ବାରବାଟୀ ଷ୍ଟାଡିୟମରେ ଆଜି ଭାରତ ଓ ଇଣ୍ଡିଜ୍‌ ଖେଳାଳିଙ୍କ ଅଭ୍ୟାସ

କଟକ : ରବିବାର ଭାରତ ଓ ୱେଷ୍ଟଇଣ୍ତିଜ ମଧ୍ୟରେ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଦୁଇ ଦଳ ଶନିବାର ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବାକୁ ଆସିବେ। ଶୁକ୍ରବାର ଅଭ୍ୟାସ ପାଇଁ ସୂଚୀ ପ୍ରସ୍ତୁତ ହୋଇଥିଲେ ବି ଖେଳାଳିମାନେ ହୋଟେଲରେ ବିଶ୍ରାମ କରିବାକୁ ଚାହିଁଥିଲେ। ତେବେ ଶନିବାରର ଅଭ୍ୟାସ ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ୱେଷ୍ଟଇଣ୍ତିଜ ପ୍ରଥମେ ଅଭ୍ୟାସ କରିବ ବୋଲି ସ୍ଥିର ହୋଇଥିଲା ବେଳେ ଶନିବାର ଭାରତୀୟ ଖେଳାଳିମାନେ ପୂର୍ବାହ୍ନରେ ବାରବାଟୀରେ ଅଭ୍ୟାସ କରିବେ। ସକାଳ ୧୦ଟାରୁ ଅଭ୍ୟାସ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ୱେଷ୍ଟଇଣ୍ତିଜ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ।

ବାରବାଟୀରେ ଖେଳାଳିଙ୍କୁ ସ୍ବାଗତ କରିବା ପାଇଁ ଓସିଏ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଖେଳାଳିଙ୍କ ଯିବା ଆସିବା ରାସ୍ତାକୁ ସୁରକ୍ଷିତ କରିବା ପାଇଁ ପୁଲିସ୍‌ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ବୈଠକ ହୋଇଥିଲା। ପାଖାପାଖି ୮୦ ପ୍ଲାଟୁନ୍‌ ଫୋର୍ସ ଖେଳାଳିଙ୍କ ସୁରକ୍ଷା ଓ ଷ୍ଟାଡିୟମ ନିୟନ୍ତ୍ରଣରେ ନିୟୋଜିତ ହେବେ। ଖେଳାଳିମାନେ ଷ୍ଟାଡିୟମରେ ପହଞ୍ଚିବା ପରେ ଯେଉଁ ରାସ୍ତାରେ ସେମାନେ ଯିବେ ସେଠାରେ ନୂଆ ସାଜସଜ୍ଜା କରାଯାଇଛି। ଏଥିସହିତ ନୂଆ ରୂପ ପାଇଥିବା ଡ୍ରେସି˚ ରୁମ୍‌ ଓ କ୍ଲକ୍‌ ଟାଵାରକୁ ମଧ୍ୟ ଶନିବାର ଉଦ୍‌ଘାଟନ କରାଯିବାକୁ ଯୋଜନା ରହିଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଖେଳାଳିଙ୍କ ଅଭ୍ୟାସ ପୂର୍ବରୁ ଷ୍ଟାଡିୟମ ସ୍ଥିତି ନୀରିକ୍ଷଣ କରିବାକୁ ଶୁକ୍ରବାର ଦୁଇ ଅମ୍ପାୟାର ସନ୍‌ ଜର୍ଜ, ନିତିନ ମେନନଙ୍କ ସହ ଅତିରିକ୍ତ ଅମ୍ପାୟାର ଅନୀଲ ଚୌଧୁରୀ, ତୃତୀୟ ଅମ୍ପାୟାର ରଡ୍‌ ଟକେର ବାରବାଟୀକୁ ଆସିଥିଲେ। ସମସ୍ତେ ପଡିଆ ଚାରିପଟ ଅନୁଧ୍ୟାନ କରିବା ପରେ ସାଇଟ୍‌ ସ୍କ୍ରିନ୍‌ରେ ସାମାନ୍ୟ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ। କର୍ପୋରେଟ ବକ୍ସ ଓ ଓସିଏ କାର୍ଯ୍ୟାଳୟ ପଟର ସାଇଟ୍‌ ସ୍କ୍ରିନ୍‌କୁ ଚଉଡ଼ା କରାଯିବ। ଶନିବାର ମ୍ୟାଚ୍‌ ରେଫରି ଡେଭିଡ୍‌ ବୁନ୍‌ ଆସିବା ପରେ ଉଭୟ ଦଳଙ୍କ ସହିତ ବୈଠକ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର