ଭାରତ-ଦ.ଆଫ୍ରିକା ଫାଇନାଲ୍‌ ଆଜି: ଭାରତକୁ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟିକେଟ୍‌

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକସରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସର ଶନିବାରର ଫାଇନାଲ୍‌ରେ ଆୟୋଜକ ଭାରତ ଭେଟିବ ଦକ୍ଷିଣ ଆଫ୍ରିକାକୁ। ଉଭୟ ଦଳ ଶୁକ୍ରବାରର ‌ସେମିଫାଇନାଲ୍‌ ଜିତି ଫାଇନାଲ୍‌ରେ ପହଞ୍ଚିବା ସହ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଲାଗି ‌ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା ୨-୧ ଗୋଲ୍‌ରେ ଆମେରିକାକୁ ପରାସ୍ତ କରିଥିଲା ବେ‌ଳେ ଭାରତ ୭-୨ ଗୋଲ୍‌ରେ ଜାପାନ୍‌କୁ ମାତ୍‌ ଦେଇଥିଲା। ଭାରତ-ଜାପାନ ମ୍ୟାଚ୍‌ର ଦ୍ବିତୀୟ ମିନିଟ୍‌ରେ ଜାପାନ୍‌ର କେଞ୍ଜି କିତାଜାତୋ ଗୋଲ୍‌ ଦେଇ ଅଭିଯାନ ଆରମ୍ଭ କରିଥିଲେ। ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ହରମନ୍‌ପ୍ରୀତ ସିଂହ ପେନାଲ୍‌ଟି କର୍ନର ଜରିଆରେ ଏହି ଗୋଲ୍‌ଟିକୁ ଶୁଝି ସ୍ଥିତି ବରାବର କରିଦେଇଥିଲେ। ୧୪ତମ ମିନିଟ୍‌ରେ ପେନାଲ୍‌ଟି କର୍ଣ୍ଣର ଜରିଆରେ ବରୁଣ କୁମାର ଭାରତକୁ ପ୍ରଥମ କ୍ବାର୍ଟର୍‌ରେ ୨-୧ରେ ଅଗୁଆ କରିଥିଲେ। ଦ୍ବିତୀୟ କ୍ବାର୍ଟର୍‌ରେ ଜାପାନ୍‌ର କୋଟା ୱାତା‌ନବେ (୨୦ ମିନିଟ୍‌)ରେ ଗୋଲ୍‌ଟିକୁ ଶୁଝି ସ୍ଥିତି ୨-୨ କରିଦେଇଥିଲେ। ଏହାପରେ ଭାରତ ଆଉ ଜାପାନ୍‌କୁ ଗୋଲ୍‌ ଦେବା ଲାଗି ସୁଯୋଗ ଦେଇନଥିଲା। ୨୩ତମ ମିନିଟ୍‌ରେ ମନ୍‌ଦୀପ ସିଂହଙ୍କ ସୁନ୍ଦର ପାସ୍‌କୁ ମନ୍‌ଦୀପ ଗୋଲ୍‌ରେ ପରିଣତ କରି ଭାରତକୁ ୩-୨ ଅଗ୍ରଣୀ ଦେଇଥିଲେ। ଏହାର ୨ ମିନିଟ୍ ପରେ ହାର୍ଦିକ ସିଂହ (୨୫ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଭାରତ ପ୍ରଥମାର୍ଧରେ ୪-୨ରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟର୍‌ରେ ଭାରତ ପୁଣି ୨ ଗୋଲ୍‌ ଲଦି ଦେଇଥିଲା। ୩୭ ମିନିଟ୍‌ରେ ରମନଦୀପ ବ୍ୟକ୍ତିଗତ ଭାବେ ଦ୍ବିତୀୟ ଗୋଲ୍‌ ଦେବା ସହ ଭାରତକୁ ୫-୨ରେ ଆଗୁଆ କରିଥିଲେ। ୪୩ତମ ମିନିଟ୍‌ରେ ନୀଳକଣ୍ଠ ଶର୍ମାଙ୍କ ପାସ୍‌କୁ ଗୁରସାହିବଜିତ ଗୋଲ୍‌ ପୋଷ୍ଟ୍‌କୁ ପଠାଇ ୬-୨ରେ ଅଗାଆ କରିଥିଲେ। ଶେଷ କ୍ବାର୍ଟର୍‌ରେ ବିବେକ ପ୍ରସାଦ (୪୭ ମିନିଟ୍‌)ରେ ଏକ ସୁନ୍ଦର ଫ୍ଲିପ୍ କିକ୍‌ରେ ଜାପାନ୍‌ ଗୋଲ୍‌ରକ୍ଷକକୁ ଚକ୍‌ମା ଦେଇ ଭାରତ ପାଇ ସପ୍ତମ ଗୋଲ୍‌ ସ୍କୋର୍‌ କରିଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ରମଣଦୀପ ସିଂହଙ୍କୁ କ୍ରୀଡ଼ା ସଚିବ ବିଶାଲ କୁମାର ଦେବ ପ୍ରଦାନ କରିଥିଲେ। ମ୍ୟାଚ୍‌ ପୂର୍ବରୁ କ୍ରୀଡ଼ା ନିର୍ଦେଶକ ଭିନିଲ କ୍ରିଷ୍ଣା ଅତିଥି ଭାବେ ‌ଯୋଗ ଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଏହା ପୂର୍ବରୁ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା ଶେଷ ମିନିଟ୍‌େର ଆମେରିକାକୁ ଚକ୍‌ମା ଦେଇ ବିଜୟୀ ହୋଇଥିଲା। ଏଥି ସହ ଦକ୍ଷିଣ ଆଫ୍ରିକା ଲିଗ୍‌ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ନେଇଥିଲା।

ହରମନ୍‌ପ୍ରୀତଙ୍କ ଶତକ
ଭାରତୀୟ ରକ୍ଷଣଭାଗ ଖେଳାଳି ହରମନ୍‌ପ୍ରୀତ ସିଂହ ଶୁକ୍ରବାର ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଜାପାନ ବିପକ୍ଷରେ ଖେଳି ସେ ଏହି ମାଇଲ ଖୁଣ୍ଟ ଛୁଇଁଥିଲେ। ଏହି ଭାରତୀୟ ତାରକା ୨୦୧୫ରେ କଳିଙ୍ଗ ‌ଷ୍ଟାଡିୟମ‌ରେ ହିଁ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଜାପାନ୍‌ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାରୁ ନିଜ ଅନ୍ତର୍ଜାତୀୟ ଅଭିଯାନ କରିଥିବା ହରମନ୍‌ପ୍ରୀତ ଏଫ୍‌ଆଇଏଚ୍‌ ଚାମ୍ପିଅନ୍ସ ଟ୍ରଫିରେ ଉଦୀୟମାନ ଖେଳାଳି ପୁରସ୍କାର ପାଇଥିଲେ। ଏହି ପ୍ରଦର୍ଶନ ଆଧାରରେ ୨୦୧୬ ରିଓ ଅଲିମ୍ପିକ୍ସ ଦଳରେ ସେ ନିଜ ସ୍ଥାନ ସୁରକ୍ଷିତ କରି ନେଇଥିଲେ। ପରବର୍ତୀ ସମୟରେ ସେ ଲକ୍ଷ୍ନୌରେ ଆୟୋଜିତ ଯୁବ ବିଶ୍ବକପ୍‌ରେ ଗୁରୁତ୍ବଭୂମିକା ତୁଲାଇ ଥିଲେ। ଏଥିସହ ସେ ୨୦୧୭ ଏସିଆ କପ୍‌, ୨୦୧୮ରେ ଏସୀୟ ଚାମ୍ପିଅନ୍ସ ଟ୍ରଫି ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲେ। ୨୦୧୭ରେ ଭୁବେନଶ୍ବରରେ ଅନୁଷ୍ଠିତ ବିଶ୍ବ ଲିଗ୍‌ ଫାଇନାଲ୍‌ର କାଂସ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ୨୦୧୮ ଚାମ୍ପିଅନ୍ସ ଟ୍ରଫି ରୌପ୍ୟ ଏବଂ ଗତବର୍ଷ ଏସୀୟ କ୍ରୀଡ଼ା କାଂସ୍ୟ ବିଜୟ‌ୀ ଦଳରେ ରହିଥିଲେ। କଳିଙ୍ଗରେ ଜାପାନ ବିପକ୍ଷରେ ପଦାର୍ପଣ ଏବଂ ୧୦୦ତମ ମ୍ୟାଚ୍‌ ଖେଳିଥିବାରୁ ବହୁତ ଖୁସି। ଆଗକୁ ବହୁତ କିଛି ଶିଖିବାର ଅଛି ବୋଲି କହିଛନ୍ତି ହରମନ୍‌ପ୍ରୀତ।

ପୋଲାଣ୍ଡକୁ ହରାଇ ରୁଷିଆ ପଞ୍ଚମ
ରୁଷିଆ ପଞ୍ଚମ ସ୍ଥାନରେ ରହିଛି। ଶୁକ୍ରବାର ‌ ରୁଷିଆ ୩-୨ ‌ଗୋଲ୍‌ରେ ପୋଲାଣ୍ଡକୁ ପରାସ୍ତ କରିଛି। ପୋଲାଣ୍ଡ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଛି। ମ୍ୟାଚ୍‌ର ପ୍ରଥମ କ୍ବାର୍ଟର୍‌ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା ବେଳେ ଦ୍ବିତୀୟ କ୍ବାର୍ଟର୍‌ରେ ପାଭେଲ ଗୋଲୁବେଭ (୧୬ ମିନିଟ୍‌) ଏବଂ ସର୍ଜେ ଲେପେସ୍କିନ୍‌ ‌(୨୨ ମିନିଟ୍‌) ଗୋଟିଏ ଲେଖ‌ାଏଁ ଗୋଲ୍‌ ଦେଇ ୨-୦ରେ ଆଗୁଆ କରିଥିଲେ। ହେଲେ ଏହି କ୍ବାର୍ଟର୍‌ର ଶେଷ ମିନିଟ୍‌ରେ ପୋଲାଣ୍ଡର ମାଇକେଲ୍‌ କାସ୍‌ପ୍ରିକ୍‌ (୩୦ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ୩୬ ମିନିଟ୍‌ରେ ମାରାତ ଖାଇରୁଲିନଙ୍କ ଗୋଲ୍‌ରେ ରୁଷିଆ ୩-୧ରେ ଆଗୁଆ ହୋଇଥିଲା। ଚତୁର୍ଥ କ୍ବାର୍ଟର୍‌ରେ ପୋଲାଣ୍ଡର ମିକୋଲାଜ ଗୁମ୍‌ନି (୫୫ ମିନିଟ୍‌) ଆଉ ଏକ ଗୋଲ୍‌ ଶୁଝି ପରାଜୟ ବ୍ୟବଧାନକୁ ଟିକେ କମାଇଥିଲେ। ରୁଷିଆର ମାରାତ ଖାଇରୁଲିନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର