ଆଜି ବାଂଲାଦେଶକୁ ଭେଟିବ ଭାରତ

ନିଦାହାସ୍‌ ଟ୍ରଫି

କଲମ୍ବୋ: ନିଦାହାସ୍‌ ଟ୍ରଫି ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ଆସନ୍ତାକାଲି ନିଜର ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ। ମଙ୍ଗଳବାର ଉଦ୍‌ଘାଟନୀ ମୁକାବିଲାରେ ରୋହିତ ଶର୍ମାଙ୍କ ଅନଭିଜ୍ଞ ଭାରତୀୟ ଦଳ ଆୟୋଜକ ଶ୍ରୀଲଙ୍କା ନିକଟରୁ ୫ ଓ୍ଵିକେଟ୍‌ରେ ପରାସ୍ତ ହୋଇଥିଲା। ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟାଙ୍କ ସାଙ୍ଗକୁ ଦୁଇ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ଜସ୍‌ପ୍ରିତ୍‌ ବୁମ୍‌ରା ଏବଂ ସ୍ପିନର କୁଲ୍‌ଦୀପ୍‌ ଯାଦବଙ୍କୁ ବିଶ୍ରାମ ଦିଆଯାଇଥିଲା ବେଳେ ରୋହିତଙ୍କୁ ନେତୃତ୍ୱ ଭାର ଅର୍ପଣ କରାଯାଇଥିଲା। ହେଲେ ବ୍ୟାଟିଂରେ ରୋହିତ ଓ ପ୍ରତ୍ୟାବର୍ତନ କରିଥିବା ସୁରେଶ ରାଇନା ନିରାଶ କରିଥିଲା ବେଳେ ଋଷଭ ପନ୍ତ୍‌ ଟେ୍ଵଣ୍ଟି-୨୦ରେ ଦ୍ରୁତ ରନ୍‌ ସଂଗ୍ରହ କରିବାର ସାମର୍ଥ ଦେଖାଇ ପାରିନଥିଲେ। ଅନ୍ୟପକ୍ଷରେ ଅନଭିଜ୍ଞ ବୋଲିଂ ବାହିନୀକୁ ସିଂହଳୀ ବ୍ୟାଟ୍‌ସମ୍ୟାନ୍‌ମାନେ ଆରମ୍ଭରୁ ପ୍ରହାର କରି ଚାପରେ ରଖିଥିଲେ। ଏକା ଶିଖର ଧଓ୍ଵନ୍‌ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ କରିଥିଲା ବେଳେ ବୋଲିଂରେ ଓ୍ଵାସିଂଟନ୍‌ ସୁନ୍ଦରଙ୍କୁ ବାଦ୍‌ ଦେଲେ ଅନ୍ୟ କେହି ସିଂହଳୀ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ରୋକି ପାରିନଥିଲେ। ବିଶେଷକରି ଦୁଇ ଦ୍ରୁତ ବୋଲର ଜୟଦେବ ଉନାଦ୍‌କଟ୍‌ ଓ ସାର୍ଦୁଲ ଠାକୁର ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ସ୍ପିନର ୟୁଜ୍‌ବେନ୍ଦର ଚହଲ୍‌ ୨ ଓ୍ଵିକେଟ୍‌ ନେଇଥିଲେ ବି ଓଭର ପିଛା ୯ରୁ ଅଧିକ ରନ୍‌ ବ୍ୟୟ କରିଥିଲେ। ସେହି ଦୃଷ୍ଟିରୁ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ଭାରତ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଫାଇନାଲ୍‌ ପୂର୍ବରୁ ପ୍ରତି ଦଳ ପରସ୍ପର ସହ ୨ ଥର ମୁହାଁମୁହିଁ ହେବେ। ଶ୍ରେଷ୍ଠ ୨ ଦଳ ଫାଇନାଲ୍‌ ଖେଳିବେ। ତେଣୁ ଫାଇନାଲ୍‌ ପହଞ୍ଚିବାକୁ ହେଲେ ପ୍ରଥମେ ଭାରତକୁ ଆସନ୍ତାକାଲି ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ଜିତିବା ଜୁରରୀ ହୋଇପଡ଼ିଛି। ପ୍ରଥମେ ବ୍ୟାଟିଂ କଲେ ଭାରତକୁ ବଡ଼ ସ୍କୋର୍‌ କରି ବାଂଲାଦେଶକୁ ଚାପରେ ରଖିବାକୁ ପଡ଼ିବ। ପରେ ବୋଲରମାନଙ୍କୁ ଲକ୍ଷ୍ୟପୂର୍ଣ୍ଣ ବୋଲିଂ କରି ଓ୍ଵିକେଟ୍‌ ଝଡ଼ାଇବାକୁ ପଡ଼ିବ। ସେହି ଦୃଷ୍ଟିରୁ ଅଭିଜ୍ଞ ସ୍ପିନର ଅକ୍ଷର ପଟେଲ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ଖେଳିବାର ସମ୍ଭାବନା ଅଧିକ ରହିଛି। ସେହିପରି ବ୍ୟାଟିଂ କ୍ରମରେ ବିଶେଷ ପରିବର୍ତନର ଆଶଙ୍କା ନଥିଲେ ମଧ୍ୟ ଲୋକେଶ ରାହୁଲ୍‌ଙ୍କୁ ମଧ୍ୟକ୍ରମରେ ଖେଳାଇବାକୁ ରୋହିତ ଚିନ୍ତା କରିଛନ୍ତି। ସେଥିପାଇଁ ଋଷଭ ପନ୍ତ୍‌ ଓ ବିଜୟ ଶଙ୍କରଙ୍କୁ ବାହାରେ ବସିବାକୁ ପଡ଼ିପାରେ।

 

ଅନ୍ୟପକ୍ଷରେ ଟେ୍ଵଣ୍ଟି-୨୦ରେ ବାଂଲାଦେଶ ସର୍ବଦା ଭାରତ ପାଇଁ ଆହ୍ଵାନ ସୃଷ୍ଟି କରିଥାଏ। ସାକିବ୍‌ ଅଲ୍‌ ହାସନ୍‌ଙ୍କ ଅନୁପସ୍ଥିତିରେ ମାହମୁଦୁଲ୍ଲା ବାଂଲା ଦଳର ନେତୃତ୍ୱ ନେବେ। ନିକଟରେ ଶ୍ରୀଲଙ୍କାଠୁ ଟେଷ୍ଟ, ଟେ୍ଵଣ୍ଟି-୨୦ ଏବଂ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ହାରିଥିବା ବାଂଲାଦେଶ ରକ୍ତମୁଖା ରହିଛି। ଚଳିତ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ଉଭୟ ଭାରତ ଓ ଶ୍ରୀଲଙ୍କାକୁ ପରାସ୍ତ କରି ପୂର୍ବ କ୍ଷତି ଭରଣା କରିବା ଲକ୍ଷ୍ୟରେ ରହିଛି। ତମିମ୍‌ ଇକ୍‌ବାଲ ସବୁବେଳେ ଭାରତ ବିପକ୍ଷରେ ଭଲ ଖେଳିଥାନ୍ତି। ମୁସ୍ତାଫିଜୁର ରହମନ୍‌ ବୋଲିଂରେ ଭାରତ ପାଇଁ ଅଡୁଆ ସୃଷ୍ଟି କରିପାରିବେ। ବିଶେଷକରି ଯୁବ ବାହିନୀ ବାଂଲା ଦଳକୁ ଅନେକ ସମୟରେ ଆଶ୍ଚର୍ଯ୍ୟଜନକ ବିଜୟ ଦେଇଥିବାରୁ ଭାରତ ସଜାଗ ରହିବାକୁ ପଡ଼ିବ। ଆଉ ବାଂଲାଦେଶ ବିପକ୍ଷରେ ଜିତିଗଲେ ଭାରତର ମନୋବଳ ମଧ୍ୟ ବଢ଼ିଯିବ।

ସମ୍ବନ୍ଧିତ ଖବର