ପୁଣେ: ଭାରତ ଓ ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଚତୁର୍ଥ ମୁକାବିଲା ଶୁକ୍ରବାର ଖେଳାଯିବ। ଏଥି‌ରେ ଉଭୟ ଦଳ ବିଜୟୀ ହେବାକୁ ପ୍ରାଣପଣେ ଚେଷ୍ଟା କରିବେ। ଭାରତ ବିଜୟୀ ହେଲେ ଇଂଲଣ୍ଡ ବିପକ୍ଷରେ ଲଗାତାର ପଞ୍ଚମ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟ ପାଇବ। ଇଂଲଣ୍ଡ ଜିତିଲେ ଶୃଙ୍ଖଳା ବରାବର ସ୍ଥିତିକୁ ଆସିବ। 

Advertisment

ପ୍ରଥମ ଦୁଇ ମ୍ୟାଚ୍‌ ଜିତି ୨-୦ରେ ଆଗୁଆ ରହିବା ପରେ ରାଜଜୋଟରେ ତୃତୀୟ ମ୍ୟାଚ୍‌କୁ ହାତଛଡ଼ା କରିଥିଲା ଭାରତ। ଫଳରେ ସୁବର୍ଣ୍ଣ ସୁଯୋଗ ହରାଇଥିଲା। ତଥାପି ଭାରତୀୟ କ୍ରିକେଟ୍ ଦଳ ପାଖରେ ଚତୁର୍ଥ ମ୍ୟାଚ୍‌ରେ ଏହି ପ୍ରତୀକ୍ଷିତ ଶୃଙ୍ଖଳା ବିଜୟରେ ଆଗୁଆ ମୁଣ୍ଡି ମାରିବାର ଆଉ ଏକ ସୁଯୋଗ ରହିବ। ଓପନର ସଞ୍ଜୁ ସାମ୍‌ସନ୍ଙ୍କ ଲଗାତାର ବିଫଳତା ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ନିଜେ ସୂର୍ଯ୍ୟ ମଧ୍ୟ ଠିକଣା ସମୟରେ ୱିକେଟ୍ ଫିଙ୍ଗି ଅନ୍ୟ ବ୍ୟାଟର୍‌ଙ୍କ ଉପରେ ଅତିରିକ୍ତ ଚାପ ଛାଡ଼ି ଦେଉଛନ୍ତି। ଏହି ଦୁଇ ଜଣଙ୍କ ଉପରେ ଗୁରୁବାର ଗମ୍ଭୀରଙ୍କର ସ୍ବତନ୍ତ୍ର ନଜର ରହିବ। ଭାରତକୁ ଶୃଙ୍ଖଳା ଜିତିବାକୁ ହେଲେ ଏହି ଦୁଇଜଣଙ୍କୁ ନିଜ ପୁରୁଣା ଫର୍ମକୁ ଫେରିବାକୁ ପଡ଼ିବ। ଅଭିଷେକ ଶର୍ମାଙ୍କୁ ଭଲ ଆରମ୍ଭକୁ ବଡ଼ ସ୍କୋର୍‌ରେ ରୂପାନ୍ତର ଏବଂ ଦୁଇ ଅଲରାଉଣ୍ଡର୍ ୱାସିଂଟନ୍ ସୁନ୍ଦର ଓ ଅକ୍ଷର ପଟେଲଙ୍କୁ ନିଜନିଜ ସ୍ଥାନର ସମ୍ମାନ ରଖିବାକୁ ହେବ। ସେହିଭଳି ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିବା ମହମ୍ମଦ ସାମି ରାଜକୋଟରେ ୱିକେଟ୍ ଶୂନ୍ୟ ରହିବା ପରେ ବାମହାତୀ ଦ୍ରୁତ ‌ବୋଲର ଅର୍ଶଦୀପ ସିଂହଙ୍କୁ ଚୂଡ଼ାନ୍ତ ଏକାଦଶକୁ ଫେରାଇ ଆଣିବାର ବିକଳ୍ପ ଭାରତ ପାଖରେ ଖୋଲା ରହିବ। 

ପୁଣେର ଏମ୍‌ସିଏ ଷ୍ଟାଡିୟମ୍ ପିଚ୍ ପ୍ରତି ଥର ତାର ସ୍ବଭାବ ବଦଳାଉଥିବାରୁ ଉଭୟ ଦଳ ପାଇଁ ଏହା ନିଶ୍ଚିତ ଭାବେ ଆହ୍ବାନ ହେବ। ଏହି ପିଚ୍ ଅବଶ୍ୟ ସ୍ପିନର୍‌ଙ୍କୁ କେବେବି ନିରାଶ କରିନି। ଏଣୁ ରାଜକୋଟରେ ପାଞ୍ଚ ୱିକେଟ୍ ସଫଳତା ପାଇଥିବା ବରୁଣ ଚକ୍ରବର୍ତ୍ତୀ ଏଠାରେ ମଧ୍ୟ ଇଂଲଣ୍ଡକୁ ଘାଇଲା କରିବା ଲକ୍ଷ୍ୟରେ ରହିବେ। ୨୦୧୨ରେ ପ୍ରଥମ ଟ୍ବେଣ୍ଟି-୨୦ ଖେଳାଯିବା ପରଠାରୁ ଏଠାରେ ମୋଟ ୪ଟି ଟ୍ବେଣ୍ଟି-୨୦ ଖେଳାଯାଇଛି। ଭାରତ ଦୁଇଟି ଜିତିଥିଲା ବେଳେ ଦୁଇଟି ହାରିଛି। ଏଣୁ ଏଠାକାର ରେକର୍ଡରେ ଉନ୍ନତି ଆଣିବା ମଧ୍ୟ ଭାରତୀୟ ଦଳର ଅନ୍ୟତମ ଲକ୍ଷ୍ୟ ହେବ। ଇଂଲଣ୍ଡ୍‌ ସ୍ପିନର ଆଦିଲ ରସିଦ ମଧ୍ୟ ଭାରତୀୟ ବ୍ୟାଟର୍‌ଙ୍କୁ ପୁଣି ଥରେ ପରୀକ୍ଷାରେ ପକାଇବାକୁ ବ୍ୟଗ୍ର ଥିବେ। ତାଙ୍କୁ ପ୍ରତିହତ କରିବାକୁ ୱାସିଂଟନ୍ ସୁନ୍ଦର କିମ୍ବା ଧ୍ରୁବ ଜୁରେଲଙ୍କ ଭିତରୁ ଜଣକୁ ନେଇ ରମଣଦୀପ ସିଂହଙ୍କୁ ବି ଖେଳାଇପାରେ ଭାରତ।