ଆଜି ଇଂଲଣ୍ଡ-ଅଷ୍ଟ୍ରେଲିଆ ଲଢ଼େଇ

ମାଞ୍ଚେଷ୍ଟର: ଆୟୋଜକ ଇଂଲଣ୍ଡ ଗୁରୁବାର ଚଳିତ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ରେ ଆସେସ୍‌ ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆକୁ ଭେଟିବ। ଗତ ସଂସ୍କରଣ‌ରେ ଇଂଲଣ୍ଡ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଟେଷ୍ଟ୍‌ କ୍ରିକେଟ୍‌ରେ ଭଲ କରୁଥିବା ଇଂଲଣ୍ଡ ଏହା ଉପରେ ଚିନ୍ତା କରିବାକୁ ବାଧ୍ୟ ହୋଇଥିଲା ଏବଂ ଦିନିକିଆରେ ଶ୍ରେଷ୍ଠ ଦେବା ସହ ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନରେ ରହି ଚଳିତ ବିଶ୍ବକପ୍‌ ଖେଳିଥିଲା। ଇଂଲଣ୍ଡକୁ ପ୍ରଥମ ଥର ବିଶ୍ବକପ୍‌ ବିଜେତା କରିବା ଲାଗି ଅଷ୍ଟ୍ରେଲୀୟ ପ୍ରଶିକ୍ଷକ ଟ୍ରେଭର ବେଲିସ୍‌ ପୁରା ଯୋଜନା କରିଛନ୍ତି। ଇଅନ୍‌ ‌ମୋର୍ଗାନଙ୍କ ନେତୃତ୍ବରେ ‌ଇଂଲଣ୍ଡ ବିଶ୍ବ ମାନ୍ୟତାରେ ପ୍ରଥମ ସ୍ଥାନକୁ ଚଢ଼ିଥିବାରୁ ଏଥର ଟ୍ରଫି ଜିତିବାରେ ଆଶାରେ ରହିଛି। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟନ୍‌ ଜାସନ ରୟ ଏବଂ ଜନି ବେୟାରଷ୍ଟୋ ଫର୍ମରେ ରହିଛନ୍ତି। ଇଂଲଣ୍ଡ ଫାଇନାଲ୍‌ରେ ପ୍ରବେଶ କଲେ ସିଧାପ୍ରସାରଣ ଦାୟିତ୍ବ ନେଇଥିବା ସ୍କାଏ ମାଗଣାରେ ବ୍ରିଟେନ୍‌ରେ ଏହି ମ୍ୟାଚ୍‌ ପ୍ରସାରଣ କରିବାକୁ ଘୋଷଣା କରିଛି।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ନିଜର ଗତ ୭ ସେମିଫାଇନାଲ୍‌ରେ ମୋଟେ ହାରିନି। ୨୦ ବର୍ଷ ତଳେ ଏଜବାଷ୍ଟନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିଫାଇନାଲ୍‌କୁ ଟାଇ ରଖିଥିଲା। ହେଲେ ଉନ୍ନତ ରନ୍‌ ହାର ବଳରେ ଅଷ୍ଟେଲିଆ ଫାଇନାଲ୍‌ରେ ପହଞ୍ଚିଯାଇଥିଲା। ଲର୍ଡସରେ ଗତ ମାସରେ ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୬୪ ରନ୍‌ରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ଜାସନ ବେହରେନ୍‌ଡର୍ଫ ଓ ମି‌ଚେଲ୍‌ ‌ଷ୍ଟାର୍କ ନିଜ ମଧ୍ୟରେ ୯ ୱିକେଟ୍‌ ବାଣ୍ଟି ନେଇଥିଲା ବେଳେ ଅଧିନାୟକ ଆରୋନ ଫିଞ୍ଚ୍‌ ଶତକ ହାସଲ କରିଥିଲେ। କିନ୍ତୁ ଏହି ମ୍ୟାଚ୍‌ରେ ରୟ ଆହତ ଯୋଗୁଁ ଖେଳିପାରିନଥିଲେ। ରୟ ଦଳକୁ ଫେରିବା ପରେ ଭାରତ ଓ ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲା। ଏହି ସେମିଫ‌ାଇନାଲ୍‌ ଏଜବାଷ୍ଟନ୍‌ରେ ଖେଳାଯିବାକୁ ଥିଲା ବେଳେ ଅଷ୍ଟ୍ରେଲିଆ ୨୦୦୧ ଆସେସ୍‌ ପରଠୁ ଏଠାରେ କୌଣସି ଫର୍ମାଟ୍‌ରେ ଜିତି ନାହିଁ।
ଇଂଲଣ୍ଡର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଫର୍ମରେ ଥିବାରୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଷ୍ଟାର୍କକୁ ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି। ବଲ୍‌ ବିକୃତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୨ ମାସର ବାସନ୍ଦ ପରେ ଫେରିଥିବା ଅଷ୍ଟ୍ରେଲିଆର ବାମହାତୀ ବ୍ୟାଟ୍ସମ୍ୟାନ୍‌ ଡେଭିଡ ୱାର୍ନର ୬୩୮ ରନ୍‌ କରି ନିଜର ଚମକ ଦେଖାଇଛନ୍ତି। କିନ୍ତୁ ଇଂଲଣ୍ଡ ଦ୍ରୁତ ବୋଲର ଲିଅମ ପ୍ଲଙ୍କେଟ ଅନେକ ସମୟରେ ଦଳ ଲାଗି ଉପଯୁକ୍ତ ସାବ୍ୟସ୍ତ ହୋଇଛନ୍ତି। ୫ ଥରର ବିଶ୍ବ ବିଜେତା ଅଷ୍ଟ୍ରେଲିଆ ଗୁରୁବାର ମ୍ୟାଚ୍‌ରେ ଆହତ ଉସମାନ ଖୱଜାଙ୍କ ସ୍ଥାନରେ ପିଟର ହ୍ୟାଣ୍ଡସ୍କମ୍ବ ଖେଳିବା ନିଶ୍ଚିତ ରହିଛି। ନାଥନ ଲିଅନ୍‌ ମଧ୍ୟ ଇଂଲଣ୍ଡ ଉପରେ ଚାପ ପକାଇବାକୁ ସକ୍ଷମ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ପ୍ରଶିକ୍ଷକ ଜଷ୍ଟିନ୍‌ ଲାଙ୍ଗର।

ସମ୍ବନ୍ଧିତ ଖବର