ପ୍ୟାରିସ୍‌: ଭାରତୀୟ ହକି ଦଳ ଏବେ କ୍ରମାଗତ ଅଲିମ୍ପିକ୍ ପଦକର‌ ଗୌରବଠାରୁ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ମଙ୍ଗଳବାର ଖେଳାଯିବାକୁ ଥିବା ସେମିଫାଇନାଲ୍‌ରେ ଭାରତ ନିଜର ଚରମ ଶତ୍ରୁ ଭାବେ ବିବେଚିତ ବିଶ୍ବ ବ‌ିଜେତା ଜର୍ମାନୀକୁ ଭେଟିବ। ଟୋକିଓରେ କାଂସ୍ୟ ପଦକ ଜିତିଥିବା ଭାରତ ଏଥର ରଙ୍ଗ ବଦଳାଇବାକୁ ହେଲେ ମଙ୍ଗଳବାର ହିଁ ଆଗକୁ ବଢ଼ିଯିବାକୁ ହେବ। ୮ ଥର ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ଜିତିଥିଲେ ମଧ୍ୟ ଭାରତ ଶେଷ ଥର ପାଇଁ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଏହା ଅର୍ଜନ କରିଥିଲା। ଏବେ ପ୍ୟାରିସ୍‌ରୁ ହିଁ ଚଳିତ ଶତାବ୍ଦୀର ପ୍ରଥମ ସ୍ବର୍ଣ୍ଣ ଜିତିବା ଲାଗି ସୁବର୍ଣ୍ଣ ସୁଯୋଗ ଆସିଛି। ସେମିଫାଇନାଲ୍ ଜିତିପାରିଲେ ଭାରତ ଅନ୍ୟୂନ ରୌପ୍ୟ ପଦକ ଜିତିବା ନିଶ୍ଚିତ ହୋଇଯିବ। ଶେଷ ଥର ପାଇଁ ଭାରତ ୧୯୬୦ ରୋମ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲା। ରବିବାର ୟସ୍‌ ଡୁ ମାନୋୟର୍‌ ଷ୍ଟାଡିୟମ୍‌ରେ ଭାରତ ପୁଣି ‌ସେହି ଐତିହାସିକ ସଫଳତା ଦିଗରେ ପାଦ ବଢ଼ାଇବ ବୋଲି ୧୪୫ କୋଟି ଦେଶବାସୀ ଆଶା ରଖିଛନ୍ତି।

Advertisment

ଅଷ୍ଟ୍ରେଲିଆ ବିପକ୍ଷ ଶେଷ ପୁଲ୍ ମ୍ୟାଚ୍‌ ଏବଂ ଗ୍ରେଟ୍ ବ୍ରିଟେନ୍ ବିପକ୍ଷ କ୍ବାର୍ଟରଫାଇନାଲ୍‌ରେ ଭାରତୀୟ ଦଳ ଯେଭଳି ଖେଳିଛି ହକି ପ୍ରେମୀ ସେଭଳି ଆଉ ଏକ ମୁକାବିଲାର ଆଶା ରଖିଛି। ଗ୍ରେଟ୍ ବ୍ରିଟେନ୍‌ ବିପକ୍ଷରେ ଭାରତ ପ୍ରାୟ ୪୮ ମିନିଟ୍‌ ଧରି ୧୦ ଜଣରେ ଖେଳିଥିଲେ ମଧ୍ୟ ଚମତ୍କାର ଡିଫେନ୍ସ ପାଇଁ ମ୍ୟାଚ୍‌କୁ ୧-୧ ଗୋଲ୍‌ରେ ଡ୍ର ରଖି ସୁଟ୍‌ଆଉଟ୍‌ (୪-୨)ରେ ବାଜି ମାରି ନେଇଥିଲା। ଭାରତୀୟ ଦଳର ସବୁଠାରୁ ଅଭିଜ୍ଞ ଗୋଲରକ୍ଷକ ପିଆର ଶ୍ରୀଜେସଙ୍କ ପାଇଁ ଭାରତ ରବିବାର ଏହି ବିଜୟକୁ ସମ୍ଭବ କରିପାରିଥିଲା। ନିଜ ଶେଷ ଅଲିମ୍ପିକ୍ସ ଖେଳୁଥିବା ଶ୍ରୀଜେସ ନିୟମିତ ସମୟ ଏବଂ ସୁଟ୍‌ଆଉଟ୍ ସମୟରେ ମହାନାୟକ ସାଜିଥିଲେ। ନିଜ ଖେଳ ଜୀବନର ଶେଷ ଭାଗ ପାଇଁ ସେ ଶ୍ରେଷ୍ଠ ଖେଳକୁ ସଂରକ୍ଷିତ ରଖିଥିବା ଭଳି ପ୍ରତୀୟମାନ ହୋଇଥିଲା। ସୁଟ୍‌ ଆଉଟ୍‌ରେ ସେ ଦୁଇଟି ଗୋଲ୍ ବଞ୍ଚାଇବା ହିଁ ଭାରତକୁ ଆଗକୁ ନେଇଥିଲା। ଅମିତ ରୋହିଦାସଙ୍କୁ ରେଡ୍ କାର୍ଡ ପ୍ରଦାନ କରାଯିବା ପରେ ସବୁଠାରୁ କଷ୍ଟକର ସମୟରେ ଥିବା ଭାରତ ପାଇଁ ସେ ସାହସିକ ପ୍ରଦର୍ଶନ କରିଥିଲେ। ଟୋକିଓ ପଦକର ରଙ୍ଗ ପରିବର୍ତନ କରିବାକୁ ହର୍ମନପ୍ରୀତ୍ ସିଂହଙ୍କ ଦଳକୁ ମଙ୍ଗଳବାର ସମ୍ପୂର୍ଣ୍ଣ ଦମ୍ ଲଗାଇବାକୁ ପଡ଼ିବ। ଶ୍ରୀଜେଶଙ୍କୁ ବି ଶ୍ରେ‌ଷ୍ଠ ପଦକରେ ବିଦାୟ ଦେବାକୁ ଭାରତୀୟ ଦଳର ସମସ୍ତ ଖେଳାଳିଙ୍କ ପାଇଁ ସୁବର୍ଣ୍ଣ ସ‌ୁଯୋଗ ଆସିଛି। ‘ଦ ଗ୍ରେଟ୍ ୱାଲ୍ ଅଫ୍‌ ଇଣ୍ଡିଆନ୍ ହକି’ ଭାବେ ପରିଚିତ ଶ୍ରୀଜେଶ ଏବେ ଯୋଦ୍ଧା ଭାବେ ପ୍ୟାରିସ୍‌ରେ ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରୁଛନ୍ତି। ଗ୍ରେଟ୍ ବ୍ର‌ିଟେନ୍ ବିପକ୍ଷ କ୍ବାର୍ଟରଫାଇନାଲ୍‌ରେ ସେ ପ୍ରାୟ ୧୦ଟି ଗୋଲ୍ ବଞ୍ଚାଇଥିଲେ। କେବଳ ସେତିକି ନୁହେଁ ୧୦ଟି ପେନାଲ୍ଟି କର୍ଣ୍ଣରକୁ ବି ପଣ୍ଡ କରିଥିଲେ। ‘ରବିବାର ମୁଁ ପଡ଼ିଆକୁ ଓହ୍ଲାଇବା ବେଳେ ମୋ ପାଖରେ ଦୁଇଟି ବିକଳ୍ପ ଥିଲା। ଶେଷ ମ୍ୟାଚ୍‌ ଖେଳିବି କିମ୍ବା ଆଉ ଦୁଇଟି ମ୍ୟାଚ୍‌ ଅର୍ଜନ କରିବି। ଏବେ ମୁଁ ଆଉ ଦୁଇଟି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଛି। ସେମିଫାଇନାଲ୍‌କୁ ଆସିବା ମାତ୍ରେ ଆମେ ଏବେ ଆମ ଖେଳ ଖେଳିବୁ। ଅମିତ ରୋହିଦାସଙ୍କ ବିନା ଭାରତ ଖେଳିବା ସହଜ ନଥିଲା।’ ବୋଲି ଶ୍ରୀଜେସ ପ୍ରକାଶ କରିଛନ୍ତି। ଅମିତଙ୍କ ନିଲମ୍ବନ କାରଣରୁ ‌ସେମ‌ିଫାଇନାଲ୍ ଭାରତ ପାଇଁ ଆଉ ଏକ ଆହ୍ବାନ ଆଣିଛି। ଅମିତ ଦଳର ଡିଫେନ୍ସ ସମ୍ଭାଳିବା ସହ ଅଧିନାୟକ ହର୍ମନପ୍ରୀତ୍‌ ସିଂହଙ୍କ ପରେ ଦ୍ବିତୀୟ ବିକଳ୍ପ ଭାବେ ପେନାଲ୍ଟି କର୍ଣ୍ଣର ସ୍ପେଶାଲିଷ୍ଟ ଥିଲେ। ଏବେ ହର୍ମନପ୍ରୀତ୍‌ଙ୍କ ଉପରେ ଗୁରୁଦାୟିତ୍ବ ରହିବ। ହର୍ମନପ୍ରୀତ୍ ଅବଶ୍ୟ ୭ ଗୋଲ୍ ଦେଇ ଚଳିତ ଅଲିମ୍ପିକ୍ସରେ ଜବରଦସ୍ତ ଫର୍ମରେ ଥିବାରୁ ଆତ୍ମବିଶ୍ବାସରେ ରହିଛନ୍ତି। ରବିବାର ଅମିତ୍‌ଙ୍କ ଅନୁପସ୍ଥିତିରେ ପ୍ରତି ଖେଳାଳି ଅତିରିକ୍ତ ଦାୟିତ୍ବ ନେଇ ଲଢ଼ିଥିଲେ ବୋଲି ଶ୍ରୀ‌ଜେଶ କହିଥିଲେ।

ଉଭୟ ଦଳଙ୍କ ମଧ୍ୟରେ ମୁହାଁମୁହିଁ ମୁକାବିଲା ଦେଖିଲେ ଭାରତ ୮ ଥର ଅଲିମ୍ପିକ୍ ବିଜେତା ହୋଇଥିବା ବେଳେ ଜର୍ମାନି ୪ ଥର ବିଶ୍ବ ମୁକୁଟ ଜିତିଛି। ବର୍ତମାନର ପ୍ରଦର୍ଶନ ଦୃଷ୍ଟିରୁ କିନ୍ତୁ ଜର୍ମାନି ଏବେ ବିଶ୍ବ ବିଜେତା ରହିଛି। ଗତବର୍ଷ ଏହି ଦଳ ଭୁବନେଶ୍ବରରେ ବିଶ୍ବ ମୁକୁଟ ଜିତିଥିଲା। ଭାରତ କିନ୍ତୁ ଶେଷ ଥର ପାଇଁ କେବଳ ୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକ ଜିତିଥିଲା, ତା ପୁଣି ୪୧ ବର୍ଷ ପରେ ଅଲିମ୍ପିକ୍ସ ପଦକ ହୋଇଥିଲା। ଏଫଆଇଏଚ୍‌ ମାନ୍ୟତାରେ ଭାରତ ଏବେ ପଞ୍ଚମ ସ୍ଥାନରେ ଥିବାବେଳେ ଜର୍ମାନୀ ଦ୍ବିତୀୟରେ ଥିବାରୁ ଫାଇଦାରେ ରହିବ। କ୍ବାର୍ଟରଫାଇନାଲ୍‌ରେ ଜର୍ମାନି ୩-୨ରେ ଆର୍ଜେଣ୍ଟିନାକୁ ହରାଇ ସେମିଫାଇନାଲ୍‌କୁ ଆସିଛି। ସବୁଠାରୁ ବଡ଼ କଥା ହେଉଛି ଟୋକିଓ ଅଲିମ୍ପିକ୍ସରେ ଜର୍ମାନିକୁ ଭାରତ ୫-୪ରେ ହରାଇ କାଂସ୍ୟ ପଦକ ଜିତିଥିବାରୁ ଏହା ପ୍ରତିଶୋଧ ନେବାକୁ ବିଶ୍ବ ବିଜେତା ଆଶା ରଖିଥିବ। ସେଥିରୁ ଶେଷ ମିନିଟରେ ଶ୍ରୀଜେଶ ମଧ୍ୟ ଏକ ଗୋଲ୍ ବଞ୍ଚାଇ ଭାରତକୁ ୪୧ ବର୍ଷ ପରେ ଅଲିମ୍ପିକ୍ସ ପଦକ ‌ଦେଇଥିଲେ। ଆଉ ଏକ ଉଲ୍ଲେଖନୀୟ ତଥ୍ୟ ହେଉଛି ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ଜର୍ମାନି ବିପକ୍ଷରେ ଭାରତ ୬ ମ୍ୟାଚ୍ ଅଭ୍ୟାସ ଶୃଙ୍ଖଳା ଖେଳି ୫ଟି ଜିତିଥିଲା। କିନ୍ତୁ ଗତମାସରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଦୁଇ ଦଳ ଗୋଟିଏ ଲେଖାଏଁ ଜିତିଥିଲେ। ଭାରତ ୩-୦ରେ ଜିତିବା ପରେ ଜର୍ମାନୀ ୩-୨ରେ ବାଜି ମାରିଥିଲା। ଭାରତ ଓ ଜର୍ମାନୀ ମଧ୍ୟରେ ମଙ୍ଗଳବାର ପ୍ରଥମ ସେମିଫାଇନାଲ୍ ରାତି ୧୦.୩୦ରେ‌ ଖେଳାଯିବ। ଏହା ପୂର୍ବରୁ ପ୍ରଥମ ସେମିଫାଇନାଲ୍‌ରେ ନେଦରଲାଣ୍ଡ୍‌ସ-ସ୍ପେନ୍ ମୁକାବିଲା କରିବେ।