ଭୁବନେଶ୍ବର: ରବିବାର ଅନ୍ତର୍ଜାତୀୟ ଏଭେ‌ରେଷ୍ଟ୍ ଦିବସ। ଠିକ୍ ୬୯ ବର୍ଷ ତଳେ ଆଜିର ଦିନ (ମଇ ୨୯ ତାରିଖ, ୧୯୫୩) ରେ ସାର ଏଡମଣ୍ଡ୍ ହିଲାରି ଏବଂ ତେନଜିଂ ନର୍ଗେ ପ୍ରଥମ ଥର ପାଇଁ ମାଉଣ୍ଟ୍ ଏଭେରେଷ୍ଟ୍ ଆରୋହଣ କରି ଦୁଃସାହସିକ ପର୍ବତାରୋହଣର ଶୀ‌ର୍ଷ ସଫଳତା ପାଇଥିଲେ। ତେନଜିଂ ନର୍ଗେଙ୍କର ୨୦୦୮ ମସିହାରେ ଦେହାନ୍ତ ଘଟିଥିଲେ ମଧ୍ୟ ଏହି ଦିନଟିକୁ ଅନ୍ତର୍ଜାତୀୟ ଏଭେରେଷ୍ଟ୍ ଦିବସ ଭାବେ ପାଳନ କରାଯାଇଥାଏ। କୋଭିଡ୍‌-୧୯ ମହାମାରୀ ଏହି ଦୁଃସାହସିକ ଯାତ୍ରା ଏବଂ ଏଭେରେଷ୍ଟ୍ ମାରାଥନ୍ ଦୁଇ ବର୍ଷ ବନ୍ଦ ରହିବା ପରେ ଏଥର ସ୍ବାଭାବିକ ସ୍ତରକୁ ଆସିଛି। ଓଡ଼ିଶାର ପ୍ରଥମ ଆଇରନ୍‌ ମ୍ୟାନ୍‌ ସିଦ୍ଧାର୍ଥ ରାଉତରାୟ ମଧ୍ୟ ଏଭେରେଷ୍ଟ୍‌ ଆରୋହଣ କରି ରାଜ୍ୟର ବିରଳ କ୍ଲବ୍‌ରେ ନିଜ ନାମକୁ ସାମିଲ କରି ନେଇଛନ୍ତି।

Advertisment

ଏହି ଅବସରରେ ରାଜ୍ୟର ପ୍ରଥମ ପୁରୁଷ ଏଭ‌େରେଷ୍ଟ୍ ବିଜେତା ଗଣେଶ ଚନ୍ଦ୍ର ଜେନା ରାଜ୍ୟର ସମସ୍ତ ଏଭେରେଷ୍ଟ୍ ବିଜେତା, ଦୁଃସାହସିକ କ୍ରୀଡ଼ାବିତ୍‌ ଓ ଯୁବ ପର୍ବାତରୋହୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଣେଶ ମଧ୍ୟ ଚଳିତ ବର୍ଷ (୧୮ ମଇ) ନିଜର ଏଭେରେଷ୍ଟ୍ ବିଜୟର ଏକାଦଶ ବାର୍ଷିକୀ ଏବଂ ଏଭ‌େରେଷ୍ଟ ମାରାଥନର୍‌ ହେବାର ଅଷ୍ଟମ ବାର୍ଷିକୀ ପାଳନ କରିଛନ୍ତି। ୨୦୧୧ ମସିହାରେ ଏଭେରେଷ୍ଟ୍ ଆରୋହଣ କରିଥିବା ବେଳେ ୨୦୧୩ରେ ଏକମାତ୍ର ଭାରତୀୟ ଭାବେ ଏଭ‌େରେଷ୍ଟ୍ ମାରାଥନ୍‌ରେ ଭାଗ ନେଇଥିଲେ। ସୂଚନାଯୋଗ୍ୟ, ୨୦୧୯ରେ ଏଭେରେଷ୍ଟ୍ ବାଲକୋନିରେ ପ୍ରାଣ ହରାଇଥିବା କଳ୍ପନା ଦାଶ ଦୁଇ ଥର ଏଭେରେଷ୍ଟ ଅରୋହଣର ଗୌରବ ରଖିଛନ୍ତି। କଳ୍ପନା ଓ ଗଣେଶଙ୍କ ବାଦ୍‌ ଓଡ଼ିଶାର ଦେବୀଦତ୍ତ ପଣ୍ଡା, ଯୋଗବ୍ୟାସ ଭୋଇ, ଚେତନା ସାହୁ, ସ୍ବର୍ଣ୍ଣଲତା ଦଳାଇ, ସିଦ୍ଧାର୍ଥ ରାଉତରାୟ, ସ୍ବର୍ଗତ ପ୍ରଦୀପ ସାହୁ ଏହି ବିରଳ ଏଭ‌େରେଷ୍ଟ୍ ଆରୋହଣ ସଫଳ କ୍ଲବ୍‌ର ସଦସ୍ୟ ରହିଛନ୍ତି।