ଆଜି ୩ ପୂର୍ବ ବିଜେତାଙ୍କ ଲଢ଼େଇ

ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ରେ ରବିବାର ପୁଲ୍ ପର୍ଯ୍ୟାୟ ଶେଷ ହୋଇଯିବ। ଚୂଡାନ୍ତ ହୋଇଯିବ କେଉଁ ୪ ଦେଶ ସିଧାସଳଖ କ୍ବାର୍ଟର ଫାଇନାଲ୍‌ ଖେଳିବେ ଏବଂ କେଉଁ ୮ ଦେଶ ପ୍ରି-କ୍ବାର୍ଟର ସଦୃଶ କ୍ରସ୍ ଓଭର ଯୋଗ୍ୟତା ଅର୍ଜନ କରିବେ। ରବିବାର କିନ୍ତୁ କେବଳ ପୁଲ୍‌ ‘ଡି’ର ଚୂଡାନ୍ତ ପରୀକ୍ଷା ରହିଛି। ଯେଉଁ ୪ଟି ଦଳ ଲଢ଼ିବେ ସେମାନଙ୍କ ମଧ୍ୟରୁ ୩ ଦେଶ ମିଳିତ ଭାବେ ୯ ଥର ବିଶ୍ବକପ୍ ଜିତିଛନ୍ତି। ସଂଧ୍ୟା ୫ଟାରେ ୨ ଥର ବିଜେତା ଜର୍ମାନି ଖେଳିବ ମାଲେସିଆ ସହିତ। ରାତି ୭ଟାରେ ୩ ଥର ବିଜେତା ନେନଦରଲାଣ୍ଡ୍ ଭେଟିବ ସର୍ବାଧିକ ୪ ଥର ଟ୍ରଫି ହାତେଇଥିବା ପାକିସ୍ତାନକୁ। ଜର୍ମାନି ୨ରୁ ୨ ବିଜୟ ଏବଂ ୬ ପଏଣ୍ଟ୍ ସହିତ କ୍ବାର୍ଟର ଫାଇନାଲ୍‌ ସମ୍ଭାବନାକୁ ଦୃଢ଼ ରଖିଛି। ଅପେକ୍ଷାକୃତ ଦୁର୍ବଳ ମାଲେସିଆକୁ ଭେଟୁଥିବାରୁ ଜର୍ମାନି ପାଇଁ ବାଟ ସହଜ ରହିଛି। କିନ୍ତୁ ପାକିସ୍ତାନ ଏବଂ ମାଲେସିଆ ୧ ପଏଣ୍ଟ୍ ଲେଖାଏଁ ପାଇ ନିମ୍ନରେ ଥିବାରୁ ପାକିସ୍ତାନ-ନେଦରଲାଣ୍ଡ୍ ମ୍ୟାଚ୍ ଉଭୟ ଦଳର ଭାଗ୍ୟ ନିର୍ଣ୍ଣୟ କରିବ। ଏହି ମ୍ୟାଚ୍‌ରେ ନେଦରଲାଣ୍ଡ୍‌ ବିଜୟୀ ହୋଇ ସିଧାସଳଖ କ୍ବାର୍ଟର ଫାଇନାଲ୍‌ ଯିବା ଳକ୍ଷ୍ୟରେ ରହିବ। ପାକିସ୍ତାନ କ୍ରସ୍ ଓଭର ପ୍ରବେଶ ପାଇଁ ଅନ୍ୟୁନ ଅମୀମାଂସିତ ସହିତ ଜର୍ମାନିଠାରୁ ମାଲେସିଆର ପରାଜୟ ଭାଗ୍ୟ ଆଶା ରଖିଛି।

ସମ୍ବନ୍ଧିତ ଖବର