ଆଜିଠୁ ହକି ଲଢ଼େଇ

କଳିଙ୍ଗ ଚଳଚଞ୍ଚଳ: ରାତି ୭ଟାରେ ଭାରତ-ରୁଷିଆ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମସ୍ଥିତ ହକି କମ୍ପ୍ଲେକ୍ସରେ ଗୁରୁବାରଠୁ ଆରମ୍ଭ ହେବ ପୁରୁଷ ଏଫ୍‌ଆଇଏଚ୍‌ ସରିଜ୍‌ ଫାଇନାଲ୍ସ। ୮ ଦଳୀୟ ଏହି ପ୍ରତିଯୋଗିତାରୁ ଦୁଇଟି ଶ୍ରେଷ୍ଠ ଦଳ ହାସଲ କରିବେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଲାଗି ଟିକେଟ୍‌। ଏଥି ପାଇଁ କଳିଙ୍ଗରେ ହେବ ଜୋରଦାର ଲଢ଼େଇ। ଆୟୋଜକ ଭାରତ ସହ ପୋଲାଣ୍ଡ, ରୁଷିଆ, ଉଜ୍‌ବେକିସ୍ତାନ ଗ୍ରୁପ୍‌-ଏ’ରେ ରହିଥିଲା ବେଳେ ଦକ୍ଷିଣ ଆଫ୍ରିକା, ଜାପାନ, ଆମେରିକା ଓ ମେକ୍ସିକୋ ଗ୍ରୁପ୍‌-ବି’ରେ ରହିଛନ୍ତି। ଦୁଇ ଗ୍ରୁପ୍‌ର ଶ୍ରେଷ୍ଠ ଦଳ ସିଧାସଳଖ ସେମିଫାଇନାଲ୍‌‌ ଖେଳିବାକୁ ଥିଲା ବେଳେ ଦ୍ବିତୀୟ ଓ ତୃତୀୟ ଦଳ କ୍ରସ୍‌ ଓଭର ଦେଇ ସେମି‌ଫାଇନାଲ୍‌ରେ ପହଞ୍ଚିବେ। ଗୁରୁବାର ପ୍ରଥମ ମ୍ୟାଚ୍‌ରେ ଗ୍ରୁପ୍‌ ବି’ର ଦୁଇ ଦଳ ଦକ୍ଷିଣ ଆଫ୍ରିକା ଏବଂ ଆମେରିକା ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ସକାଳ ୮.୪୫ରେ ଖେଳାଯିବ। ଏହାପରେ ଦ୍ବିତୀୟ ମ୍ୟାଚ୍‌ରେ ଗ୍ରୁପ୍‌ ଏ’ ଦଳ ପୋଲାଣ୍ଡ ଭେଟିବ ଉଜ୍‌ବେକିସ୍ତାନକୁ। ଏହି ମ୍ୟାଚ୍‌ ସଂଧ୍ୟା ୫ଟାରେ ଖେଳାଯିବ। ତେବେ ଉଦ୍‌ଘାଟନୀ ଦିବସର ‌ଶେଷ ମ୍ୟାଚ୍‌ ରାତି ୭ଟାରେ ଆୟୋଜକ ଭାରତ ଏବଂ ରୁଷିଆ ମଧ୍ୟରେ ଖେଳାଯିବ।
।ଆଗରେ ଭାରତ
ଏହି ପ୍ରତିଯୋଗିତାରେ ଭାରତ ସବୁଠୁ ଆଗରେ ରହିଛି। ବିଶ୍ବ ମାନ୍ୟତାରେ ଦଳ ପଞ୍ଚମ ସ୍ଥାନ‌ରେ ରହିଥିଲା ‌ବେଳେ ଘରୋଇ ପଡ଼ିଆରେ ଖେଳିବାକୁ ଯାଉଥିବାରୁ ବିଜେତା ହେବାର ପ୍ରମୁଖ ଦାବିଦାର ‌ରହିଛି। ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଦଳ ସନ୍ତୁଳିତ ରହିଥିଲା ବେଳେ ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ଟିକେଟ୍‌ ପାଇବା ନେଇ ଆଉ ଗୋଟିଏ ପାଦ ଆଗକୁ ନିଶ୍ଚିତ ବଢ଼ିବ ବୋଲି ଅଧିନାୟକ ମନ୍‌ପ୍ରୀତ ସିଂହ ଆଶାବାଦୀ ରହିଛନ୍ତି। ଦୁର୍ଭାଗ୍ୟଜନକ ଭାବେ ଏସୀୟ କପ୍‌ ସେମିଫାଇନାଲ୍‌ରୁ ବିଦାୟ ନେବାରୁ ଭାରତ ସିଧାସଳଖ ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟରୁ ବଞ୍ଚିତ ହୋଇଥିଲା। ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ଲାଗି ଆଉ ଏକ ସୁଯୋଗ ମିଳିଥିବାରୁ ଭାରତ ଏହାକୁ ହାତଛଡ଼ା କରିବନି ବୋଲି ମନ୍‌ପ୍ରୀତ କହିଛନ୍ତି। ନୂଆ ପ୍ରଶିକ୍ଷକ ଗ୍ରାହମ ରିଡ୍‌ଙ୍କ ତତ୍ବାବଧାନରେ ଦଳ ଭଲ ଅଭ୍ୟାସ କରିଛି। ଅଷ୍ଟ୍ରେଲିଆ ଗସ୍ତରେ ରିଡ୍‌ ଭାରତୀୟ ଦଳ ସହ ମିଶିବାର ସୁଯୋଗ ପାଇଥିଲେ। ଏହି ଗସ୍ତରେ ଭାରତୀୟ ଦଳର ଥିବା ଭୁଲକୁ ଏଠାରେ ସୁଧାରିବାକୁ ଜୋରଦାର ଉଦ୍ୟମ କରିଛନ୍ତି। ଭାରତୀୟ ଦଳର ରହିଆସିଥିବା ଫିନିସିଂ ଅସୁବିଧା ଏଠାରେ ହେବନି ବୋଲି ରିଡ୍‌ ପୁରା ଆଶା ରଖିଛନ୍ତି। ଭୁବନେଶ୍ବରରେ ସବୁବେଳେ ଦଳକୁ ବିପୁଳ ସମର୍ଥନ ମିଳୁଥିବା ବେଳେ ଏଫ୍‌ଆଇଏଚ୍‌ ସିରିଜ୍‌ରେ ଏହା ଜାରି ରହିବାର ସମ୍ଭାବନା ରହିଛି। ଦଳରେ ଦୁଇ ଓଡ଼ିଆ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥ‌ାନ ପାଇଛନ୍ତି। ବୀରେନ୍ଦ୍ରଙ୍କୁ ନିଜ ଘରୋଇ ମାଟିରେ ଉପଅଧିନାୟକ ଭଳି ଗୁରୁ ଦାୟିତ୍ବ ମିଳିଛି। ସେ ମଧ୍ୟ ନିଜର ‌ଏହି ଦାୟିତ୍ବକୁ ଏଠାରେ ଭଲ ଭାବରେ ତୁଲାଇବେ ବୋଲି କହିଛନ୍ତି। ଏଥିସହ ‌ବୀରେନ୍ଦ୍ର ବହୁ ମାତ୍ରାରେ ଦର୍ଶକ କଳିଙ୍ଗ ଷ୍ଟାଡିୟମ ଆସି ଓଡ଼ିଶାର ଖେଳ ହକିକୁ ଉପଭୋଗ କରିବାକୁ ଅନୁରୋଧ କରିଛନ୍ତି।
ଭାରତ ତା’ର ପ୍ରଥମ ମ୍ୟାଚ୍‌ ଉଦ୍‌ଘାଟନୀ ଦିବସରେ ବିଶ୍ବ ମାନ୍ୟତାରେ ୨୨ତମ ସ୍ଥାନରେ ଥିବା ରୁଷିଆ ସହ ଖେଳିବ। ଭାରତ ୮ ଥର ଅଲିମ୍ପିକ୍‌ ବିଜେତା ହୋଇଥିଲା ବେଳେ ରୁଷିଆର ସ୍ବପ୍ନ ପୂରଣ ହୋଇନି। କିନ୍ତୁ ସୋଭିଏତ ୟୁନିୟନ ନାମରେ ଏହି ଦେଶ ଥରେ କାଂସ୍ୟ (୧୯୮୦, ମସ୍କୋ) ପଦକ ପାଇଥିଲା ବେଳେ ଓ ୧୯୮୮ ସିଓଲ ଅଲିମ୍ପିକ୍‌ସରେ ସପ୍ତମ ସ୍ଥାନରେ ରହିଥିଲା। ଉଭୟ ଦଳର ଶକ୍ତିକୁ ଦେଖିଲେ ଭାରତ ନିଶ୍ଚିତ ରୁଷିଆଠୁ ଆଗରେ ରହିବ। ମାନ୍ୟତା ଅନୁଯାୟୀ ଭାରତ ଏହି ପ୍ରତିଯୋଗିତା ଲାଗି‌ ଯୋଗ୍ୟତା ଅର୍ଜନ କରିଥିଲା ବେଳେ ରୁଷିଆ ଏଫ୍‌ଆଇଏଚ୍‌ ସିରିଜ୍‌ ଓପନ୍‌ରେ ଶୀର୍ଷ ସ୍ଥାନ ଦଖଲ କରି ଏଠାକୁ ଆସିଛି।
।ଚାହିଦା କମ୍‌, ସରୁନି ଟିକେଟ୍‌
ଭୁବନେଶ୍ବରରେ ଦୁଇ ବର୍ଷ ମଧ୍ୟରେ ତୃତୀୟ ବିଶ୍ବସ୍ତରୀୟ ହକି ପ୍ରତିଯୋଗିତା ହେବାକୁ ଯାଉଛି। ୨୦୧୪ ଚାମ୍ପିଅନ୍ସ ଟ୍ରଫି ପରେ ୨୦୧୭ ଡିସେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ଏଠାରେ ହକି ବିଶ୍ବ ଲିଗ୍‌ ଆୟୋଜିତ ହୋଇଥିଲା। ଚାମ୍ପିଅନ୍ସ ଟ୍ରଫି ପରି ବିଶ୍ବ ଲିଗ୍‌ ପ୍ରତିଯୋଗିତାରେ ଦର୍ଶକଙ୍କ ଭିଡ଼ ଜମିଥିଲା। ଗତ ବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସରେ ବିଶ୍ବକପ୍‌ ଆୟୋଜିତ ହୋଇଥିଲା। ଦର୍ଶକଙ୍କ ଭିଡ଼କୁ ଦେଖି ବିଶ୍ବକପ୍‌ ପୂର୍ବରୁ ଷ୍ଟାଡିୟମ କ୍ଷମତା ବଢ଼ାଇ ଦିଆଯାଇଥିଲା। ଦର୍ଶକ ମଧ୍ୟ ବହୁମାତ୍ରାରେ ଷ୍ଟାଡିୟମ ଆସିଥିଲେ। ଟିକେଟ୍‌ ବିକ୍ରି ହେଉ ହେଉ ସରିଯାଇଥିଲା। ଟିକେଟ୍‌ର କଳାବଜାରୀ ମଧ୍ୟ ବିଶ୍ବକପ୍‌ ବେଳେ ଦେଖିବାକୁ ମିଳିଥିଲା। ହେଲେ ଗୁରୁବାରଠୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପୁରୁଷ ହକି ସରିଜ୍‌ ଫାଇନାଲ୍‌ ଲାଗି ଆଉ ଦର୍ଶକଙ୍କ ମନରେ ଆଗ୍ରହ ଦେଖିବାକୁ ମିଳୁନି। ମାସେ ପୂର୍ବରୁ ଅନ୍‌ଲାଇନ୍‌ ଟିକେଟ୍‌ ଏବଂ ୧୫ ଦିନ ହେଲା ଅଫ୍‌ଲାଇନ୍‌ ଟିକେଟ୍‌ ପାଇଁ କାଉଣ୍ଟର ଖୋଲାଯାଇଛି। ହେଲେ ଟିକେଟ୍‌ ବିକ୍ରି ପୂର୍ବ ପରି ନାହିଁ। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଏବେ ବି ଟିକେଟ୍‌ ଉପଲବ୍‌ଧ ରହିଛି। ସୂଚନାଯୋଗ୍ୟ, ସକାଳ ମ୍ୟାଚ୍‌ ଦର୍ଶକମାନେ ମାଗଣାରେ ଦେଖିପାରିବେ। ପୂର୍ବ, ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡରେ ବସି ଦର୍ଶକ ଏହି ପ୍ରତିଯୋଗିତାର ସକାଳ ମ୍ୟାଚ୍‌କୁ ଉପଭୋଗ କରିପାରିବେ। ସଂଧ୍ୟା ମ୍ୟାଚ୍‌ ଲାଗି ଟିକେଟ୍‌ର ମୂଲ୍ୟ ୧୦୦ରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି।
।ହେବନି ଉଦ୍‌ଘାଟନୀ ଉତ୍ସବ
ବିଶ୍ବକପ୍‌ ପରି ଏଫ୍‌ଆଇଏଚ୍‌ ସରିଜ୍‌ ଫାଇନାଲ୍ସରେ ଦେଖିବାକୁ ମିଳିବନି ଧମାକାଧାର ଉଦ୍‌ଘାଟନୀ ଉତ୍ସବ। ପ୍ରତିଯୋଗିତା‌ର ମାସକ ପୂର୍ବରୁ ସାମୁଦ୍ରିକ ଝଡ଼ ‘ଫନି’ କଳିଙ୍ଗ ଷ୍ଟାଡିୟମକୁ ଛାରଖାର କରିଦେଇଥିଲା। ଫଳରେ ଏହି ପ୍ରତିଯୋଗିତା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ହକି ଇଣ୍ଡିଆ ଓ ଏଫ୍‌ଆଇଏଚ୍‌ ଚିନ୍ତା କରିଥିଲେ। ସଠିକ ସମୟରେ ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବା ଲାଗି ଓଡ଼ିଶା ସରକାରଙ୍କ ନିର୍ଭର ପ୍ରତିଶୃତି ପରେ ଭୁବନେଶ୍ବରରେ ହେବ ବୋଲି ସ୍ଥିର ହୋଇଥିଲା। ପୁନଃରୁଦ୍ଧାର କାର୍ଯ୍ୟ ସହ ଫନିର ପ୍ରକୋପ ଲାଗି ପ୍ରତିଯୋଗିତାକୁ ନିରାଡ଼ମ୍ବର କରାଯାଇଛି। ଏଥିସହ ଏଫ୍‌ଆଇଏଚ୍‌ ମଧ୍ୟ ଟିକେଟ୍‌ ବିକ୍ରିର ଲାଭାଂଶକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିବାକୁ ନିଷ୍ପତ୍ତି ନେଇଛି।
।ସିଧାପ୍ରସାରଣ
ପୁରୁଷ ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସର ସିଧାପ୍ରସାରଣ ହଟ୍‌ ଷ୍ଟାର ଏବଂ ଷ୍ଟାର୍‌ ସ୍ପୋର୍ଟସ୍‌ରେ ହେବ। ସକାଳର ମ୍ୟାଚ୍‌ ହଟ୍‌ଷ୍ଟାର ଏବଂ ସନ୍ଧ୍ୟାରେ ଖେଳା ଯିବାକୁଥିବା ମ୍ୟାଚ୍‌ ଷ୍ଟାର୍‌ ସ୍ପୋର୍ଟସ-୩/ ସିଲେକ୍ଟରେ ପ୍ରସାରିତ ହେବ ବୋଲି ହକି ଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥିସହ ଅନ୍‌ଲାଇନ୍‌ରେ FIH.live ସହ ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ ଏବଂ ଟ୍ବିଟର୍‌ରେ ମଧ୍ୟ ପ୍ରସାରିତ ହେବ।

ସମ୍ବନ୍ଧିତ ଖବର