ଶତକ ହାସଲରେ ହର୍‌ମନ୍‌ପ୍ରୀତ୍‌ ତୃତୀୟ, ଆଜି ଭାରତ-ପାକିସ୍ତାନ ମୁହାଁମୁହିଁ

ଦୁବାଇ: ‌ୱେଷ୍ଟଇଣ୍ଡିଜ୍‌ରେ ଚାଲିଥିବା ଟ୍ବେଣ୍ଟି-୨୦ ମହିଳା ବିଶ୍ବକପ୍‌ରେ ଆସନ୍ତାକାଲି (ରବିବାର) ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ ଭାରତ। ଉଭୟ ଦଳର ଚଳିତ ବିଶ୍ବକପ୍‌ରେ ଏହା ଦ୍ବିତୀୟ ମ୍ୟାଚ୍‌ ହେବ। ଶୁକ୍ରବାର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରି ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ବେଳେ ଅଷ୍ଟ୍ରେଲିଆ ନିକଟରୁ ପାକିସ୍ତାନ ହାରିଯାଇଛି। ଶୁକ୍ରବାର ଭାରତୀୟ ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ କୌର ଦମ୍‌ଦାର ଶତକ ଜମାଇ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଦଳକୁ ବିଜୟ ଅଭିଯାନ ଦେଇଥିଲେ। ସେ ତାଙ୍କ ଧମାକାଦାର ୧୦୩ ରନ୍‌ର ପାଳିରେ ୮ ଛକା ଓ ୭ ଚୌକା ମାରିଥିଲେ। ତେବେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଶତକ ଜମାଇବାରେ ହର୍‌ମନ୍‌ପ୍ରୀତ୍‌ ପ୍ରଥମ ଭାରତୀୟ ମହିଳା ଖେଳାଳି ହେବାର ଗୌରବ ବହନ କରିଥିଲା ବେଳେ ବିଶ୍ବର ତୃତୀୟ ହୋଇଛନ୍ତି। ପୂର୍ବରୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଶତକ ହାସଲ ଅଷ୍ଟ୍ରେଲିଆର ମେଗ୍‌ ଲାନିଙ୍ଗ୍‌ ଏବଂ ୱେଷ୍ଟଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ଦେନ୍ଦ୍ରା ଡଟିନ୍‌ଙ୍କ ନାମରେ ରହିଛି। ହର୍‌ମନ୍‌ପ୍ରୀତ୍‌ ମଧ୍ୟ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତୀୟ ଖେଳାଳି ଭାବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କରିଛନ୍ତି। ପୂର୍ବରୁ ଭାରତୀୟ ଭାବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ସେହି ହର୍‌ମନ୍‌ପ୍ରୀତ୍‌ଙ୍କ ନାମରେ ହିଁ ରହିଥିଲା। ସେ ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ବାଂଲାଦେଶ ବିପକ୍ଷରେ କରିଥିବା ୭୭ ରନ୍‌ (୫୯ ବଲ୍‌) ଏପର୍ଯ୍ୟନ୍ତ କୌଣସି ଭାରତୀୟ ଖେଳାଳିଙ୍କ ପାଇଁ ସର୍ବାଧିକ ଥିଲା। ତେବେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ରେ ଏହା ପୂର୍ବରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ମିତାଲି ରାଜ୍‌ଙ୍କ ନାମରେ ରହିଥିଲା। ମିତାଲି ଚଳିତ ବର୍ଷ ମାଲେସିଆ ବିପକ୍ଷରେ ଅପରାଜିତ ୯୭ ରନ୍‌ କରିଥିଲେ। ଅନ୍ୟପକ୍ଷରେ ମହିଳା ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଗୋଟିଏ ପାଳିରେ ୮ ଛକା ମାରିବାରେ ହର୍‌ମନ୍‌ପ୍ରୀତ୍‌ ନ୍ୟୁଜିଲାଣ୍ଡ୍‌ର ସୋଫି ଦେବିନେଙ୍କ ସଫଳତାର ସମକକ୍ଷ ହୋଇଛନ୍ତି। କେବଳ ଇଣ୍ଡିଜ୍‌ ଅଲ୍‌ରାଉଣ୍ଡର୍‌ ଡଟିନ୍‌ ହିଁ ଗୋଟିଏ ପାଳିରେ ସର୍ବାଧିକ ୯ ଛକା ମାରିବାର କୀର୍ତିମାନ ନିଜ ନାମରେ ଅତୁଟ ରଖିଛନ୍ତି। ତେବେ ହର୍‌ମନ୍‌ପ୍ରୀତ୍‌ଙ୍କ ୮ ଛକା କୌଣସି ଭାରତୀୟ ମହିଳା ଖେଳାଳିଙ୍କ ପାଇଁ ସର୍ବାଧିକ। ହର୍‌ମନ୍‌ପ୍ରୀତ୍‌ ମଧ୍ୟ ଏଥି ସହିତ ନିଜର ପୂର୍ବ (୫ ଛକା, ଶ୍ରୀଲଙ୍କା ବିପକ୍ଷ) ସଫଳତାକୁ ଟପି ଯାଇଛନ୍ତି। ଶୁକ୍ରବାର ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଭାରତ କରିଥିବା ୧୯୪/୫ ରନ୍‌ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସର୍ବୋଚ୍ଚ ଦଳଗତ ସ୍କୋର୍‌। ଏହା ପୂର୍ବରୁ ୨୦୧୪ ସଂସ୍କରଣରେ ଆୟର୍ଲାଣ୍ଡ୍‌ ବିପକ୍ଷ ଅଷ୍ଟ୍ରେଲିଆର ୧୯୧/୪ ସର୍ବୋଚ୍ଚ ଦଳଗତ ସ୍କୋର୍‌ ରହିଥିଲା। ତେବେ ୧୯୪ ରନ୍‌ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଭାରତର ଦ୍ବିତୀୟ ସର୍ବୋଚ୍ଚ ଦଳଗତ ସ୍କୋର୍‌ ରହିଛି। ଏହା ପୂର୍ବରୁ ଭାରତ ଚଳିତ ବର୍ଷ ମାର୍ଚରେ ମୁମ୍ବାଇରେ ଇଂଲଣ୍ଡ ବିପକ୍ଷରେ କରିଥିବା ୧୯୮/୪ ସର୍ବୋଚ୍ଚ ଦଳଗତ ସ୍କୋର୍‌ ରହିଛି।

ସମ୍ବନ୍ଧିତ ଖବର