ଆଜିର ଏକଲବ୍ୟ

ଆଦିବାସୀ ବାଳକ ଗୋରାଙ୍କ ଅଦ୍ଭୂତପୂର୍ବ କ୍ରୀଡ଼ା ସଫଳତା

ଜାମେସେଦପୁର: ଝାଡ଼ଖଣ୍ଡର ବିସ୍ମୟ ବାଳକ ଗୋରା ହୋ’ଙ୍କ କାହାଣୀ ସାଂପ୍ରତିକ ସମୟର ଏକଲବ୍ୟଙ୍କଠାରୁ କିଛି କମ୍‌ ନୁହେଁ। ଗୋରାଙ୍କ ସଫଳ କ୍ରୀଡ଼ା କାହାଣୀରେ ପୁରାଣ ବର୍ଣ୍ଣିତ ମହାନ ଶିଷ୍ୟ ଏକଲବ୍ୟଙ୍କର ଅଙ୍ଗୁଳି କାଟିବା କଥା ଥାଇ ନପାରେ ହେଲେ ନିଜକୁ ନିଜେ ଜଣେ ଶ୍ରେଷ୍ଠ ଧର୍ନୁଧର ଭାବେ ଗଢ଼ି ତୋଳିବାର ଉଦାହରଣ ନିଶ୍ଚିତ ଦେଖିବାକୁ ମିଳିବ। ଆଦିବାସୀ ସଂପ୍ରଦାୟରୁ ଆସିଥିବା ଗୋରା ବ୍ୟାଂକକ୍‌ରେ ଆୟୋଜିତ ଏସିଆ କପ୍‌ ପ୍ରଥମ ପର୍ଯ୍ୟାୟ ତୀରନ୍ଦାଜୀ ପ୍ରତିଯୋଗିତାରେ ଦଳଗତ ସ୍ୱର୍ଣ୍ଣ ପଦକ ଜିତି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ସ୍ୱର୍ଣ୍ଣିମ ସଫଳତା ହାସଲ କରିଥିବା ତିନି ଜଣିଆ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିବା ଏହି ୧୭ ବର୍ଷୀୟ ବାଳକ କନିଷ୍ଠ ଏବଂ ଉପ କନିଷ୍ଠ ସ୍ତରରେ ୧୦୦ରୁ ଅଧିକ ପଦକ ଜିତି ସାରିଲେଣି। ସେଥିପାଇଁ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସେ ଭାରତକୁ ତୀରନ୍ଦାଜୀରୁ ପଦକ ଦେବାର ଆଶା ସଂଚାର ହୋଇଛି। ଝାଡ଼ଖଣ୍ଡର ରାଜନଗର ସହରର ବାଲିଝୁଡ଼ି ଗାଁରେ ଜନ୍ମ ଗ୍ରହଣ କରଥିବା ଗୋରା ଚାରି ଭାଇ ଭଉଣୀଙ୍କ ମଧ୍ୟରେ ସବାସାନ। ତାଙ୍କ ପିତା ଖାଇରୁ ହୋ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଗତ ଦୁଇ ବର୍ଷ ହେବ ଶଯ୍ୟାରେ ପଡ଼ି ରହିଛନ୍ତି। ଦୁଇ ବର୍ଷ ତଳେ ତାଙ୍କ ମା ବି ମୃତ୍ୟୁ ବରଣ କରି ସାରିଛନ୍ତି। ଘୋର ଆର୍ଥିକ ଅନଟନ ସତ୍ତ୍ୱେ ଗୋରାଙ୍କ ଲକ୍ଷ୍ୟଭେଦୀ ପ୍ରତିଭା ହେଉଛି ଅସାଧାରଣ। ତାଙ୍କ ପ୍ରଶିକ୍ଷକ ଶ୍ରନିବାସ ରାଓ କହିଛନ୍ତି ଅଲିମ୍ପିକ୍ସରେ ପଦକ ଜିତିବାର ସବୁ ଲକ୍ଷଣ ଗୋରାଙ୍କ ପାଖରେ ଅଛି। ଏଣୁ ସରକାର ତାଙ୍କୁ ସବୁ ପ୍ରକାର ସମର୍ଥନ ଦିଅନ୍ତୁ। ଗୋରାଙ୍କ ଅଦ୍ଭୂତପୂର୍ବ ପ୍ରତିଭାକୁ ଚିହ୍ନି ଝାଡ଼ଖଣ୍ଡ ସରକାର ଏବେ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଗତବର୍ଷ ସରକାରୀ ସାହାଯ୍ୟ ବଳରେ ସେ ୨.୭୦ ଲକ୍ଷ ଟଙ୍କା ଦେଇ ଆଧୁନିକ ଜ୍ଞାନ କୌଶଳ ବିଶିଷ୍ଟ ଧନୁ ତୀର କିଣିଛନ୍ତି। ଖେଳ ଆରମ୍ଭ କରିବାର ମାତ୍ର ୬ ବର୍ଷ ଭିତରେ ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ଜିତିଥିବା ଗୋରା ଗତବର୍ଷ ରାଞ୍ଚିରେ ଆୟୋଜିତ ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ ତିନିଟି ସ୍ୱର୍ଣ୍ଣ ପଦକ ଜିତି ଚର୍ଚାକୁ ଆସିଥିଲେ। ପତଳା ଶରୀର ସହ ଲାଜକୁଳା ସ୍ୱଭାବର କିଶୋର ଗୋରା ଖରସୁଆଁର ଅର୍ଜୁନ ତୀରନ୍ଦାଜୀ ଉତ୍କର୍ଷକେନ୍ଦ୍ରରେ ରହି ନିଜ ପ୍ରତିଭାକୁ ଶାଣିତ କରିଛନ୍ତି। ଏବେ କିନ୍ତୁ ସେ ଶ୍ରୀନିବାସନଙ୍କଠାରୁ ବିଧିବଦ୍ଧ ପ୍ରଶିକ୍ଷଣ ନେଉଛନ୍ତି।

ସମ୍ବନ୍ଧିତ ଖବର