ନର୍ଥ ସାଉଣ୍ଡ: ବିଜୟ ଧାରା ଜାରି ରଖି ଗୁରୁବାର ପ୍ରଥମ ସୁପର-୮ ମୁକାବିଲାରେ ଆଫଗାନିସ୍ତାନକୁ ହରାଇଥିବା ଭାରତ ଶନିବାର ବାଂଲାଦେଶକୁ ଭେଟିବ। ଶୀର୍ଷ ବ୍ୟାଟିଂ କ୍ରମ ପୁଣି ଥରେ ନିରାଶ କରିଥିଲେ ମଧ୍ୟ ଦଳଗତ ପ୍ରଦର୍ଶନରେ ଭାରତ ପ୍ରଥମ ମ୍ୟାଚ୍କୁ ସହଜରେ ଜିତିପାରିଥିଲା। ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆଠୁ ପରାଜିତ ହେବା ପରେ ସୁପର-୮ରେ ପ୍ରଥମ ବିଜୟ ସନ୍ଧାନରେ ରହିବ। ବାଂଲାଦେଶ ବିପକ୍ଷରେ ଭାରତ ବିଜୟୀ ହେଲେ ସେମିଫାଇନାଲ୍ ପାଇଁ ଗୋଟିଏ ପାଦ ବଢ଼ାଇବ।
ପ୍ରାରମ୍ଭିକ ଯୋଡ଼ିକୁ ନେଇ ଭାରତ ଚଳିତ ବିଶ୍ବକପ୍ରେ ଯେଉଁ ପରୀକ୍ଷା କରିଛି, ସେଥିରେ ସଫଳତା ମିଳିନି। ତଥାପି ଯଶସ୍ବୀ ଜୟସ୍ବାଲଙ୍କୁ ବାହାରେ ବସାଯାଇ ରୋହିତ ଶର୍ମାଙ୍କ ସହ ବିରାଟ କୋହଲିଙ୍କୁ ବ୍ୟାଟିଂ ଆରମ୍ଭ କରିବାକୁ ପଠାଯାଉଛି। କିନ୍ତୁ ବାରମ୍ବାର ଜୟସ୍ବାଲଙ୍କୁ ସୁଯୋଗ ଦିଆଯିବା ଉପରେ ଦାବି ଉଠୁଥିଲେ ମଧ୍ୟ ଭାରତୀୟ ଦଳ ଭିନ୍ନ ରଣନୀତି ରଖୁଛି। ସେହିପରି ଶିବମ ଦୁବେଙ୍କ ବ୍ୟାଟିଂ ପ୍ରଦର୍ଶନକୁ ନେଇ ମଧ୍ୟ ପ୍ରଶଂସକ ନିରାଶ ହୋଇଛନ୍ତି। ଆଇପିଏଲ୍ ବେଳେ ମଝି ଓ ଡେଥ୍ ଓଭରରେ ବଡ଼ ଛକା ମାରିବା ପାଇଁ ସେ ପରିଚିତ ଥିଲେ। ସମାନ କଥା ଭାରତୀୟ ଦଳ ସହିତ ଘଟୁ ବୋଲି ପ୍ରଶଂସକ ଅପେକ୍ଷା କରିଛନ୍ତି। କିନ୍ତୁ କେବଳ ଆମେରିକା ବିପକ୍ଷରେ (୩୧*) ସେ ବ୍ୟାଟିଂ କରି ଦଳକୁ ଜିତାଇଥିଲେ ମଧ୍ୟ ଅନ୍ୟ ମ୍ୟାଚ୍ଗୁଡ଼ିକରେ ତାଙ୍କ ପ୍ରଦର୍ଶନ ୦* (ଆୟର୍ଲାଣ୍ଡ), ୩ (ପାକିସ୍ତାନ), ୧୦ (ଆଫଗାନିସ୍ତାନ) ରନ୍ ରହିଛି। ଯଦି ସେ ପୁଣି ଏଭଳି ଖରାପ ବ୍ୟାଟିଂ କରନ୍ତି, ତାହେଲେ ସଂଜୁ ସାମସନ୍ଙ୍କ ପାଇଁ ଚୂଡାନ୍ତ ଏକାଦଶରେ ପ୍ରବେଶ କରିବା ଦ୍ବାର ଖୋଲିଯିବ।
ଏହାଭିତରେ ହାର୍ଦିକ ପାଣ୍ଡ୍ୟା ଲୟକୁ ଫେରିବା ଘଟଣା ଭାରତୀୟ ଶିବିରକୁ ସାମାନ୍ୟ ଆଶ୍ବସ୍ତି ପ୍ରଦାନ କରିଛି। ଋଷଭ ପନ୍ତ, ସୂର୍ଯ୍ୟକୁମାର ୟାଦବ ପ୍ରତ୍ୟେକ ମ୍ୟାଚ୍ରେ ଭାରତୀୟ ବ୍ୟାଟିଂକୁ ଶକ୍ତି ପ୍ରଦାନ କରୁଛନ୍ତି। କିନ୍ତୁ ଶୀର୍ଷକ୍ରମଠୁ ଯେଉଁ ସହାୟତା ଆବଶ୍ୟକ କରୁଛି ତାହା ସେମାନଙ୍କୁ ମିଳୁନି। ଅନ୍ୟପକ୍ଷରେ ଭାରତୀୟ ବୋଲିଂ ବାହିନୀ ଶନିବାର ଅପରିବର୍ତ୍ତିତ ରହିବା ସମ୍ଭାବନା ଅଧିକ। ଖରାପ ପ୍ରଦର୍ଶନ ପାଇଁ ସିରାଜଙ୍କୁ ବିଶ୍ରାମ ଦିଆଯାଇ କୁଲଦୀପଙ୍କୁ ଖେଳାଯାଇଥିଲା। କୁଲଦୀପ ମଧ୍ୟ ତାଙ୍କ ଚୟନର ସମ୍ମାନ ରଖିଥିଲେ। ଅର୍ଶଦୀପ ସିଂହ ଓ ଯଶପ୍ରୀତ୍ ବୁମ୍ରା ବୋଲିଂ ଆରମ୍ଭ କରିବା ପରେ ସ୍ପିନରଙ୍କୁ ସହାୟତା ଦେଉଥିବା ପିଚ୍ରୁ ତିନି ବାମହାତୀ ବୋଲର କୁଲଦୀପ, ଜାଡ଼େଜା ଓ ଅକ୍ଷର ୱିକେଟ୍ ବାହାର କରିବାକୁ ଚେଷ୍ଟା କରିବେ।
ଅଷ୍ଟ୍ରେଲିଆଠୁ ହାରିବା ପରଠୁ ବାଂଲାଦେଶ ବ୍ୟାଟିଂକୁ ନେଇ ଚଳିତ ବିଶ୍ବକପ୍ସାରା ଆଲୋଚନା ହେଉଛି। ବ୍ୟାଟିଂ କ୍ରମରେ ପାୱାରହିଟର୍ଙ୍କ ଅନୁପସ୍ଥିତି ଦଳକୁ ପଛକୁ ଠେଲୁଛି। କିନ୍ତୁ ଏହାର ସମାଧାନ ମଧ୍ୟ ଦଳ ପାଖରେ ନାହିଁ। ଏଭଳିସ୍ଥିତିରେ ଶୀର୍ଷକ୍ରମଙ୍କୁ ଆରମ୍ଭରୁ ରନ୍ ବାହାର କରିବାକୁ ପଡ଼ିବ। ଲିଟନ ଦାସ ଓ ତାଂଜିଦ ହାସନଙ୍କ ବ୍ୟାଟ୍ରୁ ଅଧିକ ରନ୍ ଆସିଲେ ମଧ୍ୟକ୍ରମ ବିନା କୌଣସି ଚାପରେ ଭଲ ଖେଳିପାରିବ। ଅଧିନାୟକ ନଜମୁଲ ହୋସେନ୍ ସାଣ୍ଟୋ ମଧ୍ୟ ଏହା ଉପରେ ଅଧିକ ଜୋର୍ ଦେଇଛନ୍ତି। ଏଥିସହ ବୋଲରମାନଙ୍କୁ ଅଧିକ ଯତ୍ନବାନ୍ ହୋଇ ଖେଳିବାକୁ ସେ ପରାମର୍ଶ ଦେଇଛନ୍ତି।
ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ୟାଦବ, ଶିବମ ଦୁବେ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ୟାଦବ, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ।
ସମ୍ଭାବ୍ୟ ବାଂଲାଦେଶ ଦଳ: ତାଂଜିଦ ହାସନ, ଲିଟନ ଦାସ, ନଜମୁଲ ହୋସେନ୍ ସାଣ୍ଟୋ (ଅଧିନାୟକ), ରିସଦ ହୋସେନ, ତୋହିଦ ହୃଦୟ, ସାକିବ ଅଲ୍ ହାସନ, ମହମ୍ମଦୁଲ୍ଲା, ମାହେଦି ହାସନ, ତସ୍କିନ ଅହମଦ, ତଂଜିମ ହାସନ ସାକିବ, ମୁସ୍ତାଫିଜୁର ରହମାନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/fjsfhhfsfhssfh.jpg)