ଶ୍ରୀଲଙ୍କା ସହ ମୁକାବିଲା ଆଜି

ରୋହିତଙ୍କ ବିଫଳତା ଚିନ୍ତାର କାରଣ

କଲମ୍ବୋ: ନିଦାହାସ୍‌ ଟ୍ରଫି ତ୍ରି-ରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍‌ରେ ସୋମବାର ଭ୍ରମଣକାରୀ ଭାରତ ଆୟୋଜକ ଶ୍ରୀଲଙ୍କାକୁ ଭେଟିବ। ଫାଇନାଲ୍‌ ପ୍ରବେଶ ଦୃଷ୍ଟିରୁ ଏହି ମ୍ୟାଚ୍‌ ଭାରତ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣର୍ ହେବ। ହେଲେ ଅଧିନାୟକ ରୋହିତ ଶର୍ମାଙ୍କ ବିଫଳତା ହିଁ ଭାରତ ପାଇଁ ସବୁଠାରୁ ବଡ଼ ଚିନ୍ତାର କାରଣ ହୋଇଛି। ରୋହିତ ତାଙ୍କ ଶେଷ ପାଞ୍ଚଟି ଟେ୍ଵଣ୍ଟି-୨୦ରେ ୧୭, ୦, ୧୧, ୦ ଓ ୨୧ ରନ୍‌ କରିଥିବାରୁ ଦଳ ପାଇଁ ଏହା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଦଳୀୟ ସନ୍ତୁଳନ କଥା ଦେଖିଲେ ଯୁବ ବ୍ୟାଟ୍ସମ୍ୟାନ୍‌ ଋଷବ ପନ୍ତଙ୍କୁ ଦଳୀୟ ପରିଚାଳକମାନେ ଆଉ ଏକ ସୁଯୋଗ ଦେଇ ପାରନ୍ତି। ସେପଟେ ଲୋକେଶ ରାହୁଲଙ୍କ ଭଳି ଖେଳାଳି ମଧ୍ୟ ନିଜ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ରାହୁଲଙ୍କୁ ଦଳରେ ନେଲେ ରୋହିତ ତାଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ ଦେଇ ନିଜେ ଚତୁର୍ଥ ସ୍ଥାନରେ ଖେଳି ପାରନ୍ତି। ଏଭଳି ହେଲେ ଋଷବ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇବେ ନାହିଁ। ତିନି ଦଳୀୟ ପ୍ରତିଯୋଗିତାରେ ସଂପ୍ରତି ସବୁଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ସମାନ ଦୁଇ ପଏଣ୍ଟ ଲେଖାଏଁ ପାଇଛନ୍ତି। ରନ୍‌ ହାରରେ କିନ୍ତୁ ଭାରତ ଓ ବାଂଲାଦେଶଠାରୁ ଶ୍ରୀଲଙ୍କା ଆଗରେ ରହିଛି। ହେଲେ ଗୋଟିଏ ବିଜୟରେ ସବୁ କିଛି ଓଲଟ ପାଲଟ ହୋଇ ଯାଇପାରେ। ଭାରତ ଶୀର୍ଷ ସ୍ଥାନକୁ ଚାଲି ଯାଇପାରେ । ଦକ୍ଷିଣ ଆଫ୍ରିକା ଭଳି ଶ୍ରୀଲଙ୍କାରେ ମଧ୍ୟ ଶିଖର ଧାଓ୍ଵନ ଧମାକା କରୁଛନ୍ତି। ବାମହାତୀ ବୋଲର ଜୟଦେବ ଉନାଦକଟ ଏବଂ ଅଲରାଉଣ୍ଡର ବିଜୟ ଶଙ୍କର ବି ଭଲ ଖେଳୁଛନ୍ତି। ଭାରତ ସୋମବାର ବିଜୟୀ ହେବାକୁ ହେଲେ ଏମାନଙ୍କ ପ୍ରଦର୍ଶନ ପ୍ରମୁଖ ଭୂମିକା ତୁଲାଇବ। ଅନ୍ୟପକ୍ଷରେ ଅଧିନାୟକ ଦୀନେଶ ଚାନ୍ଦିମାଳ ମନ୍ଥର ବୋଲିଂ ପାଇଁ ଦୁଇଟି ମ୍ୟାଚ୍‌ରୁ ବାସନ୍ଦ ହେବା ଶ୍ରୀଲଙ୍କା ପାଇଁ ଶକ୍ତ ଧକ୍କା ହୋଇଛି।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ (ଉପ ଅଧିନାୟକ), ସୁରେଶ ରାଇନା, ଲୋକେଶ ରାହୁଲ, ମନୀଷ ପାଣ୍ଡେ, ଦୀନେଶ କାର୍ତିକ, ଦୀପକ ହୁଦା, ଓ୍ଵିସିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ବିଜୟ ଶଙ୍କର, ସାର୍ଦୁଲ ଠାକୁର, ଜୟଦେବ ଉନାଦକଟ, ମହମ୍ମଦ ସିରାଜ, ଋଷବ ପନ୍ତ।
ସମ୍ଭାବ୍ୟ ଶ୍ରୀଲଙ୍କା : ଥିସାରା ପେରେରା (ଅଧିନାୟକ) ସୁରଙ୍ଗ ଲାକମଲ, ଉପୁଲ ଥରଙ୍ଗା, ଦନୁଷ୍କା ଗୁଣତିଲକେ, କୁଶଲ ମେଣ୍ଡିସ, ଦାସୁନ ସନକା, କୁଶଲ ପେରେରା, ଜୀବନ ମେଣ୍ଡିସ, ଉସ୍ରୁ ଉଦାନା, ଅକିଲା ଧନଞ୍ଜୟ, ଅମିଲା ଉପଂସୋ, ନୁଓ୍ଵାନ, ପ୍ରଦୀପ, ଦୁଷ୍ମନ୍ତ ଚାମିରା, ଧନଞ୍ଜୟ ଡି’ସିଲଭା।

ଚାନ୍ଦିମାଳ ଦୁଇଟି ମ୍ୟାଚ୍‌ରୁ ବାସନ୍ଦ
ଭାରତ ବିପକ୍ଷ ମହତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ କିନ୍ତୁ ଶ୍ରୀଲଙ୍କାକୁ ରବିବାର ସଂଧ୍ୟାରେ ଶକ୍ତ ଧକ୍କା ଲାଗିଥିଲା। ଶନିବାର ଖେଳା ଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ମନ୍ଥର ବୋଲିଂ କରିଥିବାରୁ ଆୟୋଜକ ଶ୍ରୀଲଙ୍କାର ଅଧିନାୟକ ଦୀନେଶ ଚାନ୍ଦିମାଳଙ୍କୁ ଆଇସିସି ଦୁଇଟି ମ୍ୟାଚ୍‌ରୁ ବାସନ୍ଦ କରିଛି। ଫଳରେ ସେ ଚଳିତ ନିଦାହସ ଟ୍ରଫିରେ ଶ୍ରୀଲଙ୍କାର ପରବର୍ତୀ ଦୁଇଟି ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ବାଂଲାଦେଶ ମ୍ୟାଚରେ ଶ୍ରୀଲଙ୍କା ନିର୍ଧାରିତ ସମୟ ମଧ୍ୟରେ ୪ ଓଭର କମ୍‌ ବୋଲିଂ କରିଥିଲା। ଆଇସିିସି ନିମ ଅନୁସାରେ ବିଳମ୍ବିତ ପ୍ରଥମ ଦୁଇ ଓଭର ଲାଗି ପ୍ରତ୍ୟେକ ଓଭର ପାଇଁ ଖେଳାଳିଙ୍କର ମ୍ୟାଚ୍‌ ପାଉଣାର ୧୦ ପ୍ରତିଶତ ଲେଖାଏଁ କଟିଥାଏ। ପରବର୍ତୀ ପ୍ରତ୍ୟେକ ଓଭର ଲାଗି ଅତିରିକ୍ତ ୨୦ ପ୍ରତିଶତ ଲେଖାଏଁ ଜରିମାନା ହୋଇଥାଏ। ସେଥିପାଇଁ ଶ୍ରୀଲଙ୍କା ଦଳର ଅନ୍ୟ ଖେଳାଳିଙ୍କ ମ୍ୟାଚ୍‌ ପାଉଣାର ୬୦ ପ୍ରତିଶତ କଟିଛି। ସେହିଭଳି ବାଂଲାଦେଶ ନିର୍ଧାରିତ ସମୟ ମଧ୍ୟରେ ଗୋଟିଏ ଓଭର କମ୍‌ ବୋଲିଂ କରିଥିବାରୁ ଅଧିନାୟକ ମହମ୍ମଦୁଲ୍ଲାଙ୍କ ମ୍ୟାଚ୍‌ ପାଉଣାର ୨୦ ଏବଂ ଅନ୍ୟ ଖେଳାଳିଙ୍କ ମ୍ୟାଚ୍‌ ପାଉଣାର ୧୦ ପ୍ରତିଶତ କଟିଛି।

ସମ୍ବନ୍ଧିତ ଖବର