ଗୌହାଟୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦିନିକିଆ ରବିବାର ଗୌହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଦୁଇ ଟିକିଆ ଟେଷ୍ଟ୍ ଶୃଙ୍ଖଳାକୁ ମାତ୍ର ୬ ଦିନ ଭିତରେ ଜିତିବା ପରେ ଭାରତ ସୀମିତ ଓଭର ପର୍ଯ୍ୟାୟରେ ମଧ୍ୟ ଏହି ସଫଳତା େଦାହରାଇବା ଲକ୍ଷ୍ୟରେ ରହିବ। କ୍ରିସ୍ ଗେଲ୍, ଏଭିନ ଲୁଇସ୍, ବ୍ରାଭୋ ଭାଇ, କିରଣ ପୋଲାର୍ଡ, ସୁନୀଲ ନରିନ ଓ ଆେନ୍ଦ୍ର ରସେଲଙ୍କ ବିନା ଇଣ୍ଡିଜ୍ ପଡ଼ିଆକୁ ଓହ୍ଲାଇବାର ଥିବାରୁ ଭାରତ ପାଇଁ କାମ ଆହୁରି ସହଜ ହୋଇଯିବ। ଭାରତ ପାଇଁ ଏହି ଶୃଙ୍ଖଳା ମଧ୍ୟ ବିଶ୍ବକପ୍ ପୂର୍ବରୁ ମଧ୍ୟକ୍ରମ ସଜାଡ଼ିବାର ସୁଯୋଗ ଦେବ। ଭାରତ ପାଖରେ ଭଲ ଶକ୍ତିଶାଳୀ ଦଳ ରହିଛି। ହେଲେ ୱେଷ୍ଟଇଣ୍ଡିଜ୍ ଆଗ ଅପେକ୍ଷା ବେଶ୍ ଦୁର୍ବଳ ହୋଇଯାଇଛି। େସଥିପାଇଁ କ୍ରିକେଟ୍ ପ୍ରେମୀ ଆଉ ଏକ ଏକତରଫା ଶୃଙ୍ଖଳା ଦେଖିବାକୁ ପାଇବାର ଯଥେଷ୍ଟ ଆଶଙ୍କା ରହିଛି। ଶୀତ ଋତୁ ଦ୍ବାର ଦେଶରେ ଥିବାରୁ ଭାରତର ଅଧିକାଂଶ ସ୍ଥାନରେ ଖେଳା ଯାଉଥିବା ମ୍ୟାଚ୍ କାକର ଦ୍ବାରା ପ୍ରଭାବିତ ହୁଏ। ଗୌହାଟୀରେ ମଧ୍ୟ ମ୍ୟାଚ୍ କାକର ଦ୍ବାରା ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ମ୍ୟାଚ୍ ସାଢ଼େ ଗୋଟାଏରେ ଆରମ୍ଭ ହେଉଥିବାରୁ ଦ୍ବିତୀୟ ପାଳି ଏହା ଦ୍ବାରା ପ୍ରଭାବିତ ହେବ। ଏଣୁ ଟସ୍ ନିର୍ଣ୍ଣାୟକ ଭୂମିକା ନେବ। ୧୯୭୪ରେ ଇଂଲଣ୍ଡ ବିପକ୍ଷେର ପ୍ରଥମ ଦିନିକିଆ ଖେଳିଥିବା ଭାରତ ଶନିବାର ନିଜ ୯୪୯ତମ ଦିନିକିଆ ଖେଳିବ। ସେଥିମଧ୍ୟରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିବା ୧୨୧ ଦିନିକିଆ ମଧ୍ୟରୁ ଭାରତ ୫୬ ମ୍ୟାଚ୍ ଜିତିଥିଲା ବେଳେ ୬୧ରେ ପରାଜିତ ହୋଇଛି। ଏଥରର ଶୃଙ୍ଖଳାର ସବୁ ମ୍ୟାଚ୍ ଜିତିନେଲେ ଇଣ୍ଡିଜ୍ ବିପକ୍ଷରେ ଭାରତୀୟ କ୍ରିକେଟ୍ ଦଳର ହର୍/ଜିତ୍ ସମାନ ସ୍ତରକୁ ଚାଲି ଆସିବ।
ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଅମ୍ବାତି ରାୟୁଡୁ, ଋଷବ ପନ୍ତ, ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଉମେଶ ଯାଦବ, ମହମ୍ମଦ ସାମି/ଖଲିଲ ଅହମ୍ମଦ।
ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍: ଜାସନ ହୋଲ୍ଡର (ଅଧିନାୟକ), ସୁନୀଲ ଅମ୍ବ୍ରିସ୍, କିରଣ ପାୱେଲ, ସାଇ ହୋପ୍, ସିମରନ୍ ହେଟମେୟର, ମାର୍ଲନ ସାମୁଏଲ୍ସ, ରଭମନ ପାୱେଲ, ଆସେଲ ନର୍ସ, କିମୋ ପଲ୍, ଦେବେନ୍ଦ୍ର ବିଶୁ, ଆଲଜାରି ଜୋସେଫ/କେମର ରୋଚ୍)।
ପନ୍ତ ପଦାର୍ପଣ
ରବିବାର ଭାରତୀୟ କ୍ରିକେଟ୍ର ଉଦୀୟମାନ ତାରକା ଋଷବ ପନ୍ତ ତାଙ୍କ ଦିନିକିଆ ଖେଳ ଜୀବନ ଆରମ୍ଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଅଧିନାୟକ ବିରାଟ କୋହଲି ଏବଂ ଅମ୍ବାତି ରାୟୁଡୁ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଖେଳିବେ। ପନ୍ତ ସେଥିପାଇଁ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିପାରନ୍ତି। ଅଲରାଉଣ୍ଡର କେଦାର ଯାଦବ ଆହତ ହେବା ପରେ ଏହି ସ୍ଥାନ ଲାଗି ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସନ୍ଧାନରେ ଥିଲା ଭାରତ। ପନ୍ତଙ୍କ ରୂପରେ କୋହଲୀ ବାହିନୀକୁ ଜଣେ ଭଲ ପଞ୍ଚମ ସ୍ଥାନ ବ୍ୟାଟ୍ସମ୍ୟାନ୍ ମିଳିଯାଇଛି। ପନ୍ତ ଖେଳିଲେ ମଧ୍ୟ ଅଭିଜ୍ଞ ୱିକେଟ୍ ରକ୍ଷକ ମହେନ୍ଦ୍ର ସିଂହ ଧୋନି ଶୃଙ୍ଖଳାରେ ୱିକେଟ୍ ରକ୍ଷକ ଦାୟିତ୍ବ ତୁଲାଇବେ। ୨୧ ବର୍ଷୀୟ ପନ୍ତ ଚଳିତ ବର୍ଷ ଅଗଷ୍ଟ ମାସରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ଜୀବନ ଆରମ୍ଭ କରିଥିଲେ। ୫ ଟେଷ୍ଟ୍ରୁ ସେ ଗୋଟିଏ ଶତକ ଏବଂ ଦୁଇଟି ଅଧର୍ଶତକ ବଳରେ ୩୪୬ ରନ୍ କରିଛନ୍ତି। ସେ ମଧ୍ୟ ଚାରିଟି ଟ୍ବେଣ୍ଟି-୨୦ରୁ ୭୩ ରନ୍ କରିଛନ୍ତି। ଶନିବାର ପ୍ରଥମ ଦିନିକିଆ ଖେଳିବାର ସଂକେତ ପନ୍ତ ନିଜ ଟ୍ବିଟର ପୃଷ୍ଠାରେ ମଧ୍ୟ ଦେଇଛନ୍ତି।
/sambad/media/post_attachments/wp-content/uploads/2018/10/2-Team-India-captain-Virat-Kohli-and-Mahendra-Singh-Dhoni-during-a-practice-session-ahead-of-the-first-ODI-against-West-Indies-at-ACA-Cricket-Stadium-Guwahati.-300x298.jpg)
୧୦,୦୦୦ରୁ ୨୨୧ ଦୂରରେ କୋହଲି
ୱେଷ୍ଟଇଣ୍ଡିଜ୍ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ଦିନିକିଆରେ ୧୦,୦୦୦ ରନ୍ ପୂରଣ କରିବାର ସୁଯୋଗ ରହିବ। ବିରାଟ ସଂପ୍ରତି ଏହି ମାଇଲଖୁଣ୍ଟଠାରୁ ୨୨୧ ରନ୍ ଦୂରରେ ରହିଛନ୍ତି। ଚଳିତ ଶୃଙ୍ଖଳାରେ ଏହି ରନ୍ ସଂଗ୍ରହ କରି ପାରିଲେ ୧୦,୦୦୦ ରନ୍ ଛୁଇଁବାରେ ସେ ଦ୍ରୁତତମ ଖେଳାଳି ହେବେ। ଏହି କୀର୍ତ୍ତିମାନ ଏବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାଁରେ ରହିଛି। ସଚିନ ୨୫୯ ପାଳିରେ ୧୦,୦୦୦ ରନ୍ ଟପିଥିଲେ। କୋହଲି ୨୦୩ ପାଳି ଖେଳି ୯୭୭୯ ରନ୍ କରିସାରିଛନ୍ତି। ସେଥିମଧ୍ୟରେ ୩୫ ଶତକ ଏବଂ ୪୮ ଅର୍ଧଶତକ ସାମିଲ ଅଛି। କୋହଲିଙ୍କ ନିଜର ଏକ କୀର୍ତ୍ତିମାନ ଏହି ଶୃଙ୍ଖଳାରେ ଭାଙ୍ଗିବାର ବିପଦ ବି ରହିଛି। ଶୃଙ୍ଖଳାରେ ୧୭୭ ରନ୍ କରି ପାରିଲେ ଶିଖର ଧାୱନ କୋହଲିଙ୍କୁ ଟପି ୫,୦୦୦ ରନ୍ ପୂରଣ କରିବାରେ ଦ୍ରୁତତମ ଭାରତୀୟ ହୋଇଯିବେ।