ଆଜିଠୁ ଶୃଙ୍ଖଳା ନିର୍ଣ୍ଣାୟକ ଟେଷ୍ଟ୍‌, ଅକ୍ଷରଙ୍କ ପାଇଁ ହିର୍‌ୱାନିଙ୍କୁ ଟପିବା ସୁଯୋଗ

ଅହମଦାବାଦ: ଟସ୍‌ ଓ ପିଚ୍‌କୁ ନେଇ ଚର୍ଚ୍ଚା ଭିତରେ ଗତି କରୁଥିବା ଭାରତ-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳାର ଭାଗ୍ୟ ନିର୍ଣ୍ଣାୟକ ମ୍ୟାଚ୍‌ ଆଜି (ଗୁରୁବାର)ଠାରୁ ଆରମ୍ଭ ହେବ। ତୃତୀୟ ଟେଷ୍ଟ୍ ଭେନ୍ୟୁ ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଏହା ଖେଳାଯିବ। ପିଚ୍‌କୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଭାରତୀୟ ଦଳ କିନ୍ତୁ ଟେଷ୍ଟ୍ ଶୃଙ୍ଖଳାକୁ ଜିତି ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍ ଫାଇନାଲ୍ ଖେଳିବା ଉପରେ ନଜର ନିବଦ୍ଧ ରଖିଛି। ବିରାଟ କୋହଲିଙ୍କ ବାହିନୀକୁ ଏଥିପାଇଁ ଅନ୍ୟୁନ ଡ୍ର’ କିମ୍ବା ବିଜୟ ଆବଶ୍ୟକ ହେଉଛି। ସେହି ଦୃଷ୍ଟିରୁ ଭାରତ ମଧ୍ୟ ଆଉ ଟର୍ନିଂ ଟ୍ରାକ୍‌ ନୁହେଁ ଅପେକ୍ଷାକୃତ ବ୍ୟାଟିଂ ଅନୁକୂଳ ପିଚ୍‌ରେ ଖେଳିବାକୁ ପସନ୍ଦ କରୁଥିବ ବୋଲି ବିଶ୍ବାସ ଆସୁଛି। ଟେଷ୍ଟ୍ ଶୃଙ୍ଖଳାର ଫଳାଫଳ ଯାହା ରହୁ ପଛେ ଭାରତର ଘରୋଇ ଅପରାଜେୟ ଧାରା କିନ୍ତୁ ସୁରକ୍ଷିତ ରହିବ। ଇଂଲଣ୍ଡ ପାଇଁ କିନ୍ତୁ ୨-୨ରେ ଅଭିଯାନ ଶେଷ କରିବାର ସୁଯୋଗ ରହିଛି। ଏ କ୍ଷେତ୍ରରେ ଜୋ ରୁଟଙ୍କ ଦଳ ତାଙ୍କ ଚିର ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆକୁ ଅନୁକମ୍ପା ଦେଖାଇବାରେ ସହାୟକ ହେବ। କାରଣ ଟେଷ୍ଟ୍‌ ଶୃଙ୍ଖଳା ଅମୀମାଂସିତ ରହିଲେ ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍‌ ଫାଇନାଲରେ ନ୍ୟୁଜିଲାଣ୍ଡ୍‌କୁ ଭେଟିବା ପକ୍କା‌ ହୋଇଯିବ।

ପିଚ୍‌କୁ ନେଇ ଯେତେ ବିତର୍କ ହୋଇଛି ସେସବୁ ଉଷ୍ମତାକୁ ଥଣ୍ଡା କରି ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ। ଗୋଟିଏ କଥା ନିଶ୍ଚିତ ଯେ ପିଚ୍‌ର ଲମ୍ବା ପୂର୍ବ ଭଳି ୨୨ ଗଜ ରହିବ। ଉପଅଧିନାୟକ ଅଜିଙ୍କ୍ୟ ରାହାଣେ କହିଛନ୍ତି ଦ୍ବିତୀୟ ଓ ତୃତୀୟ ଟେଷ୍ଟ୍ ଭଳି ୱିକେଟ୍‌ ତ ନିଶ୍ଚିତ ମିଳିବ, କିନ୍ତୁ ଆମେ ଲାଲ୍ ବଲକୁ ଫେରିବୁ ଏବଂ ୮୪୨ ବଲ୍‌ଠାରୁ (ଗତ ଟେଷ୍ଟ୍‌ରେ ଖେଳାଯାଇଥିବା ବଲ୍‌ ସଂଖ୍ୟା) ନିଶ୍ଚିତ ସାମାନ୍ୟ ଅଧିକ ବଲ୍‌ ଖେଳାଯିବ। ସ୍ପିନ୍‌ ଚର୍ଚ୍ଚାଠାରୁ ଭିନ୍ନ ଦିଗଟି ହେଉଛି ରୋହିତ ଶର୍ମାଙ୍କ ବ୍ୟାଟିଂ। ଦୁଇ ଦଳ ମଧ୍ୟରେ ବିଗତ ଦୁଇ ଟେଷ୍ଟ୍‌ରେ ରୋହିତ ଶର୍ମା ହିଁ ଫରକ ପକାଇଛନ୍ତି। ଭାରତକୁ ଗତ ଦୁଇ ଟେଷ୍ଟ୍‌ରେ ପୋଲ୍ ପୋଜିସନ୍‌ରେ ରଖିଥିଲେ ରୋହିତ। ଯଶପ୍ରୀତ୍ ବୁମରାଙ୍କ ଅନୁପସ୍ଥିତିରେ ମହମ୍ମଦ ସିରାଜ ବକ୍ସିଂ ଡେ’ ଟେଷ୍ଟ୍ ପରଠାରୁ ପ୍ରଥମ ଥର ଦଳକୁ ଫେରିବା ନିଶ୍ଚିତ ରହିଛି। ୱାସିଂଟନ୍ ସୁନ୍ଦରଙ୍କ ବ୍ୟାଟିଂ ଦକ୍ଷତା କାରଣରୁ କୁଲଦୀପ ଯାଦବଙ୍କୁ ପୁଣି ଥରେ ଚୂଡ଼ାନ୍ତ ଏକାଦଶ ବାହ‌ାରେ ବସିବାକୁ ପଡ଼ିପାରେ। ଇଂଲଣ୍ଡ ଦଳ କିନ୍ତୁ ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇବା ନିଶ୍ଚିତ। ଷ୍ଟୁଆର୍ଟ ବ୍ରଡଙ୍କ ବଦଳରେ ଡୋମିନିକ୍ ବେସଙ୍କୁ ଖେଳାଇ ଇଂଲଣ୍ଡ ଏହାର ସ୍ପିନ୍‌ ବିଭାଗରେ ବିବିଧତା ଭରିବାକୁ ଚାହିଁବ।

ଶେଷ ଥର ପାଇଁ ଇଂଲଣ୍ଡ ୨୨ ବର୍ଷ ତଳେ ଏକ ଶୃଙ୍ଖଳାରେ ୧-୦ରେ ଆଗୁଆ ହେବା ପରେ ହାରିଥିଲା। ୧୯୯୯ରେ ନ୍ୟୁଜିଲାଣ୍ଡ୍ ବିପକ୍ଷ ଘରୋଇ ଶୃଙ୍ଖଳାରେ ଦଳ ଏଭଳି ଦଶା ଭୋଗିଥିଲା। ଅନ୍ୟପକ୍ଷରେ ଦୀର୍ଘ ୩ ବର୍ଷ ହେବ ଚେତେଶ୍ବର ପୂଜାରାଙ୍କ ବ୍ୟାଟ୍‌ରୁ ଘରୋଇ ମାଟିରେ ଶତକ ମିଳିନାହିଁ। ଶେଷ ଥର ପାଇଁ ୨୦୧୭ ଡିସେମ୍ବରରେ ଘରୋଇ ମାଟିରେ ଶତକ ମାରିଥିଲେ। ୨୦୧୯ ଜାନୁଆରି ପରଠାରୁ ସେ କେଉଁଠି ବି ଶତକ ଜମାଇ ନାହାନ୍ତି।
ଭାରତର ସମ୍ଭାବ୍ୟ ଏକାଦଶ
ରୋହିତ ଶର୍ମା, ଶୁଭମନ ଗିଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷବ ପନ୍ତ୍ (ୱିକେଟରକ୍ଷକ), ରବିଚନ୍ଦ୍ରନ ଅଶ୍ବିନ୍‌, ଅକ୍ଷର ପଟେଲ୍‌, ୱାସିଂଟନ୍ ସୁନ୍ଦର, ଈଶାନ୍ତ ଶର୍ମା, ଉମେଶ ଯାଦବ/ମହମ୍ମଦ ସିରାଜ।
ଇଂଲଣ୍ଡ ସମ୍ଭାବ୍ୟ ଏକାଦଶ
ଡୋମିନିକ୍‌ ଶିବଲେ, ଜ୍ୟାକ୍ କ୍ରଲି, ଜନି ବେୟାରଷ୍ଟୋ, ଜୋ ରୁଟ୍ (ଅଧିନାୟକ),‌ ବେନ୍‌ ଷ୍ଟୋକ୍ସ, ଓଲି ପୋପ୍‌, ବେନ୍‌ ଫୋକ୍ସ (ୱିକେଟରକ୍ଷକ), ଡମ୍‌ ବେସ୍‌, ଜ୍ୟାକ୍‌ ଲିଚ୍‌, ଜୋଫ୍ରା ଆର୍ଚର, ଜେମ୍ସ ଆଣ୍ଡରସନ୍‌।

ଅକ୍ଷରଙ୍କ ପାଇଁ ହିର୍‌ୱାନିଙ୍କୁ ଟପିବା ସୁଯୋଗ

ଅହମଦାବାଦ: ଗୁରୁବାରଠାରୁ ସ୍ଥାନୀୟ ମୋଟେରା ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ୍‌ ଖେଳାଯିବ। ଏଠାରେ ଖେଳାଯାଇଥିବା ତୃତୀୟ ଟେଷ୍ଟ୍‌ରେ ସ୍ପିନରଙ୍କ କମାଲ ଯୋଗୁଁ ପୁଣି ଥରେ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ତୃତୀୟ ଟେଷ୍ଟ୍‌ ଭଳି ପୁନର୍ବାର ମୋଟେରା ପିଚ୍‌ ସ୍ପିନରଙ୍କୁ ସୁହାଇବ ଏବଂ ସ୍ଥାନୀୟ ତାରକା ଅକ୍ଷର ପଟେଲ ବିଶେଷକରି ନିଜର ପଦାର୍ପଣ ଶୃଙ୍ଖଳାକୁ ସ୍ମରଣୀୟ କରିବାର ଆଶା ବାନ୍ଧିଛନ୍ତି। ଆହତ ଯୋଗୁଁ ପ୍ରଥମ ଟେଷ୍ଟ୍‌ ଖେଳିପାରିନଥିବା ଅକ୍ଷର ଦ୍ବିତୀୟ ଟେଷ୍ଟ୍‌ରେ ପଦାର୍ପଣ କରିବା ମାତ୍ରେ ଚମକ ଦେଖାଇଥି‌ଲେ। ଚେନ୍ନାଇରେ ପ୍ରଥମ ପାଳିରେ ୨ ୱିକେଟ୍‌ ନେଇଥିବା ଏହି ଗୁଜୁରାଟୀ ବୋଲର କିନ୍ତୁ ଦ୍ବିତୀୟ ପାଳିରେ ଘାତକ ସାବ୍ୟସ୍ତ ହୋଇଥିଲେ। ସେ ନିଜର ପ୍ରଥମ ୫ ୱିକେଟ୍‌ ସଫଳତା ହାସଲ କରି ଭାରତକୁ ବିଜୟ ଭେଟି ଦେଇଥିଲେ। ଏହାପରେ ନିଜର ଘରୋଇ ପଡ଼ିଆରେ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍‌ରେ ଆହୁରି ଚମତ୍କାର ବୋଲିଂ ପ୍ରଦର୍ଶନ ଛାଡ଼ିଥିଲେ। ପ୍ରଥମ ପାଳିରେ ୬/୩୮ ଓ ଦ୍ବିତୀୟ ପାଳିରେ ୫/୩୨ ବୋଲିଂ ଚିତ୍ର ପାଇ କୌଣସି ଗୋଲାପି ବଲ୍‌ ଟେଷ୍ଟ୍‌ରେ ୧୧ ୱିକେଟ୍‌ ନେବାରେ ପ୍ରଥମ ବୋଲର ବିବେଚିତ ହୋଇଥିଲେ। ତେଣୁ ଏବେ ନିଜର ତୃତୀୟ ଟେଷ୍ଟ୍‌ରେ ସେହି ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟ ରଖିଛନ୍ତି ଅକ୍ଷର।

ପଦାର୍ପଣର ପ୍ରଥମ ଦୁଇଟି ଟେଷ୍ଟ୍‌ରେ ତିନି ଥର ୫ ୱିକେଟ୍‌ ସଫଳତା ହାତେଇ ଅକ୍ଷର ମଧ୍ୟ ଅଷ୍ଟ୍ରେଲିଆର କ୍ଲାରି ଗ୍ରିମେଣ୍ଟ୍ (୧୯୨୫) ଏବଂ ଇଂଲଣ୍ଡର ଟମ୍‌ ରିଚାର୍ଡସନ୍‌ (୧୯୮୩)ଙ୍କ ପରେ ବିଶ୍ବର ତୃତୀୟ ବୋଲର ହୋଇଥିଲେ। ଆଉ ଚତୁର୍ଥ ଟେଷ୍ଟ୍‌ରେ ଯଦି ସେ ପ୍ରଥମ ପାଳିରେ ପୁଣି ୫ ୱିକେଟ୍‌ ହାତେଇ ନିଅନ୍ତି ତା’ହାଲେ ପଦାର୍ପଣରେ କ୍ରମାଗତ ଚତୁର୍ଥ ଥର ଏଭଳି ସଫଳତା ପାଇବାରେ ଅକ୍ଷର ପ୍ରଥମ ବୋଲର ହେବେ। ଅନ୍ୟପକ୍ଷରେ ଅକ୍ଷର ପଟେଲଙ୍କ ପାଇଁ ଚତୁର୍ଥ ଟେଷ୍ଟ୍‌ରେ ଆଉ ଏକ ମାଇଲଖୁଣ୍ଟ ମଧ୍ୟ ଅପେକ୍ଷା କରିଛି। ସେ ଯଦି ଚତୁର୍ଥ ଟେଷ୍ଟ୍‌ରେ ୧୪ ୱିକେଟ୍‌ କରାୟତ୍ତ କରନ୍ତି, ତା’ହେଲେ ୩ ମ୍ୟାଚ୍‌ ଖେଳିବା ପରେ ସର୍ବାଧିକ ୱିକେଟ୍‌ ଦଖଲ କରିବାରେ ଟେଷ୍ଟ୍‌ ଇତିହାସରେ ସେ ସଫଳତମ ବୋଲର ସାବ୍ୟସ୍ତ ହୋଇଯିବେ। ଏକ୍ଷେତ୍ରରେ ସେ ନିଜ ଦେଶର ପୂର୍ବତନ ଲେଗ୍‌ ସ୍ପିନର ନରେନ୍ଦ୍ର ହିର୍‌ୱାନିଙ୍କ ଟପିଯିବେ। ହିରୱାନି ତାଙ୍କ ପ୍ରଥମ ୩ ଟେଷ୍ଟ୍‌ରେ ମୋଟ ୩୧ ୱିକେଟ୍‌ ନେଇ ସର୍ବାଗ୍ରେ ରହିଛନ୍ତି। ତେବେ ଏହା କେତେ ଦୂର ସମ୍ଭବ ହୋଇପାରିବ ତାହା ଚତୁର୍ଥ ଟେଷ୍ଟ୍‌ ଶେଷରେ ଜଣାପଡ଼ିଯିବ।

ଅନ୍ୟପକ୍ଷରେ ଚଳିତ ଶୃଙ୍ଖଳାରେ ୨ ଟେଷ୍ଟ୍‌ରୁ ୧୮ ୱିକେଟ୍‌ ଅକ୍ତିଆର କରି କୌଣସି ପଦାର୍ପଣ ଶୃଙ୍ଖଳାରେ ସର୍ବାଧିକ ୱିକେଟ୍‌ ଦଖଲ କରିଥିବା ଭାରତୀୟଙ୍କ ତାଲିକାରେ ଦିଲିପ ଦୋଷୀ (୨୭), ଶିବଲାଲ ଯାଦବ (୨୪), ରବିଚନ୍ଦ୍ରନ୍‌ ଅଶ୍ବିନ୍‌ (୨୨) ଏବଂ ଭେଙ୍କଟପତି ରାଜୁ (୨୧)ଙ୍କ ପଛକୁ ରହିଛନ୍ତି।

ସମ୍ବନ୍ଧିତ ଖବର