ଆଜି ଗୋଆକୁ ଭେଟିବ ପଞ୍ଚତାରକା ବିହୀନ ଓଡ଼ିଶା

ଭୁବନେଶ୍ବର, : କଳିଙ୍ଗ ଷ୍ଟାଡିୟମ୍‌ରେ ହ୍ୟାଟ୍ରିକ୍ ବିଜୟ ପରେ ରାଜ୍ୟ ବାହାରକୁ ଯାଇଥିବା ଓଡ଼ିଶା ଏଫ୍‌ସିର ଆକ୍ସନ ପୁଣି ଥରେ ଏହି ଘରୋଇ ପଡିଆରେ ବୁଧବାର ଦେଖିବାକୁ ମିଳିବ। ଏଥର ଆଗରେ ରହିଛି କଡ଼ା ପ୍ରତିଦ୍ବନ୍ଦ୍ବୀ ଗୋଆ ଏଫ୍‌ସି। ଆଇଏସ୍‌ଏଲ୍‌ ପଏଣ୍ଟ ଟେବୁଲ୍‌ରେ ଏଟିକେ ତଳକୁ ଦ୍ବିତୀୟ ସ୍ଥାନରେ ରହିଥିବା ଗୋଆ ଏଫ୍‌ସି ପ୍ଲେ ଅଫ୍‌ର ଦୃଢ଼ ଦାବିଦାର ରହିଛି। ଓଡ଼ିଶା ଏଫ୍‌ସି ଚତୁର୍ଥ ସ୍ଥାନରେ ଥିଲେ ମଧ୍ୟ ଏକ ସଂକଟ ସମୟରେ ପ୍ରବେଶ କରିଛି। ତାରକା ଖେଳାଳି ତଥା ୯ ଷ୍ଟ୍ରାଇକର୍‌ ଆରଡାନ୍‌ ସାନ୍ତାନା ଆହତ ହେବା ସହ ସମ୍ପୂର୍ଣ୍ଣ ଋତୁରୁ ବାଦ୍‌ ପଡ଼ିବା ଦଳକୁ ବଡ଼ ଝଟକା‌ ଦେଇଛି। କେବଳ ଏତିକି ନୁହେଁ ବୁଧବାର ମ୍ୟାଚ୍‌ ମଧ୍ୟ ଓଡ଼ିଶା ଅନ୍ୟ ୪ ପ୍ରମୁଖ ଖେଳାଳିଙ୍କ ବିନା‌ ଖେଳିବ। ସେମାନେ ହେଲେ ଅଧିନାୟକ ମାର୍କେସ ଟେଭର, ରକ୍ଷାପନ୍ଥୀ କାର୍ଲୋସ ଡେଲ୍‌ଗାଡୋ, ମଧ୍ୟଭାଗ ସମ୍ଭାଳୁଥିବା ଶୁଭମ ଷଡ଼ଙ୍ଗୀ ଏବଂ ନନ୍ଦକୁମାର ଶେକର। ଶୁଭମ କେବଳ ଦୁଇଟି ହଳଦିଆ କାର୍ଡ ପାଇଁ ଖେଳିବେ ନାହିଁ। ଅନ୍ୟ ୪ ଜଣଙ୍କୁ ଆହତ ସମସ୍ୟା ରୋକିଛି। ବୁଧବାରର ଗୁରୁ୍ତ୍ବପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଏହା ବଡ଼ ସମସ୍ୟା ଭାବେ ଉଭା ହୋଇଛି।

ଏକକାଳୀନ ଏତେ ଖେଳାଳିଙ୍କ ଆହତ ସମସ୍ୟା କାରଣରୁ ପ୍ରତିକୂଳ ପରିସ୍ଥିତିରେ ପଡ଼ିଥିବା ଓଡ଼ିଶା ଏଫ୍‌ସି କଳିଙ୍ଗ ଷ୍ଟାଡିୟମ୍‌ରେ ନିଜର ପୂର୍ବ ୩ ମ୍ୟାଚ୍‌ ଜିତିଥିବାରୁ ବୁଧବାର ମ୍ୟାଚ୍‌ରୁ ୩ ପଏଣ୍ଟ୍ ଆଶାରେ ରହିଛି। ଯାହାକି ଗୋଆ ଏଫସି ବିପକ୍ଷ ମ୍ୟାଚ୍‌ରୁ ସମ୍ଭବ ହେବା କଷ୍ଟକର ବ୍ୟାପାର। ‘ଫୁଟ୍‌ବଲ୍‌ରେ ବିଜୟ ପରାଜୟ ଗୁରୁତ୍ବପୂର୍ଣ୍ଣ ନୁହେଁ, ଆମକୁ ଭଲ ଫୁଟ୍‌ବଲ୍‌ ଖେଳିବାକୁ ହେବ। ୩ ପଏଣ୍ଟ୍ ଆମ ଲକ୍ଷ୍ୟରେ ରହିଛି ବୋଲି କହିଛନ୍ତି ଦଳର ଅନ୍ୟତମ ଡିଫେଣ୍ଡର୍‌ ମହମ୍ମଦ ସାଜିଦ୍‌ ଧୂତ୍‌। କଳିଙ୍ଗ ଷ୍ଟାଡିୟମ୍‌ରେ ନିଜର ପ୍ରଥମ ମ୍ୟାଚ୍‌ ଖେଳିବାକୁ ମୁଁ ଉତ୍ସାହିତ ରହିଛି ବୋଲି ମଧ୍ୟ କହିଛନ୍ତି ଏହି ଖେଳାଳି। ସାନ୍ତାନାଙ୍କ ବାଦ୍‌ ଖବର ଓଡ଼ିଶାକୁ ଚାପରେ ପକାଇଥିଲେ ମଧ୍ୟ ଏହାକୁ ଖଣ୍ଡନ କରିଛନ୍ତି ଓଡ଼ିଶା ପ୍ରଶିକ୍ଷକ ଯେସେପ୍‌ ଗମ୍ଭାୟୁ। ୫ ପ୍ରମୁଖ ଖେଳାଳିଙ୍କ ବିନା ଖେଳିବା ନିଶ୍ଚିତ କଷ୍ଟସାଧ୍ୟ, ତଥାପି ଦଳ ଦୃଢ଼ ଆତ୍ମବିଶ୍ବାସରେ ରହିଛି ବୋଲି କହିଛନ୍ତି ଗମ୍ଭାୟୁ। ବିଗତ ୫ ମ୍ୟାଚ୍‌ରୁ ୪ ଜିତିଛୁ, ଏବେ ପରବର୍ତୀ ୪ ମ୍ୟାଚ୍‌ ଉପରେ ଆମେ ଏକାଗ୍ର ବୋଲି କହିଛନ୍ତି ଏହି ସ୍ପାନିସ୍‌ ପ୍ରଶିକ୍ଷକ। ଏହି ୪ଟିରୁ ୨ଟି ମ୍ୟାଚ୍‌ରେ ଆମେ ଭଲ ଖେଳିପାରିଲେ ପ୍ଲେ ‌ଅଫ୍‌ ସ୍ଥାନକୁ ନିଶ୍ଚିତ କରିପାରିବୁ ବୋଲି ଯୋସେପ୍‌ ଆଶା ପ୍ରକଟ କରିଛନ୍ତି। ବେଙ୍ଗାଲୁରୁ ବିପକ୍ଷ ଗତ ମ୍ୟାଚ୍‌ରେ ଆମେ ଘରୋଇ ଦଳର ଦକ୍ଷତା ଏବଂ ଗତି ଆଗରେ ହାର୍ ମାନିଥିଲୁ। ତଥାପି ସେଠାକାର ଭୁଲ ଆମ ଖେଳାଳିଙ୍କ ପାଇଁ ଶିକ୍ଷଣୀୟ ହୋଇଛି ବୋଲି କହିଥିଲେ ଯୋସେଫ। ଓଡ଼ିଶା ଏକ ଭଲ ଦଳ। ଆମ ଖେଳର ଢଙ୍ଗ ଓଡ଼ିଶା ଭଳି ହୋଇଥିବାରୁ ବୁଧବାର ଏକ ଭଲ ମ୍ୟାଚ୍‌ ଦେଖିବାକୁ ମିଳିବ ବୋଲି ସ୍ବୀକାର କରିଥିଲେ ଗୋଆ ଏଫ୍‌ସି ପ୍ରଶିକ୍ଷକ ସର୍ଜିଓ ଲୋବେରା। ପରବର୍ତୀ ୪ ମ୍ୟାଚ୍‌ ପ୍ରତିଟି ଦଳ ପାଇଁ ଫାଇନାଲ୍ ସଦୃଶ ବୋଲି ସେ କହିଥିଲେ। ସଣ୍ଟାନାଙ୍କ ଆହତ ସମସ୍ୟା ଗୋଆ ପାଇଁ ଫାଇଦା ଦେବ କି ବୋଲି ପ୍ରଶ୍ନ ହେବାରୁ ଲୋବେରା କିନ୍ତୁ ଭିନ୍ନ କଥା କହିଥିଲେ। ଏହା ଫୁଟ୍‌ବଲ୍ ପାଇଁ, ଆଇଏସ୍‌ଏଲ୍‌ ପାଇଁ, ଜଣେ ପ୍ରଶିକ୍ଷକ ପାଇଁ ଖରାପ ଖବର। ବ୍ୟକ୍ତିଗତ ଭାବେ ମୋତେ ଦୁଃଖ ଦେଇଛି ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିବା ଗୌର୍‌ସ (ଗୋଆ ଏଫ୍‌ସି) ପାଇଁ ନୂଆ ନୂହେଁ। ଗତବର୍ଷ ଏଠାରେ ସୁପର୍‌ କପ୍‌ରେ ଖେଳିଥିଲା ଦଳ। ଚେନ୍ନାୟିନ୍‌ ଏଫ୍‌ସିକୁ ୨-୧ରେ ହରାଇ ବିଜେତା ହୋଇଥିଲା। ଫଳରେ ବୁଧବାର ପଡ଼ିଆରେ କେଉଁ ଦଳ ମଧୁର ସ୍ମୃତିକୁ ଆଗକୁ ନେଉଛି ଦେଖିବାର ଅଛି।

ସାନ୍ତାନାଙ୍କ ବଦଳରେ ଓନୁ
ଆହତ କାରଣରୁ ବାଦ୍‌ ପଡ଼ିଥିବା ତାରକା ଷ୍ଟ୍ରାଇକର୍‌ ଆରଡାନ୍‌ ସାନ୍ତାନାଙ୍କ ବଦଳରେ ଅନ୍ୟତମ ସ୍ପେନୀୟ ଖେଳାଳି ମାନୁଏଲ୍‌ ଓନୁଙ୍କୁ ଋଣରେ ଆଣିଛି ଓଡ଼ିଶା ଏଫ୍‌ସି। ୩୨ ବ‌ର୍ଷୀୟ ଏହି ଖେଳାଳି ଚଳିତ ଆଇଏସ୍‌ଏଲ୍‌ର ଅବଶିଷ୍ଟ୍ ମ୍ୟାଚ୍‌ ଓଡ଼ିଶା ଏଫ୍‌ସି ପାଇଁ ଖେଳିବେ। ୨୦୧୨ ମସିହାରେ ଲା ଲିଗା ପଦାର୍ପଣ କରିଥିବା ଓନୁ ଚଳିତ ଋତୁ ଲାଗି ବେଙ୍ଗାଲୁରୁ ଏଫସି ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ଚଳିତ ଋତୁରେ ସେ ୫ ମ୍ୟାଚ୍‌ ଖେଳି ଗୋଟିଏ ଗୋଲ୍‌ରେ ସହାୟତା କରିଥିଲେ। ଓନୁଙ୍କୁ ପାଇଥିବାରୁ ଦଳର ପ୍ରଶିକ୍ଷକ ଯୋସେପ୍‌ ଗମ୍ଭାୟୁ ଖୁସି ହୋଇଛନ୍ତି। ଏହା ଓଡ଼ିଶା ଏଫ୍‌ସି ପାଇଁ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି। ଦଳରେ ସାମିଲ ହୋଇ ଓନୁ ମଧ୍ୟ ପ୍ରଶିକ୍ଷକ ଗମ୍ଭାୟୁଙ୍କ ଅଧିନରେ ଖେଳିବାକୁ ବ୍ୟଗ୍ର ବୋଲି କହିଛନ୍ତି।

କଳିଙ୍ଗକୁ ଭୁଲିନାହାନ୍ତି ଦେଶାଇ
ଭୁବନେଶ୍ବର: ଓଡ଼ିଶା ଏଫ୍‌ସି ଏକ ଭଲ ଦଳ ଏବଂ ବିଗତ ୫ ମ୍ୟାଚ୍‌ରୁ ୪ ଜିତିଥିବାରୁ ଆମ ପାଇଁ ଏହା ଏକ କଷ୍ଟକର ମୁକାବିଲା ହେବ ବୋଲି କହିଛନ୍ତି ଗୋଆ ଏଫ୍‌ସିର ଅଧିନାୟକ ତଥା ଭାରତୀୟ ଦଳର ଖେଳାଳି ମନ୍ଦର ରାଓ ଦେଶାଇ। ଓଡ଼ିଶା ଏଫ୍‌ସି ପାଇଁ ମଧ୍ୟ ଚଳିତ ପଦାର୍ପଣ ଋତୁ ଭଲ ବିତିଛି ଏବଂ ଭୁବନେଶ୍ବର ଦଳ ଶୀର୍ଷ ୪ ଭିତରେ ଲିଗ୍‌ ଅଭିଯାନ ଶେଷ କରିବା ସମ୍ଭାବନା ରହିଛି‌ ବୋଲି କହିଛନ୍ତି ଏହି ଲେଫ୍‌ଟ ୱିଙ୍ଗର। ଆମେ ଆମ ନିଜ ଷ୍ଟାଇଲ୍‌ରେ ଖେଳୁଛୁ, ଦୁଇ ଥର ଫାଇନାଲ୍‌ ଉଠିଛୁ, ଖେଳାଳିମାନେ ପରସ୍ପରକୁ ଜାଣିଗଲେଣି ଏବଂ ସମସ୍ତଙ୍କ ମଧ୍ୟରେ ଭଲ ବୁଝାମଣା ରହିଛି ବୋଲି ମଙ୍ଗଳବାର ପ୍ରକାଶ କରିଥିଲେ ଏହି ୨୭ ବର୍ଷୀୟ ଗୋଆ ‌ଖେଳାଳି। କଳିଙ୍ଗ ଷ୍ଟାଡିୟମ୍‌ରେ ୨୦୧୮ରେ ମୁଁ ସୁପର୍‌ କପ୍‌ ଖେଳିଥିଲି ଏବଂ ଇଷ୍ଟବେଙ୍ଗଲ୍‌ଠାରୁ ସେମିଫାଇନାଲରେ ହାରିବାର ଦୁଃଖ ଥିଲା‌ ବୋଲି କହିଥିଲେ ମନ୍ଦର।

ଭାରତୀୟ ଦଳରୁ ଖେଳୁଛି ଏବଂ ଯଥା ସମ୍ଭବ ଅଧିକ ଦିନ ଖେଳିବା ମୋ ଜୀବନର ଲକ୍ଷ୍ୟ। ଏକ ଅଣ କ୍ରୀଡ଼ାବିତ୍ ପରିବାରରୁ ଆସି ଭାରତୀୟ ଦଳରୁ ଖେଳିବା ବଡ଼ କଥା। ପିତାମାତା ଆଇନଜୀବୀ, ପିତାଙ୍କଠାରୁ କିନ୍ତୁ ଢେର ସମର୍ଥନ ପାଇଥିଲି। ସେ ଫୁଟ୍‌ବଲ୍‌ ବୁଝନ୍ତି ନାହିଁ, କିନ୍ତୁ ମୋ ଉପରେ ବିଶ୍ବାସ ରଖିଥିଲେ। ମୋତେ ଯେଉଁ କଠିନ ପରିଶ୍ରମ କରିବାର ଥିଲା ମୁଁ କରିଥିବାରୁ ଆଗକୁ ବଢ଼ିପାରିଛି ବୋଲି କହିଥିଲେ ମନ୍ଦର। ଗୋଆ ଏଫ୍‌ସି ପାଇଁ ୮୮ ମ୍ୟାଚ୍‌ ଖେଳି ସାରିଥିବା ମନ୍ଦର ଗତବର୍ଷ ଅନ୍ତର୍ଜାତୀୟ ପଦାର୍ପଣ କରି ଭାରତ ପାଇଁ ୫ ମ୍ୟାଚ୍‌ ଖେଳିଛନ୍ତି।

ଛେତ୍ରୀଙ୍କ ସହ ଖେଳି ଗୌରବାନ୍ବିତ: ମାନବୀର ସିଂହ
ଭାରତୀୟ ଦଳର ଅନ୍ୟତମ ଯୁବ ତାରକା ମାନବୀର ସିଂହ ବିଗତ ୩ ବର୍ଷ ହେବ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ଖେଳି ଆସୁଛନ୍ତି। ଭୁବନେଶ୍ବର ଆସିଥିବା ଗୋଆ ଏଫ୍‌ସିର ମଧ୍ୟ ଅନ୍ୟତମ ଅବିଚ୍ଛେଦ୍ୟ ଅଙ୍ଗ ହେଉଛନ୍ତି ୨୪ ବର୍ଷୀୟ ଏହି ଫରୱାର୍ଡ। ଗୋଆରେ ବହୁ ଅନ୍ତର୍ଜାତୀୟ ଫୁଟ୍‌ବଲର୍‌ ଥିବାରୁ ପିଲାମାନେ ସେମାନଙ୍କୁ ଅନୁସରଣ କରିଥାନ୍ତି। ମୁଁ ବି ଏଭଳି କରି ଆଗକୁ ଆସିଛି। ଏକ ଫୁଟ୍‌ବଲ୍‌ ପରିବାର ଓ ପରିବେଶରୁ ଆସିଥିବାରୁ ଏହି ଲୋକପ୍ରିୟ ଖେଳ ଛଡ଼ା ଅନ୍ୟ କିଛି ଚିନ୍ତା କରିନାହିଁ। କ୍ରିକେଟ୍ ଖେଳିନାହିଁ କି ଏଥିପାଇଁ ଅନୁତପ୍ତ ନୁହେଁ ବୋଲି କହିଛନ୍ତି ମାନବୀର। ବେଙ୍ଗଲ୍‌କୁ ୨୦୧୭ ସନ୍ତୋଷ ଟ୍ରଫି ବିଜେତା କରାଇବାରେ ପ୍ରମୁଖ ଭୂମିକା ରଖିଥିବା ମାନବୀରଙ୍କ ଖେଳ ଜୀବନ ୨୦୧୩ ଜେସିଟି ଯୋଗଦାନରୁ ପେସାଦାର ରୂପ ନେଇଥିଲା। କିନ୍ତୁ ଭାରତୀୟ ଦଳରୁ ଖେଳିଥିବା ବେଳେ ସାଥୀ ଫରୱାର୍ଡ ତଥା ଅଧିନାୟକ ସୁନିଲ ଛେତ୍ରୀଙ୍କ ସହ ସମୟ ବିତାଇବା ସବୁଠୁ ସ୍ମରଣୀୟ ମୁହୂର୍ତ ବୋଲି ସେ ପ୍ରକାଶ କରିଛନ୍ତି। ‘ସୁନିଲ୍‌ ଛେତ୍ରୀ ଜଣେ କିଂବଦନ୍ତି ଖେଳାଳି, ତାଙ୍କ ସହ ସାଥି ହୋଇ ଖେଳିବା ଗର୍ବ ଓ‌ ଗୌରବର ବିଷୟ’ ବୋଲି ଭାରତ ପକ୍ଷରୁ ୧୪ ମ୍ୟାଚ୍‌ ଖେଳି ୩ ଗୋଲ୍‌ ଦେଇଥିବା ମାନବୀର କହିଥିଲେ। ଆଇଏସ୍‌ଏଲ୍‌ର ଆଗମନ ପରେ ଭାରତରେ ଫୁଟ୍‌ବଲ୍‌ର କ୍ରେଜ୍‌ ବଢ଼ିଛି, ଏହାକୁ ଏକ ସୁରକ୍ଷିତ ବୃତ୍ତି ଭାବେ ନେଇ ହେଉଛି। ଅନେକ ପ୍ରଶଂସକ ଏହାକୁ ଅନୁସରଣ କରୁଛନ୍ତି ଏବଂ ଭାରତୀୟ ଦଳର ପ୍ରଦର୍ଶନରେ ମଧ୍ୟ ବିଗତ ୨ ବର୍ଷ ହେବ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି କହିଥିଲେ ମାନବୀର।

ସମ୍ବନ୍ଧିତ ଖବର