ଭୁବନେଶ୍ୱର: ୨୦ ଦଳକୁ ନେଇ ୬ ସପ୍ତାହ ତଳୁ କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହୋଇଥିବା ପ୍ରଥମ ସଂସ୍କରଣ ସୁପର୍ କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ଶ୍ରେଷ୍ଠ ଦୁଇ ଦଳ ଶୁକ୍ରବାର ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହେବେ। ଦୃଢ଼ ଦାବିଦାର ଦକ୍ଷିଣୀଦଳ ବେଙ୍ଗାଲୁରୁ ଏଫ୍ସି ଆଗରେ ରହିଛି ଭାରତର ସର୍ବପୁରାତନ ଦଳ ଇଷ୍ଟବେଙ୍ଗଲ୍। ଏହି ଫାଇନାଲ୍ ମଧ୍ୟ ଭାରତୀୟ ଫୁଟ୍ବଲ୍ ଦୁନିଆର ଦୁଇ ଶ୍ରେଷ୍ଠ ପ୍ରତିଯୋଗିତା ଆଇଏସ୍ଏଲ୍ ଓ ଆଇ ଲିଗ୍ ମଧ୍ୟରେ ପରୋକ୍ଷ ପରୀକ୍ଷା ନେବ। ଆଇଏସ୍ଏଲ୍ରେ ଚେନ୍ନାଇନ୍ ଏଫ୍ସି ନିକଟରୁ ହାରି ବେଙ୍ଗାଲୁରୁ ଏଫ୍ସି ଉପ ବିଜେତା ହୋଇଥିଲା। ଅନ୍ୟପକ୍ଷରେ ଆଇ ଲିଗ୍ରେ ଚତୁର୍ଥ ସ୍ଥାନ ଦଖଲ କରିଥିଲେ ମଧ୍ୟ ସୁପର୍ କପ୍ର ଫାଇନାଲ୍କୁ ଉଠି ଉତ୍ସାହ ଓ ଆତ୍ମବିଶ୍ୱାସରେ ରହିଛି କୋଲ୍କାତା ଦଳ ଇଷ୍ଟବେଙ୍ଗଲ୍। ଫାଇନାଲ୍ ମ୍ୟାଚ୍ ଦେଖିବାକୁ ବାଙ୍ଗାଲୋର୍ ଏବଂ କୋଲ୍କାତାରୁ ପ୍ରଶଂସକମାନେ ଆସି ଭୁବନେଶ୍ୱରରେ ଡେରା ପକାଇଛନ୍ତି। କଳିଙ୍ଗ ଷ୍ଟାଡିୟମ୍ ନିଶ୍ଚିତ ଭାରତୀୟ ଘରୋଇ ଫୁଟ୍ବଲ୍ର ଏକ ଶ୍ରେଷ୍ଠ ମୁହୂର୍ତକୁ ପାଇବ ଶୁକ୍ରବାର।ସେମିଫାଇନାଲ୍ରେ ଇଷ୍ଟବେଙ୍ଗଲ୍ ୧-୦ ଗୋଲ୍ରେ ଗୋଆ ଏଫ୍ସିକୁ ଏବଂ ବେଙ୍ଗାଲୁରୁ ଏଫ୍ସି ୦-୧ ପଛୁଆରୁ ଚମତ୍କାର ଭାବେ ବାହାରି ୪-୨ରେ ମୋହନ ବାଗାନକୁ ପରାସ୍ତ କରିଥିଲା। ଫାଇନାଲ୍ ମୁକାବିଲା ପୂର୍ବରୁ ଦୁଇ ଦଳ ମଧ୍ୟରେ ୮ ଥର ମୁକାବିଲା ହୋଇଥିବାବେଳେ ଇଷ୍ଟବେଙ୍ଗଲ୍ ୫ ଥର ଜିିତିଛି। କିନ୍ତୁ ଶେଷ ମୁକାବିଲାଠାରୁ ବେଙ୍ଗାଲୁରୁର ଖେଳ ସ୍ତର ଉଚ୍ଚସ୍ତରକୁ ଛୁଇଁଛି। ଭାରତୀୟ ଫୁଟ୍ବଲ୍ର ଶ୍ରେଷ୍ଠ ଦଳ ଭାବେ ଏବେ ବେଙ୍ଗାଲୁରୁ ଏଫ୍ସି ଉଭା ହୋଇଛି। ଆଇଏସ୍ଏଲ୍ ଫାଇନାଲ୍ରେ ବେଙ୍ଗାଲୁରୁ ହାରିଯିବା ନିରାଶ କରିଥିଲେ ମଧ୍ୟ ବିଜୟ ମୁକୁଟ ସହିତ ଭାରତୀୟ ଫୁଟ୍ବଲ୍ ଋତୁକୁ ଶେଷ କରିବା ଲକ୍ଷ୍ୟରେ ରହିଛି ତାରକା ସୁନୀଲ ଛେତ୍ରୀଙ୍କ ଦଳ। ସମାନ ଢଙ୍ଗରେ ମଧ୍ୟ ମୁକୁଟବିହୀନ ଋତୁକୁ ବିଜୟରେ ଶେଷ କରିବା ଆଶାରେ ରହିଛି ଲାଲ ଓ ସୁନେଲି ଜର୍ସିର ଦଳ କିଙ୍ଗ୍ଫିସର୍ ଇଷ୍ଟବେଙ୍ଗଲ୍। ୬ ବର୍ଷ ପରେ ପ୍ରଥମ ଥର ଏକ ପ୍ରମୁଖ ପ୍ରତିଯୋଗିତା ଜିତିବା ଲକ୍ଷ୍ୟରେ ରହିଛି। ୨୦୦୪ରେ ଆଇ ଲିଗ୍ ଜିତିଥିବା ଇଷ୍ଟବେଙ୍ଗଲ୍ ୨୦୧୨ ମସିହାରେ ଫେଡେରେସନ୍ କପ୍ ଜିତିଥିଲା। ଏବେ ସୁପର୍ କପ୍ ହିଁ ଫେଡେରେସନ୍ କପ୍ର ସ୍ଥାନ ନେଇଥିବାରୁ ଇଷ୍ଟବେଙ୍ଗଲ୍ ନୂଆ ଫର୍ଦ ଯୋଡ଼ିବାକୁ ବ୍ୟଗ୍ର ରହିଛି।
ଆଇଏସ୍ଏଲ୍ ଫାଇନାଲ୍ ବ୍ୟତିକ୍ରମକୁ ବାଦ୍ଦେଲେ ଆଲବର୍ଟ କୋଷ୍ଟାଙ୍କ ପ୍ରଶିକ୍ଷିତ ବେଙ୍ଗାଲୁରୁ ଏଫ୍ସି ଦଳ ମଧ୍ୟ ବିଗତ ୨୧ ମ୍ୟାଚ୍ରେ ଅପରାଜିତ ରହିଛି। ଏହା ମଧ୍ୟରେ ୧୭ ବିଜୟ ରହିଛି। ଏହା ହିଁ ଦଳର ଶକ୍ତି ଓ ସାମର୍ଥ୍ୟକୁ ତଉଲିବାର ପ୍ରମାଣ ରଖିଛି। ଚଳିତ ସୁପର୍ କପ୍ରେ ଦଳ ଗୋକୁଳମ କେରଳକୁ ୨-୧ରେ, ନେରୋକା ଏଫ୍ସିକୁ ସହଜରେ ୩-୧ରେ ଏବଂ ମୋହନ ବାଗାନକୁ ୪-୨ରେ ହରାଇ ଫାଇନାଲ୍ରେ ପହଞ୍ଚିଛି। ଅନ୍ୟପକ୍ଷରେ ଇଷ୍ଟବେଙ୍ଗଲ୍ ୨-୧ରେ ମୁମ୍ବାଇ ସିଟି ଏଫ୍ସିକୁ, ୧-୦ରେ ଆଇଜଲ୍ ଏଫ୍ସିକୁ ଏବଂ ଗୋଆ ଏଫ୍ସିକୁ ୧-୦ରେ ହରାଇ ଫାଇନାଲ୍ ଆସିଛି। ନୀଳ ଜର୍ସିର ଦଳ ବେଙ୍ଗାଲୁରୁର ସଫଳ ଯାତ୍ରା ସମ୍ଭବ ହୋଇଛି ଅଗ୍ରଭାଗରେ ଥିବା ତ୍ରିମୂର୍ତି ତାରକା ସୁନୀଲ ଛେତ୍ରୀ, ମିକୁ ଏବଂ ଉଦାନ୍ତ ସିଂହଙ୍କ ପାଇଁ। ଗୋଲରକ୍ଷକ ଗୁରପ୍ରୀତ୍ ସିଂହ ମଧ୍ୟ ବେଙ୍ଗାଲୁରୁ ସଫଳତାର ଅନ୍ୟତମ ପ୍ରମୁଖ ଖେଳାଳି। ନିଜର ପୂର୍ବ କ୍ଲବ୍ ଇଷ୍ଟ ବେଙ୍ଗଲ୍ ବିପକ୍ଷରେ ଭଲ ପ୍ରଦର୍ଶନ କରି ଆମକୁ ମିଳିଥିବା ଆଉ ଏକ ଟ୍ରଫି ସୁଯୋଗକୁ ହାତେଇବାକୁ ଚାହିଁବୁ ବୋଲି ମଧ୍ୟ ଗୁରପ୍ରୀତ୍ କହିଛନ୍ତି।
ବେଙ୍ଗାଲୁରୁ ଏଫ୍ସି ଦଳ: ଗୁରପ୍ରୀତ୍ ସିଂହ ସାନ୍ଧୁ (ଗୋଲରକ୍ଷକ), ଜୁଆନ୍ ଆଣ୍ଟୋନିଓ ଗଞ୍ଜାଲେଞ୍ଜ୍ ଫର୍ନାଣ୍ଡେଜ୍, ଜନ୍ ଜେମ୍ସ ଜନ୍ସନ୍, ନିକୋଲାସ୍ ଲାଡିସ୍ଲାଓ ଫେଡର୍, ସୁନୀଲ ଛେତ୍ରୀ (ଅଧିନାୟକ), ଶୁଭାଶିଷ ବୋଷ୍, ଏଣିକ୍ ଏଣ୍ଡେଲ୍ ପର୍ତାଲୁ, ବୋଇତାଙ୍ଗ ହାଓକିପ୍, କୁଦମ ଉଦାନ୍ତ ସିଂହ, ନିଶୁ କୁମାର, ଭିକ୍ଟର ପେରେଜ୍, ଲେନି ରଡିି୍ରଗେ୍ଵଜ୍, ହରମନଜୋତ୍ ସିଂହ ଖବରା, ଥଙ୍ଗକୋସିମ୍ ହାଓକିପ୍, ଡାନିଏଲ୍ ଲାଲ୍ଲିମ୍ପୁଆ, ଲାଲ୍ଥୁଆମାଓ୍ଵିୟା ରାଲ୍ତେ, ମାଲ୍ସା ଜୁଆଲା। ପ୍ରଶିକ୍ଷକ: ଆଲବର୍ଟ ରୋକା।
ଇଷ୍ଟ୍ ବେଙ୍ଗଲ୍: ସିକେ ଉବୈଦ (ଗୋଲରକ୍ଷକ), ଲାଲରାମ ଚୁଲୋଭା, ଖଲିଦ୍ ଆଉଚୋ, ମହମ୍ମଦ ଅଲାମା, କାଭିନ୍ ପିଟର୍ ଲୋବୋ (ଅଧିନାୟକ), କାତସୁମୀ ୟୁସା, ଏଡୁଆଡୋ ସୋରେସ୍ ଫେରେଇରା, ଗୁରବିନ୍ଦର ସିଂହ, ଲାଲ୍ମାଓ୍ଵିୟା ରାଲ୍ତେ, ସମତ ଅଲୀ ମଲ୍ଲିକ, ମଚଫେର୍ଲିନ୍ ଓମେଗ୍ବେମି ଡୁଡୁ, ଅର୍ନବ କୁମାର ମଣ୍ଡଳ, ଲୁଇସ୍ ଜାଭିଏର୍ ବାରୋତୋ, ଜୋବି ଜଷ୍ଟିନ୍, କେ ଦୀପକ, ବ୍ରେଣ୍ଡନ୍ ଭାନ୍ଲାଲରେମଦିକା, ଘାନେଫା ଅଂଶୁମାନ କ୍ରୋମା। ପ୍ରଶିକ୍ଷକ: ଖଲିଦ୍ ଅହମ୍ମଦ ଜମିଲ୍।
୫୦: ୫୦ ସମ୍ଭାବନା କଥା କହିଲେ ରୋକା
ଭୁବନେଶ୍ୱର: ବେଙ୍ଗାଲୁରୁକୁ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ଫୁଟ୍ବଲ୍ ବିସାରଦମାନେ ବିଜେତା ହେବାର ଦୃଢ଼ ଦାବିଦାର କହୁଛନ୍ତି। କିନ୍ତୁ ଏହାର ସ୍ପେନୀୟ ପ୍ରଶିକ୍ଷକ ଆଲବର୍ଟ ରୋକା ନିଜର ଦଳକୁ ଦାବିଦାର କହିବା ସପକ୍ଷରେ ନାହାନ୍ତି। ବେଙ୍ଗାଲୁରୁ-ଇଷ୍ଟବେଙ୍ଗଲ୍ ସମ୍ଭାବନା ୫୦:୫୦ ବୋଲି କହିଛନ୍ତି ବିଗତ ଦିନର ରକ୍ଷଣଭାଗ ଖେଳାଳି ରୋକା। ଆମେ ମାତ୍ରାଧିକ ଆତ୍ମବିଶ୍ୱାସ ରଖୁନାହୁଁ। ଦଳର ଯୋଜନା ଓ କୌଶଳକୁ କାର୍ଯ୍ୟକାରୀ କରିବା ଗୁରୁତ୍ୱପୂର୍ଣ୍ଣ। ଫାଇନାଲ୍ ଏକ ନୂଆ ମ୍ୟାଚ୍, ଫୁଟ୍ବଲ୍ରେ ସବୁକିଛି ସମ୍ଭବ। ଆମେ ବିଜୟୀ ହେବା ନେଇ ଆଶାବାଦୀ ଓ ଉଲ୍ଲସିତ ରହିଛୁ। ଏହି ଫାଇନାଲ୍ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଖେଳାଳିମାନେ ସକରାତ୍ମକ ମନୋଭାବରେ ରହିଛନ୍ତି। ଏକ ଚମତ୍କାର ଋତୁକୁ ଭଲରେ ଶେଷ କରିବାକୁ ଚାହିଁବୁ। ଦଳରେ ମଧ୍ୟ ଯଥେଷ୍ଟ ଦକ୍ଷତା ରହିଛି ବିଜୟୀ ହେବାକୁ ବୋଲି ପ୍ରକାଶ କରିଥିଲେ ୫୫ ବର୍ଷୀୟ ରୋକା। ଫାଇନାଲ୍ ମ୍ୟାଚ୍ ଆମ ପାଇଁ ଏକ ନୂଆ ସୁଯୋଗ ଦେଇଛି ବୋଲି କହିଥିଲେ ଦଳର ମେରୁଦଣ୍ଡ ତଥା ଗୋଲରକ୍ଷକ ଗୁରପ୍ରୀତ୍ ସିଂହ। ନିଜର ପୂର୍ବତନ ଦଳ ବିପକ୍ଷରେ ଖେଳିବା ସମ୍ପର୍କରେ ଗୁରପ୍ରୀତ୍ କହିଥିଲେ ଇଷ୍ଟବେଙ୍ଗଲ୍ ହିଁ ମୋତେ ବିକଶିତ କରିବାରେ ବଡ଼ ଯୋଗଦାନ ରଖିଛି। ମୁଁ ଆଜି ଯେଉଁଠି ପହଞ୍ଚିଛି ତାହା ଏହି କ୍ଲବ୍ ପାଇଁ। ମୁଁ ଭାବି ନ ଥିଲି ଏତେ ବାଟ ଆସିବି ବୋଲି କହିଥିଲେ ଗୁରପ୍ରୀତ୍।
ନିଜସ୍ୱ ଖେଳ ଉପରେ ଧ୍ୟାନ ଦେବୁ: ଖଲିଲ୍
ଆମେ ପ୍ରତିଦ୍ୱନ୍ଦ୍ୱୀ ଦଳର ଶକ୍ତି ଓ ସାମର୍ଥ୍ୟକୁ ନେଇ ବିଶେଷ କିଛି ଚିନ୍ତା କରୁନାହୁଁ। ଆମର ସବୁ ଖେଳାଳି ଭଲ ଅଛନ୍ତି ଏବଂ ପ୍ରସ୍ତୁତ ହୋଇଛନ୍ତି ଫାଇନାଲ୍ ମ୍ୟାଚ୍ରେ ଭଲ ଖେଳିବାକୁ ବୋଲି ଆତ୍ମବିଶ୍ୱାସର ସହ କହିଥିଲେ ଇଷ୍ଟ ବେଙ୍ଗଲ୍ ପ୍ରଶିକ୍ଷକ ଖଲିଦ୍ ଅହମ୍ମଦ ଜମିଲ୍। ଏହା ଏକ ଫାଇନାଲ୍ ମ୍ୟାଚ୍ ହୋଇଥିବାରୁ ଆମକୁ ଭଲ ଖେଳିବାର ଅଛି। ବେଙ୍ଗାଲୁରୁ ଏକ ଭଲ ଦଳ କିନ୍ତୁ ପ୍ରତିଦ୍ୱନ୍ଦ୍ୱୀର ସାମର୍ଥ୍ୟ ନ ଦେଖି ଆମକୁ ଆମ ଖେଳ ଉପରେ ଧ୍ୟାନ ଦେବାକୁ ହେବ। ସକରାତ୍ମକ ମନୋଭାବରେ ଆମ ଯେଭଳି ଖେଳୁ ସେଭଳି ଖେଳିବାର ଅଛି। କୌଣସି ଭୁଲ କଲେ ଚଳିବ ନାହିଁ। ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ଫାଇନାଲ୍ ଥିବାରୁ ଅତୀତ କଥାକୁ ଭୁଲି ଖେଳିବାକୁ ହେବ ବୋଲି କହିଥିଲେ ଜମିଲ। ଦଳର ବ୍ରାଜିଲୀୟ ଖେଳାଳି ଏଡୁଆଡୋ ସୋରେସ୍ ଫେରେରା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଆମେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବୁ। ମୁଁ ମଧ୍ୟ ମୋ ଶ୍ରେଷ୍ଠ ଖେଳ ଦେବାକୁ ଚାହିଁବି।