ଆଜି ପ୍ରଥମ ଲଢ଼େଇ: କିୱି ଶିକାରରେ କୋହଲି ବା‌ହିନୀ

ଅକ୍‌ଲାଣ୍ଡ: ବିଶ୍ବକପ୍ (ଏକଦିବସୀୟ) ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡଠାରୁ ହାରିବା ଭାରତ ପାଇଁ ଶକ୍ତ ଧକ୍କା ଥିଲା। ସେତେବେଳେ କୋହଲି ବାହିନୀକୁ ଏହି ଅପ୍ରତ୍ୟାଶିତ ଝଟ୍‌କା ନ୍ୟୁଜିଲାଣ୍ଡ ଦେଇଥିଲା। ଏବେ ସେହି ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତ ଆଉ ଏକ ବିଶ୍ବକପ୍ (ଟ୍ବେଣ୍ଟି-୨୦) ଲାଗି ପ୍ରସ୍ତୁତି ପର୍ବ ଆରମ୍ଭ କରିବାକୁ ଯାଉଛି। ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଅକ୍ଟୋବର ମାସରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପରବର୍ତୀ ସଂସ୍କରଣ ପୂର୍ବରୁ ଭାରତ ଆସନ୍ତା ୧୦ ଦିନ ମଧ୍ୟରେ ନ୍ୟୁଜିଲାଣ୍ଡରେ ପାଞ୍ଚଟି ମ୍ୟାଚ୍ ଖେଳିବ। ପ୍ରଥମ ମୁକାବିଲା ଶୁକ୍ରବାର ଖେଳାଯିବ ଏବଂ ଏହା ଭାରତୀୟ ସମୟ ଅପରାହ୍‌ଣ ୧୨ଟା ୨୦ରୁ ଆରମ୍ଭ ହେବ।

ନ୍ୟୁଜିଲାଣ୍ଡ ତା’ ପୂର୍ବ ଶୃଙ୍ଖଳା (ଏକଦିବସୀୟ)ରେ ଅଷ୍ଟ୍ରେଲିଆଠାରୁ ୦-୩ରେ ହାରିଥିଲା। ଅନ୍ୟପକ୍ଷରେ ଭାରତ ଅଷ୍ଟ୍ରେଲିଆକୁ ୨-୧ରେ ହରାଇ ଏହି ଶୃଙ୍ଖଳାକୁ ଯାଇଛି। ଗତବର୍ଷ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ କିନ୍ତୁ ନ୍ୟୁଜିଲାଣ୍ଡ ୨-୧ରେ ଜିତି ନେଇଥିଲା। ନ୍ୟୁଜିଲାଣ୍ଡରେ ଖେଳିଥିବା ୫ ଟ୍ବେଣ୍ଟି-୨୦ରେ ମଧ୍ୟ ଭାରତ ମାତ୍ର ଗୋଟିଏ ଜିତିଛି। ଉଭୟ ଦଳ ମଧ୍ୟରେ ମୋଟ ଉପରେ ୧୧ ଟ୍ବେଣ୍ଟି-୨୦ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ମାତ୍ର ତିନିଟିରେ ବିଜୟୀ ହୋଇଛି। ଘରୋଇ ପରିବେଶ ସହ ଅତୀତ ପରିସଂଖ୍ୟାନ ନ୍ୟୁଜିଲାଣ୍ଡ ସପକ୍ଷରେ ଥିବାରୁ ଏହି ଶୃଙ୍ଖଳା ଭାରତ ପାଇଁ ଆଦୌ ସହଜ ହେଲା ଭଳି ମନେହେଉନି। ସେଥିପାଇଁ କୋହଲି ବାହିନୀ କିୱି ଶିକାର (ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳକୁ କିୱି ଦଳ ମଧ୍ୟ କୁହାଯାଏ) କରିବ ନା ନିଜେ ଶିକାର ହେବ, ସେ ପ୍ରଶ୍ନ ଏବେ କ୍ରିକେଟ୍‌ପ୍ରେମୀଙ୍କୁ ଆନ୍ଦୋଳିତ କରୁଛି। ଚଳିତ ବର୍ଷର ଫର୍ମ ଏବଂ ବିଜୟ ଧାରାରେ ଅବଶ୍ୟ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡଠାରୁ ଢେର ଆଗରେ ରହିଛି। ଭାରତ ଏହି ଶୃଙ୍ଖଳା ଶିଖର ଧାୱନ, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର ଓ ଦୀପକ ଚହରଙ୍କ ଭଳି ଖେଳାଳିଙ୍କ ବିନା ଖେଳିବ। ସେପଟେ ନ୍ୟୁଜିଲାଣ୍ଡର ଯୁବ ତାରକା ହାମିସ ବେନେଟ୍ ଶୁକ୍ରବାର ନିଜ ଟ୍ବେଣ୍ଟି-୨୦ ଜୀବନ ଆରମ୍ଭ କରିପାରନ୍ତି। ଭାରତ ଭଳି ନ୍ୟୁଜିଲାଣ୍ଡ ମଧ୍ୟ ଆଘାତ ଜନିତ ସମସ୍ୟା ଦେଇ ଗତିକରୁଛି।

ରାହୁଲ ପୁଣି ୱିକେଟ୍ ରକ୍ଷକ
ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ୱିକେଟ୍ ରକ୍ଷକ ଦାୟିତ୍ବ ତୁଲାଇଥିବା ଲୋକେଶ ରାହୁଲ ଏହି ଶୃଙ୍ଖଳାରେ ମଧ୍ୟ ସମାନ ଦାୟିତ୍ବରେ ରହିବେ। ଅଧିନାୟକ ବିରାଟ କୋହଲି ଗୁରୁବାର ଏହି ସଙ୍କେତ ଦେଇଛନ୍ତି। ତା’ ‌ସହ ଟ୍ବେଣ୍ଟି-୨୦ରେ ସେ ପାଳି ଆରମ୍ଭ କରିବେ। ହେଲେ ଦିନିକିଆରେ ମଧ୍ୟକ୍ରମରେ ଖେଳିବେ। ମଧ୍ୟକ୍ରମରେ ମଧ୍ୟ କିଛିଟା ଅଦଳ ବଦଳ ହେବ ବୋଲି କୋହଲି କହିଛନ୍ତି। ଫଳରେ ଋଷଭ ପନ୍ତ ଚୂଡ଼ାନ୍ତ ଏକାଦଶରେ ତାଙ୍କ ସ୍ଥାନ ହରାଇପାରନ୍ତି। ମନୀଷ ପାଣ୍ଡେ ପଞ୍ଚମ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିବେ। ଶ୍ରେୟସ୍ ଆୟର ଚତୁର୍ଥ ସ୍ଥାନରେ ଖେଳିବା ଜାରି ରଖିବେ। ଶ୍ରୀଲଙ୍କା ଶୃଙ୍ଖଳାରେ ଭାରତ ପାଞ୍ଚ ଜଣ ବୋଲରଙ୍କୁ ନେଇ ଖେଳିଥିଲା। ଏଭଳି ହେଲେ ରବୀନ୍ଦ୍ର ଜାଦେଜା ଓ ଶିଭମ ଦୁବେ ଷଷ୍ଠ ଏବଂ ସପ୍ତମ ସ୍ଥାନରେ ଖେଳିପାରନ୍ତି। ଏହି ଦୁଇ ସ୍ଥାନ ଲାଗି ୱାସିଂଟନ ସୁନ୍ଦରଙ୍କୁ ମଧ କୋହଲି ବିଚାରକୁ ନେଇପାରନ୍ତି। ଅପରପକ୍ଷେ ଅଧିନାୟକ କେନ୍ ୱିଲିୟମସନଙ୍କ ପ୍ରତ୍ୟାବର୍ତନ ପାଇଁ ନ୍ୟୁଜିଲାଣ୍ଡ ଶୀର୍ଷକ୍ରମ ଶକ୍ତିଶାଳୀ ହୋଇଛି। କଲିନ୍ ଡି’ ଗ୍ରାଣ୍ଢୋମେ ଏବଂ ଡାରିଲ ମିଚେଲଙ୍କ ମଧ୍ୟରୁ ଜଣକୁ ନ୍ୟୁଜିଲାଣ୍ଡ ଷଷ୍ଠ ସ୍ଥାନରେ ଖେଳାଇପାରେ। ନ୍ୟୁଜିଲାଣ୍ଡ ମଧ୍ୟ ୫ ଜଣ ବୋଲରଙ୍କୁ ପଡ଼ିଆକୁ ଓହ୍ଲାଇପାରେ।

ପ୍ରତିଶୋଧ ନୁହେଁ, ଭଲ କ୍ରିକେଟ୍‌କୁ ପ୍ରାଥମିକତା
ଶୁକ୍ରବାର ମ୍ୟାଚ୍‌ରେ ଭାରତ ପାଇଁ ବିଶ୍ବକପ୍ ସେମିଫାଇନାଲ୍ ପରାଜୟର ପ୍ରତିଶୋଧ ନେବା ସୁଯୋଗ ରହିବ। ତେବେ ଭାରତ ପ୍ରତିଶୋଧର ଭାବନା ନେଇ ପଡ଼ିଆକୁ ଓହ୍ଲାଇବ ନାହିଁ ବୋଲି ଅଧିନାୟକ ବିରାଟ କୋହଲି ସ୍ପଷ୍ଟ କରି ଦେଇଛନ୍ତି। ଏଥିନେଇ ସେ କହିଛନ୍ତି ଯେ ନ୍ୟୁଜିଲାଣ୍ଡର ଲୋକମାନେ ଏତେ ଭଲ ଯେ ଆପଣ ପ୍ରତିଶୋଧ କଥା ଭାବିଲେ ମଧ୍ୟ ସେହି ସ୍ତରକୁ ଯାଇପାରିବେ ନାହିଁ। ଭଲ କ୍ରିକେଟ୍ ଖେଳିବା ହିଁ ଆମର ପ୍ରାଥମିକତା ହେବ। ଏହି ଅବସରରେ କୋହଲି ମଧ୍ୟ ପ୍ରତିପକ୍ଷ ଅଧିନାୟକ କେନ୍ ୱିଲୟମସନଙ୍କୁ ପ୍ରଶଂସା କରିଥିଲେ। ତାଙ୍କୁ କ୍ରିକେଟର ଜଣେ ସଚ୍ଚା ଦୂତ ଭାବେ ବର୍ଣ୍ଣନା କରିଥିଲେ କୋହଲି। ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ଶୃଙ୍ଖଳା ଜିତିବାର ଦାବିଦାର ବୋଲି ସେ ସ୍ବୀକାର କରିଥିଲେ।

ବର୍ଷା ଆଶଙ୍କା
ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ ସ୍ଥାନୀୟ ସମୟ ସଂଧ୍ୟା ୭ଟା ୫୦ରେ ଆରମ୍ଭ ହେବାର ଅଛି। ତେବେ ଅକ୍‌ଲାଣ୍ଡରେ ଶୁକ୍ରବାର ସକାଳେ ଏବଂ ସଂଧ୍ୟା‌ରେ ଝିପି ଝିପି ବର୍ଷା ହେବାର ପୂର୍ବାନୁମାନ ରହିଛି। ଏଣୁ ମ୍ୟାଚ୍ ଏଥିନେଇ ପ୍ରଭାବିତ ହୋଇପାରେ। ତେବେ ବର୍ଷାର ପରିମାଣ ଅପେକ୍ଷାକୃତ କମ୍ ରହିବ ବୋଲି ସ୍ଥାନୀୟ ପାଣିପାଗ ବିଭାଗ ଭବିଷ୍ୟବାଣୀ କରିଛି। ଏଣୁ ମ୍ୟାଚ୍ ସଂପୂର୍ଣ୍ଣ ବାତିଲ ହେବା ପରିବର୍ତେ ଏହାର ଅବଧି ହୁଏତ କିଛି ଓଭର କମି ଯାଇପାରେ।

ପ୍ରତିଶୋଧ ନୁହେଁ, ଭଲ କ୍ରିକେଟ୍‌କୁ ପ୍ରାଥମିକତା
ଶୁକ୍ରବାର ମ୍ୟାଚ୍‌ରେ ଭାରତ ପାଇଁ ବିଶ୍ବକପ୍ ସେମିଫାଇନାଲ୍ ପରାଜୟର ପ୍ରତିଶୋଧ ନେବା ସୁଯୋଗ ରହିବ। ତେବେ ଭାରତ ପ୍ରତିଶୋଧର ଭାବନା ନେଇ ପଡ଼ିଆକୁ ଓହ୍ଲାଇବ ନାହିଁ ବୋଲି ଅଧିନାୟକ ବିରାଟ କୋହଲି ସ୍ପଷ୍ଟ କରି ଦେଇଛନ୍ତି। ଏଥିନେଇ ସେ କହିଛନ୍ତି ଯେ ନ୍ୟୁଜିଲାଣ୍ଡର ଲୋକମାନେ ଏତେ ଭଲ ଯେ ଆପଣ ପ୍ରତିଶୋଧ କଥା ଭାବିଲେ ମଧ୍ୟ ସେହି ସ୍ତରକୁ ଯାଇପାରିବେ ନାହିଁ। ଭଲ କ୍ରିକେଟ୍ ଖେଳିବା ହିଁ ଆମର ପ୍ରାଥମିକତା ହେବ। ଏହି ଅବସରରେ କୋହଲି ମଧ୍ୟ ପ୍ରତିପକ୍ଷ ଅଧିନାୟକ କେନ୍ ୱିଲୟମସନଙ୍କୁ ପ୍ରଶଂସା କରିଥିଲେ। ତାଙ୍କୁ କ୍ରିକେଟର ଜଣେ ସଚ୍ଚା ଦୂତ ଭାବେ ବର୍ଣ୍ଣନା କରିଥିଲେ କୋହଲି। ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ଶୃଙ୍ଖଳା ଜିତିବାର ଦାବିଦାର ବୋଲି ସେ ସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର