ମୁମ୍ବାଇ : ଆଇପିଏଲ୍‌ ଇତିହାସର ୧୦୦୦ତମ ମ୍ୟାଚ୍‌ ରବିବାର ରାତିରେ ମୁମ୍ବାଇସ୍ଥିତ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ରେ ମୁହାଁମୁହିଁ ହେବେ ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ପ୍ରଥମ ସଂସ୍କରଣ ବିଜେତା ରାଜସ୍ଥାନ ରୟାଲ୍ସ। ଏହି ଐତିହାସିକ ୧୦୦୦ତମ ମ୍ୟାଚ୍‌କୁ ସ୍ମରଣୀୟ ରଖିବାକୁ ବିସିସିଆଇ ମଧ୍ୟ ଏକ ଛୋଟିଆ ଉତ୍ସବ ପାଳନ କରିବାର ଯୋଜନା କରିଛି।

Advertisment

ଲଲିତ ମୋଦିଙ୍କ ମାନସ ସନ୍ତାନ ଥିବା ଏହି ଟ୍ବେଣ୍ଟି-୨୦ ଧନି ଲିଗ୍‌ ୧୫ ବର୍ଷ ତ‌ଳେ ୨୦୦୮ ମସିହାରେ ଆରମ୍ଭ ହୋଇଥିଲା। ‘‘ଉତ୍ସବ ପାଳନ କରିବା ପାଇଁ ବିସିସିଆଇ ଏକ ଛୋଟ କାର୍ଯ୍ୟକ୍ରମର ଆୟୋଜନ କରିଛି। ସ୍ୱେଚ୍ଛାସେବୀମାନେ ୧୦୦୦ତମ ଆଇପିଏଲ ମ୍ୟାଚ୍ ପତାକା, ଧନ୍ୟବାଦ ପତାକା ଏବଂ ଭାରତୀୟ ଜାତୀୟ ପତାକା ଧରିବେ। ପୂରା ଉତ୍ସବ ୧୦ରୁ ୧୫ ମିନିଟ୍‌ ମଧ୍ୟରେ ସୀମିତ ରହିବ। ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ଭାଷ୍ୟକାର ରବି ଶାସ୍ତ୍ରୀ ଉପସ୍ଥିତ ଦର୍ଶକଙ୍କୁ ସମ୍ବୋଧିତ କରିବେ। ଆଇପିଏଲ୍‌ ବିଷୟରେ କହୁଥିବା କିଛି ଖେଳାଳିଙ୍କ ଭିଡିଓ ପ୍ରସାରଣ କରାଯିବ। ଏହାପରେ ବିସିସିଆଇ ଅଧିକାରୀମାନେ ଦୁଇ ଦଳର ଅଧିନାୟକ (ରେହିତ ଶର୍ମା ଓ ସଂଜୁ ସାମସନ)ଙ୍କୁ ସ୍ବାରକୀ ପ୍ରଦାନ କରିବେ। ଶେଷରେ ଜାତୀୟ ସଂଗୀତ ଗାନ କରାଯିବ। ଏହି ସମସ୍ତ କାର୍ଯ୍ୟକ୍ରମ ମ୍ୟାଚ୍‌ ପୂର୍ବରୁ ଆୟୋଜନ କରାଯିବ’’ ବୋଲି ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।