ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଗୋଲାପି ଲଢ଼େଇ

ଭାରତୀୟ ଏକାଦଶରେ ସ’, ରିଦ୍ଧିମାନ, ଅଶ୍ବିନ୍‌, ଉମେଶ

ଆଡିଲେଡ୍: ଗୁରୁବାରଠାରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଥିବା ବେଳେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି। ଭାରତୀୟ କ୍ରିକେଟ୍‌ର ଅମୂଲ୍ୟରତ୍ନ ଭାବେ ଉଭା ହୋଇଥିବା ବିରାଟ କୋହଲିଙ୍କ ‘ନିର୍ଭୟ ଭାରତ’ ଆଡିଲେଡ୍‌ରେ ଗୋଲାପି ବଲ୍ ଟେଷ୍ଟ୍ (ଦିବାରାତ୍ର) ଖେଳି ଏହି ଅଭିଯାନ ଆରମ୍ଭ କରିବ। ଭାରତ ଗତ ଗସ୍ତରେ ଆଡିଲେଡ୍ ଟେଷ୍ଟ୍‌ ଜିତିଥିବାରୁ ଏଥର ଦୋହରାଇବା ଆଶା ରଖିଛି। ଅନ୍ୟପକ୍ଷରେ ଗତ ଆଡିଲେଡ୍ ଟେଷ୍ଟ୍ ସହ ଶୃଙ୍ଖଳା ପରାଜୟର ମଧୁର ପ୍ରତି‌ଶୋଧ ନେବା ଲକ୍ଷ୍ୟରେ ରହିଛି ଘରୋଇ ଅଷ୍ଟ୍ରେଲିଆ ଦଳ। ଭାରତ ଗତ ଗସ୍ତରେ ଚେତେଶ୍ବର ପୂଜାରାଙ୍କ ବ୍ୟାଟିଂ ଓ ଦ୍ରୁତ ବୋଲରଙ୍କ ଅବଦାନ ବଳରେ ଐତିହାସିକ ଟେଷ୍ଟ୍ ଶୃଙ୍ଖଳା ବିଜୟ ପାଇଥିଲା। ଏଥର କିନ୍ତୁ ଅଷ୍ଟ୍ରେଲିଆ ଏହାକୁ ପ୍ରତିହତ କରିବା ଲାଗି ନିଜ ଯୁବ ବ୍ୟାଟ୍ସମ୍ୟାନ୍ ମାର୍ନସ ଲବୁସାନଙ୍କଠାରୁ ସ୍ଥିର ପ୍ରଦର୍ଶନ ଆଶା କରିବ। ଲବୁସାନ୍ ମଧ୍ୟ ଗୋଟିଏ ଋତୁର ବିସ୍ମୟ ଖେଳାଳି ନୁହଁନ୍ତି ବୋଲି ପ୍ରମାଣ କରିବା ଲକ୍ଷ୍ୟରେ ରହିବେ।

ଉଭୟ ଦଳର ବ୍ୟକ୍ତିଗତ ମୁକାବିଲାର ବୋଲିଂ ବିଭାଗରେ ଜୋସ୍ ହାଜେଲଉଡ୍‌, ପ୍ୟାଟ୍ କମିନ୍ସଙ୍କୁ ବି କାଟିବା ଆଶାରେ ରହିଛନ୍ତି ମହମ୍ମଦ ସାମି ଓ ଯଶପ୍ରୀତ୍ ବୁମରା। ବୁମରାଙ୍କ ୟର୍କର ବନାମ କମିନ୍ସଙ୍କ ବାଉଁସର୍‌ ଏହି ଟେଷ୍ଟ୍‌ର ଅନ୍ୟତମ ଅସ୍ତ୍ର ହେବ ବୋଲି ଉଭୟ ଦଳ ଆଶା ରଖିଛନ୍ତି। ଭାରତ ଈଶାନ୍ତ ଶର୍ମାଙ୍କୁ ଏବଂ ଅଷ୍ଟ୍ରେଲିଆ ନିଶ୍ଚିତ ଡେଭିଡ୍ ୱାର୍ନରଙ୍କ ଅନୁପସ୍ଥିତିକୁ ଅନୁଭବ କରିବ ବୋଲି ଆଶଙ୍କା କରାଯାଉଛି। ଅଷ୍ଟ୍ରେଲିଆ କିନ୍ତୁ ଅଧିକ ଦିବାରାତ୍ର ଟେଷ୍ଟ୍ ଖେଳିଥିବାରୁ ଅଭିଜ୍ଞତା ଦୃଷ୍ଟିରୁ ଭାରତଠାରୁ ଆଗରେ ରହିବ। ଦିବାରାତ୍ର ଟେଷ୍ଟ୍‌ ହୋଇଥିବାରୁ ଭାରତୀୟ ସମୟ ୯.୩୦ରୁ ଏହି ମ୍ୟାଚ୍‌ ଆରମ୍ଭ ହେବ। ଗୋଲାପି ବଲ୍‌ ବ୍ୟାକରଣର ମୌଳିକ କଥା‌କୁ ଦେଖିଲେ ପ୍ରଥମ ଅଧିବେସନରେ ବ୍ୟାଟ୍ସମ୍ୟାନଙ୍କ ପ୍ରାଧାନ୍ୟ ରହିବ। ସୂର୍ଯ୍ୟାସ୍ତ ହେବା ପରେ ବୋଲରଙ୍କ ଜଲୱା ଦେଖିବାକୁ ମିଳିବ। ଭାରତ ନିଜ ଚୂଡାନ୍ତ ଏକାଦଶ ଘୋଷଣା କରି ସାରିଥିବାରୁ ଶୁଭମନ ଗିଲ୍‌ ଓ ‌କେଏଲ୍ ରାହୁଲଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଟେଷ୍ଟ୍‌ ସ୍ତରରେ ପୃଥ୍ବୀ ସ’ ଭଲ କରି ଆସିଥିବାରୁ ଏବେ ଫର୍ମରେ ନଥିଲେ ବି କୋହଲିଙ୍କ ସମର୍ଥନ ପାଇଛନ୍ତି। ଋଷବ ପନ୍ତଙ୍କୁ ବି ତାଙ୍କ ପିଙ୍କ୍‌ ବଲ୍ ଅଭ୍ୟାସ ଶତକ ସହାୟକ ହୋଇପାରିନାହିଁ। ସ୍ବାଭାବିକ ଭାବେ ଋଦ୍ଧିମାନ ସାହା ପ୍ରଥମ ପସନ୍ଦ ୱିକେଟରକ୍ଷକ ଭାବେ ସ୍ଥାନ ପାଇଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ପିଙ୍କ୍‌ ବଲ୍‌ (ଦିବାରାତ୍ର) ଟେଷ୍ଟ୍‌ର ଦିନକ ପୂର୍ବରୁ ଭାରତର ଚୂଡାନ୍ତ ଏକାଦଶ ବଛା ଯାଇଛି। ଏଥି ସହିତ ସ’ ନା ଗିଲ୍‌ ଏବଂ ପନ୍ତ୍‌ ନା ରିଦ୍ଧିମାନ ଏନେଇ ଚାଲିଥିବା ଦ୍ବନ୍ଦ୍ବର ଅବସାନ ଘଟିଛି। ପିଙ୍କ୍‌ ବଲ୍‌ ଅଭ୍ୟାସ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଥିବା ସତ୍ତ୍ବେ ଶୁବମନ୍‌ ଗିଲ୍‌ (ଦୁଇଟି ପାଳିରେ ୪୩ ଓ ୬୫ ରନ୍‌) ଏବଂ ଋଷଭ ପନ୍ତ୍‌ ଚୂଡାନ୍ତ ଏକାଦଶରୁ ବାଦ୍‌ ପଡ଼ିଛନ୍ତି। ବରଂ ଅସ୍ଥିର ପ୍ରଦର୍ଶନ ଦେଉଥିବା ୨୧ ବର୍ଷ ବୟସ୍କ ଯୁବ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ପୃଥ୍ବୀ ସ’ଙ୍କୁ ମୟଙ୍କ ଅଗ୍ରୱାଲ୍‌ଙ୍କ ସହିତ ପାଳି ଆରମ୍ଭ କରିବାର ସୁଯୋଗ ମିଳିଥିଲା ବେଳେ ୱିକେଟ୍‌ରକ୍ଷଣ ପାଇଁ ରିଦ୍ଧିମାନ ଶାହାଙ୍କ ଉପରେ ଦଳ ଅଧିକ ଆସ୍ଥା ପ୍ରକଟ କରିଛି। ସ’ ବିଶେଷକରି ଦୁଇଟିଯାକ ଅଭ୍ୟାସ ମ୍ୟାଚ୍‌ରେ ଯଥାକ୍ରମେ ୦, ୧୯, ୪୦ ଓ ୩ ରନ୍‌ କରିଥିଲେ। ହେଲେ ଯେଉଁ ଦୁଇ ଜଣଙ୍କ ନାମରେ ଏହି ଟେଷ୍ଟ୍‌ ଶୃଙ୍ଖଳା ନାମିତ ହୋଇଛି ସେହି ଆଲାନ୍‌ ବର୍ଡର ଏବଂ ସୁନୀଲ ଗାଭାସ୍କରଙ୍କ ମତ ଅନୁଯାୟୀ ସ’ ସୁଯୋଗ ପାଇଯାଇଛନ୍ତି। ସ’ ମଧ୍ୟ ଏପର୍ଯ୍ୟନ୍ତ ଖେଳିଥିବା ୪ ଟେଷ୍ଟ୍‌ରେ ଗୋଟିଏ ଶତକ ଓ ୨ ଅର୍ଧଶତକ ହାସଲ କରିଥିବାରୁ ଗିଲ୍‌ଙ୍କ ତୁଳନାରେ ଅଧିକ ପସନ୍ଦ ପାଲଟିଛନ୍ତି। ସେହିପରି ସ୍ପିନରଙ୍କ ବିପକ୍ଷରେ ଚମତ୍କାର ୱିକେଟ୍‌ରକ୍ଷଣ ସାମର୍ଥ୍ୟ ଯୋଗୁଁ ପନ୍ତ୍‌ଙ୍କୁ ପଛରେ ପକାଇଛନ୍ତି ରିଦ୍ଧିମାନ। ଏହି ଦୁଇ ଜଣଙ୍କ ସମେତ ସ୍ପିନ୍‌ ଅଲ୍‌ରାଉଣ୍ଡର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଏବଂ ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ୧୧ ଜଣିଆ ଦଳରେ ସ୍ଥାନ ମିଳିଛି। ଅଶ୍ବିନ୍‌ଙ୍କ ସାମିଲ ଯୋଗୁଁ କୁଲ୍‌ଦୀପ ଯାଦବଙ୍କ ଖେଳିବା ବାଟ ମଧ୍ୟ ବନ୍ଦ ହୋଇଯାଇଛି। ଯଶ୍‌ପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସାମିଙ୍କ ସହିତ ଉମେଶ ଯାଦବ ତୃତୀୟ ସିମର୍‌ ଭାବେ ଖେଳିବାକୁ ଯାଉଥିଲା ବେଳେ ଏକମାତ୍ର ବିଶେଷଜ୍ଞ ସ୍ପିନର ଭାବେ ଅଶ୍ବିନ୍‌ ରହିଛନ୍ତି। ରବୀନ୍ଦ୍ର ଜାଦେଜା ଆହତ ହୋଇଥିବାରୁ ଅଶ୍ବିନ୍‌ ଫାଇଦା ଉଠାଇଛନ୍ତି। ସେହିପରି ଈଶାନ୍ତ ଶର୍ମାଙ୍କ ଆହତ ହିଁ ଉମେଶ ଯାଦବଙ୍କୁ ପିଙ୍କ୍‌ ବଲ୍‌ ଟେଷ୍ଟ୍‌ ଏକାଦଶରେ ସାମିଲର ସୁଯୋଗ ଦେଇଛି। ହନୁମା ବିହାରୀ ଷଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଭାବେ ସ୍ଥାନ ଅକ୍ତିଆର କରିଛନ୍ତି।

ଭାରତ ଚୂଡାନ୍ତ ଏକାଦଶ: ମୟଙ୍କ ଅଗ୍ରୱାଲ, ପୃଥ୍ବୀ ସ’, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରହାଣେ, ହନୁମା ବିହାରୀ, ରିଦ୍ଧିମାନ ଶାହା (ୱିକେଟ୍‌ରକ୍ଷକ), ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ଉମେଶ ଉମେଶ ଯାଦବ, ମହମ୍ମଦ ସାମି ଏବଂ ଯଶ୍‌ପ୍ରୀତ୍‌ ବୁମ୍‌ରା।

ଅଷ୍ଟ୍ରେଲିଆ ଦଳ: ଟିମ୍ ପେନ୍ (ଅଧିନାୟକ ଓ ୱିକେଟରକ୍ଷକ), ଜୋ ବର୍ନସ, ପ୍ୟାଟ୍ କମିନ୍ସ, କାମେରନ୍ ଗ୍ରିନ୍‌, ମାର୍କସ ହାରିସ୍‌, ଜୋସ୍ ହାଜେଲଉଡ୍, ଟ୍ରାଭିସ୍ ହେଡ୍‌, ମୋଜେସ ହେନରିକ୍ସ, ମାର୍ନସ ଲବୁସାନ୍‌, ନାଥନ୍ ଲାୟନ୍‌, ମାଇକେଲ୍‌ ନେସର୍‌, ଜେମ୍ସ ପାଟିନସନ୍‌, ଷ୍ଟିଭେନ୍ ସ୍ମିଥ୍‌, ମିଚେଲ୍‌ ଷ୍ଟାର୍କ, ମିଚେଲ୍‌ ସ୍ବିପସନ୍‌, ମାଥ୍ୟୁ ୱାଦେ।

ସମ୍ବନ୍ଧିତ ଖବର