ଆଜି ଅନ୍ତର୍ଜାତୀୟ ମହିଳା ଦିବସ: ମଇଦାନରେ ମହକ

ଭୁବନେଶ୍ବର: ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଏବଂ ନିରନ୍ତର ଉତ୍ଥାନ ପତନ ଭରା ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡ଼ା ଦୃଶ୍ୟପଟ୍ଟରେ ଅନେକ ଓଡ଼ିଆ ମହିଳା ନିଜ ଅଭୁଲା ଓ ଅନନ୍ୟ ଛାପ ଛାଡ଼ିଛନ୍ତି। ଅସାଧାରଣ ପ୍ରତିଭା ତଥା କେବେବି ହାର ନମାନିବାର ଦୃଢ଼ ମନୋବଳ ପାଇଁ ଦୌଡ଼ରାଣୀ ଦୂତି ଚାନ୍ଦଙ୍କଠାରୁ ଆରମ୍ଭ କରି ସ୍ନୋ ଗାର୍ଲ ରଞ୍ଜିତା ବେହେରା ପର୍ଯ୍ୟନ୍ତ, ଏହି ଅଖ୍ୟାତ ପଲ୍ଲୀର ବିଖ୍ୟାତ ତାରକାମାନେ ମହିଳା ସଶକ୍ତିକରଣର ବଳିଷ୍ଠ ଉଦାହରଣ ପାଲଟିଛନ୍ତି।

ମହିଳା ଫୁଟବଲ୍‌ରେ ଗୀତାଞ୍ଜଳି ଓ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଦୌଡ଼କୁଦରେ ଆନନ୍ଦିନୀ ଦର୍ଜି, ରଚିତା ମିସ୍ତ୍ରୀ, ଅନୁରାଧା ବିଶ୍ବାଳ, ଶ୍ରାବଣୀ ନନ୍ଦ, ଜଉନା ମୁର୍ମୁ, ପୂର୍ଣ୍ଣିମା ହେମ୍ବ୍ରମ୍ ହୁଅନ୍ତୁ ଅଥବା ବନ୍ଧୁକ ଚାଳନାରେ ଶ୍ରୀୟଙ୍କା ଷଡ଼ଙ୍ଗୀ କିମ୍ବା ସାଇକ୍ଲିଂରେ ମିନତି ମହାପାତ୍ର ଓ ପର୍ବତାରୋହଣରେ ଦିବଂଗତ କଳ୍ପନା ଦାସ, ଏମାନେ ସମସ୍ତେ ଆଗାମୀ ପିଢ଼ି ପାଇଁ କ୍ରୀଡ଼ା ସଫଳତାର ମହନୀୟ ଇତିହାସ ରଚନା କରିଛନ୍ତି। କେବଳ ଭାରତ ନୁହେଁ, ବିଶ୍ବ ହକିରେ ଓଡ଼ିଶା ମହିଳାଙ୍କ ସ୍ଥାନ ବି ନିଶ୍ଚିତ ଭାବେ ସ୍ବତନ୍ତ୍ର ଓ ସମ୍ମାନସ୍ପଦ। ଗ୍ଲୋରିଆ ଡୁଙ୍ଗଡୁଙ୍ଗ, ଜ୍ୟୋତି ସୁନିତା କୁଲୁ, ସୁଭଦ୍ରା ପ୍ରଧାନ, ନମିତା ଟପ୍ପା, ସୁନିତା ଲାକ୍ରା, ଦୀପଗ୍ରେସ୍ ଏକ୍କା, ଏଭଳି ଅଗଣିତ ଓଡ଼ିଆ ମହିଳା ହକି ଟର୍ଫରେ ଟାଣୁଆ ପ୍ରଦର୍ଶନ ଦେଇ କୋଟି କୋଟି ମହିଳାଙ୍କ ପାଇଁ ‌ପ୍ରେରଣାର ଉତ୍ସ ପାଲଟିଛନ୍ତି। କ୍ରିକେଟ୍ ପଡ଼ିଆରେ ବି ଓଡ଼ିଶା ମହିଳାଙ୍କ ସଫଳତା ଧାରା କିଛି କମ୍ ନୁହେଁ। ମାଧୁରୀ ମେହଟା, ରୋସନାରା ପରବିନ, ସ୍ବାଗତିକା ରଥ, ସୁଶ୍ରୀ ଦିବ୍ୟଦର୍ଶିନୀ, ସରିତା ମେହରଙ୍କ ଭଳି ଖେଳାଳି କ୍ରିକେଟ୍ ପଡ଼ିଆରେ ନିଜ କମାଲ ଦେଖାଇଛନ୍ତି। ଚେସ୍ ଭଳି ଚତୁରତା ସଂପନ୍ନ ଖେଳରେ ପଦ୍ମିନୀ ରାଉତ ଓ କିରଣ ମନୀଷା ମହାନ୍ତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। କବାଡ଼ି ଭଳି ପାରମ୍ପରିକ ସହ କରାଟେ, ରଗ୍‌ବି ଭଳି ବିଦେଶାଗତ ଖେଳରେ ବି ଓଡ଼ିଶା ମହିଳା ‌‌ଢେର ସଫଳତା ସାଉଣ୍ଟିଛନ୍ତି।

ଏମାନେ କେବଳ କ୍ରୀଡ଼ାଜଗତ ନୁହେଁ, ସାଧାରଣ ଜୀବନରେ ମଧ୍ୟ ସଫଳତାର ଶିଖର ଛୁଇଁଛନ୍ତି। ଓଡ଼ିଶା କ୍ରୀଡ଼ାପ୍ରତି ଦେଇଥିବା ଅତୁଳନୀୟ ଅବଦାନ ଲାଗି ଏହି ମହାନ ମହିଳା କ୍ରୀଡ଼ା ତାରକାମାନଙ୍କୁ ସଲାମ କରିବାର ଶୁଭଦିବସ ସୋମବାରର ‘ଅନ୍ତର୍ଜାତୀୟ ମହିଳା ଦିବସ’ଠାରୁ ଆଉ କିଛି ହୋଇନପାରେ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ ସମଗ୍ର ମହିଳା ସମାଜକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ସ୍ବପ୍ନକୁ ଚାପି ନରଖି ଆଗକୁ ବଢ଼ି ଏହାକୁ ସାକାର କରିବାର ଭରପୁର ପ୍ରୟାସ କରିବାକୁ ଆହ୍ବାନ କରିଛନ୍ତି। ‘‘ଦୃଢ଼ ଇଚ୍ଛା ଶକ୍ତିରଖିଲେ ନାରୀ କିଛି ବି କରିପାରେ। ସାଧାରଣ ଜୀବନ ହେଉକି ଖେଳ ପଡ଼ିଆ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିପାରେ। ଓଡ଼ିଶା ଏବେ ଦେଶର କ୍ରୀଡ଼ା କ୍ୟାପିଟାଲ ପାଲଟିଛି। ଆଇଡବ୍ଲ୍ୟୁଏଲ୍‌ଠାରୁ ଆରମ୍ଭ କରି ହକି ବିଶ୍ବକପ୍ ପର୍ଯ୍ୟନ୍ତ ବହୁ ବିଶ୍ବସ୍ତରୀୟ ପ୍ରତିଯୋଗିତା ଏଠାରେ ଆୟୋଜିତ ହେଉଛି। ଏଣୁ କଠିନ ପରିଶ୍ରମ ବଳରେ ଆମ ରାଜ୍ୟର ଝିଅମାନେ ମଧ୍ୟ ସାନିଆ ମିର୍ଜା, ସାଇନା ନେହୱାଲଙ୍କ ଭଳି ଜଣେ ଜଣେ ମହାନ ଖେଳାଳି ହୋଇ ପାରିବେ’’ ବୋଲି ଅନୁରାଧା କହିଛନ୍ତି। ସେହିଭଳି ଓଡ଼ିଶା ମହିଳା ଫୁଟ୍‌ବଲ୍ ଦଳର ପ୍ରଥମ ଅଧିନାୟିକା ଗୀତାଞ୍ଜଳି ସାମନ୍ତରାୟ କହିଛନ୍ତି ଯେ କଠିନ ପରିଶ୍ରମର ବିକଳ୍ପ ନାହିଁ। ଏକାଗ୍ରତାର ସହ କଠିନ ପରିଶ୍ରମ କଲେ ମହିଳାମାନେ କାହାଠାରୁ ଓ କେବେବି ପଛରେ ପଡ଼ିବେ ନାହିଁ।

ଜଣେ କ୍ରୀଡ଼ାବିତ୍ ଭାବେ ଓଡ଼ିଶାରେ ମହିଳା କ୍ରୀଡ଼ାର ସ୍ଥିତିକୁ ନେଇ ମୁଁ ବହୁତ ଖୁସି। ଆମ ବେଳେ ଆଜିଭଳି ସୁବିଧା ସୁଯୋଗ ନଥିଲା, ତଥାପି ଗତ ୨୦ ବର୍ଷ ଭିତରେ ମହିଳା ଫୁଟ୍‌ବଲ୍‌ରେ ଓଡ଼ିଶା ଯେଉଁ ସଫଳତା ପାଇଛି, ତାକୁ ନେଇ ମୁଁ ଗର୍ବିତ। ଅବିଭାବକମାନେ ନିଜ ଭାବନାରେ ପରିବର୍ତ୍ତନ ଆଣି ଝିଅପିଲାମାନଙ୍କୁ ମଧ୍ୟ କ୍ରୀଡ଼ା କ୍ଷେତ୍ରକୁ ଛାଡ଼ନ୍ତୁ। ମହିଳାଙ୍କୁ କେବଳ କ୍ରୀଡ଼ା କ୍ଷେତ୍ର ନୁହେଁ ସବୁ କ୍ଷେତ୍ରରେ ସମାନ ସୁଯୋଗ ମିଳୁ, ମୋର ଏତିକି କାମନା। ଓଡ଼ିଶାର ଅନ୍ତର୍ଜାତୀୟ ମହିଳା କ୍ରିକେଟର ମାଧୁରୀ ମେହଟା ମିତାଲି ରାଜ, ହରମନପ୍ରୀତ କୌର କିମ୍ବା ରାଜ୍ୟର ସଫଳ ମହିଳା କ୍ରିକେଟ୍ ତାରକାଙ୍କୁ ଆଦର୍ଶ କରି ଭାରତ ପାଇଁ ଖେଳିବାର ସ୍ବପ୍ନ ଦେଖିବାକୁ ଆହ୍ବାନ କରିଛନ୍ତି। ସେହିଭଳି କଠିନ ପରିଶ୍ରମ କରିବା ସହ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିବାକୁ ପରାମର୍ଶ ଦେଇଛନ୍ତି।

ଓଡ଼ିଶାରେ ମହିଳା କ୍ରିକେଟ୍‌ର ସାଂପ୍ରତିକ ସ୍ଥିତିକୁ ନେଇ ଖୁସି ଜାହିର କରିବା ସହ ଆଗକୁ ଓଡ଼ିଶା ଏହି କ୍ଷେତ୍ରରେ ଆହୁରି ଉନ୍ନତି କରିବ ବୋଲି ଦୃଢ଼ ଆଶା ‌ପୋଷଣ କରିଛନ୍ତି ସେ। ଅବିଭାବକମାନେ ନିଜ ଝିଅମାନଙ୍କୁ ଖେଳିବାର ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି ମାଧୁରୀ। ଦୌଡ଼କୁଦ ତାରକା ତଥା ଅଲିମ୍ପିକ୍ସ ଆଶାୟୀ ଜଉନା ମୁର୍ମୁ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଓ ଶୁଭକମନା ଜଣାଇ ବଡ଼ ସ୍ବପ୍ନ ଦେଖି ଏହାକୁ ଅନୁସରଣ କରିବାକୁ ରାଜ୍ୟର ସମସ୍ତ ମହିଳାମାନଙ୍କୁ ଆହ୍ବାନ କରିଛନ୍ତି। କେବଳ ଖେଳ ନୁହେଁ ଶୃଙ୍ଖଳା ଏବଂ ଏକାଗ୍ରତାର ମହତ୍ବ ଜୀବନର ପ୍ରତିଟି ମୁହୂର୍ତରେ ରହିଛି। ଲକ୍ଷ୍ୟ ରଖି ଏହାକୁ ସାଧନ କରିବା ଲାଗି ନିରନ୍ତର ତପସ୍ୟା କରିବା ହିଁ ଜଣେ ସଫଳ ବ୍ୟକ୍ତିର ପ୍ରମୁଖ ଗୁଣ। ଏଣୁ ଲକ୍ଷ୍ୟପଥରୁ ବିଚ୍ୟୁତ ନହୋଇ ଏହାକୁ ହାସଲ କରିବା ଲାଗି ସବୁବେଳେ ପ୍ରୟାସ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଆଗକୁ ଓଡ଼ିଶାରୁ ଆହୁରି ଅନେକ ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ, ପୂର୍ଣ୍ଣିମା ହେମ୍ବ୍ରମ୍ ଓ ଜଉନା ମୁର୍ମୁ ସୃଷ୍ଟି ହୁଅନ୍ତୁ ବୋଲି ସେ ଏହି ଅବସରରେ ଆଶା ପୋଷଣ କରିଛନ୍ତି। ଭାରତୀୟ ଫୁଟବଲ୍ ଦଳର ପୂର୍ବତନ ଅଧିନାୟିକା ତଥା ଓଡ଼ିଶା ମହିଳା ଫୁଟବଲ୍‌ର ମେରୁଦଣ୍ଡ ଭାବେ ପରିଚିତ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ମହିଳା ସଶକ୍ତିକରଣ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନେଉଥିବା‌ ବିଭିନ୍ନ ପଦକ୍ଷେପକୁ ସ୍ବାଗତ କରିଛନ୍ତି।

ମହିଳା ଦିବସର ଶୁଭେଚ୍ଛା ଓ ଶୁଭକାମନା ଜଣାଇ ସେ କହିଛନ୍ତି ଯେ ସଂପ୍ରତି ସମୟ ବଦଳିଯାଇଛି। ମହିଳାମାନେ ଆଜି ସବୁ କ୍ଷେତ୍ରରେ ସଫଳ। ଶିକ୍ଷା, ସ୍ବାସ୍ଥ୍ୟ ଓ ସେନା ବାହିନୀଠାରୁ ଆରମ୍ଭ କରି ଅନ୍ତରିକ୍ଷ ବିଜ୍ଞାନ ପର୍ଯ୍ୟନ୍ତ ଆଜି ସେମାନେ ସବୁକ୍ଷେତ୍ରରେ ସଫଳ ଓ ସବଳ। ଜଣେ କ୍ରୀଡ଼ାବିତ୍‌ଭାବେ ରାଜ୍ୟର ସାଂପ୍ରତିକ କ୍ରୀଡ଼ା ଅଭ୍ୟୁଦୟ ନେଇ ବେଶ୍ ଖୁସିଥିବା ସେ ପ୍ରକାଶ କରିଛନ୍ତି। ନାରୀ ସୁରକ୍ଷାକୁ ଅଗ୍ରା‌ଧିକାର ଦେବାକୁ ଆହ୍ବାନ କରି କ୍ରୀଡ଼ାକ୍ଷେତ୍ରକୁ ଦେଉଥିବା ଗୁରୁତ୍ବ ଲାଗି ରାଜ୍ୟସରକାରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଶଂସା କରିଛନ୍ତି।

ଓଡ଼ିଶାର ପ୍ରଥମ ଅର୍ଜୁନ ପୁରସ୍କାର ବିଜୟିନୀ ତଥା ପୂର୍ବତନ ଅନ୍ତର୍ଜାତୀୟ ସାଇକ୍ଲିଷ୍ଟ ମିନତି ମହାପାତ୍ର ଅନ୍ତର୍ଜାତୀୟ ମହିଳା ଦିବସର ଠିକ୍ ପୂର୍ବରୁ ୫୦ବର୍ଷ ତଳର ବ୍ୟକ୍ତିଗତ ସଂଘର୍ଷକୁ ମନେ ପକାଇଛନ୍ତି। ସମୟ ବଦଳିବା ସହ ସମାଜରେ ନାରୀର ସ୍ଥିତି ଓ ସମ୍ମାନ ବଢ଼ିବା ନେଇ ଖୁସି ଜାହିର କରିଛନ୍ତି। ଆଜିର ନାରୀ କୌଣସି ଗୁଣରେ କମ୍ ନୁହେଁ ବୋଲି ମତ ଦେବା ସହ ସୁଯୋଗ ମିଳିଲେ ନାରୀ କିଛି ବି କରି ପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଆଜିକାର ନାରୀ ପୁରୁଷଙ୍କ ସହ ତାଳ ଦେଇ ଆଗେଇ ଚାଲିଛି। ମୁଁ ସେମାନଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ସଫଳତାର ଶୀର୍ଷ ଛୁଅନ୍ତୁ ବୋଲି ଆଶା କରୁଛି। ଦୃଢ଼ ଇଚ୍ଛାଶକ୍ତି ଏବଂ ସମାଜର ସମର୍ଥନ ବଳରେ ନାରୀ ଆକାଶ ଛୁଇଁପାରିବ। ଓଡ଼ିଶା ଓ ଭାରତର ଭବିଷ୍ୟତ ନାରୀ ଶକ୍ତିର ସଫଳତା ଉପରେ ନିର୍ଭରଶୀଳ ରହିବ।

 

ସମ୍ବନ୍ଧିତ ଖବର