ବିଶାଖାପାଟଣା: ଚଳିତ ଆଇପିଏଲ୍ରେ ବୁଧବାର ଏଲିମିନେଟରରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ରେ ଯିଏ ଜିତିବ ସେ ଫାଇନାଲ୍ ଖେଳିବା ଲାଗି ଗୋଟିଏ ପାଦ ଆଗକୁ ବଢ଼ିବ। ହେଲେ ଯେଉଁ ଦଳ ହାରିବ ସେ ପ୍ରତିଯୋଗିତାରୁ ସମ୍ପୂର୍ଣ୍ଣ ବାଦ ପଡ଼ିବ। ଏଭଳି ସ୍ଥିତିରେ ଉଭୟ ଦଳ ଲାଗି ଫାଇନାଲ୍ ରାସ୍ତା ବଡ଼ କଷ୍ଟକର ହୋଇପଡ଼ିଛି। ଏଲିମିନେଟରରେ ଯେଉଁ ଦଳ ଜିତିବ ସେହି ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବାକୁ ଥିବା କ୍ବାଲିଫାୟର-୧ର ପରାଜିତ ଦଳ ସହ କ୍ବାଲିଫାୟାର-୨ ଖେଳିବ। ଏହାର ବିଜେତା ଫାଇନାଲ୍କୁ ଉନ୍ନୀତ ହେବ। ଲିଗ୍ ପର୍ଯ୍ୟାୟରେ ଦିଲ୍ଲୀ ୧୪ ମ୍ୟାଚ୍ରୁ ୯ ବିଜୟ ଓ ୫ ପରାଜୟ ସହ ୧୮ ପଏଣ୍ଟ୍ ପାଇ ପ୍ଲେଅଫ୍ ପହଞ୍ଚିଥିଲା। ତେବେ ହାଇଦ୍ରାବାଦ ସମାନ ମ୍ୟାଚ୍ ଖେଳି ୬ ବିଜୟ ଓ ୬ ପରାଜୟ ସହ ୧୨ ପଏଣ୍ଟ୍ ପାଇ ଭାଗ୍ୟ ବଳରେ ଏଲିମିନେଟରକୁ ଉନ୍ନୀତ ହୋଇଥିଲା। ଚଳିତ ଋତୁରେ ଉଭୟ ଦଳ ଦୁଇ ଥର ମୁହାଁମୁହିଁ ହୋଇଥିଲା ବେଳେ ଥରେ ଲେଖାଏଁ ବିଜୟ ପାଇଥିଲେ।
ପ୍ରାୟ ୬ ବର୍ଷର ବ୍ୟାବଧାନ ପରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ୍ ଖେଳୁଥିବାରୁ ଉତ୍ସାହିତ ରହିଛି। ଏହି ଦଳ ଚେନ୍ନାଇ ଓ ମୁମ୍ବାଇ ସହ ସମାନ ୧୮ ପଏଣ୍ଟ ପାଇଥିଲେ ମଧ୍ୟ ନେଟ୍ ରନ୍ ରେଟ୍ରେ ପଛୁଆ ରହି ଅଳ୍ପକେ ପ୍ରଥମ ଦୁଇ ସ୍ଥାନରୁ ବଞ୍ଚିତ ହୋଇଥିଲା। ତଥାପି ଦଳ ସଂପ୍ରତି ଯେଉଁ ପ୍ରକାର ପ୍ରଦର୍ଶନ କରୁଛି ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିବା ଲାଗି କଷ୍ଟକର ହେବନି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ୍ (୪୮୬ ରନ୍) ସର୍ବାଧିକ ରନ୍ ସଂଗ୍ରହକାରୀ ତାଲିକାର ଷଷ୍ଠରେ ଏବଂ ଅଧିନାୟକ ଶ୍ରେୟସ ଆୟର (୪୪୨) ଦଶମରେ ରହିଛନ୍ତି। ଋଷବ ପନ୍ତ (୪୦୧) ମଧ୍ୟ ବ୍ୟାଟିଂରେ ଭଲ କରିଛନ୍ତି। ଏମାନଙ୍କ ସହ ବୋଲିଂରେ ଦ୍ରୁତ ବୋଲର କାଗିସୋ ରବାଦା (୨୫)ଙ୍କ ସଫଳତା ହିଁ ଦିଲ୍ଲୀକୁ ଏହି ସ୍ଥାନରେ ପହଞ୍ଚାଇଥିଲା। ରବାଦା ମଧ୍ୟ ଚଳିତ ଆଇପିଏଲ୍ର ସର୍ବାଧିକ ୱିକେଟ୍ ଦଖଲକାରୀ ତାଳିକାର ଶୀର୍ଷରେ ରହିଛନ୍ତି। ହେଲେ ରବାଦା ସ୍ବଦେଶ ଫେରି ଯାଇଥିବାରୁ ବୋଲିଂ ଭାର ଦ୍ରୁତ ବୋଲର ଟ୍ରେଣ୍ଟ୍ ବୋଲ୍ଟ, ଈଶାନ୍ତ ଶର୍ମା ଓ ସ୍ପିନର ଅମିତ ମିଶ୍ରାଙ୍କ ଉପରେ ରହିବ। ରିକି ପଣ୍ଟିଂ ଓ ସୌରଭ ଗାଙ୍ଗୁଲି ଦଳର ପରାମର୍ଶଦାତା ଥିବାରୁ ଏମାନଙ୍କ ଅଭିଜ୍ଞତାର ଫାଇଦା ଦିଲ୍ଲୀକୁ ମିଳୁଛି।
ଅନ୍ୟପକ୍ଷରେ ହାଇଦ୍ରାବାଦ ଆଇପିଏଲ୍ ଇତିହାସରେ ପ୍ରଥମ ଦଳ ଭାବେ ୧୨ ପଏଣ୍ଟ୍ ପାଇ ପ୍ଲେ ଅଫ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। କୋଲ୍କାତା ନାଇଟ୍ ରାଇଡର୍ସ ଏବଂ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ସମାନ ୧୨ ପଏଣ୍ଟ୍ ଲେଖାଏଁ ପାଇଥିଲେ ମଧ୍ୟ ଏନ୍ଆର୍ଆର୍ ଆଧାରରେ ହାଇଦ୍ରାବାଦଠୁ ପଛରେ ପଡ଼ିଯାଇଥିଲେ। ବିଶ୍ବକପ୍ ଦଳରେ ସ୍ଥାନ ପାଇଥିବାରୁ ଦୁଇ ବିଦେଶୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନର (୬୯୨) ଏବଂ ଜନି ବେୟାରଷ୍ଟୋ (୪୪୫) ଦଳ ଛାଡ଼ିସାରିଛନ୍ତି। ଫଳରେ ଦଳ ଟିକେ ଚାପରେ ରହିବ। ମନୀଷ ପାଣ୍ଡେ (୩୧୪) ଏବଂ ବିଜୟ ଶଙ୍କର (୨୧୯) ଭଲ ଖେଳୁଥିବାରୁ ଦଳ ଏମାନଙ୍କ ଉପରେ ଭରସା କରିବ। ଏଥିସହ ଦଳରେ ଅଧିନାୟକ କେନ୍ ୱିଲିୟମସନ୍ ନିଜ ଦେଶୀୟ ସାଥୀ ମାର୍ଟିନ ଗପ୍ଟିଲଙ୍କ ଉପରେ ମଧ୍ୟ ଭରସା କରିବେ। ବୋଲିଂରେ ରସିଦ ଖାନ୍, ଭୁବନେଶ୍ବର କୁମାର ଏବଂ ଖଲିଲ ଅହମ୍ମଦ ଭଲ କରୁଥିବାରୁ ହାଇଦ୍ରାବାଦ ପୁରା ମାତ୍ରରେ ଦିଲ୍ଲୀକୁ ଦାବିବା ଲକ୍ଷ୍ୟରେ ରହିଛି।
ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ଭାବ୍ୟ ଏକାଦଶ: ପୃଥ୍ବୀ ସ, ଶିଖର ଧାୱନ୍, ଶ୍ରେୟସ ଆୟର (ଅଧିନାୟକ), ଋଷବ ପନ୍ତ, କଲିନ୍ ଇନ୍ଗ୍ରାମ, ସେରଫାନ୍ ରଦରଫୋର୍ଡ, କିମୋ ପଲ୍, ଅକ୍ଷର ପଟେଲ, ଅମିତ ମିଶ୍ର, ଈଶାନ୍ତ ଶର୍ମା, ଟ୍ରେଣ୍ଟ୍ ବୋଲ୍ଟ।
ସନ୍ ରାଇଜର୍ସ ହାଇଦ୍ରାବାଦ ସାମ୍ଭାବ୍ୟ ଏକାଦଶ: ରିଦ୍ଧିମାନ ସାହା, ମାର୍ଟିନ ଗପ୍ଟିଲ, ମନୀଷ ପାଣ୍ଡେ, କେନ୍ ୱିଲିୟମସନ୍ (ଅଧିନାୟକ), ବିଜୟ ଶଙ୍କର, ୟୁସୁଫ ପଠାନ, ମହମ୍ମଦ ନବି, ରସିଦ ଖାନ୍, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ।
ଏଲିମିନେଟର୍ରେ ଆଜି ଦିଲ୍ଲୀ-ହାଇଦ୍ରାବାଦ
/sambad/media/post_attachments/wp-content/uploads/2019/05/4-Wilimson-Iyer.jpg)