ଶୀର୍ଷ ଦଳ ମଧ୍ୟରେ ଆଜି ନିର୍ଣ୍ଣାୟକ ଲଢ଼େଇ

ଅହମଦାବାଦ : ଶୃଙ୍ଖଳାରେ ପ୍ରଥମ ଥର ପ୍ରଥ‌ମେ ବ୍ୟାଟିଂ କରି ଜିତିବା ପରେ ଭାରତୀୟ ଦଳର ମନୋବଳ ଉଚ୍ଚାରେ ରହିଛି। କେବଳ ଏହି ଗୋଟିଏ କାରଣରୁ ଶନିବାର ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ପଞ୍ଚମ ଟ୍ବେଣ୍ଟି-୨୦ ପୂର୍ବରୁ ବିରାଟ କୋହଲିଙ୍କ ଦଳ ଶୃଙ୍ଖଳା ବିଜୟ ନେଇ ଆତ୍ମବିଶ୍ବାସ ପାଇଛି। ବିଶ୍ବ ଟ୍ବେଣ୍ଟି-୨୦ ମାନ୍ୟତାରେ ଇଂଲଣ୍ଡ ଏକ ନମ୍ବର ଏବଂ ଭାରତ ଦୁଇ ନମ୍ବର ସ୍ଥାନରେ ଥିବାରୁ ଦୁଇ ଶୀର୍ଷ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଶନିବାରର ନିର୍ଣ୍ଣାୟକ ଲଢ଼େଇ ରୋମାଞ୍ଚକ ହେବ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି। ଶନିବାରର ଫଳାଫଳ ଯାହା ରହୁ ପଛେ ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଖେଳାଯିବାକୁ ଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଏହା ଭାରତୀୟ ଦଳକୁ ନିଜ ଆଭ୍ୟନ୍ତରୀଣ ଦଳ ଗଠନ ଲାଗି ଆଉ ପାଦେ ଆଗକୁ ନେବ।

ଶୃଙ୍ଖଳା ଆରମ୍ଭରୁ ଭାରତ ଭୟଶୂନ୍ୟ କ୍ରିକେଟ୍‌ ଖେଳିବ ବୋଲି ଆଶା କରାଯାଉଥିଲା। ପ୍ରଥମ ମ୍ୟାଚ୍‌ରେ ଭାରତ ହାରିଯିବା ପରେ ଦ୍ବିତୀୟଟିରେ ବିଜୟୀ‌ ହୋଇଥିଲା। ତୃତୀୟଟିକୁ ଇଂଲଣ୍ଡ କିନ୍ତୁ ଜିତି ୨-୧ରେ ଆଗୁଆ ହୋଇଥିଲା। ସେପର୍ଯ୍ୟନ୍ତ ଟସ୍ ଜିତିବା ଦଳ ପଶ୍ଚାତଧାବନ କରି ଜିତୁଥିଲା। ଗୁରୁବାର ରାତିରେ କିନ୍ତୁ ଟସ୍ ହାରିଥିବା ଭାରତ ୧୮୫ ରନ୍‌ର ଲଢ଼ୁଆ ସ୍କୋର୍‌ ଛିଡ଼ା କରିବା ପରେ ହାର୍ଦିକ ପାଣ୍ଡ୍ୟାଙ୍କ ମିତବ୍ୟୟୀ ବୋଲିଂ (୪-୦-୧୬-୨) ନିର୍ଣ୍ଣାୟକ ସାଜିଥିଲା। ଭାରତ ଶେଷକୁ ରୋମାଞ୍ଚକ ଭାବେ ୮ ରନ୍‌ରେ ଜିତି ଶୃଙ୍ଖଳାକୁ ୨-୨ ସ୍ତରକୁ ନେଇ ଆସିଥିବାରୁ ଶନିବାରର ବିଜେତା ହିଁ ଶୃଙ୍ଖଳା ଟ୍ରଫି ଜିତିବ। ବିରାଟ କୋହଲିଙ୍କ ଦଳ ପାଇଁ ଠିକଣା ସମୟରେ ଈଶାନ୍‌ କିଶନ୍ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଆବିର୍ଭାବ ଆତ୍ମସନ୍ତୋଷର କାରଣ ହୋଇଛି। ଦଳର ଗଭୀରତା ଏବଂ ବେଞ୍ଚ୍‌ ଷ୍ଟ୍ରେଙ୍ଗ୍‌ଥ ମଧ୍ୟ ବଢ଼ିଯାଇଛି। ସୂର୍ଯ୍ୟକୁମାରଙ୍କ ଭଳି ଖେଳାଳିଙ୍କ ଖେଳର ବଡ଼ ପ୍ରଶଂସକ ମଧ୍ୟ ପାଲଟିଯାଇଛନ୍ତି ଅଧିନାୟକ ବିରାଟ କୋହଲି। ଶୁକ୍ରବାର ମ୍ୟାଚ୍‌ ପରେ କୋହଲି ମଧ୍ୟ ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନରେ ଚକିତ ହୋଇଥିବା ସ୍ବୀକାର କରିଥିଲେ। ଭାରତୀୟ ଦଳ ପାଇଁ ଆଇପିଏଲ୍‌ ଶାଣିତ ‌ଖେଳାଳିଙ୍କୁ ଯୋଗାଉଛି ବୋଲି ପ୍ରମାଣିତ ହୋଇଥିଲା। ‘ନିଜର ପ୍ରଥମ ମ୍ୟାଚ୍‌ରେ ୩ ନମ୍ବର ସ୍ଥାନ‌ରେ ବ୍ୟାଟିଂ କରିବା ଏତେ ସହଜ ନୁହେଁ, ସୂର୍ଯ୍ୟ ନିଜ ପ୍ରଭାବ ଛାଡ଼ିଛନ୍ତି ଏବଂ ଶ୍ରେୟସ, ହାର୍ଦିକ, ପନ୍ତ୍‌ଙ୍କୁ ସେମାନଙ୍କ ସ୍ବାଭାବିକ ‌ଖେଳ ଖେଳିବାକୁ ସୁଯୋଗ ଦେଇଥିଲେ। ମୁଁ ଏସବୁ ଯୁବ ଖେଳାଳିଙ୍କ ପ୍ରଶଂସକ’ ବୋଲି କୋହଲି ପ୍ରକାଶ କରିଛନ୍ତି। କେଏଲ୍‌ ରାହୁଲ ଶୁକ୍ରବାର ମ୍ୟାଚ୍‌ରେ କିଛିଟା ଫର୍ମ ଦେଖାଇବା ପରେ କୋହଲିଙ୍କ ଆତ୍ମବିଶ୍ବାସ ମଧ୍ୟ ବଢ଼ିଛି।

ଅନ୍ୟପକ୍ଷରେ କାକର ପ୍ରଭାବ ସତ୍ତ୍ବେ ଶୁକ୍ରବାର ଇଂଲଣ୍ଡ ଜିତିପାରିନଥିବାରୁ ମନୋବଳ ହରାଇଛି। ଜୋସ ବଟଲର ଓ ଦାୱିଦ ମଲାନଙ୍କଠାରୁ ଦଳ ସ୍ଥିର ପ୍ରଦର୍ଶନ ଆଶା କରୁଛି। ଜୋଫ୍ରା ଆର୍ଚର ଓ ମାର୍କ ଉଡ୍‌ ପ୍ରଶଂସନୀୟ ପ୍ରଦର୍ଶନ ଦେଖାଉଥିଲେ ମଧ୍ୟ କ୍ରିସ୍ ଜୋର୍ଡାନ ବ୍ୟୟବହୂଳ ସାବ୍ୟସ୍ତ ହେଉଥିବାରୁ ଭ୍ରମଣକାରୀ ଦଳ ଚିନ୍ତାରେ ରହିଛି। ‘ବିଶ୍ବକପ୍‌ ଆଉ ୭ ମାସ ଥିବାରୁ ଦଳର ଅଗ୍ରଗତି ଅତି ଗୁରୁତ୍ବପୂର୍ଣ୍ଣ। ଏହି ଶୃଙ୍ଖଳାରୁ ଆମେ ଯଥାସମ୍ଭବ ଶିଖିବାକୁ ଚେଷ୍ଟା କରୁଛୁ। ଆମେ ମଧ୍ୟ ଏଭଳି ନିଶ୍ଚିତ ବିଜୟ ପରିସ୍ଥିତିରେ ବିଜୟୀ ହେବାକୁ ଚାହୁଁ। ଘରଠୁ ବାହାରେ ରହି ଖେଳିବା ଏବଂ ଜିତିବା ନିଶ୍ଚିତ ଭଲ ହେବ’ ବୋଲି କହିଥିଲେ ଇଂଲଣ୍ଡ ଅଧିନାୟକ ଇଅନ୍ ମୋର୍ଗାନ୍‌।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, କେଏଲ୍‌ ରାହୁଲ୍, ସୂର୍ଯ୍ୟକୁମାର ଯାଦବ, ବିରାଟ କୋହଲି (ଅଧିନାୟକ), ଋଷଭ ପନ୍ତ, ଶ୍ରେୟସ ଆୟର, ହାର୍ଦିକ ପାଣ୍ଡ୍ୟା, ୱାସିଂଟନ୍ ସୁନ୍ଦର, ଶାର୍ଦୁଲ ଠାକୁର, ଭୁବନେଶ୍ବର କୁମାର, ରାହୁଲ ଚହର।

ସମ୍ଭାବ୍ୟ ଇଂଲଣ୍ଡ: ଜାସନ୍ ରୟ, ଜୋସ ବଟଲର୍‌, ଦାୱିଦ ମଲାନ, ଜନି ବେୟାରଷ୍ଟୋ, ବେନ୍‌ ‌ଷ୍ଟୋକ୍ସ, ଇଅନ ମୋର୍ଗାନ୍‌ (ଅଧିନାୟକ), ସାମ କରନ୍‌, କ୍ରିସ୍ ଜୋର୍ଡାନ୍‌, ଜୋଫ୍ରା ଆର୍ଚର, ମାର୍କ ଉଡ୍‌, ଆଦିଲ ରସିଦ୍।

ସମ୍ବନ୍ଧିତ ଖବର