଜର ଚତୁର୍ଥ ବାହାର ମ୍ୟାଚ୍‌ରେ ଇଷ୍ଟ୍ ବେଙ୍ଗଲ ଏଫ୍‌ସିକୁ ଭେଟିବ। ଏହି ମ୍ୟାଚ୍‌ କୋଲ୍‌କାତାର ସଲ୍ଟ ଲେକ୍‌ ଷ୍ଟାଡିୟମ ଭାବେ ପରିଚିତ ବିବେକାନନ୍ଦ ‌ଯୁବା ଭାରତୀ କ୍ରୀଡ଼ାଙ୍ଗନରେ ଖେଳାଯିବ। ମ୍ୟାଚ୍‌ର ସିଧାପ୍ରସାରଣ ରାତି ୭.୩୦ରେ ଷ୍ଟାର ସ୍ପୋର୍ଟ୍ସରେ ହେବ। ସଂପ୍ରତି ଓଡ଼ିଶା ୫ ମ୍ୟାଚ୍‌ ଖେଳି ୩ ବିଜୟ ଓ ୨ ପରାଜୟ ସହ ୯ ପଏଣ୍ଟ୍‌ ପାଇ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ଓଡ଼ିଶା ଜାମସେଦପୁରରେ ଜାମସେଦପୁର ଏଫ୍‌ସିକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା। ଏହା ପରେ ମୁମ୍ବାଇରେ ମୁମ୍ବାଇ ସିଟି ଏଫ୍‌ସିଠୁ ହାରି ଘରୋଇ ପଡ଼ିଆକୁ ଫେରିଥିଲା। ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମ୍‌ରେ କେରଳ ବ୍ଲାଷ୍ଟର୍ସ ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସିକୁ ହରାଇ ବିଜୟ ଲୟକୁ ଫେରି ହାଇଦ୍ରାବାଦ ଗସ୍ତ କରିଥିଲା। କିନ୍ତୁ ସେଠାରେ ହାଇଦ୍ରାବାଦ ବିପକ୍ଷରେ ପରାଜୟ ମୁହଁ ଦେଖିଥିଲା। ପୁଣି ଦଳ ବାହାର ମ୍ୟାଚ୍‌ ଖେଳିବାକୁ କୋଲ୍‌କାତା ଗସ୍ତ କରିଛି। ଏହି ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଉଠିବାକୁ ଲକ୍ଷ୍ୟ ରଖିବ ଏହି ଦଳ।

ଅନ୍ୟପକ୍ଷରେ ଇଷ୍ଟ୍ ବେଙ୍ଗଲ ୬ ମ୍ୟାଚ୍‌ ଖେଳି ୨ ବିଜୟ ଓ ୪ ପରାଜୟ ସହ ୬ ପଏଣ୍ଟ ପାଇ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି। ଇଷ୍ଟ୍ ବେଙ୍ଗଲ ନିଜ ଘରୋଇ ପଡ଼ିଆରେ ୩ ମ୍ୟାଚ୍‌ ଖେଳିଥିଲା ବେଳେ ୩ଟି ଯାକ (ଏଫ୍‌ସି ଗୋଆ, ଏଟିକେ ମୋହନବାଗାନ, ଚେନାୟିନ୍‌ ଏଫ୍‌ସି) ହାରିଛି। ବାହାରେ ୩ରୁ ‌୨ ବିଜୟ (ନର୍ଥଇଷ୍ଟ୍ ୟୁନାଇଟେଡ୍‌ ଓ ବେଙ୍ଗାଲୁରୁ ଏଫ୍‌ସି) ଏବଂ ଗୋଟିଏ ପରାଜୟ (କେରଳ ବ୍ଲାଷ୍ଟର୍ସ) ପାଇଛି। ଗତ ମ୍ୟାଚ୍‌ରେ ତାରକା ଖଚିତ ବେଙ୍ଗାଲୁରୁ ଏଫ୍‌ସିକୁ ତା’ମାଟିରେ ହରାଇ ଥିବାରୁ ଓଡ଼ିଶା ବିପକ୍ଷ ମ୍ୟାଚ୍‌ରେ ପୂରା ପଏଣ୍ଟ ପାଇବା ଲକ୍ଷ୍ୟରେ ରହିବ ଏହି କୋଲ୍‌କାତା ଦଳ। ତେବେ ଇଷ୍ଟ୍ ବେଙ୍ଗଲ ବିପକ୍ଷରେ ଜଗରନଟ୍ସର ଭଲ ରେକର୍ଡ ରହିଛି। ଏହି ଦଳ ବିପକ୍ଷରେ ଓଏଫ୍‌ସି ୪ ମ୍ୟାଚ୍‌ ଖେଳି ୩ ଜିତିଛି। ତେଣୁ ଶୁକ୍ରବାର ମ୍ୟାଚ୍‌ରେ ଓଡ଼ିଶା ପଲ୍ଲା ଭାରି ରହିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର