ସେହି ବର୍ଷ ଆଜିର ତାରିଖ, ୱର୍ନ ପକାଇଥିଲେ ଶତାବ୍ଦୀର ଶ୍ରେଷ୍ଠ ବଲ୍

ୱର୍ନଙ୍କୁ ଲୁଚେଇ ରଖିବାକୁ ଚାହୁଁଥିଲି: ବର୍ଡର

ସିଡ୍‌ନି: ଆଜିକୁ ଠିକ୍ ୨୭ ବର୍ଷ ତଳେ ଅଷ୍ଟ୍ରେଲୀୟ ଲେଗ୍ ସ୍ପିନର ସେନ୍ ୱର୍ନ ଏକ ଅବିଶ୍ବସନୀୟ ବଲ୍ ପକାଇଥିଲେ। ଯାହାକୁ ସେତେବେଳେ ଶତାବ୍ଦୀର ଶ୍ରେଷ୍ଠ ବଲ୍ ମାନ୍ୟତା ମିଳିଥିଲା। ୱର୍ନ ୧୯୯୨ ମସିହା ଜାନୁଆରି ମାସରେ ଭାରତ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ୍‌‌ରେ ପଦାର୍ପଣ କରିଥିଲେ। ୧୯୯୩ ମସିହାରେ ଇଂଲଣ୍ଡ ବିପକ୍ଷରେ ଜୀବନର ପ୍ରଥମ ଆସେସ୍ ଶୃଙ୍ଖଳା ଖେଳିଲା ବେ‌ଳକୁ ସେ ଯେ ଜଣେ ପ୍ରତିଭାବାନ ଭବିଷ୍ୟତ ତାରକା, ତାହା ସ୍ପଷ୍ଟ ହୋଇଯାଇଥିଲା। ସେତେବେଳକୁ ଖେଳିଥିବା ୧୧ ଟେଷ୍ଟ୍‌ରେ ୱର୍ନ ଥରେ ପାଞ୍ଚ ୱିକେଟ୍ ସଫଳତା ହାସଲ କରିନେଇଥିଲେ। ମେଲବର୍ନ କ୍ରିକେଟ୍ ପଡ଼ିଆରେ ୱର୍ନ ୫୨ ରନ୍ ବିନିମୟରେ ୭ ୱିକେଟ୍ ନେବା ପରେ ପ୍ରତିଶ୍ରୁତିଭରା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅଷ୍ଟ୍ରେଲିଆ ଏକ ସ୍ମରଣୀୟ ବିଜୟ ହାସଲ କରିଥିଲା। ଏହା ପରର ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ମଧ୍ୟ ୱର୍ନ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ହେଲେ ଆସେସ୍‌ରେ ଯେ ସେ ଏକ ବଡ଼ ବିପଦ ଭାବେ ଉଭା ହେବେ ଇଂଲଣ୍ଡ ଖେଳାଳିମାନେ ସେ କଥା କଳ୍ପନାରେ ବି ଭାବି ନଥିଲେ। ୧୯୯୩ ମସିହା ଜୁନ୍ ୩ ତାରିଖରେ ଆରମ୍ଭ ହୋଇଥିବା ସେହିବର୍ଷର ପ୍ରଥମ ଆସେସ୍‌ ଟେଷ୍ଟ୍‌ରେ ହିଁ ୱର୍ନ ଇତିହାସ ପୃଷ୍ଠାରେ ନିଜ ନାମକୁ ଲିପିବଦ୍ଧ କରି ନେଇଥିଲେ। ଇଂଲଣ୍ଡର ଅନ୍ୟତମ ମହାନ ଖେଳାଳି ମାଇକ୍ ଗ୍ୟାଟିଂଙ୍କୁ ୱର୍ନ ଏଭଳି ଏକ ବଲ୍‌ରେ ଆଉଟ୍ କରିଥିଲେ ଯେ ପରବର୍ତ୍ତୀ ସମୟରେ ଏହାକୁ ‘ଶତାବ୍ଦୀର ଶ୍ରେଷ୍ଠ ବଲ୍’ ଆଖ୍ୟା ମିଳିଥିଲା। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ଗ୍ୟାଟିଂ। ୪ ରନ୍‌ କରିଥିଲା ବେଳେ ୱର୍ନ ପକାଇଥିବା ଏହି ବଲ୍ ଲେଗ୍ ଷ୍ଟିକ୍‌ର ବହୁ ବାହାରେ ପଡ଼ି ଗ୍ୟାଟିଂ କିଛି ବୁଝିବା ପୂର୍ବରୁ ତାଙ୍କ ଅଫ୍ ଷ୍ଟମ୍ପ୍ ଉଡ଼ାଇ ଦେଇଥିଲା। ୱର୍ନ ଓ ଅଷ୍ଟ୍ରେଲିଆ ଖେଳାଳି ଉତ୍ସବ ପାଳନ କରୁଥିଲା ବେଳେ ଗ୍ୟାଟିଂ ନିଜ ଭାଗ୍ୟକୁ ବିଶ୍ବାସ କରି ପାରିନଥିଲେ। ହେଲେ ସେତେବେଳକୁ ନୂଆ ଇତିହାସ ରଚନା ହୋଇ ସାରିଥିଲା। ଏହା ପରେ ୱର୍ନ ଉଭୟ ପାଳିରେ ଚାରିଟି ଲେଖାଏଁ ୱିକେଟ୍ ନେବା ପରେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌କୁ ଜିତିବା ସହ ଶୃଙ୍ଖଳା ବିଜୟୀ ହୋଇଥିଲା। ଏହା ମଧ୍ୟ ସେତେବେଳେ ଆସେସ୍ ଇତିହାସରେ ଅଷ୍ଟ୍ରେଲିଆର ଶ୍ରେଷ୍ଠ ପ୍ରଦର୍ଶନ ହୋଇଥିଲା। ୯୦ ଦଶକ ଓ ୨୦୦୦ ମସିହାର ପ୍ରାରମ୍ଭରେ ୱର୍ନଙ୍କ ଯାଦୁ ବଳରେ ଅଷ୍ଟ୍ରେଲିଆ ଅନେକ ଐତିହାସିକ ବିଜୟ ପାଇଥିଲା। ୱର୍ନଙ୍କ ସେହି ଆସେସ୍ ବଲ୍‌କୁ ପରେ ‘ଗ୍ୟାଟିଂ ବଲ୍ ବା ଦାଟ୍ସ ବଲ୍’ରେ ନାମରେ ନାମିତ କରାଯାଇଥିଲା।

ୱର୍ନଙ୍କୁ ଲୁଚେଇ ରଖିବାକୁ ଚାହୁଁଥିଲି: ବର୍ଡର
ସେନ୍‌ ୱର୍ନ ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ଶତାବ୍ଦୀର ଶ୍ରେଷ୍ଠ ବଲ୍ ପକାଇଲା ବେଳେ ଅଲାନ ବର୍ଡର ଥିଲେ ଅଷ୍ଟ୍ରେଲିଆ ଅଧିନାୟକ। ୱର୍ନ ଯେ ଦିନେ ବିଶ୍ବର ଅନ୍ୟତମ କିଂବଦନ୍ତି ସ୍ପିନର ପାଲଟିବେ ସେ କଥା ବର୍ଡର ବହୁ ପୂର୍ବରୁ ବୁଝି ସାରିଥିଲେ। ହେଲେ ୧୯୯୩ ଆସେସ୍ ଶୃଙ୍ଖଳାରେ ବର୍ଡର ତାଙ୍କୁ ସର୍ପାଇଜ୍ ପ୍ୟାକେଜ୍ ଭାବେ ନେବାକୁ ଚାହୁଁଥିଲେ। ଇଂଲଣ୍ଡ ଖେଳାଳିମାନେ ଯେମିତି ୱର୍ନଙ୍କ ବଲ୍‌କୁ ଅନୁଶୀଳନ ନ କରନ୍ତି, ସେଥିପାଇଁ ତାଙ୍କୁ ଲୁଚାଇ ରଖିବାକୁ ଚାହୁଁଥିଲେ। ‘‘ଆମେ ଇଂଲଣ୍ଡକୁ କିଛି ବି ଦେଖାଇବାକୁ ଚାହୁଁ ନଥିଲୁ। ମୁଁ ୱର୍ନଙ୍କୁ ନେଇ ବେଶ୍ ଉତ୍ସାହିତ ଥିଲି। ସେ ଆମର ପ୍ରମୁଖ ଅସ୍ତ୍ର ‌ହେବେ ବୋଲି ଜାଣିଥିଲି। ଏଣୁ ତାଙ୍କୁ ଲୁଚାଇ ରଖିବାକୁ ଇଚ୍ଛୁକ ଥିଲି। ଅବଶ୍ୟ ଗ୍ରେମ୍ ହିକ୍ ସେତେବେଳେ ୱର୍ନଙ୍କୁ ସଫଳତାର ସହ ମୁକାବିଲା କରିଥିଲେ। ଏଥିନେଇ ୱର୍ନ ମଧ୍ୟ ହତୋତ୍ସାହିତ ହୋଇଯାଇଥିଲେ। ମୁଁ କିନ୍ତୁ ତାଙ୍କୁ ବୁଝାଇଥିଲି। ଲୟ ପାଇବା ପରେ ତୁମେ ହିକ୍‌ଙ୍କୁ ବି ଆଉଟ୍ କରିପାରିବ ବୋଲି ବୁଝାଇଥିଲି’’ ବୋଲି ବର୍ଡର ଗୁରୁବାର ଦେଇଥିବା ସାକ୍ଷାତକାରରେ କହିଥିଲେ। ସୂଚନାଯୋଗ୍ୟ ଯେ ୧୯୯୩ରେ ଅଷ୍ଟ୍ରେଲିଆ ହ୍ୟାଟ୍ରିକ୍ ଆସେସ୍ ବିଜୟ ହାସଲ କରିଥିଲା। ଇଂଲଣ୍ଡ ମାଟିରେ ମଧ୍ୟ କଙ୍ଗାରୁ ଦଳ ସେହିବର୍ଷ ଲଗାତାର ଶୃଙ୍ଖଳା ବିଜୟ ପାଇଥିଲା।

ସମ୍ବନ୍ଧିତ ଖବର