ଦୁବାଇ: ୟୁଏଇରେ ଆୟୋଜିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ସଫଳତାର ସହ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଯାଇଛି। ୪୬ ଦିନ ଏବଂ ୫୬ ଲିଗ୍ ମ୍ୟାଚ୍ ଶେଷରେ ପ୍ଲେ-ଅଫ୍ ସ୍ଥାନ ଚୂଡାନ୍ତ ହୋଇଯାଇଛି। ନିଜର ଅନ୍ତିମ ଲିଗ୍ ମ୍ୟାଚ୍କୁ ସନ୍ରାଇଜର୍ସ ହାଇଦ୍ରାବାଦ ନିକଟରୁ ୧୦ ୱିକେଟ୍ରେ ପରାଜୟ ସତ୍ତ୍ବେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୧୮ ପଏଣ୍ଟ୍ ସହ ଶୀର୍ଷ ସ୍ଥାନ ସୁରକ୍ଷିତ ରଖିଥିଲା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରି ୧୬ ପଏଣ୍ଟ୍ ସହ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ବିତୀୟ ସ୍ଥାନରେ ରହିଛି। ଫଳରେ ଡେଭିଡ୍ ୱାର୍ନରଙ୍କ ସନ୍ରାଇଜର୍ସ ଏବଂ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ସମାନ ୧୪ ପଏଣ୍ଟ୍ ଲେଖାଏଁ ପାଇଥିଲା ବେଳେ ଉନ୍ନତ ରନ୍ ରେଟ୍ ଭିତ୍ତିରେ ଯଥାକ୍ରମେ ତୃତୀୟ ଓ ଚତୁର୍ଥରେ ରହି ପ୍ଲେ-ଅଫ୍ ସ୍ଥାନ ସୁରକ୍ଷିତ କରିଥିଲେ। ଏବେ ଆଇପିଏଲ୍ ପ୍ଲେ-ଅଫ୍ ନିୟମ ଅନୁଯାୟୀ ଦୁଇ ଶ୍ରେଷ୍ଠ ଦଳ ପ୍ରଥମ କ୍ବାଲିଫାୟାରରେ ଅବତୀର୍ଣ୍ଣ ହେବେ। ସେହି ଦୃଷ୍ଟିରୁ ଗୁରୁବାର ପ୍ରଥମ କ୍ବାଲିଫାୟାର ମୁକାବିଲାରେ ମୁମ୍ବାଇ ଓ ଦିଲ୍ଲୀ ମୁହାଁମୁହିଁ ହେବେ। ଆଉ ଏହି ମ୍ୟାଚ୍ର ବିଜେତା ସିଧାସଳଖ ଫାଇନାଲ୍ ସ୍ଥାନ ଅକ୍ତିଆର କରିନେବ ଏବଂ ପରାଜିତ ଦଳ ପାଇଁ ଆଉ ଏକ ସୁଯୋଗ ରହିବ। ଏହି ଦଳ ଏଲିମିନେଟର୍ ମୁକାବିଲାର ବିଜେତା ଦଳ ସହ ଦ୍ବିତୀୟ କ୍ବାଲିଫାୟାର ଖେଳିବ।
ତୃତୀୟ ଓ ଚତୁର୍ଥ ଦଳ ମଧ୍ୟରେ ଏଲିମିନିଟେର୍ ଖେଳାଯିବ। ଶୁକ୍ରବାରର ଏହି ମୁକାବିଲାରେ ସନ୍ରାଇଜର୍ସ ଓ ବାଙ୍ଗାଲୋର ମୁହାଁମୁହିଁ ହେବେ। ଏହାର ପରାଜିତ ଦଳ ପ୍ରତିଯୋଗିତାରୁ ବିଦାୟ ନେବାକୁ ଥିଲା ବେଳେ ବିଜେତା ଦଳ ହିଁ ପ୍ରଥମ କ୍ବାଲିଫାୟାରର ପରାଜିତ ଦଳ ସହ ଦ୍ବିତୀୟ କ୍ବାଲିଫାୟାର ଖେଳିବ। ପ୍ରଥମ କ୍ବାଲିଫାୟାର ଦୁବାଇରେ ଖେଳାଯିବାକୁ ଥିଲା ବେଳେ ଉଭୟ ଏଲିମିନେଟର ଏବଂ ଦ୍ବିତୀୟ କ୍ବାଲିଫାୟାର (ରବିବାର) ଆବୁଧାବିରେ ଖେଳାଯିବ। ଶେଷରେ ଉଭୟ କ୍ବାଲିଫାୟାରର ବିଜେତା ଦଳ ମଧ୍ୟରେ ମଙ୍ଗଳବାର ଫାଇନାଲ୍ ଖେଳାଯାଇ ଆଇପିଏଲ୍-୧୩ ଉଦ୍ଯାପିତ ହେବ।
ଗୁରୁବାର ପ୍ରଥମ କ୍ବାଲିଫାୟାର ପୂର୍ବରୁ ୪ ମ୍ୟାଚ୍ରୁ ଅନୁପସ୍ଥିତି ପରେ ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତନ ୪ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବଡ଼ ଖୁସୀ ଖବର ଥିଲା। ଅବଶ୍ୟ ସେ ଶେଷ ଲିଗ୍ ମ୍ୟାଚ୍ରେ ହାଇଦ୍ରାବାଦ ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲେ। ତଥାପି ଏହି ଦଳ ବିସ୍ଫୋରକ ବ୍ୟାଟିଂ ଏବଂ ଘାତକ ବୋଲିଂ ପାଇଁ ଶକ୍ତିଶାଳୀ ରହିଛି। ରୋହିତ ଶର୍ମା, କ୍ବିଣ୍ଟନ ଡି’କକ୍, ଈଶାନ କିଷନ୍, ସୂର୍ଯ୍ୟକୁମାର ଯାଦବ, କିରଣ ପୋଲାର୍ଡ, ହାର୍ଦିକ୍ ପାଣ୍ଡ୍ୟାଙ୍କୁ ନେଇ ବ୍ୟାଟିଂକ୍ରମ ସୁଦୃଢ଼ ଥିଲା ବେଳେ ଦ୍ରୁତ ବୋଲର ଟ୍ରେଣ୍ଟ୍ ବୋଲ୍ଟ, ଯଶ୍ପ୍ରୀତ୍ ବୁମ୍ରା ଏବଂ ସ୍ପିନର ରାହୁଲ ଚହରଙ୍କୁ ନେଇ ବୋଲିଂ ଆକ୍ରମଣ ଶାଣୀତ ରହିଛି। ଚଳିତ ଆଇପିଏଲ୍ରେ ଡି’କକ୍ ୪୪୩, ଈଶାନ ୪୨୮, ସୂର୍ଯ୍ୟକୁମାର ୪୧୦ ରନ୍ କରିସାରିଥିବାରୁ ଦିଲ୍ଲୀ ବୋଲରଙ୍କ ପାଇଁ ଏହା ଚେତାବନୀ। ସେହିପରି ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଅଲ୍ରାଉଣ୍ଡର ହାର୍ଦିକ୍ ୨୪୧, ପୋଲାର୍ଡ ୨୫୯ ଓ କ୍ରୁନାଲ ପାଣ୍ଡ୍ୟା ୯୫ ରନ୍ କରିଛନ୍ତି। ପୁଣି ବୋଲିଂରେ ବୁମ୍ରା ୨୩ ୱିକେଟ୍ ନେଇଥିଲା ବେଳେ ବୋଲ୍ଟ ୨୦ ୱିକେଟ୍ ନେଇଛନ୍ତି। ସେମାନଙ୍କ ବ୍ୟତୀତ ରାହୁଲ ଚହର ୧୫ ଏବଂ କ୍ରୁନାଲ ୫ ୱିକେଟ୍ ପାଇଛନ୍ତି।
ଅନ୍ୟପଟେ ମଧ୍ୟକ୍ରମ ବ୍ୟାଟିଂକୁ ନେଇ ସଂଘର୍ଷ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିଶେଷକରି ଜଣେ ଦୁଇଜଣ ବ୍ୟାଟ୍ସମ୍ୟାନ୍ଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ। ବାମହାତୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ୍ ଦୁଇଟି ଶତକ ଏବଂ ତିନିଟି ଅର୍ଧଶତକୀୟ ପାଳି ବଳରେ ମୋଟ ୫୨୫ ରନ୍ କରିଥିଲା ବେଳେ ଆଜିଙ୍କ୍ୟ ରାହାଣେ ୧୧୧ ରନ୍ କରିଛନ୍ତି। ବାଙ୍ଗାଲୋର ବିପକ୍ଷରେ ମ୍ୟାଚ୍ ବିଜୟୀ ୬୦ ରନ୍ର ପାଳି ଖେଳି ରାହାଣେ ଦଳ ପାଇଁ ସଂପତ୍ତି ପାଲଟି ଯାଇଛନ୍ତି। ଦିଲ୍ଲୀର ଦୁଇ ଯୁବ ତାରକା ପୃଥ୍ବୀ ସ’ ଏବଂ ଋଷଭ ପନ୍ତ୍ ଯଥାକ୍ରମେ ୨୨୮ ଓ ୨୮୨ ରନ୍ କରିଥିଲା ବେଳେ ଅଧିନାୟକ ଆୟର ସର୍ବାଧିକ ୪୨୧ ରନ୍ କରିଛନ୍ତି। ଦୁଇ ବିଦେଶୀ ଖେଳାଳି ସିମ୍ରନ୍ ହେଟ୍ମେର୍ ୧୩୮ ଓ ମାର୍କସ ଷ୍ଟୋଇନିସ୍ ୨୪୯ ରନ୍ କରିଛନ୍ତି। ଦିଲ୍ଲୀ ବୋଲିଂ ଆକ୍ରମଣର ମୁଖ୍ୟ ଭୂମିକା ତୁଲାଇଥିବା କାଗିସୋ ରବାଦା (୨୫ ୱିକେଟ୍) ବାଇଗଣୀ ଟୋପି ଦୌଡ଼ରେ ସର୍ବାଗ୍ରେ ରହିଥିଲା ବେଳେ ଅନ୍ରିକ୍ ନର୍ଖିୟା ୧୯ ୱିକେଟ୍ ନେଇ ପ୍ରତିପକ୍ଷଙ୍କ ବାଟ ଓଗାଳିବାରେ ସମର୍ଥ ହୋଇଛନ୍ତି। ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍ ଏବଂ ଅକ୍ଷର ପଟେଲ ଚମତ୍କାର ପ୍ରଦର୍ଶନ ଦେଇ ଚାଲିଛନ୍ତି। ଏତେସବୁ ପ୍ରଦର୍ଶନ ସତ୍ତ୍ବେ ଲିଗ୍ ପର୍ଯ୍ୟାୟରେ ପରସ୍ପର ଦୁଇଥର ମୁହାଁମୁହିଁ ହୋଇଥିଲା ବେଳେ ସବୁଥର ମୁମ୍ବାଇ ହିଁ ବାଜି ମାରିନେଇଛି। ହେଲେ ସେହି ଦୁଇଟିଯାକ ବିଜୟ ଏବେ ଅତୀତ ହୋଇଯାଇଛି ବୋଲି କହିଛନ୍ତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା। ଆମକୁ ପୂରା ଶକ୍ତି ଖଟାଇ ପ୍ଲେ-ଅଫ୍ ଖେଳିବାକୁ ହେବ। ତୁମକୁ ଭଲ ପ୍ରଦର୍ଶନ କରିବାକୁ ହେବ। ଅବଶ୍ୟ ପୂର୍ବ ପ୍ରଦର୍ଶନକୁ ମନେ ପକାଇପାର। କିନ୍ତୁ ଅତୀତ ପ୍ରଦର୍ଶନଗୁଡ଼ିକୁ ଭୂଲିଯିବା ସବୁବେଳେ ଭଲ ଏବଂ ବର୍ତମାନ ଉପରେ ନଜର ପକାଇବା ଉଚିତ ବୋଲି ସାଥୀ ଖେଳାଳିମାନଙ୍କୁ ରୋହିତ ଚେତାଇ ଦେଇଛନ୍ତି।
ରୋହିତ ଆତ୍ମବିଶ୍ବାସ ହରାଇଛନ୍ତି: ଧାୱନ୍
ଦୁବାଇ: ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଆହତ ଯୋଗୁଁ ୪ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଥିଲେ। ସେ ମଙ୍ଗଳବାର ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍କୁ ଫେରିଥିଲେ ମଧ୍ୟ ୭ ବଲ୍ର ସାମ୍ନା କରି ମାତ୍ର ୪ ରନ୍ରେ ଆଉଟ୍ ହୋଇଥିଲେ। ତଥାପି ରୋହିତ ଜଣେ ଚମତ୍କାର ଖେଳାଳି। ହେଲେ ସେ ମ୍ୟାଚ୍ ଫିଟ୍ନେସ୍ ପାଇନଥିବା ଜଣାପଡ଼ିଥିଲା। ଏପରିକି ରୋହିତ ମଧ୍ୟ ଆତ୍ମବିଶ୍ବାସ ହରାଇଥିବା ଏବଂ ଚାପରେ ରହୁଥିବା ମୁଁ ଅନୁଭବ କରୁଛି ବୋଲି ଗୁରୁବାର ପ୍ରଥମ କ୍ବାଲିଫାୟର ପୂର୍ବରୁ କହିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ୍। ଅବଶ୍ୟ ଯେତେବେଳେ ଜଣେ ଖେଳାଳି ଆହତରୁ ଫେରନ୍ତି ସେତେବେଳେ ତାଙ୍କ ଉପରେ ଚାପ ରହିଥାଏ। ଆମେ ତା’ର ଫାଇଦା ଉଠାଇବାକୁ ଚାହିଁବୁ। ରୋହିତଙ୍କ ଫେରିବା ମୁମ୍ବାଇ ଶକ୍ତି ବୃଦ୍ଧ କରିଥିବା କୁହାଯାଉଥିଲେ ମଧ୍ୟ ଆମେ ସେଥିରେ ବିଚଳିତ ନୁହେଁ। ଆମର ମଧ୍ୟ ଏକ ଦୃଢ଼ ଦଳ ରହିଛି। ମ୍ୟାଚ୍ ଜିତିବା ପାଇଁ କେବଳ ଆମେ ଭଲ କ୍ରିକେଟ୍ ଖେଳିବାର ଆବଶ୍ୟକତା ରହିଛି। ମୁମ୍ବାଇ ବିପକ୍ଷ ଗୁରୁବାର ମ୍ୟାଚ୍ ପୂର୍ବରୁ ମୁଁ ନିଜକୁ ତାଜା ରଖିଛି। ସେମାନଙ୍କ ବୋଲରମାନଙ୍କୁ ମୁଁ ବହୁବାର ଦେଖିଛି। ମୁଁ ମଧ୍ୟ ସେମାନଙ୍କ ଯୋଜନାକୁ ଭଲଭାବେ ଜାଣିଛି। ମୁଁ ଆମ ଦଳକୁ ବିଜୟୀ କରାଇବା ପାଇଁ ପ୍ରସ୍ତୁତ ବୋଲି ଧାୱନ୍ କହିଛନ୍ତି।