ପରିସ୍ଥିତି ନୁହେଁ, ଚାପର ମୁକାବିଲା ହିଁ
ମୁମ୍ବାଇ: ଚାପକୁ ଠିକଣା ଭାବେ ମୁକାବିଲା କରିବା ହିଁ ବିଶ୍ବକପ୍ରେ ବଡ଼ ଆହ୍ବାନ ହେବ ବୋଲି କହିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି। ଇଂଲଣ୍ଡରେ ପାଗ, ପରିବେଶ କି ପରିସ୍ଥିତି ନୁହେଁ, ଚାପର ମୁକାବିଲା ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଆହ୍ବାନ ବୋଲି ମଙ୍ଗଳବାର ଇଂଲଣ୍ଡ ଅଭିମୁଖେ ବାହାରିବାର ଦିନକ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କୋହଲି। ବ୍ୟକ୍ତିଗତ ଭାବେ ତୃତୀୟ ବିଶ୍ବକପ୍ ଖେଳିବାକୁ ଯାଉଥିଲେ ମଧ୍ୟ କୋହଲି ପ୍ରଥମ ଥର ଭାରତୀୟ ଦଳର ନେତୃତ୍ବ ଭାର ସମ୍ଭାଳିଛନ୍ତି। ଅହ୍ବାନଭରା ଏହି ବିଶ୍ବକପ୍ରେ ଯେ କୌଣସି ଦଳ ଅନ୍ୟ କୌଣସି ଦଳକୁ ବି ହରାଇ ପାରିବ। ଭାରତକୁ ତୁରନ୍ତ ପାଗ ଓ ପରିବେଶ ସହିତ ଖାପ ଖୁଆଇନେବାକୁ ପଡ଼ିବ। ଭଲ କ୍ରିକେଟ୍ ଖେଳିବା ଉପରେ ଏକାଗ୍ର ରହିବା ଆମର ଏକମାତ୍ର ଲକ୍ଷ୍ୟ। ଫଳାଫଳ ନିଶ୍ଚିତ ଆମକୁ ପିଛା କରିବ ବୋଲି କୋହଲି ପ୍ରକାଶ କରିଥିଲେ।
ବିଶ୍ବକପ୍ରେ ସବୁ ପ୍ରକାର ସ୍କୋର୍ ଦେଖିବାକୁ ମିଳିବ, କିଛି ପରିସ୍ଥିତିରେ ବଡ଼ ସ୍କୋର୍ ହେବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି। ଆମେ ଯଦି ସମସ୍ତେ ନିଜ ଦକ୍ଷତା ମୁତାବକ ଖେଳିବୁ ବିଶ୍ବକପ୍ ଭାରତ ଚାଲି ଆସିବ ବୋଲି କହିଥିଲେ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ପିଚ୍ ସବୁ ଫ୍ଲାଟ୍ ହୋଇପାରେ, କିନ୍ତୁ ମେଘୁଆ ଆକାଶ ସବୁକିଛି ନିର୍ଣ୍ଣୟ କରିବ। ଲଣ୍ଡନ୍ ଯିବା ବେଳେ ନିଜକୁ ନମନୀୟ ରଖିବାକୁ ପଡ଼ିବ। ବର୍ତମାନ ବିଶ୍ବର ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ଥିବା କୋହଲି ଏହି ବିଶ୍ବକପ୍ ଅବସରରେ ୧୧,୦୦୦ ଦିନିକିଆ ରନ୍ ମାଇଲଖୁଣ୍ଟ୍ ଟପିବା ସହିତ ୪୧ ଶତକ ସଂଖ୍ୟାକୁ ଆଗକୁ ନେବାର ସମ୍ଭାବନା ରହିଛି। ବିଶ୍ବକପ୍ ନିଶ୍ଚିତ ଆହ୍ବାନଭରା କିନ୍ତୁ ସବୁଠାରୁ ଭଲ କଥା ହେଉଛି ମ୍ୟାଚ୍ ମଧ୍ୟରେ ଭଲ ବ୍ୟବଧାନ ରହିଛି। ଅନ୍ୟଠାରୁ ପ୍ରେରଣା ନିଆଯାଇ ପାରିବ। ଫୁଟବଲ୍ ଖେଳାଳିମାନେ ୩/୪ ମାସ ଧରି ନିଜକୁ ପ୍ରସ୍ତୁତ ରଖିଥାନ୍ତି। ଭାରତୀୟ ସେନାଠାରୁ ଆମେ ପ୍ରେରଣା ନେଇ ପାରିଲେ ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରିବା ବୋଲି ପ୍ରକାଶ କରିଛନ୍ତି କୋହଲି। ପ୍ରତିଦ୍ବନ୍ଦ୍ବୀଙ୍କ କଥା ଚିନ୍ତା ନ କରି ନିଜ ଦକ୍ଷତା ଉପରେ ବିଶ୍ବାସ ରଖି ଶ୍ରେଷ୍ଠତ୍ବ ବାହାର କରିବାର ଅଛି ବୋଲି କହିଥିଲେ କୋହଲି।
ଯଶ୍ପ୍ରୀତ୍ ବୁମରା, ଭୁବନେଶ୍ବର କୁମାର, ମହମ୍ମଦ ସାମିଙ୍କୁ ନେଇ ଭାରତ ଘାତକ ଦ୍ରୁତ ବୋଲିଂ ଆକ୍ରମଣ ରଖିଛି। କିନ୍ତୁ ସ୍ପିନର କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣକୁ ଖେଳାଇ ଅତିରିକ୍ତ ଅଲରାଉଣ୍ଡର୍ ନେବା ସମ୍ପର୍କରେ କୋହଲି ଓ ଶାସ୍ତ୍ରୀ ନିଷ୍ପତ୍ତି ନେଇନାହାନ୍ତି। ଜୁନ୍ ୫ ତାରିଖରେ ଭାରତ ଦକ୍ଷିଣ ଆଫ୍ରିକା ସହ ଖେଳି ଅଭିଯାନ ଆରମ୍ଭ କରିବାର ଥିଲେ ମଧ୍ୟ ମେ’ ୨୫ (ନ୍ୟୁଜିଲାଣ୍ଡ) ଏବଂ ମେ’ ୨୮ (ବାଂଲାଦେଶ) ସହିତ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ଖେଳିବ।
ଇଂଲଣ୍ଡରେ ପହଞ୍ଚିବା ପରେ ପାଣିପାଗ ସହିତ ନିଜକୁ ଖାପଖୁଆଇ ନେବା କଷ୍ଟସାଧ୍ୟ ନୁହେଁ। ଇଂଲଣ୍ଡରେ ଟେଷ୍ଟ୍ କ୍ରିକେଟ୍ ତୁଳନାରେ ଏକ ଧଳା ବଲ୍ ଆଇସିସି ପ୍ରତିଯୋଗିତା ଖେଳିବା କିଛି ଭିନ୍ନ ନୁହେଁ। ଆଇପିଏଲ୍ରେ ମଧ୍ୟ ଆମେ ଦେଖିଛୁ କୌଣସି ଖେଳାଳି କ୍ଲାନ୍ତ ହୋଇପଡୁନଥିଲେ। ଏବେ କେବଳ ନିଜ ନିଜକୁ ୫୦ ଓଭର ପାଇଁ ପ୍ରସ୍ତୁତ କରିନେବା। ପ୍ରଥମ ମ୍ୟାଚ୍ରୁ ପ୍ରତି ଖେଳାଳିକୁ ଶ୍ରେଷ୍ଠ ତଥା ପ୍ରଗାଢ଼ତା ଆଣିବାକୁ ପଡ଼ିବ, ଆତ୍ମପ୍ରସନ୍ନ ହେବାର କୌଣସି ସୁଯୋଗ ନାହିଁ। ବିଗତ ୫ ବର୍ଷ ହେବ ଏହି ଖେଳାଳିମାନେ ଭଲ କ୍ରିକେଟ୍ ଖେଳିଛନ୍ତି। କେବଳ ବିଶ୍ବକପ୍ ପାଇଁ ନୁହେଁ ସେମାନେ ସ୍ଥିର ପ୍ରଦର୍ଶନ ଦେବାକୁ ସର୍ବଦା ବ୍ୟାକୁଳ ରହିଥାନ୍ତି ବୋଲି କହିଥିଲେ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ଆହ୍ବାନ: କୋହଲି