ଆଜି ଚତୁର୍ଥ ଟ୍ବେଣ୍ଟି-୨୦: ପୁଣି ପରୀକ୍ଷାରେ ପନ୍ତ

ରାଜକୋଟ: ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳାର ଚତୁର୍ଥ ମୁକାବିଲା ଶୁକ୍ରବାର ଏଠାରେ ଖେଳାଯିବ। ପାଞ୍ଚ ଟିକିଆ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ୨-୧ରେ ଆଗୁଆ ରହିଥିବାରୁ ଭାରତୀୟ କ୍ରିକେଟ୍ ଦଳ ପୁଣି ଥରେ ‘କର ବା ମର’ ସ୍ଥିତିରେ ରହିବ। କାରଣ ଏହି ମ୍ୟା‌ଚ୍‌ରେ ପରାଜିତ ହେଲେ ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ତା’ ନାଁରେ କରିନେବ। ଅନ୍ୟପକ୍ଷରେ ଭାରତ ବିଜୟୀ ହେଲେ ଶୃଙ୍ଖଳାକୁ ୨-୨ ସ୍ତରକୁ ଆଣି ପାରିବ। ଦିଲ୍ଲୀ ଓ କଟକରେ ପରାଜିତ ହେବା ପରେ ବିଶାଖାପାଟଣାରେ ବିଜୟୀ ହୋଇ ଭାରତ ଏହି ବହୁ ପ୍ରତୀକ୍ଷିତ ଶୃଙ୍ଖଳାକୁ ଜୀବନ୍ତ ରଖିପାରିଥିଲା। ତିନିଟି ଯାକ ମ୍ୟାଚ୍‌ରେ କିନ୍ତୁ ଅଧିନାୟକ ଋଷଭ ପନ୍ତଙ୍କ ନେତୃତ୍ବ ଶୈଳୀ ତଥା ବ୍ୟକ୍ତିଗତ ଫର୍ମ ଆଶାନୁରୂପ ନଥିଲା। ଅଧିନାୟକ ଭାବେ ସଠିକ୍ ଭାବେ ସେ ଗୋଟିଚାଳନା କରିପାରିନଥିଲେ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ମତ ଦେଇଥିଲେ। ସେହିଭଳି ବ୍ୟାଟିଂରେ ଅନାବଶ୍ୟକ ବୈଷୟିକ ତ୍ରୁଟି କରି ନିଜ ୱିକେଟ୍ ଫିଙ୍ଗି ଦେଉଥିବାର ଅପଯଶ ବି ତାଙ୍କ ମୁଣ୍ଡରେ ଲାଗିଥିଲା। ଏଣୁ ଶୁକ୍ରବାର ଭାରତୀୟ କ୍ରିକେଟ୍ ଦଳ ସହ ପନ୍ତ ବ୍ୟକ୍ତିଗତ ଭାବେ ଯୁଗଳ ପରୀକ୍ଷାରେ ରହିବେ। ତାଙ୍କ ଉପରେ ବି ସମସ୍ତଙ୍କ ନଜର ରହିବ।

ବିଶାଖାପାଟଣାରେ ଦୁଇ ଯୁବ ଓପ୍‌ନର ଋତୁରାଜ ଗାଏକ୍ବାଡ୍ ଏବଂ ଈଶାନ କିଶନ ଦୃଢ଼ ମୂଳଦୁଆ ପକାଇଥିଲେ। ରାଜକୋଟରେ ଉଭୟଙ୍କୁ ପୁଣି ଏହି ସଫଳତା ଦୋହରାଇବାକୁ ହେବ। ଅନ୍ୟପକ୍ଷରେ ଶୃଙ୍ଖଳାରେ ସେମିତି କିଛି ଆଖି ଦୃଶିଆ ସ୍କୋର କରିନଥିବା ଶ୍ରେୟସ୍ ଆୟରଙ୍କୁ ନିଜ ସର୍ଟ ବଲ୍ ଦୁର୍ବଳତାକୁ ଦୂର କରିବାକୁ ହେବ। ତୃତୀୟ ସ୍ଥାନ ଭଳି ମହତ୍ବପୂର୍ଣ୍ଣ କ୍ରମରେ ବ୍ୟାଟିଂ କରୁଥିବାରୁ ତାଙ୍କୁ ଅଧିକ ଦାୟିତ୍ବବାନ ହେବାକୁ ପଡ଼ିବ। ତେବେ ଦକ୍ଷିଣ ଆଫ୍ରିକା ଉପରେ ଚାପ ସୃଷ୍ଟି କରିବାକୁ ହେଲେ ମଧ୍ୟକ୍ରମକୁ ଆହୁରି ଭଲ କରିବାକୁ ହେବ। ବୋଲିଂ କଥା ବିଚାରକୁ ନେଲେ ବିଶାଖାପାଟଣାରେ ସ୍ପିନର ୟୁଝବେନ୍ଦ୍ର ଚହଲ ଏବଂ ଅକ୍ଷର ପଟେଲ ମଝି ଓଭର ଗୁଡ଼ିକରେ ଚମତ୍କାର ବୋଲିଂ କରିଥିଲେ। ଉଭୟ କମ୍ ରନ୍ ବ୍ୟୟ କରି ୱିକେଟ୍ ବାହର କରିବାକୁ ସକ୍ଷମ ହୋଇଥିଲେ। ଦ୍ରୁତ ବୋଲିଂ ବର୍ଗରେ ଅଭିଜ୍ଞ ଭୁବନେଶ୍ବର କୁମାର ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ହର୍ଷଲ ପଟେଲ ମଧ୍ୟ ନିଜ ବିବିଧତା ବଳରେ ଦକ୍ଷିଣ ଆଫ୍ରିକା ବ୍ୟାଟର୍‌ଙ୍କୁ ହଇରାଣରେ ପକା‌ଉଛନ୍ତି। ଅଭେସ ଖାନ୍ କିନ୍ତୁ ତୁଳନାତ୍ମକ ଭାବେ ବ୍ୟୟ ବହୁଳ ସାବ୍ୟସ୍ତ ହେଉଛନ୍ତି। ତାଙ୍କୁ ନିଜ ଲାଇନ୍ ଲେନ୍ଥ ଠିକ୍ ରଖିବାକୁ ହେବ।

ସେପଟେ ତୃତୀୟ ମ୍ୟାଚ୍ ଖେଳି ନଥିବା କ୍ବିଣ୍ଟନ୍ ଡି’କକ୍ ଶୁକ୍ରବାର ଦଳକୁ ଫେରି ପାଳି ଆରମ୍ଭ କରିବେ ବୋଲି ଦକ୍ଷିଣ ଆଫ୍ରିକା ଆଶା ରଖିଛି। ପୁଣି ଥରେ ବିଜୟ ଧାରାକୁ ଫେରି ରାଜକୋଟରେ ହିଁ ଶୃଙ୍ଖଳା ବିଜୟରେ ମୁଣ୍ଡି ମାରିବାକୁ ଅଧିନାୟକ ତେମ୍ବା‌ ବଭୂମା ରଣନୀତି ପ୍ରସ୍ତୁତ କରୁଛନ୍ତି। ଦୁଇ ସ୍ପିନର ତାବ୍ରାଇଜ୍ ସାମସୀ ଏବଂ କେଶବ ମହାରାଜ ଓଭର ପିଛା ୧୦ରୁ ଅଧିକ ରନ୍ ବ୍ୟୟ କରିବା କିନ୍ତୁ ତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ପେସର କାଗିସୋ ରବାଦା କିନ୍ତୁ ଚମତ୍କାର ଫର୍ମରେ ଅଛନ୍ତି। ଉଭୟ ଦଳ ଭଲ କ୍ଷେତ୍ରରକ୍ଷଣ କରିଥିଲେ ମଧ୍ୟ କେତେକ ସହଜ କ୍ୟାଚ୍ ହାତଛଡ଼ା କରିଛନ୍ତି। ଏଣୁ ରାଜକୋଟରେ ଏହି ଦୁର୍ବଳତା ଦୂର କରିବାକୁ ଉଭୟ ଚେଷ୍ଟା କରିବେ।

ଆୟୋଜକ ସହର ରାଜକୋଟରେ ପୂର୍ବରୁ ତିନିଟି ଟ୍ବେଣ୍ଟି-୨୦ ଖେଳାଯାଇଛି। ସେଥିମଧ୍ୟରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଗୋଟିଏ ମ୍ୟାଚ୍ ଜିତିଛି। ଦ୍ବିତୀୟ ବ୍ୟାଟିଂ କରିଥିବା ଦଳ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ଏଠାରେ ସର୍ବୋଚ୍ଚ ଦଳଗତ ସ୍କୋର ୨୦୨/୪ (ଭାରତ) ଥିଲା ବେଳେ ସର୍ବନିମ୍ନ ଦଳଗତ ସ୍କୋର ରହିଛି ୧୯୬/୨ (ନ୍ୟୁଜିଲାଣ୍ଡ)। ଏଣୁ ଏଠାରେ ଶୁକ୍ରବାର ଏକ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିବ ବୋଲି କ୍ରିକେଟ୍ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି।

ସମ୍ଭାବ୍ୟ ଭାରତ: ଈଶାନ କିଶନ, ଋତୁରାଜ ଗାଏକ୍ବାଡ୍, ଶ୍ରେୟସ୍ ଆୟର, ଋଷଭ ପନ୍ତ (ୱିକେଟ୍ ରକ୍ଷକ, ଅଧିନାୟକ), ହାର୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଅଭେସ ଖାନ୍, ଭୁବନେଶ୍ବର କୁମାର, ୟୁଝବେନ୍ଦ୍ର ଚହଲ।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: କ୍ବିଣ୍ଟନ୍ ଡି’କକ୍/ରେଜା ହେଣ୍ଡ୍ରିକ୍ସ, ତେମ୍ବା ବଭୂମା (ଅଧିନାୟକ), ରସେ ଭାନଡର ଦୁସେନ, ଡେଭିଡ୍ ମିଲର, ହେନରିକ୍ କ୍ଲାସେଁ, ଡ୍ବାନ୍ ପ୍ରିଟୋରିଅସ୍, ୱେନ୍ ପାର୍ନଲ, କାଗିସୋ ରବାଦା, କେଶବ ମହାରାଜ, ଅନରିକ ନର୍ଖିୟା, ତବ୍ରାଇସ୍ ସାମସୀ।

ସମ୍ବନ୍ଧିତ ଖବର