ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଆଜି: ଆରମ୍ଭରୁ ଉତ୍କଣ୍ଠା ଆଶା, ୯ ମାସ ପରେ ଅନ୍ତର୍ଜାତୀୟ ଆହ୍ବାନ

ଷ୍ଟାର୍କ-କମିନ୍ସ ମୁକାବିଲା ଲାଗି ଭାରତ ପ୍ରସ୍ତୁତ, କେବେ।ବନ୍ଧୁ କେବେ ବଇରି

ସିଡ୍‌ନି: ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା ଶୁକ୍ରବାରଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ। ସୀମିତ ଓଭର ପର୍ଯ୍ୟାୟର ଆଦ୍ୟ ମୁକାବିଲାରେ ଆସନ୍ତାକାଲି ସିଡ୍‌ନି କ୍ରିକେଟ୍ ପଡ଼ିଆରେ ବିଶ୍ବ କ୍ରିକେଟ୍‌ର ଏହି ଦୁଇ ମହାରଥୀ ମୁହାଁମୁହିଁ ହେବେ। ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ଆସନ୍ତାକାଲି ହିଁ କୋହଲି ବାହିନୀ କଙ୍ଗାରୁ ଗଡ଼‌ରେ ବିଜୟ ବାନା ଉଡ଼ାଇବାକୁ ଆପ୍ରାଣ ଉଦ୍ୟମ କରିବ। ସଙ୍ଗରୋଧ ଅବଧି ଶେଷ କରି ଦଳ ମଧ୍ୟ ଏହି ମହାଲଢ଼େଇ ପାଇଁ ପୂରା ପ୍ରସ୍ତୁତ ଅଛି। ସେପଟେ ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। କରୋନା କଟକଣା ତଥା ଜୈବ ବଳୟର କଠିନ ପରିବେଶ ଭିତରେ ଆୟୋଜିତ ହେଉଥିବା ଶୃଙ୍ଖଳାର ଏହି ପ୍ରଥମ ମୁକାବିଲାକୁ ନେଇ ଉଭୟ ଦଳ ବି ବେଶ୍ ଉତ୍ସାହିତ ଅଛନ୍ତି। ଏହି ଶୃଙ୍ଖଳାରେ ମୋଟ ତିନିଟି ଦିନିକିଆ ଖେଳାଯିବ।

୯ ମାସ ପରେ ଅନ୍ତର୍ଜାତୀୟ ଆହ୍ବାନ
ଦୀର୍ଘ ୯ ମାସ ପରେ ଭାରତୀୟ କ୍ରିକେଟ୍ ଦଳ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିବାକୁ ଯାଉଥିବାରୁ ପ୍ରଶଂସକ ପୂରା ଉଲ୍ଲସିତ ଅଛନ୍ତି। ତେବେ କୋଭିଡ୍ ସଙ୍କଟ ପାଇଁ ଖେଳାଳିଙ୍କ ସହ ଅମ୍ପାୟାର, ଅଧିକାରୀ ଏପରିକି ପ୍ରଶଂସକଙ୍କ ପାଇଁ ମଧ୍ୟ ଭାରତର ଏହି ଗସ୍ତ ଅନ୍ତର୍ଜାତୀୟ ଆହ୍ବାନ ନେଇ ଆସିଛି। ଭାରତ ବି ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ବିନା ସୀମିତ ଓଭର ଶୃଙ୍ଖଳା ଖେଳିବାକୁ ଯାଉଛି। ସେଥିପାଇଁ ଏହି ଶୃଙ୍ଖଳା ଯୁବ ଖେଳାଳିଙ୍କ ପାଇଁ ଅପୂର୍ବ ଓ ଅନନ୍ୟ ସୁଯୋଗ ନେଇ ଆସିଛି। ଭାରତୀୟ ଖେଳାଳି ଶୃଙ୍ଖଳା ସାରା ୧୯୯୨ ବିଶ୍ବକପ୍‌ରେ ପିନ୍ଧିଥିବା ରେଟ୍ରୋ ଜର୍ସି ପିନ୍ଧିବେ ବୋଲି ବିସିସିଆଇ ଘୋଷଣା କରିଛି। ଅଷ୍ଟ୍ରେଲିଆ ମଧ୍ୟ ନିଜ ଦେଶ ପ୍ରେମ ଭାବନାକୁ ଆହୁରି ଜାଗ୍ରତ କରିବା ଲାଗି ସ୍ବଦେଶୀ ଜର୍ସି ପିନ୍ଧିବ ବୋଲି କହିଛି। ଯାହା ଏହି ଶୃଙ୍ଖଳାକୁ ଆହୁରି ରୋଚକ କରିଛି। ସେହି ଦୃଷ୍ଟିରୁ ଦିନିକିଆ ଶୃଙ୍ଖଳାର ପ୍ରଥମ ଲଢ଼େଇ ହିଁ ଉତ୍କଣ୍ଠାଭରା, ରୋମାଞ୍ଚକ ଓ ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେବ ବୋଲି ଆଶା କରାଯାଇଛି।

ଷ୍ଟାର୍କ-କମିନ୍ସ ମୁକାବିଲା ଲାଗି ଭାରତ ପ୍ରସ୍ତୁତ
ଫର୍ମରେ ଥିବା ଶିଖର ଧାୱନଙ୍କ ସହ ମୟଙ୍କ ଅଗ୍ରୱାଲ ହୁଅନ୍ତୁ କିମ୍ବା ଶୁବମନ ଗିଲ୍‌ ଯିଏ ବି ପାଳି ଆରମ୍ଭ କରିବେ, ଉଚ୍ଛାଳ ଓ ଗତି ପ୍ରଦାନ କରୁଥିବା ଅଷ୍ଟ୍ରେଲୀୟ ପିଚ୍‌ରେ ମିଚେଲ ଷ୍ଟାର୍କ ଓ ପ୍ୟାଟ୍ କମିନ୍ସଙ୍କ ଭଳି ବୋଲରଙ୍କୁ ମୁକାବିଲା କରିବା ଆଦୌ ସହଜ ହେବନି। ଉଚ୍ଚ ଗୁଣମାନର ଦ୍ରୁତ ବୋଲିଂ ସହ କଚଟି ସ୍ପିନର ଆଦାମ ଜାମ୍ପାଙ୍କ ଆହ୍ବାନର ସଫଳ ମୁକାବିଲା ଲାଗି କିଙ୍ଗ୍ କୋହଲି ବ୍ୟକ୍ତିଗତ ଭାବେ ନିଆରା ଅଭ୍ୟାସ କରିଛନ୍ତି। ହେଲେ ଯୁବ ବୀର ମାର୍ନସ ଲବୁସାନେ, ରନ୍ ପାଇଁ ସବୁବେଳେ ଭୋକିଲା ରହୁଥିବା ଡେଭିଡ୍ ୱାର୍ନର, ଦକ୍ଷ ତାରକା ଷ୍ଟିଭେନ ସ୍ମିଥଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଥିବା ଅଷ୍ଟ୍ରେଲିଆକୁ ହରାଇବା ନିଶ୍ଚିତ ଭାବେ କୋହଲି ଆଣ୍ଡ୍‌ କୋ ପାଇଁ କାଠିକର ପାଠ ହେବ। ଅବଶ୍ୟ ଭାରତ ପାଖରେ ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କ ଭଳି ବୋଲର ଅଛନ୍ତି। ହେଲେ ଅଗକୁ ମହତ୍ବପୂର୍ଣ୍ଣ ଟେଷ୍ଟ୍ ଶୃଙ୍ଖଳା ଥିବାରୁ ଏହି ଦୁଇ ଜଣ ଅଦଳ ବଦଳ ହୋଇ ଖେଳିବେ। ଏଣୁ ସାର୍ଦୁଲ ଠାକୁର କିମ୍ବା ନଭଦୀପ ସୈନିଙ୍କ ମଧ୍ୟରୁ ଜଣକୁ ଏମାନଙ୍କ ସାଥ୍ ଦେବାକୁ ହେବ। ଆଇପିଏଲ୍‌ର ସର୍ବାଧିକ ରନ୍ ସଂଗ୍ରହକାରୀ କେଏଲ୍ ରାହୁଲଙ୍କ ପାଇଁ ମଧ୍ୟ ଏହି ଗସ୍ତ କଠିନ ପରୀକ୍ଷା ନେଇ ଆସିବ। ୟୁଜବେନ୍ଦ୍ର ଚହଲଙ୍କ ଗୁଗଲି ସହ ହାର୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ମଧ୍ୟ ଭାରତ ପାଇଁ ‌ଢେର ମହତ୍ବ ରଖିବ। ମାର୍କୋସ ଷ୍ଟୋଇନିସ୍, ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କୁ ଚକ୍‌ମା ଦେବାର ଦକ୍ଷତା ଚହଲ ରଖନ୍ତି। ସିଡ୍‌ନିରେ ଶୁକ୍ରବାର ଏକ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିବ ବୋଲି କ୍ରିକେଟ୍ ପଣ୍ଡିତ ଭବିଷ୍ୟବାଣୀ କରିଛନ୍ତି। ଏଠାରେ ଖେଳା ଯାଇଥିବା ଗତ ୭ ଦିନିକିଆ ମଧ୍ୟରୁ ୬ଟିରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଛି। ଆସନ୍ତାକାଲି ପାଗ ଶୁଖିଲା ଓ ମେଘମୁକ୍ତ ରହିବ ବୋଲି ସ୍ଥାନୀୟ ପାଣିପାଗ ବିଭାଗ ଭବିଷ୍ୟବାଣୀ କରିବା ମଧ୍ୟ ଏକ ଭଲ ଖବର ହୋଇଛି।

ସମ୍ଭାବ୍ୟ ଭାରତୀୟ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, କେଏଲ୍ ରାହୁଲ, ଶୁବମନ ଗିଲ/ ମୟଙ୍କ ଅଗ୍ରୱାଲ, ଶ୍ରେୟସ୍ ଆୟର, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ନଭଦୀପ ସୈନି/ ସାର୍ଦୁଲ ଠାକୁର।

ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଡେଭିଡ୍ ୱାର୍ନର, ଷ୍ଟିଭେନ ସ୍ମିଥ୍, ମାର୍ନସ ଲବୁସାନେ, ଗ୍ଲେନ୍ ମ୍ୟାକ୍ସୱେଲ୍, ମାର୍କସ ‌ଷ୍ଟୋଇନିସ୍, ଆଲେକ୍ସ କେରି, ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଆଦାମ ଜାମ୍ପା, ଜୋସ୍ ହାଜେଲଉଡ୍।

୫୦ ପ୍ରତିଶତ ଦର୍ଶକ
ଉଭୟ ଭାରତ ଓ ଅଷ୍ଟ୍ରେଲିଆ ହେଉଛନ୍ତି ବିଶ୍ବ କ୍ରିକେଟର ଦୁଇ ଲୋକପ୍ରିୟ ଓ ଶକ୍ତିଶାଳୀ ଦଳ। ଏଣୁ ଏହି ଦୁଇ ଦଳ ଭିତରେ ଯେତେବେଳେ ଯେଉଁ ଶୃଙ୍ଖଳା ଖେଳାଯାଏ କ୍ରି‌କେଟ୍‌ପ୍ରେମୀ ତା’ ଉପରେ ଅଜସ୍ର ଭଲପାଇବା ଅଜାଡ଼ି ଦିଅନ୍ତି। ଏଥର କିନ୍ତୁ ସିଡ୍‌ନି କ୍ରିକେଟ୍ ଷ୍ଟାଡିୟମର ଅଧା ଆସନ ଖାଲି ରହିବ। କାରଣ କରୋନା ମହାମାରୀ ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ସାମାଜିକ ଦୂରତା ନିୟମକୁ କଡ଼ା‌ କଡ଼ି ଭାବେ ପାଳନ କରି ଏହି ଷ୍ଟାଡିୟମର ମୋଟ ଆସନର ୫୦ ପ୍ରତିଶତ ଟିକେଟ ହିଁ ବିକ୍ରି କରିଛି। କୋଭିଡ୍ ସଂକ୍ରମଣର ଭୟ ଥିଲେ ମଧ୍ୟ ଏହି ୫୦ ପ୍ରତିଶତ ଟି‌କେଟ୍‌ କିନ୍ତୁ ବହୁ ଦିନ ତଳୁ ବିକ୍ରି ହୋଇ ସାରିଛି।

କେବେ।ବନ୍ଧୁ କେବେ ବଇରି
ନିକଟରେ ଶେଷ ହୋଇଥିବା ଆଇପିଏଲ୍‌ରେ ଅନେକ ଅଷ୍ଟ୍ରେଲୀୟ ଖେଳାଳି ସାମିଲ ଥିଲେ। ସେମାନେ ଭାରତୀୟ ଖେଳାଳିଙ୍କ ସହ ଗୋଟିଏ ଦଳରେ ରହି ଖେଳୁଥିଲେ, ପରାଜୟରେ ଦୁଃଖ ପ୍ରକାଶ କରିବା ବେଳେ ବିଜୟରେ ମିଳିତ ଭାବେ ଉତ୍ସବ ପାଳନ କରୁଥିଲେ। ମାତ୍ର କିଛି ଦିନ ପରେ କିନ୍ତୁ ଏହି ସ୍ଥିତି ବଦଳି ଯାଇଛି। ଅଷ୍ଟ୍ରେଲୀୟ ଖେଳାଳି ଏବେ ନିଜ ଜାତୀୟ ଦଳର ପ୍ରତିନିଧିତ୍ବ କରୁଥିଲା ବେଳେ ଭାରତୀୟ ଖେଳାଳିମାନେ ମଧ୍ୟ ନିଜ ଦେଶ ମାତୃକା ପକ୍ଷରୁ ଖେଳିବାକୁ ଯାଉଛନ୍ତି। ଆଇପିଏଲ୍ ଫ୍ରାଞ୍ଚାଇଜରେ ଯେଉଁମାନେ ପରମ ବନ୍ଧୁ ଥିଲେ ଆଗାମୀ ଦୁଇ ମାସ ପାଇଁ ସେମାନେ ବଇରି ପାଲଟି ଯିବେ। ପରସ୍ପର ସହ ପାରୁ ପର୍ଯ୍ୟନ୍ତ ଲଢ଼େଇ କରିବେ। ମଜାଦାର କଥା ହେଲା ଅଷ୍ଟ୍ରେଲିଆ ସୀମିତ ଓଭର ଅଧିନାୟକ ଆରୋନ ଫିଞ୍ଚ୍ ଆଇପିଏଲ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବରେ ଖେଳୁଥିଲେ। ଉଭୟ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ବିଜୟ ପାଇଁ ଏକାଠି ରଣନୀତି କରୁଥିଲେ। ଏବେ ପରସ୍ପରକୁ ପରାସ୍ତ କରିବା ଲାଗି ଯୋଜନା କରିବେ। ଚଳିତ ବର୍ଷ ଆର୍‌ସିବିରେ ‌ଯୋଗ ଦେଇଥିବା ଫିଞ୍ଚ୍ ୧୨ ମ୍ୟାଚ୍ ଖେଳି ଗୋଟିଏ ଅର୍ଧଶତକ ସହ ୨୬୮ ରନ୍ କରିଥିଲେ। ଅନ୍ୟପକ୍ଷରେ କୋହଲି ୧୫ ମ୍ୟାଚ୍‌ରୁ ୩ ଅର୍ଧଶତକ ସହ ୪୬୬ ରନ୍ କରିଥିଲେ। ଆରସିବି କିନ୍ତୁ ଫାଇନାଲକୁ ଉଠି ପାରିନଥିଲା। ସେହିଭଳି ଷ୍ଟିଭେନ୍ ସ୍ମିଥ୍ ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସ, ଡେଭିଡ୍ ୱାର୍ନର ସନରାଇଜର୍ସ ହାଇଦ୍ରାବାଦ, ଗ୍ଲେନ୍ ମ୍ୟାକ୍ସୱେଲ୍ କିଙ୍ଗ୍ସ ଏକାଦଶ ପଞ୍ଜାବ, ପ୍ୟାଟ୍ କମିନ୍ସ କୋଲକାତା ନାଇଟ୍ ରାଇଡର୍ସ, ମାର୍କସ ‌ଷ୍ଟୋଇନିସ୍ ଦିଲ୍ଲୀ କ୍ୟାପିଟାଲ୍ସ ଭଳି ଦଳର ପ୍ରତିନିଧିତ୍ବ କରୁଥିଲେ।

ସମ୍ବନ୍ଧିତ ଖବର