ଆଜି ନିର୍ଣ୍ଣାୟକ ଟ୍ବେଣ୍ଟି-୨୦: ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ
ମୋଟ ୫୫ ଦ୍ବିପାକ୍ଷିକ ଶୃଙ୍ଖଳାରୁ ନ୍ୟୁଜିଲାଣ୍ଡ ଆଦୗ ଜିତିନି; ଭାରତ ଜିତିଛି ୪୭
ଅହମଦାବାଦ: ଭାରତ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ୧-୧ ସମାନ ସ୍ଥିତିରେ ରହିଛି। ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍କୁ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍ ୨୧ ରନ୍ରେ ଜିତିନେଇଥିଲା ବେଳେ ଲକ୍ଷ୍ନୌରେ ଦ୍ବିତୀୟ ମ୍ୟାଚ୍କୁ ଘରୋଇ ଭାରତ ୬ ୱିକେଟ୍ରେ ଜିତି ସ୍ଥିତି ବରାବର କରିଥିଲା। ଆସନ୍ତାକାଲି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ତୃତୀୟ ତଥା ଶେଷ ମ୍ୟାଚ୍ ଖେଳାଯିବ। ଶୃଙ୍ଖଳା ଜିତିବା ପାଇଁ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ‘କର ବା ମର’ ପାଲଟିଯାଇଛି। ଯଦି ଭାରତ ଜିତେ ତାହାଲେ ଘରୋଇ ମାଟିରେ ଶୃଙ୍ଖଳା ବିଜୟ ଧାରା ଲମ୍ବାଇବ। ଅନ୍ୟପକ୍ଷରେ ଭାରତରେ ପ୍ରଥମ ଦ୍ବିପାକ୍ଷିକ ଶୃଙ୍ଖଳା ଜିତିବା ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ୍। ୨୦୧୨ରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟ୍ବେଣ୍ଟି-୨୦କୁ ଜିତିବା ବ୍ୟତୀତ ନ୍ୟୁଜିଲାଣ୍ଡ୍ କେବେ ବି କୌଣସି ଫର୍ମାଟ୍ର ଦ୍ବିପାକ୍ଷିକ ଶୃଙ୍ଖଳାରେ ଭାରତକୁ ପରାସ୍ତ କରିପାରିନାହିଁ। ଗତ ୧୦ ବର୍ଷ ମଧ୍ୟରେ ସମସ୍ତ ଫର୍ମାଟ୍ରେ ଉଭୟ ଦଳ ମୋଟ ୫୫ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିଥିଲା ବେଳେ ସେଥିରୁ ଭାରତ ୪୭ ଜିତିଛି। ଏହି ୧୦ ବର୍ଷ ମଧ୍ୟରେ କେବଳ ଅଷ୍ଟ୍ରେଲିଆ (୨୦୧୯) ଏବଂ ଦକ୍ଷିଣ ଆଫ୍ରିକା (୨୦୧୫) ଭାରତକୁ ଭାରତରେ ପରାସ୍ତ କରିଛନ୍ତି। ତେଣୁ ଭାରତରେ ଗୋଟିଏ ଶୃଙ୍ଖଳା ଜିତିବା ନ୍ୟୁଜିଲାଣ୍ଡ ପାଇଁ କଷ୍ଟକର ହେବ ବୋଲି ପୂର୍ବ ରେକର୍ଡରୁ ସ୍ପଷ୍ଟ ପ୍ରତୀୟମାନ। ଏହାସତ୍ତ୍ବେ ଆସନ୍ତାକାଲି ଏହାକୁ ସାକାର କରିବାକୁ ଅଧିନାୟକ ମିଚେଲ ସାଣ୍ଟନର ଦୃଢ଼ ଆଶାବାଦୀ ରହିଛନ୍ତି। ଏନେଇ ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ସାଣ୍ଟନର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବିଗତ ଇତିହାସକୁ ବଦଳାଇ ଆମେ ଏଥର ଭାରତକୁ ଭାରତ ମାଟିରେ ଶୃଙ୍ଖଳା ପରାଜୟର ସୁଯୋଗ ରଖିଛୁ ବୋଲି କହିଛନ୍ତି। ଲକ୍ଷ୍ନୌରେ ଆମେ ଅଳ୍ପକେ ବିଜୟ ହାତଛଡ଼ା କରିଥିଲୁ। ହେଲେ ଅହମଦାବାଦରେ ଶୃଙ୍ଖଳା କବ୍ଜା କରିନେବୁ ବୋଲି ସାଣ୍ଟନର କହିଛନ୍ତି।
ଅନ୍ୟପକ୍ଷରେ ଭାରତ ତା’ର ଘରୋଇ ଶୃଙ୍ଖଳା ବିଜୟ ଧାରା ନିଶ୍ଚିତ ଲମ୍ବାଇବ ବୋଲି ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଦୃଢ଼ମନା ରହିଛନ୍ତି। ପୂରା ଦଳ ଏବେ ଚମତ୍କାର ଖେଳୁଛି। ପ୍ରତ୍ୟେକ ଖେଳାଳିଙ୍କ ପଛରେ ମୋର ସମର୍ଥନ ରହିଛି। ତେଣୁ ବିଫଳତାକୁ ଆଦୌ ଭୟ ନାହିଁ। ଆମେ ଦଳଗତ ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡ୍କୁ ତା’ର ଆଶା ପୂରଣ ହେବାକୁ ଦେବୁନି ବୋଲି ପାଣ୍ଡ୍ୟା କହିଛନ୍ତି। ରୋହିତ ଶର୍ମା, ବିରାଟ କୋହଲି ଏବଂ କେଏଲ୍ ରାହୁଲଙ୍କ ଅନୁପସ୍ଥିତିର ଫାଇଦା ଇଶାନ କିଶନ, ଶୁବମନ ଗିଲ୍ ଏବଂ ରାହୁଲ ତ୍ରିପାଠୀ ଉଠାଇ ପାରିନଥିଲେ ମଧ୍ୟ ସେମାନଙ୍କ ଉପରେ ପୁଣି ଭରସା କରିଛନ୍ତି ପାଣ୍ଡ୍ୟା।
ଉମ୍ରାନ, ପୃଥ୍ବୀ ସ’ ଖେଳିପାରନ୍ତି
ଲକ୍ଷ୍ନୌ ପିଚ୍ ପ୍ରସ୍ତୁତି ନେଇ କ୍ୟୁରେଟର ବହିଷ୍କୃତ ହୋଇଛନ୍ତି। ସେହି ପିଚ୍ ଏଭଳି ବ୍ୟବହାର କରିଥିଲା ଯେ ଉଭୟ ଦଳର ଦ୍ରୁତ ବୋଲରମାନେ ନୂଆ ବଲ୍ ଧରିବାର ସୁଯୋଗ ପାଇନଥିଲେ। ଉଭୟ ଦଳର ମନ୍ଥରଗତି ବୋଲରମାନେ ପୂରା ୪୦ ଓଭରରୁ ୩୦ ଓଭର ବୋଲିଂ କରିଥିଲେ। ଶେଷ ୩/୪ ଓଭର ବେଳକୁ ଦ୍ରୁତ ବୋଲର ନିୟୋଜିତ ହେବା ପିଚ୍ର ମାନ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ତେବେ କ୍ୟୁରେଟରଙ୍କୁ ବହିଷ୍କାର କରିବା ପରେ ଅହମଦାବାଦ ପିଚ୍ କ୍ୟୁରେଟର ଅଧିକ ସଜାଗ ହୋଇଯାଇଥିବେ। ସେ ନିଶ୍ଚିତ ପିଚ୍ର ମାନ ଉନ୍ନତ କରିପାରିବେ। ସେହିଦୃଷ୍ଟିରୁ କାଲିର ମ୍ୟାଚ୍ ପାଇଁ ହାର୍ଦିକ୍ ପାଣ୍ଡ୍ୟା ଚୂଡାନ୍ତ ଏକାଦଶରେ କିଛିଟା ପରିବର୍ତନ ଲକ୍ଷ୍ୟ ରଖିଛନ୍ତି। ଉଭୟ ଓପ୍ନର ଈଶାନ କିଶନ ଏବଂ ଶୁବମନ ଗିଲ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଆଦୌ ଉପଯୋଗୀ ହୋଇପାରିନାହାନ୍ତି। ଉଭୟେ ଆରମ୍ଭରୁ ମଧ୍ୟ ୱିକେଟ୍ ହରାଇ ଦଳକୁ ଚାପଗ୍ରସ୍ତ କରିଛନ୍ତି।
ଈଶାନ ଗତ ଡିସେମ୍ବରରେ ଗୋଟିଏ ପାଳିରେ ୨୧୦ ରନ୍ କରିଥିଲେ ମଧ୍ୟ ପରବର୍ତୀ ୮ ପାଳିରେ ସେ ୨୧୦ର ଅଧାରୁ ବି କମ୍ ରନ୍ କରିଛନ୍ତି। ଏହା ସତ୍ତ୍ବେ ଦ୍ବୈତ ଭୂମିକା (ବାମହାତୀ ଓପ୍ନର ଏବଂ ୱିକେଟ୍ରକ୍ଷକ) ପାଇଁ ଇଶାନ ଚୂଡାନ୍ତ ଏକାଦଶରୁ ହଟିବା ସମ୍ଭାବନା କମ୍। ରାହୁଲ ତ୍ରିପାଠୀ ମଧ୍ୟ ସୁଯୋଗର ସଦ୍ଉପଯୋଗ କରିବାରେ ବିଫଳ ହୋଇଛନ୍ତି। ଏପରିସ୍ଥଳେ ଏହି ତିନି ଜଣଙ୍କ ମଧ୍ୟରୁ କାହାରିକୁ ବାଦ୍ ଦେଇ ଚର୍ଚ୍ଚାରେ ରହିଥିବା ପୃଥ୍ବୀ ସ’ଙ୍କୁ ଚୂଡାନ୍ତ ଏକାଦଶରେ ଖେଳାଇବାର ଚିନ୍ତା କରିଛନ୍ତି ପାଣ୍ଡ୍ୟା। ସେହିପରି ସ୍ପିନର ୟୁଝ୍ବେନ୍ଦ୍ର ଚହଲଙ୍କ ବଦଳରେ ଦ୍ରୁତ ବୋଲର ଉମ୍ରାନ୍ ମଲିକଙ୍କୁ ମଧ୍ୟ ଖେଳାଇବା ଯୋଜନାରେ ଅଛନ୍ତି ପାଣ୍ଡ୍ୟା।
ଅନ୍ୟପକ୍ଷରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍ ବିଶେଷ ଅଦଳବଦଳ କରିବା ଯୋଜନାରେ ନାହିଁ। ଗତ ଦୁଇ ବର୍ଷ ଧରି ଟ୍ବେଣ୍ଟି-୨୦ ଫର୍ମାଟ୍ରେ ସର୍ବାଧିକ ୱିକେଟ୍ଦଖଲକାରୀ ତାଲିକାରେ ଦ୍ବିତୀୟରେ ରହିଥିବା ସ୍ପିନର ଈଶ୍ ସୋଢ଼ିଙ୍କ ଉପରେ ନ୍ୟୁଜିଲାଣ୍ଡ ଅଧିକ ନିର୍ଭର କରିବ। ପିଚ୍ ଓ ପାଗ: ବୁଧବାର ମ୍ୟାଚ୍ ପାଇଁ ଅହମଦାବାଦରେ ପାଗ ବେଶ୍ ଅନୁକୂଳ ରହିବ। ବର୍ଷାର ସମ୍ଭାବନା ନଥିବା ପାଣିପାଗ ସୁତ୍ରରୁ ପ୍ରକାଶ। ଆଉ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ପାଇଁ ଚମତ୍କାର ହାଇସ୍କୋରିଂ ଭେନ୍ୟୁ। ଏଠାରେ ଖେଳାଯାଇଥିବା ଶେଷ ୫ ମ୍ୟାଚ୍ରୁ ୩ଟିରେ ପ୍ରତି ପାଳିରେ ୧୬୦ରୁ ଅଧିକ ସ୍କୋର୍ ହୋଇଛି। ସେଥିରୁ ଗୋଟିଏ ପାଳିରେ ୨୨୪/୨ ସ୍କୋର୍ ରହିଛି। ତେଣୁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ରେ ମଧ୍ୟ ଦର୍ଶକମାନେ ଏକ ହାଇସ୍କୋରିଂ ମ୍ୟାଚ୍ର ମଜା ଉଠାଇପାରିବେ।
ଗତ ମ୍ୟାଚ୍ରେ ଇଶାନ କିଶନ ୩୮ ବଲ୍ ଖେଳି ୧୯ ରନ୍ କରିଥିଲେ। ଯାହାକି ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଏକ ପୂର୍ଣ୍ଣକାଳୀନ ସଦସ୍ୟ ରାଷ୍ଟ୍ରର ଜଣେ ଓପ୍ନର ଭାବେ ୩୦ରୁ ଅଧିକ ବଲ୍ ଖେଳି ଏହି ରନ୍ କରିବା ତୃତୀୟ ମନ୍ଥର ପାଳି ଥିଲା। ଯଦିଓ ଲକ୍ଷ୍ନୌ ପିଚ୍ର ଅବସ୍ଥା ଅତି ଖରାପ ଥିଲା ତଥାପି ଈଶାନଙ୍କଠୁ ସେଭଳି ପାଳି ଆଶା କରାଯାଇନପାରେ।
ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ୪୦ ହାରାହାରି ଏବଂ ୧୩୦ରୁ ଅଧିକ ଷ୍ଟ୍ରାଇକ୍ରେଟ୍ ପାଇଥିବା ମୋଟ ୪୪ ବ୍ୟାଟର୍ ରହିଛନ୍ତି। ସେହି ତାଲିକାର ଶୀର୍ଷ ୩ ବ୍ୟାଟର୍ଙ୍କ ମଧ୍ୟରେ ରହିଥିବା ଦୁଇ ଜଣ ଚଳିତ ଭାରତ-ନ୍ୟୁଜିଲାଣ୍ଡ୍ ଶୃଙ୍ଖଳା ଖେଳୁଛନ୍ତି। ଜଣେ ହେଲେ ଭାରତର ସୂର୍ଯ୍ୟକୁମାର ଯାଦବ (୪୭.୧୭ ଏବଂ ୧୭୫.୬୩) ଏବଂ ଅନ୍ୟ ଜଣକ ହେଲେ ନ୍ୟୁଜିଲାଣ୍ଡ୍ର ଡେଭନ୍ କନୱେ (୪୭.୪୨ ଏବଂ ୧୩୦.୪୭)।
ସମ୍ଭାବ୍ୟ ଭାରତ ଏକାଦଶ: ଶୁବମନ ଗିଲ୍, ଈଶାନ କିଶନ, ରାହୁଲ ତ୍ରିପାଠୀ/ପୃଥ୍ବୀ ସ, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ୍ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଦା, ୱାସିଂଟନ୍ ସୁନ୍ଦର, ଶିବମ ମାଭି, କୁଲ୍ଦୀପ ଯାଦବ, ଉମ୍ରାନ ମଲିକ, ଅର୍ଶଦୀପ ସିଂହ।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଏକାଦଶ: ଫିନ୍ ଆଲେନ, ଡେଭନ କନ୍ୱେ, ମାର୍କ ଚାପମାନ୍, ଗ୍ଲେନ୍ ଫିଲିପ୍ସ, ଡାରିଲ ମିଚେଲ, ମାଇକେଲ ବ୍ରାସ୍ୱେଲ, ମିଚେଲ ସାଣ୍ଟନର (ଅଧିନାୟକ), ଈଶ ସୋଢ଼ି, ଲୋକି ଫର୍ଗୁସନ, ଜାକୋବ ଡଫ୍, ବ୍ଲେୟାର ଟିକ୍ନର।
ଲକ୍ଷ୍ନୌ ପିଚ୍ କ୍ୟୁରେଟର ସୁରେନ୍ଦର ବହିଷ୍କୃତ
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ଗୋଟିଏ ହେଲେ ବି ଛକା ଦେଖିବାକୁ ମିଳିନଥିଲା। ପିଚ୍ ଏତେ ନିମ୍ନମାନର ହୋଇଥିଲା ଯେ ବ୍ୟାଟରଙ୍କୁ ୧, ୨ ରନ୍ ଉପରେ ଅଧିକ ନିର୍ଭର କରିବାକୁ ପଡ଼ିଥିଲା। ତେବେ ମାତ୍ର ୧୦୦ ରନ୍ର ଲକ୍ଷ୍ୟକୁ ହାସଲ କରିବା ପାଇଁ ଭାରତକୁ ୧୧୯ ବଲ୍ ଖେଳିବାକୁ ପଡ଼ିଥିଲା। ପିଚ୍ ନିର୍ମାଣରେ ଅବହେଳା କରାଯିବା ଓ ନିମ୍ନ ମାନର ପିଚ୍ ପ୍ରସ୍ତୁତ କରାଯିବା ଅଭିଯୋଗ ପରେ ଲକ୍ଷ୍ନୌ କ୍ୟୁରେଟର ସୁରେନ୍ଦର ଯାଦବଙ୍କୁ ବହିଷ୍କାର କରିଦିଆଯାଇଛି। ତାଙ୍କ ସ୍ଥାନରେ ଅନ୍ୟତମ ଅଭିଜ୍ଞ କ୍ୟୁରେଟର ସଂଜୀବ କୁମାର ଅଗ୍ରୱାଲ୍ଙ୍କୁ ନିଯୁକ୍ତି ଦିଆଯାଇଛି। ଦ୍ବିତୀୟ ଟ୍ବେଣ୍ଟି-୨୦ ଅବସରରେ ପିଚ୍ର ସ୍ଥିତିକୁ ନେଇ ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ପାରସ ମହାମ୍ବ୍ରେଙ୍କ ସହ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହାକୁ ସମାଲୋଚନା କରିଥିଲେ। ପାରସଙ୍କ ମତରେ, ପିଚ୍କୁ ପୂର୍ବ ଦିନରୁ ଦେଖିବା ପରଠୁ ଏଥିରେ କେମିତି ଖେଳିବାକୁ ହେବ ତାହା ଅନୁମାନ କରାଯାଇଥିଲା। ପିଚ୍ର ଉଭୟ ପାର୍ଶ୍ବରେ ୧୫ ଫୁଟ୍ ପର୍ଯ୍ୟନ୍ତ ଘାସ ନଥିଲା।
ଏଭଳି ଧରଣର ପିଚ୍ କାହିଁକି ପ୍ରସ୍ତୁତ କରାଯାଉଥିଲା ବୋଲି ପାରସ ପ୍ରଶ୍ନ କରିଛନ୍ତି। ସେହିପରି ଅଧିନାୟକ ପାଣ୍ଡ୍ୟା ଏହି ପିଚ୍କୁ ଝଟ୍କା ଦେବା ଭଳି ପିଚ୍ ଭାବେ ବର୍ଣ୍ଣନା କରିଥିଲେ। କଷ୍ଟସାଧ୍ୟ ୱିକେଟ୍ ହୋଇଥିଲେ ବି ଆମେ ଚିନ୍ତିତ ହୋଇନଥା’ନ୍ତୁ। କିନ୍ତୁ ଦୁଇଟି ମ୍ୟାଚ୍ରେ ଆମକୁ ଯେଉଁଭଳି ୱିକେଟ୍ ମିଳିଥିଲା, ସେଗୁଡ଼ିକ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯିବା ମାନର ନୁହେଁ ବୋଲି ପାଣ୍ଡ୍ୟା ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଏସବୁ ଅଭିଯୋଗ ପରେ କ୍ୟୁରେଟରଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂଆ କ୍ୟୁରେଟର ସଂଜୀବଙ୍କୁ ନିଯୁକ୍ତ କରାଯାଇଛି।