ଟୋକିଓ: କ୍ବାର୍ଟର ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରି ପ୍ରଥମ ଥର ଅଲିମ୍ପିକ୍ସର ସେମିଫାଇନାଲ୍‌ରେ ପ୍ରବେଶ କରିଥିବା ଭାରତୀୟ ମହିଳା ହକି ଦଳ ବୁଧବାର ଅପରାହ୍ନ ୩ଟା ୩୦ରେ ଏହି ମହାମୁକାବିଲାରେ ଆର୍ଜେଣ୍ଟିନାକୁ ଭେଟିବ। ଭାରତ ପାଇଁ ଏହି ମ୍ୟାଚ୍ ଆଦୌ ସହଜ ହେବନି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ହେଲେ ଚଳିତ ଥର ଏକ ସ୍ବତନ୍ତ୍ର ଲକ୍ଷ୍ୟ ଓ ମିସନ୍ ନେଇ ଟୋକିଓ ଯାଇଥିବା ଭାରତୀୟ ମହିଳା ହକି ଦଳ ପ୍ରଶିକ୍ଷକ ଜୋଏଡ୍ ମାରିନଙ୍କ ମାର୍ଗଦର୍ଶନରେ ଆଉ ଏକ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଏହା ପୂର୍ବରୁ ଭାରତୀୟ ମହିଳା ହକି ଦଳ ୧୯୮୦ ମସିହାରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଖେଳି ଚତୁର୍ଥ ସ୍ଥାନରେ ରହିଥିଲା। ଏଥର ସେହି ପ୍ରଦର୍ଶନ ଆଗକୁ ବଢ଼ି ପ୍ରଥମ ଥର ପଦକ ଜିତିବ ବୋଲି ସାରା ଭାରତବାସୀ ଶୁଭ ମନାସିଛନ୍ତି। ଏହି ପ୍ରତୀକ୍ଷିତ ମ୍ୟାଚ୍ ପୂର୍ବରୁ କିନ୍ତୁ ଭାରତୀୟ ମହିଳା ହକି ଦଳକୁ ମଙ୍ଗଳବାର ଆଉ ଏକ ଖୁସି ଖବର ମିଳିଛି। ଚଳିତ ଟୋକିଓ ଅଲିମ୍ପିକ୍ସ ପ୍ରଦର୍ଶନ ବଳରେ ଦଳ ବିଶ୍ବ ମାନ୍ୟତାର ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛି।

Advertisment

ଏହା ମଧ୍ୟ ଭାରତୀୟ ମହିଳା ହକି ଦଳର ସର୍ବଶ୍ରେଷ୍ଠ ବିଶ୍ବ ମାନ୍ୟତା। ତେବେ ପ୍ରତିପକ୍ଷ ଆର୍ଜେଣ୍ଟିନା ହେଉଛି ବିଶ୍ବର ଦୁଇ ନମ୍ବର ଦଳ। ପାଞ୍ଚ ବର୍ଷ ପୂର୍ବେ ରିଓ ଅଲିମ୍ପିକ୍ସର କ୍ବାର୍ଟର ଫାଇନାଲ୍‌ରୁ ବିଦାୟ ନେଇଥିବା ଆର୍ଜେଣ୍ଟିନା ମହିଳା ହକି ଦଳ ବି ଏଥର ଆଉ ଏକ ପଦକ ଜିତିବାକୁ ପୂରା ଭୋକିଲା ଅଛି। ତେବେ ଦୀପଗ୍ରେସ୍ ଏକ୍କା, ମୋନିକା, ଉଦିତାଙ୍କ ଭଳି ଖେଳାଳି ଆର୍ଜେଣ୍ଟିନା ଆକ୍ରମଣକୁ ପ୍ରତିହତ କରିବାକୁ ପୂରା ସକ୍ଷମ। ସେହିଭଳି ଅଧିନାୟିକା ରାଣୀ ରାମପାଲ, ଡ୍ରାଗ ଫ୍ଲିକର ଗୁରଜିତ କୌର ପ୍ରମୁଖ ଏବେ ଚମତ୍କାର ଫର୍ମରେ ଅଛନ୍ତି। ପୂର୍ବରୁ ଆର୍ଜେଣ୍ଟିନା ୨୦୦୦ ମସିହା ସିଡ୍‌ନି ଅଲିମ୍ପିକ୍ସ ଓ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲା। ଏହି ଦଳ ଏପର୍ଯ୍ୟନ୍ତ ସ୍ବର୍ଣ୍ଣ ପଦକ ଜିତିନି। ଏଣୁ ଏଥର ଆର୍ଜେଣ୍ଟିନା ସ୍ବର୍ଣ୍ଣ ଜିତିବା ଲକ୍ଷ୍ୟରେ ରହିଛି। ଭାରତ କିନ୍ତୁ ଏହା କରାଇ ନଦେବାର ବି ଯଥେଷ୍ଟ ସମ୍ଭାବନା ରହିଛି।