ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସର ଅନ୍ୟତମ କ୍ବାର୍ଟର ଫାଇନାଲ୍ରେ ଭାରତୀୟ ପୁରୁଷ ହକି ଦଳ ରବିବାର ଗ୍ରେଟ୍ ବ୍ରିଟେନ୍କୁ ଭେଟିବ। ଏହି ମ୍ୟାଚ୍ରେ ଭାରତ ତା’ର ପୂର୍ବ ଗୌରବ ଫେରି ପାଇବାକୁ ଚେଷ୍ଟା କରିବ। ୪୧ ବର୍ଷ ପରେ ସେମିଫାଇନାଲ୍ ଟିକେଟ୍ ହାସଲ କରିବା ଲାଗି ଲଢ଼ିବ ଭାରତ। ସେହିଭଳି ଗ୍ରେଟ୍ ବ୍ରିଟେନ୍ ମଧ୍ୟ ୩୩ ବର୍ଷ ପରେ ପ୍ରଥମ ଅଲିମ୍ପିକ୍ସ ପଦକ ବିଜୟ ଅଭିଯାନକୁ ଅତୁଟ ରଖିବାକୁ ଚାହିଁବ। ଏହି ପ୍ରତୀକ୍ଷିତ ମ୍ୟାଚ୍ ଆସନ୍ତାକାଲି ଅପରାହ୍ନ ୫ଟା ୩୦ରେ ଖେଳାଯିବ।
ଏକଦା ବିଶ୍ବ ହକିର ସବୁଠାରୁ ଦୁର୍ଦ୍ଧର୍ଷ ଓ ସଫଳତମ ଦଳର ମାନ୍ୟତା ଲାଭ କରିଥିବା ୮ ଥର ସ୍ବର୍ଣ୍ଣ ବିଜେତା ଭାରତ ଗତ ୪୧ ବର୍ଷ ହେବ ଅଲିମ୍ପିକ୍ସର ସେମିଫାଇନାଲ୍ ଖେଳିନଥିଲା ବେଳେ ଏଥର ଏହି ପର୍ଯ୍ୟାୟକୁ ଯିବା ଲାଗି ସୁବର୍ଣ୍ଣ ସୁଯୋଗ ପାଇଛି। ଶେଷ ଥର ପାଇଁ ଭାରତୀୟ ହକି ଦଳ ୧୯୮୦ ମସ୍କୋ ଅଲିମ୍ପିକ୍ସର ସେମିଫାଇନାଲ୍ ଖେଳି ସେଠାରେ ବିଜେତା ଆଖ୍ୟା ଅର୍ଜନ କରିଥିଲା। ସେବେଠାରୁ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୧୯୮୪ ଲସଏଞ୍ଜେଲ୍ସ ଅଲିମ୍ପିକ୍ସର ପଞ୍ଚମ ସ୍ଥାନ ଅଧିକାର କରିବା। ସେଥିପାଇଁ ରବିବାରର ଗ୍ରେଟ୍ ବ୍ରିଟେନ୍ ବିପକ୍ଷ କ୍ବାର୍ଟର ଫାଇନାଲ୍ ଅନେକ ଦୃଷ୍ଟିରୁ ମନପ୍ରୀତ ସିଂହଙ୍କ ଦଳ ପାଇଁ ଢେର ମହତ୍ବ ରଖିବ। ଦଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ପାଇଁ ମଧ୍ୟ ନୂଆ ଇତିହାସ ଲେଖିବାର ସୁଯୋଗ ରହିବ। ତେବେ ଏଥିଲାଗି ଭାରତୀୟ ଦଳକୁ ଗତ କିଛି ଅଲିମ୍ପିକ୍ସର ଦୁର୍ବଳ ପ୍ରଦର୍ଶନକୁ ଭୁଲି ଗ୍ରେଟ୍ ବ୍ରିଟେନ୍ ବିପକ୍ଷରେ ନୂଆ ରଣନୀତି, ଉତ୍ସାହ, ଏକାଗ୍ରତା ଓ ଦୃଢ଼ ମନୋବଳ ନେଇ ପଡ଼ିଆକୁ ଓହ୍ଲାଇବାକୁ ହେବ। କାରଣ ଭାରତୀୟ ପୁରୁଷ ହକି ଦଳ ୨୦୦୮ ବେଜିଂ ଅଲିମ୍ପିକ୍ସ ପାଇଁ ନୈରାଶ୍ୟଜନକ ଭାବେ ଯୋଗ୍ୟତା ହାସଲ କରି ପାରିନଥିଲା। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଦ୍ବାଦଶ ଏବଂ ୨୦୧୬ ରିଓ ଅଲିମ୍ପିକ୍ସରେ ଅଷ୍ଟମ ସ୍ଥାନରେ ରହିଥିଲା। ତେବେ ଗତ ପାଞ୍ଚ ବର୍ଷ ଭିତରେ ଭାରତୀୟ ପୁରୁଷ ହକି ଦଳ ନିଜ ପ୍ରଦର୍ଶନରେ ଢେର ଉନ୍ନତି ଆଣି ପାରିଛି। ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ପାଞ୍ଚଟି ମ୍ୟାଚ୍ରୁ ଚାରିଟିରେ ବିଜୟୀ ହୋଇ କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛି।
ଭାରତ ପୁଲ୍-ଏ’ରେ ଅଷ୍ଟ୍ରେଲିଆ ପଛକୁ ଦ୍ବିତୀୟ ସ୍ଥାନରେ ରହି ଏହି ପର୍ଯ୍ୟାୟକୁ ଯାଇଛି। ଅନ୍ୟପକ୍ଷରେ ଗ୍ରେଟ୍ ବ୍ରିଟେନ୍ ପୁଲ୍-ବି’ରେ ଦୁଇଟି ଲେଖାଏଁ ଜୟ-ପରାଜୟ ଏବଂ ଗୋଟିଏ ଡ୍ର’ ସହ କ୍ବାର୍ଟର ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଲଗାତାର ତିନିଟି ମ୍ୟାଚ୍ ଜିତିବା ପରେ ଅବଶ୍ୟ ଭାରତୀୟ ଦଳର ଆତ୍ମବିଶ୍ବାସ ଆକାଶଛୁଆଁ ଅଛି। ବିଶ୍ବ ମାନ୍ୟତା ଦୃଷ୍ଟିରୁ ମଧ୍ୟ ଭାରତ ଏହି ମ୍ୟାଚ୍ର ଫେବରିଟ୍ ଦଳ ଭାବେ ପଡ଼ିଆକୁ ଓହ୍ଲାଇବ। କାରଣ ଏଫଆଇଏଚ୍ ବିଶ୍ବ ମାନ୍ୟତାରେ ଭାରତ ସଂପ୍ରତି ତୃତୀୟ ସ୍ଥାନରେ ଥିଲା ବେଳେ ଗ୍ରେଟ୍ ବ୍ରିଟେନ୍ ପଞ୍ଚମ ସ୍ଥାନରେ ରହିଛି।
ଦଳୀୟ ସଂରଚନା ଦୃଷ୍ଟିରୁ ଭାରତ ରବିବାର ଅଧିନାୟକ ମନପ୍ରୀତ ସିଂହଙ୍କଠାରୁ ନିଶ୍ଚିତ ଭାବେ ଆହୁରି ଭଲ ପ୍ରଦର୍ଶନ ଆଶାରେ ରହିବ। କାରଣ ଗତ ପାଞ୍ଚଟି ଯାକ ମ୍ୟାଚ୍ରେ ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ପୂରା ଫିକା ରହିଛି। ଉପଅଧିନାୟକ ହରମନପ୍ରୀତ ସିଂହ, ଓଡ଼ିଆ ତାରକା ଅମିତ ରୋହିଦାସ, ବରୁଣ କୁମାର, ଡ୍ରାଗ୍ ଫ୍ଲିକର ରୂପୀନ୍ଦର ପାଲ ସିଂହ ପ୍ରମୁଖ ବଢ଼ିଆ ପ୍ରଦର୍ଶନ କରୁଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ୭ ଗୋଲ୍ ବରଣ କରିବା ପରେ ଗୋଲ୍ ରକ୍ଷକ ପିଆର ଶ୍ରୀଜେଶ ମଧ୍ୟ ଫର୍ମକୁ ଫେରିଛନ୍ତି। ମନପ୍ରୀତଙ୍କ ଭଳି କିଛି ପୁରୁଖା ଏବଂ ଅନ୍ୟ କିଛି ଯୁବ ଖେଳାଳିଙ୍କୁ କିନ୍ତୁ ନିଜ ପୁରୁଣା ଚମକ ଦେଖାଇବାକୁ ହେବ।
ନକଆଉଟ୍ ମ୍ୟାଚ୍ ହୋଇଥିବାରୁ ଉଭୟ ଦଳ ଏହି ମୁକାବିଲାରେ କର ବା ମର ସ୍ଥିତିରେ ରହିବେ। ଅଲିମ୍ପିକ୍ସ ପ୍ରଦର୍ଶନ ପରିସଂଖ୍ୟାନ ଅନୁସାରେ ଗ୍ରେଟ୍ ବ୍ରିଟେନକୁ ଭାରତ ୮ଥର ଏହି କ୍ରୀଡ଼ା ମହାକୁମ୍ଭରେ ଭେଟିଛି। ୪ ମ୍ୟାଚ୍ ଜିତିଥିଲା ବେଳେ ୪ଟିରେ ପରାଜିତ ହୋଇଛି। ଅଲିମ୍ପିକ୍ସରେ ଭାରତ ଗ୍ରେଟ୍ ବ୍ରିଟେନ୍ ବିପକ୍ଷରେ ୧୮ ଗୋଲ୍ ଦେଇଥିଲା ବେଳେ ୧୩ ଗୋଲ୍ ବରଣ କରିଛି। ସଂଯୋଗର କଥା ହେଲା ୧୯୪୮ ମସିହା ଅଲିମ୍ପିକ୍ସରେ ଭାରତ ଓ ଗ୍ରେଟ୍ ବ୍ରିଟେନ୍ ସ୍ବର୍ଣ୍ଣ ପଦକ ମ୍ୟାଚ୍ରେ ପରସ୍ପରକୁ ଭେଟିଥିଲେ। ଏଥିରେ ଭାରତ ବିଜୟୀ ହୋଇଥିଲା। ଏହା ମଧ୍ୟ ହକିରୁ ସ୍ବାଧୀନ ଭାରତର ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ଥିଲା।