ନୂଆଦିଲ୍ଲୀ: ନୂଆଦିଲ୍ଲୀର ବାୟୁ ପ୍ରଦୂଷଣ ଚରମ ସ୍ତରରେ ରହିଛି। ରବିବାର ରାତିରେ କିନ୍ତୁ ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତ ଏବଂ ବାଂଲାଦେଶ ପ୍ରଥମ ଟି-୨୦ ମ୍ୟାଚ୍ ଖେଳି ଶୃଙ୍ଖଳାର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଆସନ୍ତା ବର୍ଷର ଟି-୨୦ ବିଶ୍ବକପ୍ ପୂର୍ବରୁ ଏହି ୩ ମ୍ୟାଚ୍ ଶୃଙ୍ଖଳା ଉଭୟ ଦେଶ ପାଇଁ ପ୍ରସ୍ତୁତି ଓ ପରଖିବାର ସୁଯୋଗ ଆଣିଛି। ଭାରତ ବିରାଟ କୋହଲି ଏବଂ ପ୍ରମୁଖ ଦ୍ରୁତ ବୋଲରଙ୍କ ବିନା ଖେଳିବ। ବାଂଲାଦେଶ ବି ଏହାର ଅଧିନାୟକ ତଥା ଅଲରାଉଣ୍ଡର୍ ସକିବ୍ ଅଲ ହାସନଙ୍କ ସେବାରୁ ବଞ୍ଚିତ ରହିବ। ସକିବଙ୍କ ସହିତ ତମିମ୍ ଇକବାଲ ଏବଂ ମସରାଫ ମର୍ତାଜାଙ୍କ ବିନା ମଧ୍ୟ ବାଂଲାଦେଶ ନିଜର ଯୁବ ଖେଳାଳିଙ୍କ ପରୀକ୍ଷା ନେବ। ଆହତ ପାଇଁ ଉଦୀୟମାନ ମହମ୍ମଦ ସୈଫୁଦ୍ଦିନ ମଧ୍ୟ ଉପଲବ୍ଧ ନାହାନ୍ତି। ୩ ବର୍ଷ ତଳେ ଟି-୨୦ ଖେଳିଥିବା ଆରାଫତ୍ ସନ୍ନି ଏବଂ ଅଲ୍ ଅମିନ୍ ହୋସେନଙ୍କୁ ବାଂଲାଦେଶ ଡାକରା ଦେଇଛି। ବାଂଲାଦେଶ ନିଶ୍ଚିତ ମହମ୍ମଦୁଲ୍ଲା, ମୁସଫିକର ରହିମ, ମୁସ୍ତାଫିଜୁର ରହମାନଙ୍କ ଉପରେ ନିର୍ଭର କରିବ। ୪ ବର୍ଷ ତଳେ ଭାରତ ବିପକ୍ଷରେ ଚମତ୍କାର ପଦାର୍ପଣ କରିଥିବା ମୁସ୍ତାଫିଜୁର ଆଇପିଏଲ୍ରେ ହାଇଦ୍ରାବାଦ ଏବଂ ମୁମ୍ବାଇ ପାଇଁ ଖେଳିଥିବାରୁ ଭାରତୀୟ ପରିବେଶର ଅଭିଜ୍ଞତାରୁ ଫାଇଦା ଉଠାଇବା ସମ୍ଭାବନା ରହିଛି।
ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳିବାକୁ ଯାଉଥିବା ଭାରତ ୨୬ ବର୍ଷୀୟ ମୁମ୍ବାଇ ଅଲରାଉଣ୍ଡର୍ ଶିଭମ ଦୁବେଙ୍କୁ ପଦାର୍ପଣ ସୁଯୋଗ ଦେବ ବୋଲି ସୂଚନା ମିଳିଛି। ହାର୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଦୁବେଙ୍କୁ ଏହି ସୁଯୋଗ ମିଳିବାକୁ ଥିବାରୁ ଦୁବେ ଏହାର କେତେ ଫାଇଦା ନେଉଛନ୍ତି କ୍ରିକେଟ୍ ବିଶାରଦମାନେ ନଜର ରଖିଛନ୍ତି। କୃନାଲ ପାଣ୍ଡ୍ୟା, ୱାସିଂଟନ୍ ସୁନ୍ଦର ଏବଂ ଶିଭମ ଦୁବେଙ୍କ ଭଳି ୩ ଅଲରାଉଣ୍ଡରଙ୍କ ଉପରେ ମଧ୍ୟ ଭାରତ ଭରସା ରଖିବ। ୟୁଜବେନ୍ଦ୍ର ଚହଲ ଏବଂ ରାହୁଲ ଚହରଙ୍କ ମଧ୍ୟରୁ ଜଣେ ଦ୍ବିତୀୟ ସ୍ପିନର୍ ଭାବେ ଖେଳିପାରନ୍ତି। ସେହିଭଳି ଦୀପକ ଚହରଙ୍କ ସହିତ ଦ୍ବିତୀୟ ପେସ୍ ବୋଲର ଭାବେ ସାର୍ଦୁଲ ଠାକୁର ଓ ଖଲିଲ୍ ଅହମ୍ମଦଙ୍କ ମଧ୍ୟରୁ ଜଣେ ଖେଳିବେ। ଅରୁଣ ଜେଟଲୀ ଷ୍ଟାଡିୟମ୍ ପିଚ୍କୁ ଘୋଡ଼ାଇ ରଖାଯାଇଛି ଏବଂ କିଛି ଘାସ ଥିବା କୁହାଯାଉଛି। କିନ୍ତୁ ବ୍ୟାଟିଂ ପାଇଁ ଏହା ଅନୁକୂଳ ହେବ ବୋଲି ମହମ୍ମଦୁଲ୍ଲା କହିଛନ୍ତି। ତଥାପି ମ୍ୟାଚ୍ ଅଗ୍ରଗତି କରିବା ସହିତ ଏହା ସ୍ପିନରଙ୍କୁ ବି ସୁହାଇବ ବୋଲି ଅନୁମାନ କରାଯାଉଛି।
ଭାରତ ସମ୍ଭାବ୍ୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ସଂଜୁ ସାମସନ୍/କେଏଲ୍ ରାହୁଲ, ଶ୍ରେୟସ ଆୟର, ଋଷବ ପନ୍ତ୍ (ୱିକେଟରକ୍ଷକ), ଶିଭମ ଦୁବେ, କୃନାଲ ପାଣ୍ଡ୍ୟା, ୱାସିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ/ରାହୁଲ ଚହର, ଦୀପକ ଚହର, ସାର୍ଦୁଲ ଠାକୁର/ଖଲିଲ୍ ଅହମ୍ମଦ।
ବାଂଲାଦେଶ ସମ୍ଭାବ୍ୟ ଦଳ: ଲିଟନ୍ ଦାସ, ସୌମ୍ୟ ସରକାର, ମହମ୍ମଦ ନଇମ/ମହମ୍ମଦ ମିଥୁନ, ମୁସଫିକର ରହିମ୍ (ୱିକେଟ୍ରକ୍ଷକ), ମହମ୍ମଦୁଲ୍ଲା (ଅଧିନାୟକ), ମୋସାଦେକ୍ ହୋସେନ୍, ଅଫିଫ ହୋସେନ୍, ଆରାଫତ ସନ୍ନି, ମୁସ୍ତାଫିଜୁର୍ ରହମାନ, ଅଲ୍ ଅମିନ୍ ହୋସେନ୍, ଅବୁ ହାଇଦର/ତୈଜୁଲ ଇସଲାମ।
ବିରାଟ ଯେଉଁଠି ଛାଡ଼ିଛନ୍ତି, ଦଳକୁ ସେଠାରୁ ଆଗେଇ ନେବା ମୋ ଦାୟିତ୍ବ: ରୋହିତ
ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଟ୍ବିଣ୍ଟି-୨୦ ଶୃଙ୍ଖଳାରେ ଭାରତୀୟ ଦଳର ନେତୃତ୍ବ ନେବେ। ବିରାଟ ଦଳକୁ ଯେଉଁଠାରେ ଛାଡ଼ିଛନ୍ତି, ସେଠାରୁ ଦଳକୁ ଆଗେଇ ନେବାକୁ ଚାହୁଁଛି ଏବଂ ଅଧିନାୟକ ଭାବେ ଏହା ମୋର ଦାୟିତ୍ବ ବୋଲି କହିଛନ୍ତି ରୋହିତ୍। ବାଂଲାଦେଶ ଏକ ଭଲ ଦଳ। କେବଳ ଘରୋଇ ପରିବେଶରେ ନୁହେଁ ବିଦେଶରେ ମଧ୍ୟ ବାଂଲାଦେଶ ଭଲ ପ୍ରଦର୍ଶନ କରିଛି। ବାଂଲାଦେଶ ବିଶେଷ କରି ଆମକୁ ଅନେକ ସମୟରେ କଡ଼ା ଟକ୍କର ଦେଇଛି ବୋଲି ପ୍ରଥମ ଟ୍ବିଣ୍ଟି-୨୦ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଛନ୍ତି। ସକିବ୍ ଅଲ୍ ହାସନ୍ ଓ ତମିମ୍ ଇକବାଲଙ୍କ ଭଳି ଅଭିଜ୍ଞ ଖେଳାଳି ନଥିଲେ ମଧ୍ୟ ଆମେ ବାଂଲାଦେଶକୁ ହାଲ୍କାରେ ନେବୁନାହିଁ। ଏହି ଦୁଇ ଖେଳାଳି ଦଳରେ ନଥିଲେ ମଧ୍ୟ ବାଂଲାଦେଶ କୌଣସି ବି ଦଳକୁ କଡ଼ା ଜବାବ ଦେବାକୁ ସକ୍ଷମ। ବିପକ୍ଷ ଦଳ ଅପେକ୍ଷା ଆମେ ନିଜ ଉପରେ ଅଧିକ ଗୁରୁତ୍ବ ଦେଉଛୁ, ରବିବାର ମ୍ୟାଚ୍ରେ ସଞ୍ଜୁ ସାମସନ୍ ଓ ଶିଭମ୍ ଦୁବେଙ୍କ ମଧ୍ୟରୁ ଜଣକୁ ଚୁଡ଼ାନ୍ତ ଏକାଦଶରେ ସାମିଲ କରାଯିବ ବୋଲି ସେ କହିଛନ୍ତି। ଆସନ୍ତା ବର୍ଷ େଟ୍ବଣ୍ଟି-୨୦ ବିଶ୍ବକପ୍ ଥିବାରୁ, ଆମେ ଦଳର ତ୍ରୁଟି ସୁଧାରିବାକୁ ଚାହୁଁଛୁ। ପ୍ରଥମେ ବ୍ୟାଟିଂ କରି ବିପକ୍ଷ ଦଳକୁ ଆହ୍ବାନ କରି ଜିତିବା ସହିତ ଅଷ୍ଟ୍ରେଲିଆରେ ହେବାକୁଥିବା ବିଶ୍ବକପ୍ ପୂର୍ବରୁ ସବୁ ତ୍ରୁଟିକୁ ସୁଧାରିବାକୁ ଦୃଷ୍ଟି ରଖିଛୁ ବୋଲି ରୋହିତ କହିଛନ୍ତି। ରିଷଭ ପନ୍ତଙ୍କୁ ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଦଳ ଯଥା ସମ୍ଭବ ସୁଯୋଗ ଦେବ ବୋଲି ରୋହିତ ସ୍ପଷ୍ଟ କରିଥିଲେ।