ଆଜି ଆମେରିକା ଯିବ ଭାରତ, ଗଣମାଧ୍ୟମକୁ ଭେଟିବେ କୋହଲି

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଲମ୍ବା ଶୃଙ୍ଖଳାର ପ୍ରଥମ ଦୁଇ ଟ୍ବେଣ୍ଟି-୨୦ ଭାରତୀୟ କ୍ରିକେଟ୍ ଦଳ ଆମେରିକାର ଫ୍ଲୋରିଡ଼ାରେ ଖେଳିବ। ଏଥିଲାଗି ସୋମବାର କୋହଲି ବାହିନୀ ସେଠାକୁ ଯାତ୍ରା କରିବ। ଆମେରିକାରେ ଦୁଇଟି ମ୍ୟାଚ୍ ଖେଳିବା ପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଯାଇ ସେଠାରେ ଗସ୍ତର ଦ୍ବିତୀୟ ପର୍ଯ୍ୟାୟ ଶେଷ କରିବ। ଏହା ପୂର୍ବରୁ କିନ୍ତୁ ଅଧିନାୟକ ବିରାଟ କୋହଲି ସୋମବାର ସ୍ବଦେଶୀ ଗଣମାଧ୍ୟମକୁ ଭେଟି‌ବେ। ଗସ୍ତ ନେଇ ଦଳର ଲକ୍ଷ୍ୟ ଏବଂ ପ୍ରସ୍ତୁତି ବିଷୟରେ ବିସ୍ତୃତ ବିବରଣୀ ଦେବେ। ବିସିସିଆଇ ରବିବାର ଏହି ସୂଚନା ଦେଇଛି। ପୂର୍ବରୁ କୋହଲି ସାମ୍ବାଦିକମାନଙ୍କୁ ଭେଟିବେ ନାହିଁ ବୋଲି ଖବର ପ୍ରକାଶ ପାଇଥିଲା। ବିସିସିଆଇ କିନ୍ତୁ ଏହାକୁ ଖଣ୍ଡନ କରିଛି। ସୋମବାର ସଂଧ୍ୟା ୬ଟାରେ ଏହି ପ୍ରତୀକ୍ଷିତ ସାମ୍ବା‌ଦିକ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ବିସିସିଆଇ କହିଛି। ଶନିବାର କୋହଲି ପ୍ରୋ-କବାଡ଼ି ଲିଗ୍‌ର ମୁମ୍ବାଇ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଅତିଥି ଭାବେ ଯୋଗ ଦେଇ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ। ମ୍ୟାଚ୍ ପୂର୍ବରୁ ଜାତୀୟ ସଂଗୀତ ଗାଇବା ସହ ଏହାର ଫଟୋ ମଧ୍ୟ ସେ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଥିଲେ। ଯାହାକୁ ପ୍ରଶଂସକ ବେଶ୍ ପସନ୍ଦ କରିଥିଲେ।

ଭାଙ୍ଗିବନି ପରମ୍ପରା
କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ଲାଗି ରହିଥିବା ଶୀତଳଯୁଦ୍ଧର ଆଶଙ୍କା ଭିତରେ ରବିବାର ଏମିତି ଏକ ଖବର ପଦାକୁ ଆସିଥିଲା, ଯାହା ଭାରତୀୟ କ୍ରିକେଟ୍ ଦଳରେ ‌ଯେ ସବୁକିଛି ଠିକ୍ ନାହିଁ ସେ ସଙ୍କେତ ଦେଇଥିଲା। ହେଲେ ଏବେ ଏଥିରେ କୌଣସି ସତ୍ୟତା ନଥିବା ଜଣାପଡ଼ିଛି। ସାଧାରଣତଃ ସବୁ ବିଦେଶ ଗସ୍ତ ପୂର୍ବରୁ ପାରମ୍ପରିକ ଭାବେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କିମ୍ବା ବରିଷ୍ଠ ଖେଳାଳି ଗଣମାଧ୍ୟମ ସହ କଥା ହୁଅନ୍ତି। ହେଲେ ସୋମବାର ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳା ପାଇଁ ଆମେରିକା ଅଭିମୁଖେ ବାହାରିବା ପୂର୍ବରୁ ଭାରତୀୟ ଦଳ ଗଣମାଧ୍ୟମକୁ ଭେଟିବ ନାହିଁ ବୋଲି ଖବର ପ୍ରକାଶ ପାଇଥିଲା। କେତେକ ଅନିର୍ବାଯ୍ୟ କାରଣ ପାଇଁ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜନ ସମ୍ଭବ ହେଲାନି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଥିବା ଏଥିରେ କୁହାଯାଇଥିଲା। ଏହାର ଆଉ କିଛି କାରଣ ଥିବା କିନ୍ତୁ ସାଧାରଣ କ୍ରିକେଟ୍‌ପ୍ରେମୀ ସନ୍ଦେହ କରିଥିଲେ। ସୋମବାର ସକାଳେ କୋହଲି ଏକ ପ୍ରଚାର ଅଭିଯାନରେ ଅଂଶଗ୍ରହଣ କରିବେ। ସେଠାରୁ ସିଧା ବିମାନରେ ବସିବେ। ସମୟ ଅଭାବରୁ ସେ ସାମ୍ବାଦିକ ସମ୍ମିଳନୀ କରି ପାରିବେ ନାହିଁ ବୋଲି ବିସିସିଆଇର ଆଉ ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଥିଲେ। ବିଶ୍ବକପ୍ ସେମିଫାଇନାଲରୁ ଅଚାନକ ବିଦାୟ ସହ ରୋହିତ ଓ ତାଙ୍କ ମଧ୍ୟରେ ମତପାର୍ଥକ୍ୟ ସୃଷ୍ଟି ହୋଇଥିବା ଖବରର ସତ୍ୟତା ନେଇ ଇଣ୍ଡିଜ୍ ଗସ୍ତ ପୂର୍ବରୁ କୋହଲି ମୁହଁ ଖୋଲିବେ ବୋଲି ଆଶା କରାଯାଉଥିଲା। ହେଲେ ସାମ୍ବାଦିକ ସମ୍ମିଳନୀ ବାତିଲ ହେବାର ଖବର ପାଇ ଗଣାମଧ୍ୟମ ପ୍ରତିନିଧି ନିରାଶ ହୋଇ ଯାଇଥିଲେ। ଏବେ କିନ୍ତୁ ସେମାନେ ଆଶ୍ବସ୍ତ। ରୋହିତ ଓ କୋହଲିଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବାର ଖବର ଭାରତର ବିଶ୍ବକପ୍ ପରେ ପରେ ହିଁ ପଦାକୁ ଆସିଥିଲା। ଏହାର କିଛି ଦିନ ପରେ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ରୋହିତ ଇନଷ୍ଟାଗ୍ରାମରେ ଅନ୍‌ଫଲୋ କରିବା ପରେ ମାମଲା ଆହୁରି ଗୋଳମାଳିଆ ହୋଇଯାଇଥିଲା। ଉଭୟ ଖେଳାଳି ଚୁପ୍ ରହିବା ମଧ୍ୟ ନାନା ପ୍ରଶ୍ନ ସୃଷ୍ଟି କରିଥିଲା। ସୂଚନାଯୋଗ୍ୟ ଯେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ଆମେରିକାର ‌ଫ୍ଲୋରିଡ଼ାରେ ଖେଳିବ। ଏହା ପରେ ଶେଷ ଟ୍ବେଣ୍ଟି-୨୦ ସହ ତିନି ଟିକିଆ ଏକଦିବସୀୟ ଏବଂ ଦୁଇ ଟିକିଆ ଟେଷ୍ଟ ଶୃଙ୍ଖଳା ଖେଳିବା ଲାଗି ଫ୍ଲୋରିଡ଼ାରୁ ୱେଷ୍ଟଇଣ୍ଡିଜ୍ ଯିବ। ସୋମବାର ଭାରତୀୟ ଖେଳାଳିମାନେ ଆମେରିକା ଅଭିମୁଖେ ଯାତ୍ରା କରିବେ।

ଇଂଲଣ୍ଡ ପରାଜୟ ପରଠାରୁ ଦଳରେ ଫାଟ
ରିପୋର୍ଟ ଅନୁସାରେ ବିଶ୍ବକପ୍‌ର ଇଂଲଣ୍ଡ ବିପକ୍ଷ ପରାଜୟ ପରେ ପରେ ଭାରତୀୟ ଦଳରେ ଫାଟ ସୃଷ୍ଟି ହୋଇଥିଲା। ଏହି ଗ୍ରୁପ୍ ପର୍ଯ୍ୟାୟ ପରାଜୟ ପାଇଁ ଦଳୀୟ ଅଧିକାରୀମାନେ ବୋଲରଙ୍କୁ ଦାୟୀ କରିଥିଲେ। ମ୍ୟାଚ୍ ପର ବୈଠକରେ ସେମାନଙ୍କୁ ଅସମ୍ମାନ କରାଯାଇଥିଲା। ହେଲେ ବୋଲରମାନେ ପରାଜୟର ଏକମାତ୍ର କାରଣ ନଥିଲେ। ଅନ୍ୟ ଦିନଗୁଡ଼ିକରେ ମଧ୍ୟ ଭାରତ ଖରାପ ଖେଳି ମ୍ୟାଚ୍ ହାରିଥିଲା। ବୋଲରମାନେ ମଧ୍ୟ ଏହି ବିଷୟ କହିଥିଲେ। ଯାହାକୁ ନେଇ ଯୁକ୍ତି ତର୍କ ହୋଇଥିଲା। ଦଳରେ ଅସନ୍ତୋଷ ଥିବା ବିସିସିଆଇର ଜଣେ କର୍ମକର୍ତା ପରୋକ୍ଷରେ ସ୍ବୀକାର କରିଛନ୍ତି। ତେବେ ଏହାକୁ ଯଥାଶୀଘ୍ର ଠିକ୍ କରିଦିଆଯିବ ବୋଲି ସେ ଆଶ୍ବାସନା ଦେଇଛନ୍ତି। ଯେ କୌଣସି କର୍ମକ୍ଷେତ୍ରରେ ଏଭଳି ମତପାର୍ଥକ୍ୟ ହେବା ସ୍ବାଭାବିକ। ଏହା କିନ୍ତୁ ଦଳର ପ୍ରଦର୍ଶନକୁ ପ୍ରଭାବିତ କରିପାରେ। ଏହାକୁ ତୁରନ୍ତ ଠିକ୍ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ରୋହିତ ଓ କୋହଲିଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା‌ ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରି ସଂପୃକ୍ତ କର୍ମକର୍ତା କହିଛନ୍ତି ଦଳରେ ଦୁଇ ଜଣ ଅଧିନାୟକ ରହି ପାରିବେ ନାହିଁ। ସେହିଭଳି ସେମାନଙ୍କ ମିଡିଆ ଟିମ୍ ପରସ୍ପରକୁ ସାମାଜିକ ଗଣମାଧ୍ୟମରେ ଆକ୍ଷେପ କରିବା ଆଦୌ ସୁସ୍ଥ ପରମ୍ପରା ନୁହେଁ। ଦଳରେ ବିଭାଜନ ସୃଷ୍ଟି ହୋଇଥିବା ଖବର ନେଇ ଗଣମାଧ୍ୟମ ମାତ୍ରାଧିକ ଚର୍ଚା କରୁଛି। କିଛି ଲୋକ ଜାଣିଶୁଣି ଏଭଳି ବିବାଦ ସୃଷ୍ଟି କରୁଛନ୍ତି ବୋଲି ସେ ଆଶଙ୍କା ଜାହିର କରୁଛନ୍ତି।

ସମ୍ବନ୍ଧିତ ଖବର