ଆଜି ଭାରତ-ଆଫଗାନିସ୍ତାନ

ସାଉଥମ୍ପଟନ୍: ଅପରାଜେୟ ଭାରତୀୟ କ୍ରିକେଟ୍ ଦଳ ଶନିବାର ନିଜ ବିଶ୍ବକପ୍ ଅଭିଯାନର ପଞ୍ଚମ ମୁକାବିଲାରେ ଅନଭିଜ୍ଞ ଆଫଗାନିସ୍ତାନକୁ ଭେଟିବ। ଏକଦିବସୀୟ କ୍ରିକେଟ୍‌ରେ ପୂର୍ବରୁ ମାତ୍ର ଦୁଇ ଥର ମୁହାଁମୁହିଁ ହୋଇଥିବା‌ ଏହି ଦୁଇ ଏସୀୟ ରାଷ୍ଟ୍ର ବିଶ୍ବକପ୍‌ରେ ପ୍ରଥମ ଥର ଲାଗି ଭେଟାଭେଟି ହେବେ। ଚମତ୍କାର ଫର୍ମରେ ଥିବା ଭାରତ ଏଥିରୁ ପୂରା ଦୁଇ ପଏଣ୍ଟ୍‌ ଅର୍ଜନ କରିବା ଆଶାରେ ରହିବ। ସେପଟେ ଆଫଗାନିସ୍ତାନ ଆଉ ଏକ କଠିନ ପରୀକ୍ଷାରେ ଅବତୀର୍ଣ୍ଣ ହେବ। ଶକ୍ତିଶାଳୀ ଭାରତ ବିପକ୍ଷରେ ପଏଣ୍ଟ୍‌ ଖାତା ଖୋଲିବା ତା’ ପାଇଁ କାଠିକର ପାଠ ‌ହେବ। ଶନିବାରର ଅନ୍ୟ ଏକ ମୁକାବିଲା ୱେଷ୍ଟଇଣ୍ଡିଜ୍ ଏବଂ ଅନ୍ୟତମ ଅପରାଜେୟ ଦଳ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ‌ପୂର୍ବରୁ ଖେଳା ଯାଇଥିବା‌ ଦୁଇଟି ମ୍ୟାଚ୍ ମଧ୍ୟରୁ ଭାରତ ଗୋଟିଏ ଜିତିଛି। ଅନ୍ୟଟି ଟାଇ ରହିଛି।

ପୁଣି ପରୀକ୍ଷାରେ ରସିଦ
ପଡ଼ିଆ ଭିତରର ଦୁର୍ବଳ ପ୍ରଦର୍ଶନ ସହ ପଡ଼ିଆ ବାହାରର ବିବାଦ ପାଇଁ ଆଫଗାନିସ୍ତାନ କ୍ରିକେଟ୍ ଦଳ ଏବେ ଢେର ଚାପରେ ରହିଛି। ପ୍ରଶିକ୍ଷକ ଫିଲ୍ ସିମନ୍ସ ବିଶ୍ବକପର ଠିକ୍ ପୂର୍ବରୁ ଅଧିନାୟକ ପରିବର୍ତନ ନେଇ ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି। ଦଳର ଦୁଇ ବରିଷ୍ଠ ଖେଳାଳି ମହମ୍ମଦ ନବି ଏବଂ ରସିଦ ଖାନ୍ ମଧ୍ୟ ଏହି ନିଷ୍ପତ୍ତିକୁ ବିରୋଧ କରିବା ପରେ ଆଫଗାନ କ୍ରିକେଟ୍‌ରେ ଝଡ଼ ସୃଷ୍ଟି ହୋଇଛି। ସେହିଭଳି ମାଞ୍ଚେଷ୍ଟରର ଏକ ନାଇଟ୍ କ୍ଲବରେ ଗଣ୍ଡଗୋଳ କରି କିଛି ଆଫଗାନ ଖେଳାଳି ଅଳ୍ପକେ ଗିରଫ ହେବାର ବର୍ତି ଯାଇଛନ୍ତି। ତାରକା ସ୍ପିନର ରସିଦ ଇଂଲଣ୍ଡ ବିପକ୍ଷ ପୂର୍ବ ମ୍ୟାଚ୍‌ରେ ବିଶ୍ବକପ୍‌ର ସବୁଠାରୁ ଖରାପ ବୋଲିଂ ଚିତ୍ର ପାଇଛନ୍ତି। ଏହି ସବୁକୁ ଆଖି ଆଗରେ ରଖିଲେ ଭାରତକୁ ଆଫଗାନିସ୍ତାନ କଡ଼ା ଟକ୍କର ‌ଦେବାର ଆଶା ବହୁତ କମ୍। ବ୍ୟାଟିଂ, ବୋଲିଂ ଏବଂ କ୍ଷେତ୍ରରକ୍ଷଣରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆକାଶ-ପାତାଳ ଫରକ ରହିଛି। ଭାରତର ଏକମାତ୍ର ଡର ହେଉଛି ବର୍ଷା। ସାଉଥମ୍ପଟନ୍‌ରେ ଶନିବାର ଓ ରବିବାର ବର୍ଷା ହେବାର ପୂର୍ବାନୁମାନ ନାହିଁ। ତଥାପି ଇଂଲଣ୍ଡ ପାଗର କିଛି ଭରସା ନାହିଁ। ବର୍ଷା ଯଦି ଆଉ ଏକ ମ୍ୟାଚ୍‌କୁ ପ୍ରଭାବିତ କରେ କିମ୍ବା ଏହାକୁ ଧୋଇନିଏ, ତାହାଲେ ଆଫଗାନିସ୍ତାନ ଅପେକ୍ଷା ଭାରତ ପାଇଁ ଏହା ଏକ ବଡ଼ କ୍ଷତି ହେବ। ଭାରତ କିନ୍ତୁ ଆଫଗାନିସ୍ତାନକୁ ହାଲକା ଭାବେ ନେବନି। ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏହା କହିଛନ୍ତି। ସେ କହିଛନ୍ତି ଆମେ କୌଣସି ଦଳକୁ ହାଲକା ଭାବେ ନେଉନୁ। ଅଷ୍ଟ୍ରେଲିଆ ହେଉକି ଆଫଗାନିସ୍ତାନ ଆମେ ସବୁ ଦଳକୁ ସମାନ ସମ୍ମାନ ପ୍ରଦାନ କରୁ। ଆମେ ଆମ ଦକ୍ଷତା ଉପରେ ଧ୍ୟାନ ଦେଉ ଏବଂ ମ୍ୟାଚ୍ ପାଇଁ ଯାହା ଦରକାର ତାହା କରୁ।

ସାମି ଖେଳିବେ ଶଙ୍କର, ପନ୍ତଙ୍କ ଭିତରୁ ଜଣେ
ପାକିସ୍ତାନ ବିପକ୍ଷ ପ୍ରତୀକ୍ଷିତ ମୁକାବିଲାରେ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଆହତ ହେବା ଭାରତ ପାଇଁ ଏକ ବଡ଼ ଝଟ୍‌କା ଥିଲା। ସେ ପରବର୍ତୀ ଦୁଇ-ତିନିଟି ମ୍ୟାଚ୍ ଖେଳି ପାରିବେ ନାହିଁ ବୋଲି ଅଧିନାୟକ ବିରାଟ କୋହଲି ସେହି ଦିନ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରି ଦେଇଥିଲେ। ଏଣୁ ଶନିବାର ଭୁବି ପଡ଼ିଆକୁ ଓହ୍ଲାଇବାର ଆଦୌ ସମ୍ଭାବନା ନାହିଁ। ତାଙ୍କ ସ୍ଥାନ ମହମ୍ମଦ ସାମି ନେବେ। ସାମି ଭାରତର ପ୍ରଥମ ୪ ମ୍ୟାଚ୍ ଖେଳି ନାହାନ୍ତି। ସେପଟେ ଅଲରାଉଣ୍ଡର ବିଜୟ ଶଙ୍କର ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ୟର୍କରରେ ଆହତ ହୋଇଛନ୍ତି। ତାଙ୍କୁ ନେଇ ଦଳୀୟ ଅଧିକାରୀ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ଶଙ୍କର ଶେଷ ମୁହୂର୍ତ ପର୍ଯ୍ୟନ୍ତ ସୁସ୍ଥ ହୋଇ ନପାରିଲେ ଦିଲ୍ଲୀର ଯୁବ ତାରକା ଋଷବ ପନ୍ତ ବିଶ୍ବକପ୍ ପଦାର୍ପଣ କରିବେ। ପନ୍ତ ଆହତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କ ସ୍ଥାନ ନେଇଛନ୍ତି। ଲୋକେଶ ରାହୁଲ ପାଳି ଆରମ୍ଭ କରୁଥିବାରୁ ପନ୍ତଙ୍କୁ ଆସନ୍ତାକାଲି ସୁଯୋଗ ମିଳିଲେ ସେ ମଧ୍ୟକ୍ରମରେ ଖେଳିବେ। ଦୁଇ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ନିଜ ନିଜ ସ୍ଥାନ ବଜାୟ ରଖିବେ। କେଦାର ଯାଦବଙ୍କୁ କୋହଲି ଉପରେ ଖେଳିବାର ସୁଯୋଗ ଦେଇ ପାରନ୍ତି। ଲଗାତାର ପାଞ୍ଚ ପରାଜୟ ବରଣ କରିବା ପରେ ଆଫଗାନିସ୍ତାନ ଶନିବାର ନିଜ ଦଳରେ କିଛିଟା ଅଦଳବଦଳ କରିପାରେ।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଋଷବ ପନ୍ତ/ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ମହମ୍ମଦ ସାମି।

ସମ୍ଭାବ୍ୟ ଆଫଗାନିସ୍ତାନ: ଗୁଲବଦିନ ନୈବ (ଅଧିନାୟକ), ରସିଦ ଖାନ୍, ମହମ୍ମଦ ନୈବ, ହଜରତୁଲ୍ଲା ଜଜାଇ, ମୁଜିବ-ଉର୍-ରହମାନ, ଦୌଲତ ଜର୍ଦାନ, ହସମତୁଲ୍ଲା ସାହିଦି, ସାମିଉଲ୍ଲା ସିନୱାରି, ନୁର ଅଲ୍ଲୀ ଜର୍ଦାନ, ଅସଗର ଆଫଗାନ, ଆଫତାବ ଆଲାମ।

ହାମ୍ପସାୟାରରେ ପଛୁଆ ବ୍ୟାଟିଂ ଭଲ
ଭାରତ-ଆଫଗାନିସ୍ତାନ ମ୍ୟାଚ୍ ଖେଳା ଯିବାକୁ ଥିବା ସାଉଥମ୍ପଟନର ହାମ୍ପସାୟାର ବାଉଲ୍ ଷ୍ଟାଡିୟମରେ ବିଶ୍ବକପର ଦୁଇଟି ଯାକ ସଂପୂର୍ଣ୍ଣ ମ୍ୟାଚ୍‌ରେ ପଛୁଆ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଛି। ପାଗ ଶୁଖିଲା ରହିଲେ ପିଚ୍ ବ୍ୟାଟିଂକୁ ସୁହାଇବ। ଶନିବାର ଏଠାରେ ବର୍ଷା ହେବାର ଆଶଙ୍କା ନାହିଁ। ଦିନସାରା ପାଗ ଖରାଟିଆ ରହିବ ବୋଲି ସ୍ଥାନୀୟ ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି।

ସମ୍ବନ୍ଧିତ ଖବର