ନୂଆଦିଲ୍ଲୀ: ମଙ୍ଗଳବାର ଆଇସିସିର ବୋର୍ଡ ବୈଠକ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହେବ। ଏହି ବୈଠକରୁ ଅନୁକୁଳ ଫଳାଫଳ ଆଶାରେ ରହିଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)। ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ଖେଳାଯିବାକୁ ଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ଗୋଟିଏ ମାସ ଘୁଞ୍ଚାଇବା ଆଶାରେ ରହିଛି। ବିସିସିଆଇ ପାଇଁ ଏହା ପଛରେ ଦୁଇଟି କାରଣ ରହିଛି। ଆଇପିଏଲ୍-୧୪ର ଅବଶିଷ୍ଟ ଭାଗକୁ ୟୁଏଇରେ ଶେଷ କରିବା ଏବଂ କୋଭିଡ୍ ପରିସ୍ଥିତିରେ ଉନ୍ନତି ଆସିଗଲେ ଭାରତରେ ବର୍ଷ ଶେଷ ଆଡକୁ ବିଶ୍ବକପ୍ କରାଇବା। ତେବେ ବିଭିନ୍ନ ବୋର୍ଡର ଅନ୍ତର୍ଜାତୀୟ ଖେଳସୂଚୀକୁ ନେଇ ପ୍ରସ୍ତୁତ ଥିବା ଫ୍ୟୁଚର ଟୁର୍ ଆଣ୍ଡ୍ ପ୍ରୋଗ୍ରାମ୍ ସାଇକେଲ୍ (ଏଫଟିପିସି) ବିସିସିଆଇ ପଥରେ ଅନ୍ତରାୟ ସାଜିବା ଆଶଙ୍କା ରହିଛି। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହି ବୈଠକରେ ଭର୍ଚୁଆଲି ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି। ଏହା ପରେ ସେ ଆଇପିଏଲ୍ ଆୟୋଜନ ଆଲୋଚନା ନେଇ ବୁଧବାର ୟୁଏଇ ଗସ୍ତ କରିବେ। ତେବେ ବିଶ୍ବକପ୍କୁ ଘୁଞ୍ଚାଇବା ନେଇ ବିସିସିଆଇ ଏତେ ଶୀଘ୍ର ଆଇସିସି ନିକଟରୁ ସବୁଜ ସଙ୍କେତ ପାଇବା ଭଳି ସମ୍ଭାବନା ନାହିଁ। କାରଣ ଜୁଲାଇ ୧ ତାରିଖରେ ମଧ୍ୟ ବିସିସିଆଇ ଆଉ ଏକ ଏସ୍ଜିଏମ୍ ଆହୂତ କରିଛି। ବିସିସିଆଇ ମଧ୍ୟ ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇସିସିର ବାର୍ଷିକ ସମ୍ମିଳନୀ ପର୍ଯ୍ୟନ୍ତ ଅପେକ୍ଷା କରିବ କି ନିଜ ପୂର୍ବ ଘୋଷଣା ଅନୁସାରେ ଆଇପିଏଲ୍ ଓ ବିଶ୍ବକପ୍କୁ ସପ୍ତାହକ ଅନ୍ତରରେ କରାଇବା ଯୋଜନାରେ ରହିବ ଚିନ୍ତା କରିବ।
ଆଇପିଏଲ୍ର ଅବଶିଷ୍ଟ ୩୧ ମ୍ୟାଚ୍କୁ ବିସିସିଆଇ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ମଧ୍ୟରେ ୟୁଏଇରେ କରିବା ଯୋଜନାରେ ରହିଛି। ତାରିଖ ଧାର୍ଯ୍ୟ ହୋଇନାହିଁ। ସେହିଭଳି ଅକ୍ଟୋବର ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ଟ୍ବେଣ୍ଟି-୨୦ ବିଶ୍ବକପ୍ ନଭେମ୍ବର ୧୪ ମଧ୍ୟରେ ଶେଷ ହେବାକୁ ଯୋଜନା ରହିଛି। ତଦନୁଯାୟୀ ବିଭିନ୍ନ ଦେଶର କ୍ରିକେଟ୍ ବୋର୍ଡ ନିଜ ନିଜ ଜାତୀୟ ଦଳର ସୂଚୀ ପ୍ରସ୍ତୁତ କରିଛନ୍ତି। କୋଭିଡ୍ ସଂକ୍ରମଣ ପରିସ୍ଥିତି ନିମ୍ନମୁଖା ହେବା ପରେ ଏହା ବିସିସିଆଇକୁ ଉତ୍ସାହିତ କରିଛି କିନ୍ତୁ ପରିସ୍ଥିତିକୁ ନେଇ ଏବେଠାରୁ ମଧ୍ୟ କିଛି କହିବା ସ୍ଥିତି ଆସିନାହିଁ। ବିସିସିଆଇ ନିଷ୍ପତ୍ତି ମଧ୍ୟ ସରକାରଙ୍କ ସବୁଜ ସଙ୍କେତ ଉପରେ ନିର୍ଭର କରିବ। ବିସିସିଆଇ ଏଥି ପାଇଁ ୯ଟି ଭେନ୍ୟୁ ତାଲିକା ପ୍ରସ୍ତୁତ ରଖିଥିଲେ ମଧ୍ୟ ମୁମ୍ବାଇ ଭଳି ଗୋଟିଏ ସହର ତିନୋଟି ପଡିଆରେ କରିବା ଯୋଜନା ମଧ୍ୟ ବିଚାର ରହିଛି। ତେବେ ପାକିସ୍ତାନ ଦଳ ମହାରାଷ୍ଟ୍ର କି ଗୁଜରାଟରେ ଖେଳିବାକୁ ନେଇ ବିଦ୍ରୋହ ହେବାର ଆଶଙ୍କା ଥିବାରୁ ଏ ଦିଗକୁ ମଧ୍ୟ ବିସିସିଆଇ ଓ ସରକାର ବିଚାରକୁ ନେବେ। ମଙ୍ଗଳବାରର ଆଇସିସି ବୈଠକରେ ବିଶ୍ବକପ୍କୁ ଶୁଳ୍କମୁକ୍ତ କରିବା ନେଇ ମଧ୍ୟ ବିସିସିଆଇ ଆଉ ଏକ ଅଡୁଆ ପରିସ୍ଥିତିରେ ପଡ଼ିପାରେ। ସରକାରଙ୍କଠାରୁ ବିସିସିଆଇ ଏବେ ମଧ୍ୟ କୌଣସି ସୂଚନା ପାଇନାହିଁ। ନ ହେଲେ ବିସିସିଆଇକୁ ପ୍ରାୟ ୯୦୫ କୋଟି ଟଙ୍କା ହରାଇବାକୁ ପଡ଼ିବ। କୋଭିଡ୍ ପରିସ୍ଥିତିରେ ଦେଶର ଆର୍ଥିକ ପରିସ୍ଥିତି ଜଟିଳ ଥିବାରୁ ମଧ୍ୟ ସରକାରଙ୍କଠାରୁ ଏଭଳି ଅନୁକମ୍ପା ପାଇବା ସମ୍ଭାବନା କମ୍ ରହିଛି।
୨୦୨୩-୩୧ ଏଫ୍ଟିପି 
ମଙ୍ଗଳବାର ଆଇସିସି ବୋର୍ଡ ବୈଠକରେ ମଧ୍ୟ ଫ୍ୟୁଚର ଟୁରସ ଆଣ୍ଡ୍ ପ୍ରୋଗ୍ରାମ୍ ସାଇକେଲ୍ (୨୦୨୩-୩୧) ଅନ୍ୟତମ ପ୍ରମୁଖ ଆଲୋଚନା ରହିଛି। ଆଇସିସିର ପ୍ରମୁଖ ପ୍ରତିଯୋଗିତା ଗୁଡିକ ସହିତ କିଭଳି ଦ୍ବିପାକ୍ଷିକ ସୂଚୀ ପ୍ରସ୍ତୁତ ରହିବା ତାହା ସବୁ ଜାତୀୟ ବୋର୍ଡ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି। କୋଭିଡ୍ କାରଣରୁ ପ୍ରତି କ୍ରିକେଟ୍ ବୋର୍ଡ ଆର୍ଥିକ କ୍ଷତି ସହିଥିବାରୁ ସେମାନେ ଦ୍ବିପାକ୍ଷିକ ଶୃଙ୍ଖଳା ଜରିଆରେ ଏହାର ଭରଣା ଆଶାରେ ରହିଛନ୍ତି। ସମ୍ପ୍ରତି ବିଶ୍ରାମପ୍ରାପ୍ତ ଆଇସିସି ସିଇଓ ମନୁ ସାହନୀଙ୍କ ପ୍ରତିବର୍ଷ ଆଇସିସି ଇଭେଣ୍ଟ ପ୍ରସ୍ତାବ କେତେ ଗ୍ରହଣୀୟ ହେବ ମଧ୍ୟ ତାହା ଦେଖିବାର ରହିଛି। ପରବର୍ତୀ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ର ରୂପରେଖ ମଧ୍ୟ ଅନ୍ୟତମ ଚର୍ଚ୍ଚାରେ ରହିବ। ମହିଳା କ୍ରିକେଟ୍ ପ୍ରତି ସ୍ବତନ୍ତ୍ର ଗୁରୁତ୍ବ ସହିତ କ୍ରିକେଟର ବିଶ୍ବବ୍ୟାପୀ ବିକାଶ ମଧ୍ୟ ଅନ୍ୟତମ ପ୍ରସଙ୍ଗ ରହିଛି। ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ୨୦୨୮ ଲସ୍ ଏଞ୍ଚେଲ୍ସ ଅଲିମ୍ପିକ୍ସରେ ଅଂଶଗ୍ରହଣ ମଧ୍ୟ ଆଇସିସି ବୋର୍ଡ ବୈଠକରେ ପଡ଼ିବ। ଆଇସିସି ବୋର୍ଡ ଏବେ କ୍ରିକେଟକୁ ୧୦୪ ଦେଶରେ ସମାନ ଭାବେ ପ୍ରସାରିତ କରିବା ଲକ୍ଷ୍ୟରେ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/5d4gh545g46a5dggggggggggggggggggg.jpg)
