ଭାରତର ଐତିହାସିକ ଦିନିକିଆ ଆଜି: ରୋହିତ-ଈଶାନ ପାଳି ଆରମ୍ଭ କରିବେ

ଧାୱନ, ଗାଏକ୍ବାଡ, ଆୟର ନଖେଳିବା ଆଶଙ୍କା

ଅହମଦାବାଦ: ଦିନିକିଆ କ୍ରିକେଟ୍‌ ରଖିଛି ୫୧ ବର୍ଷର ଇତିହାସ। ଭାରତ ଏହିକ୍ରମରେ ରବିବାର ଖେଳିବ ନିଜ ୧୦୦୦ତମ ଦିନିକିଆ ଅନ୍ତର୍ଜାତୀୟ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ଭାରତୀୟ ଦଳ ପାଇଁ ଏହି ମାଇଲଖୁଣ୍ଟ ମୁହୂର୍ତ ନେଇ ଆସିଛି। ଏହି ଶୃଙ୍ଖଳା ମଧ୍ୟ ଭାରତର ନୂଆ ସୀମିତ ଓଭର ଅଧିନାୟକ ରୋହିତ ଶର୍ମାଙ୍କ ‌ନେତୃତ୍ବର ଶୁଭାରମ୍ଭ କରିବ। ରୋହିତ ଏବଂ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ଯୁଗର ମଧ୍ୟ ମୂଳଦୁଆ ପକାଇବ। ଆୟୋଜକ ଭାରତ ମଧ୍ୟ ୨୦୨୩ ବିଶ୍ବକପ୍‌ ପ୍ରସ୍ତୁତି ପର୍ବ ଆରମ୍ଭ କରିବ। କ୍ରିକେଟିଂ ଦୃଷ୍ଟି କୋଣରୁ ଦେଖିଲେ ଅସ୍ଥିର ସମୟ ‌ଦେଇ ଗତି କରୁଥିବା ଭାରତ ଯଦି ନିଜର ମଧ୍ୟକ୍ରମ ବିଫଳତାକୁ ଦୂର କରିପାରିବ ତେବେ ଲୟକୁ ଫେରିବ ବୋଲି କ୍ରିକେଟ୍ ବିଶାରଦମାନେ ଆଶା କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଉଭୟ ଟେଷ୍ଟ୍‌ ଓ ଦିନିକିଆ ଶୃଙ୍ଖଳା ପରାଜୟ ପରେ ରାହୁଲ ଦ୍ରାବିଡ଼ ମଧ୍ୟ ବିଜୟଧାରାକୁ ଫେରିବା ନେଇ ଆଶାବାଦୀ ରହିଛନ୍ତି।

ରବିବାର ମ୍ୟାଚ୍‌ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ସୂଚନା ଦେଇଛନ୍ତି ଯେ ଈଶାନ କିଶନଙ୍କ ସହ ସେ ପାଳି ଆରମ୍ଭ କରିବେ। ବିଳମ୍ବରେ ସାମିଲ ହୋଇଥିବା ମୟଙ୍କ ଅଗ୍ରୱାଲ୍‌ଙ୍କ ସଙ୍ଗରୋଧ ଅବଧି ଶେଷ ହୋଇନାହିଁ। ଶିଖର ଧାୱନ କୋଭିଡ୍‌ ସଂକ୍ରମିତ ଥିବାରୁ ଈଶାନ ଏକମାତ୍ର ବିକଳ୍ପ ରହିଛନ୍ତି ବୋଲି ରୋହିତ କହିଛନ୍ତି। ସେହିଭଳି ଧାୱନଙ୍କ ସହ ଋତୁରାଜ ଗାଏକ୍ବାଡ ଏବଂ ଶ୍ରେୟସ ଆୟରଙ୍କ ସଙ୍ଗରୋଧ ମଧ୍ୟ ଶେଷ ହୋଇନଥିବାରୁ ଏ ତିନିହେଁ ସମ୍ପୂର୍ଣ୍ଣ ଶୃଙ୍ଖଳାରୁ ବଞ୍ଚିତ ହେବା ଆଶଙ୍କା ରହିଛି। ଏ ତିନିଜଣଙ୍କ ଉପଲବ୍‌ଧ ସମ୍ପର୍କରେ ମଧ୍ୟ ରୋହିତ କିଛି ଜାଣିନଥିବା କହିଥିଲେ। କୋଭିଡ୍‌ରୁ ମୁକ୍ତି ପାଇଁ କେବେ କେବେ ୭-୮ ଦିନ ତ କେବେ ୧୪ ଦିନ ଲାଗିଯାଉଛି ବୋଲି ରୋହିତ କହିଥିଲେ। କେଏଲ୍‌ ରାହୁଲ ବିଶ୍ରାମରେ ଥିବାରୁ ଦ୍ବିତୀୟ ମ୍ୟାଚ୍‌ରୁ ଖେଳିବେ। ବିନା ଅଧିନାୟକତ୍ବରେ ବିରାଟ କୋହଲି ଚାପମୁକ୍ତ ହୋଇ ଭଲ ଖେଳିବେ ବୋଲି ତାଙ୍କ ପ୍ରଶଂସକମା‌ନେ ଆଶା ରଖିଛନ୍ତି। ମଧ୍ୟକ୍ରମରେ ଭେଙ୍କଟେଶ ଆୟରଙ୍କୁ ସୁଯୋଗ ମିଳିଥିଲେ ମଧ୍ୟ ସେ ବିଫଳ ହୋଇଥିବାରୁ ଏବେ ତାଙ୍କୁ ନେଇ ଆଶଙ୍କା ରହିଛି। ବୋଲିଂ ବିଭାଗରେ କିନ୍ତୁ ଭାରତ ପୁଣି କୁଲଚା (କୁଲଦୀପ ଯାଦବ-ୟୁଝବେନ୍ଦ୍ର ଚହଲ)ଙ୍କ ସମନ୍ବୟକୁ ଫେରିବ ବୋଲି ରୋହିତ ଶର୍ମା ସୂଚନା ଦେଇଛନ୍ତି। ପେସ୍‌ ବୋଲିଂ ବିଭାଗରେ ଯଶପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିଙ୍କ ଉପ‌ରେ ଭରସା ରହିବ। ପଲଘର ଏକ୍ସପ୍ରେସ୍‌ ଶାର୍ଦୁଳ ଠାକୁରଙ୍କ ନେତୃତ୍ବରେ ମହମ୍ମଦ ସିରାଜ, ଦୀପକ ଚହର, ପ୍ରସିଦ୍ଧ କୃଷ୍ଣ ଓ ଅଭେସ ଖାନ୍‌ ସୁଯୋଗ ହାତେଇବା ଅପେକ୍ଷାରେ ରହିଛନ୍ତି। ୨୦୨୩ରେ ଭାରତରେ ଦିନିକିଆ ବିଶ୍ବକପ୍‌ ଥିବାରୁ ଏମାନଙ୍କ ଭିତରୁ କିଏ ପ୍ରଭାବ ଛାଡୁଛି ଦେଖିବାର ଅଛି।

ଅନ୍ୟପକ୍ଷରେ କିରଣ ପୋଲାର୍ଡଙ୍କ ଦଳ କିନ୍ତୁ ଭାରତର ଦୁର୍ବଳ ଦିଗକୁ ନଜରରେ ରଖି ଫାଇଦା ନେବା ଆଶାରେ ରହିଛି। ଭ୍ରମଣକାରୀ ଦଳର ଦୁଇ ଅଭିଜ୍ଞ ଖେଳାଳି କିରଣ ପୋଲାର୍ଡ ଏବଂ ଜାସନ୍ ହୋଲଡର ଫରକ ପକାଇପାରନ୍ତି। କେମାର ରୋଚ, ଜାସନ୍ ହୋଲଡର୍‌ ଓ ଓଡିନ୍‌ ସ୍ମିଥ୍‌ଙ୍କ ପେସ୍‌ ଭାରତୀୟଙ୍କୁ ଅଡୁଆରେ ପକାଇବା ଆଶଙ୍କା ରହିଛି। ଦଳର ସ୍ପିନ୍‌ ବିଭାଗ ଅକିଲ ହୋସେନ୍‌ ଓ ‌ହେଡେନ୍‌ ୱାଲ୍ସ ଜୁନିୟର୍‌ଙ୍କ ଉପରେ ରହିବ।

ନିରାଶାର ଦୁଇ ବର୍ଷ
କୋଭିଡ୍ ପାଇଁ ଖୁବ୍ କମ୍ କ୍ରିକେଟ୍‌ ଖେଳାଯାଇଛି। ଭାରତୀୟ ଦଳ କିନ୍ତୁ ଏହି ଦୁଇ ବର୍ଷ ଅତ୍ୟନ୍ତ ଖରାପ ‌ଖେଳିଛି। ୨୦୨୦ ପ୍ରାରମ୍ଭ ପରଠାରୁ ଦଳ ଖେଳିଥିବା ୧୫ ଦିନିକିଆରୁ ୫ ଜିତି ୧୦ ହାରିଛି। ଏହି କାରଣରୁ ଆଇସିସି ମାନ୍ୟତାରେ ମଧ୍ୟ ଦଳ ଏବେ ଚତୁର୍ଥ ସ୍ଥାନକୁ ଖସିଯାଇଛି। ‌ତେଣୁ ରୋହିତ-ଦ୍ରାବିଡ଼ଙ୍କ ଯୁଗ ଏହି ଶୃଙ୍ଖଳାରୁ ନୂଆ ଯୁଗର ଶୁଭାରମ୍ଭ କରିବେ ବୋଲି ବିଶ୍ବାସ ରହିଛି। ୱେଷ୍ଟଇଣ୍ଡିଜ୍ ମଧ୍ୟ ଦିନିକିଆରେ ‌ଖରାପ ଖେଳିଛି। ଆୟର୍ଲାଣ୍ଡ ନିକଟରୁ ଶୃଙ୍ଖଳା ହାରିବା ସହ ବିଶ୍ବକପ୍‌ ସୁପର୍ ଲିଗ୍‌ରେ ୧୨ରୁ ୫ଟି ଜିତି ଏବେ ଆଇସିସି ମାନ୍ୟତାରେ ସପ୍ତମ ସ୍ଥାନରେ ରହିଛି।‌ ତେବେ ଭାରତ ଗସ୍ତ ପୂର୍ବରୁ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତି ଆତ୍ମବିଶ୍ବାସରେ ରହିଛି।

ଲାଲ୍‌ ଓ କଳା ମାଟି ପିଚ୍‌
ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ରହିଛି ୬ଟି ଲାଲ୍ ମାଟି ଓ ୫ଟି କଳା ମାଟିର ପିଚ୍‌। ଗତବର୍ଷ ଏଠାରେ ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଉଭୟ ପ୍ରକାର ପିଚ୍‌ରେ ଖେଳାଯାଇଥିଲା। ଏହା ବ୍ୟତୀତ ଗୋଟିଏ ଘାସୁଆ ପିଚ୍‌ ମଧ୍ୟ ଘୋଡ଼ା ହୋଇ ରହିଛି, ଯାହା ସିମରଙ୍କୁ ସୁହାଇବ। ଏହି ଶୃଙ୍ଖଳା ଲାଗି କେଉଁ ପିଚ୍‌ ବ୍ୟବହାର କରାଯିବ ସ୍ପଷ୍ଟ ହୋଇନାହିଁ।

ଭାରତୀୟ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ବିରାଟ କୋହଲି, ଋଷଭ ପନ୍ତ୍‌ (ୱିକେଟରକ୍ଷକ), ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ୱାସିଂଟନ୍ ସୁନ୍ଦର, ଦୀପକ ଚହର, ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ, ପ୍ରସିଦ୍ଧ କୃଷ୍ଣ।

ୱେଷ୍ଟଇଣ୍ଡିଜ୍ ସମ୍ଭାବ୍ୟ ଏକାଦଶ: ବ୍ରେଣ୍ଡନ୍ କିଙ୍ଗ୍‌, ସାଇ ହୋପ୍‌ (ୱିକେଟରକ୍ଷକ), ଡାରେନ୍ ବ୍ରାଭୋ, ସାମରା ବ୍ରୁକ୍ସ, ନିକୋଲାସ ପୂରନ୍‌, କିରଣ ପୋଲାର୍ଡ (ଅଧିନାୟକ), ଜାସନ୍ ହୋଲଡର୍‌, ‌ହେଡେନ୍ ୱାଲ୍ସ ଜୁନିୟର୍‌, ଅକିଲ ‌ହୋସେନ୍‌, କେମାର ରୋଚ୍‌, ଅଲଜାରି ଯୋସେଫ/ଓଡ଼ିନ୍ ସ୍ମିଥ୍‌।

ସମ୍ପୂର୍ଣ୍ଣ ଦେଶ ଗର୍ବିତ ହେବା ଉଚିତ: ସଚିନ
ବିଶ୍ବର ପ୍ରଥମ ଦେଶ ଭାବେ ୧୦୦୦ତମ ଦିନିକିଆ ଖେଳିବାକୁ ଯାଉଛି ଭାରତ। ଏହି ବିରଳ କୃତିତ୍ବ ସମ୍ପୂର୍ଣ୍ଣ ଦେଶବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏଥି ପାଇଁ ସମ୍ପୂର୍ଣ୍ଣ ଦେଶ ଗର୍ବିତ ହେବା ଉଚିତ୍ ବୋଲି କହିଛନ୍ତି କିଂବଦନ୍ତି ବ୍ୟାଟର୍‌ ସଚିନ ତେନ୍ଦୁଲକର। ବିଶ୍ବର ସର୍ବାଧିକ ୪୬୩ ଦିନିକିଆ ଖେଳିଥିବା ସଚିନ ମଧ୍ୟ ଦେଶର ୨୦୦ତମ, ୩୦୦ତମ, ୪୦୦ତମ, ୫୦୦ତମ, ୬୦୦ତମ, ୭୦୦ତମ, ୮୦୦ତମ ମ୍ୟାଚ୍‌ର ଅଂଶବି‌ଶେଷ ଥିଲେ। ‘ଭାରତ ୧୦୦୦ତମ ଦିନିକିଆ ଖେଳିବା ଏକ ବଡ଼ ଉପଲବ୍‌ଧି, ୧୯୭୪ରେ ପ୍ରଥମ ଦିନିକିଆ ଖେଳିଥିଲା ଦେଶ ଏବେ ୨୦୨୨ରେ ୧୦୦୦ତମ। ଅତୀତର କ୍ରିକେଟର୍ ମାନଙ୍କ ପାଇଁ ଏହା ସମ୍ଭବ ‌‌ହୋଇଛି। ଦଳର ଶୁଭେଛୁମାନଙ୍କୁ ମଧ୍ୟ ଶ୍ରେୟ ଯିବ ବୋଲି ସଚିନ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ଦୀର୍ଘ ୨୪ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିବା ସଚିନଙ୍କ ପଦାର୍ପଣଠାରୁ ଅବସର ଭିତରେ ଭାରତ ୬୩୮ ମ୍ୟାଚ୍‌ ଖେଳିଥିଲା। ୧୯୮୯ରେ ପାକିସ୍ତାନ ବିପକ୍ଷରେ ସଚିନ ପଦାର୍ପଣ କରିଥିବା ବେଳେ ଏହା ଭାରତର ୧୬୬ତମ ଦିନିକିଆ ଥିଲା ଏବଂ ୨୦୧୨ରେ ପାକିସ୍ତାନ ବିପକ୍ଷ ଅବସର ବେଳକୁ ଦେଶର ୮୦୪ତମ ଦିନିକିଆ ମ୍ୟାଚ୍‌ ଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ୧୯୭୧ ମସିହାରୁ ଦିନିକିଆ କ୍ରିକେଟ୍‌ ଜନ୍ମ ନେଇଥିଲେ ମଧ୍ୟ ଭାରତ ୧୯୭୪ ଜୁଲାଇ ୧୩ରେ ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର