ଲକ୍ଷ୍ନୌ/ମୁମ୍ବାଇ : ଚଳିତ ଆଇପିଏଲ୍ରେ ଶନିବାର ଯୁଗଳ ଲଢ଼େଇ ହେବ। ଅପରାହ୍ଣ ମୁକାବିଲାରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ ଭେଟିବ ବିଜେତା ଗୁଜରାଟ ଟାଇଟନ୍ସକୁ। ରାତିରେ ପରସ୍ପର ସହ ଖେଳିବେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ। ପ୍ରତିଯୋଗିତା ପ୍ରଥମାର୍ଦ୍ଧ ଶେଷ ଆଡ଼କୁ ମୁହାଉଁଥିବାରୁ ପ୍ରତି ଦଳ ନିଜ ନିଜ ସ୍ଥାନକୁ ଦୃଢ଼ କରିବା ଆଶାରେ ରହିଛନ୍ତି।
କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ ବିଜୟଧାରା ଜାରି ରଖିବାକୁ ଆଗ୍ରହୀ ରହିଥିବା ବେଳେ ଅସ୍ଥିର ପ୍ରଦର୍ଶନ ଭିତରେ ଗତି କରିଥିବା ହାର୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ଶୀର୍ଷକୁ ଫେରିବା ଆଶା ରଖିଛି। ଲକ୍ଷ୍ନୌ ୬ ମ୍ୟାଚ୍ରୁ ୪ ଜିତି ୮ ପଏଣ୍ଟ ପାଇଥିବା ବେଳେ ଗୁଜରାଟ ୫ରୁ ୩ ଜିତିଛି। ଗତ ମ୍ୟାଚ୍ରେ ଟେବୁଲ୍ର ଶୀର୍ଷରେ ଥିବା ରାଜସ୍ଥାନ ରୟାଲ୍ସକୁ ୧୦ ରନ୍ରେ ପରାସ୍ତ କରିଥିବାରୁ ଲକ୍ଷ୍ନୌର ଆତ୍ମବିଶ୍ବାସ ନିଶ୍ଚିତ ଉଚ୍ଚରେ ରହିଛି। କାଏଲ୍ ମାୟର୍ସ, ନିକୋଲାସ ପୂରନ, ମାର୍କସ ଷ୍ଟୋଇନିସ୍ ମିଳିତ ଭାବେ ଶୀର୍ଷ ଓ ମଧ୍ୟକ୍ରମରେ ବିସ୍ଫୋରକ ବ୍ୟାଟିଂର ଅଜସ୍ର ପ୍ରତିଶ୍ରୁତି ରଖିଛନ୍ତି। କେବଳ କେଏଲ୍ ରାହୁଲଙ୍କ ଷ୍ଟ୍ରାଇକ୍ ରେଟ୍ (୧୧୪.୭୯) ଏବଂ ଦୀପକ ହୁଡ଼ାଙ୍କ ଅଣପ୍ରଭାବିତ ପାଳି କାରଣରୁ ଦଳ ସାମାନ୍ୟ ଚାପରେ ରହିଛି। ସ୍ପିନ ଯୋଡ଼ି ଲେଗି ରବି ବିଷ୍ଣୋଇ ଏବଂ ଭେଟେରାନ୍ ଅମିତ ମିଶ୍ରାଙ୍କ ସହିତ କୃନାଲ ପାଣ୍ଡ୍ୟା ଦଳ ପାଇଁ ପର୍ଯ୍ୟାପ୍ତ ବିକଳ୍ପ ରଖିଛନ୍ତି। ମାର୍କ ଉଡ୍, ଅୱେସ ଖାନ, ୟୁଦ୍ଧବୀର ସିଂହ ଚଡ଼କ, ନବୀନ ଉଲ୍ ହକ୍ ଯେଭଳି ଭାବେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଚମତ୍କାର ପେସ୍ ବୋଲିଂ କରିଥିଲେ ଏହାକୁ ଦୋହରାଇବାକୁ ଚାହିଁବେ। ଗତ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସଠାରୁ ୩ ୱିକେଟ୍ରେ ପରାସ୍ତ ହୋଇଥିବା ଟାଇଟନ୍ସ ନିଶ୍ଚିତ ବିଜୟ ଆଶାରେ ରହିବ। ମହମ୍ମଦ ସାମି ଭଲ ବୋଲିଂ କରୁଥିଲେ ମଧ୍ୟ ଅଲ୍ଜେରି ଯୋଶେଫ ଓ ଜୋସ ଲିଟଲଙ୍କଠାରୁ ଅଧିକ ଭଲ ଆଶା କରାଯାଉଛି।
ବୋଲିଂରେ ହାର୍ଦିକ ପାଣ୍ଡ୍ୟା ସେତେଟା ଭଲ କରିପାରିନାହାନ୍ତି। ମାତ୍ର ୨ଟି ମ୍ୟାଚ୍ ଖେଳି ମୋହିତ ଶର୍ମା ଭଲ କରିଛନ୍ତି। ସ୍ପିନ୍ ବିଭାଗରେ ରସିଦ୍ ଖାନ୍ ଦଳର ନେତୃତ୍ବ ନେଉଛନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷରେ କିନ୍ତୁ ସଂଜୁ ସାମସନ୍ ତାଙ୍କୁ ଢେର ଧୂଲେଇ କରିଥିଲେ। ଗୁଜରାଟ ବ୍ୟାଟିଂରେ ଶୁବମନ ଗିଲ୍, ଡେଭିଡ୍ ମିଲର୍, ସାଇ ସୁଦର୍ଶନ ଭଲ କରୁଥିବାରୁ ଦଳ ଆଶାବାଦୀ ରହିଛି। ଗତ ଋତୁରେ ଉଭୟ ଥର ଲକ୍ଷ୍ନୌ ସୁପର୍ ଜାଏଣ୍ଟସକୁ ପରାସ୍ତ କରିଥିବାରୁ ଶନିବାର ନିଶ୍ଚିତ ସାମାନ୍ୟ ମନସ୍ତାତ୍ତ୍ବିକ ଫାଇଦାରେ ରହିବ ଟାଇଟନ୍ସ। ଦିନବେଳା ଏହି ମ୍ୟାଚ୍ ଖେଳାଯିବାକୁ ଥିବାରୁ କାକର ସମସ୍ୟା ରହିବ ନାହିଁ।
ପଞ୍ଜାବ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ନିଶ୍ଚିତ ଦାବିଦାର ରହିଛି। ଐତିହାସିକ ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଏହି ମୁକାବିଲାକୁ ଜିତି ରୋହିତ ଶର୍ମାଙ୍କ ଦଳ ଶୀର୍ଷ ୪ ଭିତରକୁ ପ୍ରବେଶ କରିବାକୁ ଚାହିଁବ। ପ୍ରଥମ ଦୁଇ ମ୍ୟାଚ୍ ହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ୩ ବିଜୟ ହାସଲ କରିଛି। ଗତ ୩ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଦଳ ହ୍ୟାଟ୍ରିକ୍ ବିଜୟ ପାଇଛି। ରୋହିତ ଶର୍ମା-ଈଶାନ କିଶନଙ୍କ ପ୍ରାରମ୍ଭିକ ଯୋଡ଼ି ଭଲ କରୁଥିବାରୁ ଦଳର ବ୍ୟାଟିଂ ବିସ୍ଫୋରଣ ପଞ୍ଜାବ ବୋଲରଙ୍କ ପାଇଁ ଚିନ୍ତାର କାରଣ ହେବ। ଦୁଇ ବିଦେଶୀ ଖେଳାଳି କାମେରନ୍ ଗ୍ରିନ୍ ଓ ଟିମ୍ ଡେଭିଡ୍ ଗତ ୩ ମ୍ୟାଚ୍ରେ ମଧ୍ୟ ଭଲ ଖେଳିଛନ୍ତି। କେବଳ ସୂର୍ଯ୍ୟକୁମାର ଯାଦବଙ୍କଠାରୁ ଗୋଟିଏ ଭଲ ପାଳିର ଆବଶ୍ୟକତା ରହିଛି, ଯାହା ତାଙ୍କ ମନୋବଳକୁ ବଢ଼ାଇବା ପାଇଁ ଯଥେଷ୍ଟ ହେବ। ଜୋଫ୍ରା ଆର୍ଚରଙ୍କ ପ୍ରତ୍ୟାବର୍ତନ ଆଶାରେ ରହିଛି ମୁମ୍ବାଇ। ଆହତ କାରଣରୁ ୨୦୨୨ରେ ଖେଳିପାରିନଥିବା ଏହି ଇଂଲିସ୍ ବୋଲର ଚଳିତ ଋତୁରେ ଗୋଟିଏ ମ୍ୟାଚ୍ ଖେଳିବା ପରଠାରୁ ପୁଣି ବାହାରେ ବସିଛନ୍ତି।
ବିଗତ ଦୁଇ ସପ୍ତାହ ବିଶ୍ରାମ ନେଇଥିବାରୁ ସେ ଭଲ ଅନୁଭବ କରୁଥିବା ଘୋଷଣା କରି ପଡ଼ିଆକୁ ଫେରିବାର ସଙ୍କେତ ଦେଇଛନ୍ତି। ସଚିନ ସୁପୁତ୍ର ଅର୍ଜୁନ ତେନ୍ଦୁଲକର ଗତ ମ୍ୟାଚ୍ରେ ଶେଷ ଓଭର ବୋଲିଂ କରି ୨୦ ରନ୍କୁ ଡିଫେଣ୍ଡ କରିପାରିଥିବାରୁ ଆତ୍ମବିଶ୍ବାସ ପାଇଛନ୍ତି। ଭୁବନେଶ୍ବର କୁମାରଙ୍କ ୱିକେଟ୍ ସହିତ ଆଇପିଏଲ୍ ୱିକେଟ୍ ଖାତା ଖୋଲିଛନ୍ତି। ଆର୍ଚର ଉପଲବ୍ଧ ନହେଲେ ଏହି ବାମହାତୀ ଦ୍ରୁତ ବୋଲର ନିଶ୍ଚିତ ପୁଣି ସୁଯୋଗ ପାଇବେ। ପଞ୍ଜାବ କିଙ୍ଗ୍ସ କିନ୍ତୁ ଏହାର ନିୟମିତ ଅଧିନାୟକ ଶିଖର ଧାୱନଙ୍କ ବିନା ଖେଳୁଥିବାରୁ ଚାପରେ ରହିଛି। ଧାୱନ ଖେଳିଥିବା ୪ ମ୍ୟାଚ୍ରୁ ୨୩୩ ରନ୍ ସଂଗ୍ରହ କରି ଏବେ ମଧ୍ୟ ଅଗ୍ରଣୀଙ୍କ ମଧ୍ୟରେ ରହିଛନ୍ତି। ଦଳ କିନ୍ତୁ ୬ରୁ ୩ ମ୍ୟାଚ୍ ହାରି ଚାପରେ ପଡ଼ିଛି। ପ୍ରଭସିମ୍ରନ ସିଂହ ଭଲ ଖେଳୁଥିଲେ ମଧ୍ୟ ୩ ଓଭରସିଜ୍ ଖେଳାଳି ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍, ମାଥ୍ୟୁ ସର୍ଟ, ସାମ କରନ୍ଙ୍କଠାରୁ ପ୍ରଭାବୀ ପାଳି ମିଳୁନଥିବାରୁ ପଞ୍ଜାବ କିଙ୍ଗ୍ସ ଅସ୍ଥିର ପ୍ରଦର୍ଶନ ଭିତରେ ରହିଛି। ଅର୍ଶଦୀପ ସିଂହ, କାଗିସୋ ରବାଦା, କାମଳଚା ଅଧିନାୟକ ସାମ କରନ୍ଙ୍କ ଉପରେ ନିର୍ଭର କରିବ ପଞ୍ଜାବ କିଙ୍ଗ୍ସ।