ଆଜି ଶୃଙ୍ଖଳା ନିର୍ଣ୍ଣାୟକ ଦିନିକିଆ: ବ୍ୟାଟିଂ ଉପରେ ଭାରତର ନଜର, ବାଧକ ହେଉଛି ଜାଦେଜାଙ୍କ ଫିକା ବୋଲିଂ

ଓଲ୍ଡ ଟ୍ରାଫର୍ଡ ପିଚ୍‌ରେ ବଡ଼ ସ୍କୋର ଆଶା

ମାଞ୍ଚେଷ୍ଟର: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ଶୋଚନୀୟ ପରାଜୟ ବରଣ କରିଥିବା ଭାରତ ଆଉ ଏକ କଠିନ ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ଯାଉଛି। ଶୃଙ୍ଖଳା ୧-୧ ସ୍ଥିତିରେ ଥିବାରୁ ଗୁରୁବାରର ବିପର୍ଯ୍ୟୟ ଭରା ବ୍ୟାଟିଂ ପ୍ରଦର୍ଶନକୁ ଭୁଲି ଶୃଙ୍ଖଳା ଜିତିବା ଲାଗି ରୋହିତ ସେନାକୁ ରବିବାର ସମସ୍ତ ଶକ୍ତି ଖଟାଇବାକୁ ହେବ। ଦ୍ବିତୀୟ ଦିନିକିଆରେ ଘୋର ବ୍ୟାଟିଂ ବିଫଳତା ପାଇଁ ଶୃଙ୍ଖଳା ବିଜୟ ସୁଯୋଗ ହାତଛଡ଼ା କରିଥିଲା ଭାରତ। ସେଥିପାଇଁ ସବୁ ନଜର ଏବେ ବ୍ୟାଟର୍‌ଙ୍କ ଉପରେ ରହିବ। ଟ୍ବେଣ୍ଟି-୨୦ ଭଳି ଦିନିକିଆ ଶୃଙ୍ଖଳାକୁ ନିଜ ନାଁରେ କରିବାକୁ ହେଲେ ଭାରତୀୟ ବ୍ୟାଟର୍‌ଙ୍କୁ ନିଜ ବ୍ୟାଟିଂ ଦୃଷ୍ଟିଭଙ୍ଗୀ ତଥା ଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ହେବ।

କୋହଲି, ଧାୱନଙ୍କୁ ନେଇ ଚିନ୍ତା

ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ନିର୍ଭିକ କ୍ରିକେଟ୍ ଖେଳି ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଥିଲା। ହେଲେ ଦ୍ବିତୀୟ ଦିନିକିଆରେ ଦଳ ଯେଭଳି ଭାବେ ପଶ୍ଚାତଧାବନ କଲା, ତାହା ନିଶ୍ଚିତ ଭାବେ ପ୍ରଶଂସକଙ୍କୁ ନିରାଶ କରିଛି। ଅନେକ କ୍ରିକେଟ୍ ବିଶେଷଜ୍ଞ କହିଛନ୍ତି ଯେ ରିଶି ଟପଲେଙ୍କ ସିମ୍ ଓ ସୁଇଂ ବୋଲିଂ ବିରୋଧରେ ରୋହିତ ଏବଂ ଅନ୍ୟତମ ଓପନର ଶିଖର ଧାୱନ ମାତ୍ରାଧିକ ରକ୍ଷଣାତ୍ମକ ବ୍ୟାଟିଂ କରିବା କାଳ ହୋଇଥିଲା। ସେହିଭଳି ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଅସରନ୍ତି ବିଫଳତାଧାରା ମଧ୍ୟ ଦଳ ୧୦୦ ରନ୍‌ର ବଡ଼ ବ୍ୟବଧାନରେ ହାରିବାର ଅନ୍ୟତମ କାରଣ ଥିଲା। ଦିନିକିଆ ବିଶ୍ବକପ୍‌ ଆଉ ୧୫ ମାସ ସମୟ ଥିଲା ବେଳେ ୩୭ ବର୍ଷୀୟ ରୋହିତ, ୩୬ ବର୍ଷୀୟ ଶିଖର ଧାୱନଙ୍କୁ ଓପନିଂ ଯୋଡ଼ି ଏବଂ ୩୩ ବର୍ଷୀୟ କୋହଲିଙ୍କୁ ତୃତୀୟ ସ୍ଥାନ ବ୍ୟାଟର୍‌ ନେଇ ଏହି ପ୍ରତିଯୋଗିତାକୁ ଯିବା ଠିକ୍ ହେବ କିମ୍ବା ନୂଆ ସମୀକରଣ ସୃଷ୍ଟି କରିବାକୁ ପଡ଼ିବ, ସେ ବିଷୟରେ ଭାବିବାର ସମୟ ସମ୍ଭବତଃ ଆସିଯାଇଛି।

ବାଧକ ହେଉଛି ଜାଦେଜାଙ୍କ ଫିକା ବୋଲିଂ
ପ୍ରଥମ ଦୁଇ ମ୍ୟାଚ୍‌ରେ ତାରକା ଖଚିତ ଇଂଲଣ୍ଡ ବ୍ୟାଟିଂକ୍ରମ ଆଶାଜନ ପ୍ରଦର୍ଶନ କରିନଥିଲା। ସେହିଭଳି ଯଶପ୍ରୀତ୍‌ ବୁମ୍‌ରାଙ୍କ ଅଗ୍ନିବର୍ଷୀ ବୋଲିଂ ବଳରେ ପ୍ରଥମ ଦିନିକିଆକୁ ଜିତି ନେଇଥିଲା ଭାରତ। ଦ୍ବିତୀୟ ମ୍ୟାଚ୍‌ରେ କିନ୍ତୁ ଦଳର ବ୍ୟାଟିଂ ଦୁର୍ବଳତା ପଦାରେ ପଡ଼ିଥିଲା। ଦଳର ଅନ୍ୟତମ ପ୍ରମୁଖ ବ୍ୟାଟର୍ ଋଷଭ ପନ୍ତ ଏକ ଫୁଲଟସ୍ ବଲ୍‌ରେ ଆଉଟ୍ ହୋଇଥିଲେ। ଅନ୍ୟମାନେ ମଧ୍ୟ ଲର୍ଡସ ପିଚ୍‌ରେ ଦାୟିତ୍ବବାନ ଏବଂ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ। ଗତ କିଛି ମ୍ୟାଚ୍ ଭଳି ରବିବାର ମ୍ୟାଚ୍‌ ମଧ୍ୟ ବ୍ୟକ୍ତିଗତ ଭାବେ କୋହଲିଙ୍କ ପାଇଁ ଢେର ମହତ୍ବ ରଖିବ। ନେଟ୍ସରେ କରୁଥିବା ତ୍ରୁଟିହୀନ ବ୍ୟାଟିଂକୁ ତାଙ୍କୁ ମ୍ୟାଚ୍‌ରେ ଦେଖାଇବାକୁ ହେବ। ଏହାଛଡ଼ା ବାମହାତୀ ବୋଲର ଭାବେ ରବୀନ୍ଦ୍ର ଜାଦେଜାଙ୍କୁ ନିଜ ପ୍ରଦର୍ଶନରେ ଆହୁରି ଉନ୍ନତି ଆଣିବାକୁ ହେବ। ରବିବାର ମ୍ୟାଚ୍ ଉଭୟ ଇଂଲଣ୍ଡ ଏବଂ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ। ‌ତଥାପି ଉଭୟ ଦଳ ନିଜ ନିଜର ଚୂଡ଼ାନ୍ତ ଏକାଦଶରେ ବଡ଼ ଧରଣର ପରିବର୍ତ୍ତନ କରିବା ସମ୍ଭାବନା କମ୍।

ଓଲ୍ଡ ଟ୍ରାଫର୍ଡ ପିଚ୍‌ରେ ବଡ଼ ସ୍କୋର ଆଶା
ଭାରତ-ଇଂଲଣ୍ଡ ତୃତୀୟ ତଥା ଶେଷ ଦିନିକିଆ ଖେଳାଯିବାକୁ ଥିବା ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ପିଚ୍ ପାରମ୍ପରିକ ଭାବେ ବ୍ୟାଟର୍‌ଙ୍କୁ ସୁହାଇଥାଏ। ସେଥିପାଇଁ ଏଠାରେ ସାଧାରଣତଃ ବଡ଼ ସ୍କୋର ଦେଖିବାକୁ ମିଳେ। ରବିବାର ମଧ୍ୟ ଏକ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଏହି ପିଚ୍ ଇଂଲିସ୍ ଘରୋଇ କ୍ରିକେଟ୍‌ରେ ବ୍ୟବହାର ହୋଇ ଆସୁଥିବାରୁ ଏଥିରେ କିଛି ଫାଟ ସୃଷ୍ଟି ହୋଇଥିବା ଆଶଙ୍କା ବି ଅଧିକ। ଏଣୁ ସ୍ପିନର ଏଥିରୁ ଲାଭ ଉଠାଇବାକୁ ନିଶ୍ଚିତ ଭାବେ ଚେଷ୍ଟା କରିବେ।

ସମ୍ଭାବ୍ୟ ଭାରତ: ‌ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ଋଷଭ ପନ୍ତ୍‌, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଯଶପ୍ରୀତ ବୁମ୍‌ରା, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସାମି, ୟୁଝବେନ୍ଦ୍ର ଚହଲ।

ସମ୍ଭାବ୍ୟ ଇଂଲଣ୍ଡ: ଜୋସ୍ ବଟଲର (ଅଧିନାୟକ), ମୋଇନ ଅଲୀ, ଜନି ବେୟାରଷ୍ଟୋ, ବ୍ରାଇଡନ୍ କାର୍ସେ, ସାମ୍ କରନ, ଲିଆମ ଲିଭିଂଷ୍ଟୋନ୍, ଜୋ ରୁଟ୍, ଜାସନ ରୟ, ବେନ୍ ଷ୍ଟୋକ୍ସ, ରିଶି ଟପଲେ, ଡେଭିଡ୍ ୱିଲି।

ସମ୍ବନ୍ଧିତ ଖବର