ଆଜି ଆଇପିଏଲ୍‌ ଖେଳାଳି ନିଲାମ

ନୂଆଦିଲ୍ଲୀ: ୨୦୧୯ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ଲାଗି ମଙ୍ଗଳବାର ରାଜସ୍ଥାନର ଗୋଲାପୀ ସହର (ପିଙ୍କ୍‌ ସିଟି) ଜୟପୁରଠାରେ ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥିରେ ୨୨୬ ଭାରତୀୟଙ୍କ ସହ ମୋଟ ୩୪୬ ଖେଳାଳି ସାମିଲ ହେବ‌େ। ନିଲାମ ଲାଗି ୧୦୦୩ ଖେଳାଳି ନାମ ପଞ୍ଜୀକରଣ କରିଥିଲେ। ଏଥିରୁ କାଣ୍ଟ୍‌ଛାଣ୍ଟ୍‌ ପରେ ୧୧୮ ନାମି ଓ ୨୨୮ ନୂଆ ‌ଖେଳାଳିଙ୍କ ସହ ମୋଟ ୩୪୬ ଖେଳାଳିଙ୍କ ନାମ ଚୂଡ଼ାନ୍ତ କରାଯାଇ ୮ ଫ୍ରାଞ୍ଚାଇଜ୍‌କୁ ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରୁ ଫ୍ରାଞ୍ଚଇଜ୍‌ଗୁଡ଼ିକ ନିଜ ନିଜ ଦଳ ପାଇଁ ଖେଳାଳି କିଣି‌ବେ। ସର୍ବାଧିକ ମୂଳ ଦର ୨ କୋଟି ଟଙ୍କାର ଝୁଡ଼ିରେ ୯ ଜଣ ଖେଳାଳି ରହିଛନ୍ତି। ହେଲେ ଏଥିରେ କୌଣସି ଭାରତୀୟ ନାହାନ୍ତି। ସେହିଭଳି ୧.୫ କୋଟିରେ କେବଳ ଗତଥର ସର୍ବାଧିକ ରାଶି (୧୧.୫ କୋଟି)ରେ ବିକ୍ରି ହୋଇଥିବା ଭାରତୀୟ ଦ୍ରୁତ ବୋଲର ଜୟଦେବ ଉନାଦକଟ୍‌ ଏକାକି ରହିଥିଲା ବେଳେ ୯ ଜଣ ବିଦେଶୀ ଖେଳାଳିଙ୍କ ସହ ମୋଟ ୧୦ ଜଣ ଏହି ଝୁଡ଼ିରେ ରହିଛନ୍ତି। ୧ କ‌ୋଟି ଟଙ୍କିଆ ଝୁଡ଼ିରେ ଭାରତରୁ ୪ ଓ ବିଦେଶରୁ ୧୫ ଜଣ, ୭୫ ଲକ୍ଷ ଟଙ୍କା ଝୁଡ଼ିରେ ୨ ଭାରତୀୟ ଓ ୧୬ ବିଦେଶୀ, ୫୦ ଲକ୍ଷ ଟଙ୍କା ଝୁଡ଼ିରେ ୧୮ ଭାରତୀୟ ଓ ୪୪ ବିଦେଶୀ, ୪୦ ଲକ୍ଷ ଟଙ୍କା ଝୁଡ଼ିରେ କେବଳ ୭ ବିଦେଶୀ, ୩୦ ଲକ୍ଷ ଟଙ୍କାରେ ୫ ଭାରତୀୟ ଓ ୩ ବିଦେଶୀ ଏବଂ ୨୦ ଲକ୍ଷ ଟଙ୍କା ଝୁଡ଼ିରେ ୧୯୬ ଭାରତୀୟ ଓ ୧୭ ବିଦେଶୀ ରହିଛନ୍ତି। ଏହି ନିଲାମ ପ୍ରକ୍ରିୟାରେ ସାମିଲ ଥିବା ଖେଳାଳିଙ୍କ ମଧ୍ୟରୁ ବଡ଼ ଭାରତୀୟ ତାରକାଙ୍କ ମଧ୍ୟରେ ରହିଛନ୍ତି ଯୁବରାଜ ସିଂହ, ଅକ୍ଷର ପଟେଲ, ରିଦ୍ଧିମାନ ସାହା, ମହମ୍ମଦ ସାମି। ଏମାନଙ୍କ ମୂଳ ରାଶି ‌ଏକ କୋଟି ରହିଛି। ନମନ ଓଝା, ଦ୍ରୁତ ବ‌ୋଲର ଈଶାନ୍ତ ଶର୍ମା (୭୫ ଲକ୍ଷ) ଏବଂ ଟେଷ୍ଟ୍‌ ବିଶେଷଜ୍ଞ ଚେତେଶ୍ବର ପୂଜାର (୫୦ ଲକ୍ଷ) ୧ କୋଟି ତଳେ ରହିଛନ୍ତି। ଏଥିସହ ଓଡ଼ିଶାରୁ ପପୁ ରାୟ ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ (ମୂଳ ଦଳ ୨୦ ଲକ୍ଷ ଲେଖାଏଁ) ମଧ୍ୟ ଏହି ନିଲାମରେ ରହିଛନ୍ତି।

ସମ୍ବନ୍ଧିତ ଖବର