୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌: ଆଜି ଭାରତ-ଇଂଲଣ୍ଡ ଫାଇନାଲ

ଆଣ୍ଟିଗୁଆ : ଚଳିତ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲ୍‌ ଲଢ଼େଇ ଆସନ୍ତାକାଲି ନର୍ଥ ସାଉଣ୍ଡ୍‌ସ୍ଥିତ ସାର୍‌ ଭିଭିଆନ୍‌ ରିଚାର୍ଡସ ଷ୍ଟାଡିୟମ୍‌ରେ ଖେଳାଯିବ। ଏଥିରେ ବିଶ୍ବ ବିଜେତା ହେବା ପାଇଁ ଚଳିତ ପ୍ରତିଯୋଗିତାର ଦୁଇ ଅପରାଜେୟ ଦଳ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ଭାରତୀୟ ସମୟ ସଂଧ୍ୟା ୬.୩୦ରୁ ଆରମ୍ଭ ହେବ। ଗତ ୧୪ ସଂସ୍କରଣରୁ ୮ ଥର ଫାଇନାଲ୍‌ ପ୍ରବେଶ ଏବଂ ୪ ଥର ଟ୍ରଫି ହାସଲ କରି ଭାରତ ବିଶ୍ବକପ୍‌ ଇତିହାସର ସର୍ବାଧିକ ସଫଳ ଦଳ ଭାବେ ନିଜକୁ ସାବ୍ୟସ୍ତ କରିସାରିଛି। ତେଣୁ ଆସନ୍ତାକାଲି ଇଂଲଣ୍ଡକୁ ପରାସ୍ତ କରି ନିଜର ଆଧିପତ୍ୟକୁ ଲମ୍ବାଇବାକୁ ଭାରତ ଲକ୍ଷ୍ୟ ରଖିଛି। ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ସେମିଫାଇନାଲ୍‌ରେ ଧୂଳି ଚଟାଇଥିବା ୟାଶ୍‌ ଧୂଲ୍‌ଙ୍କ ଭାରତୀୟ ଯୁବ ଦଳ ଇଂଲଣ୍ଡକୁ ପରାସ୍ତ କଲେ ପଞ୍ଚମ ଥର ବିଶ୍ବବିଜେତା ହୋଇପାରିବ। ଏବର ଭାରତୀୟ ଦଳର ଗଭୀରତା ଏବଂ ଖେଳାଳିଙ୍କ ଫର୍ମ ଏହାର ସପକ୍ଷରେ ରହିଥିଲେ ମଧ୍ୟ ସାମ୍‌ନାରେ ଉତ୍ସାହିତ ଇଂଲଣ୍ଡ ଥିବାରୁ ଫାଇନାଲ୍‌ ଉତ୍କଣ୍ଠାପୂର୍ଣ୍ଣ ହେବାର ସମ୍ଭାବନାକୁ ଏଡାଇ ଦେଇହେବନାହିଁ।

ସେମିଫାଇନାଲ୍‌ରେ ଅଧିନାୟକ ଧୂଲ୍‌ଙ୍କ ଚିତାକର୍ଷକ ଶତକ ସାଙ୍ଗକୁ ଉପଅଧିନାୟକ ସେକ୍‌ ରସିଦ୍‌ଙ୍କ ୯୪ ରନ୍‌ ଭାରତୀୟ ବ୍ୟାଟିଂ ଗଭୀରତାର ପ୍ରମାଣ ଦେଇଥିଲା ବେଳେ ଓପ୍‌ନର ଅଙ୍ଗକ୍ରିସ୍‌ ରଘୁବଂଶୀ, ହର୍ନୁର ସିଂହ, ମଧ୍ୟକ୍ରମରେ ୱିକେଟ୍‌ରକ୍ଷକ ଦୀନେଶ ବାନା, ନିଶାନ୍ତ ସିନ୍ଧୁ, ରାଜ୍‌ ବୱା ଦ୍ରୁତ ରନ୍‌ ସଂଗ୍ରହର ସାମର୍ଥ୍ୟ ରଖନ୍ତି। ସେହିପରି ସ୍ପିନରଙ୍କ କମାଲ ପ୍ରତିପକ୍ଷକୁ ଘାଇଲା କରିବା ପାଇଁ ଯଥେଷ୍ଟ ହୋଇପାରିବ। ବିଶେଷକରି ସ୍ପିନର ଭିକି ଅସ୍ତୱାଲ, ନିଶାନ୍ତ ସିନ୍ଧୁ ଓ ରବି କୁମାର ଭଲ ବୋଲିଂ କରୁଛନ୍ତି। ଆମେ ଏକ ସନ୍ତୁଳିତ ଦଳ ଏବଂ ଫାଇନାଲ୍‌ ଜିତିବାର ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ରସିଦ୍‌। ପୁଣି ବିରାଟ କୋହଲିଙ୍କ ଗୁରୁ ମନ୍ତ୍ର ଆମକୁ ଫାଇନାଲ୍‌ ଜିତିବାରେ ମନୋବଳ ଦେବ ବୋଲି ସେ କହିଛନ୍ତି। ଭାରତ ମଧ୍ୟ ଅପରିବର୍ତିତ ଦଳ ନେଇ ଫାଇନାଲ୍‌କୁ ଓହ୍ଲାଇବ ବୋଲି ଅଧିନାୟକ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ୨୪ ବର୍ଷ ପ‌ରେ ପ୍ରଥମ ଥର ଫାଇନାଲ୍‌ ପ୍ରବେଶ କରିଥିବା ଇଂଲଣ୍ଡ କୌଣସିମତେ ଏଥର ବିଜେତା ହେବାର ସ୍ବପ୍ନକୁ ହାତଛଡ଼ା କରିବାକୁ ଦେବନି ବୋଲି ଏହାର ଅଧିନାୟକ ଟମ୍‌ ପ୍ରିଷ୍ଟ କହିଛନ୍ତି। ଶେଷଥର ପାଇଁ ଏହି ଇଂଲିସ୍‌ ଦଳ ୧୯୯୮ରେ ଓଏସିସ୍‌ ସାହାଙ୍କ ନେତୃତ୍ବରେ ବିଜେତା ହୋଇଥିଲା। ଯାହାକି ଇଂଲଣ୍ଡ ପାଇଁ ଏକମାତ୍ର ବିଶ୍ବକପ୍‌ ଟ୍ରଫି ହୋଇ ରହିଛି। ତେବେ ଏଥର ଇଂଲଣ୍ଡ ସେମିଫାଇନାଲ୍‌ରେ ଆଫ୍‌ଗାନିସ୍ତାନକୁ ପରାସ୍ତ କରି ଫାଇନାଲ୍‌ ଆସିଛି। ଆମ ବୋଲରମାନେ ଭାରତକୁ ରୋକିପାରିବାର ସାମର୍ଥ୍ୟ ରଖନ୍ତି ବୋଲି ପ୍ରିଷ୍ଟ୍‌ ଜୋର୍‌ ଦେଇ କହିଛନ୍ତି।
ଭାରତ ସମ୍ଭାବ୍ୟ ଦଳ: ଆଶ୍‌ ଧୂଲ୍‌ (ଅଧିନାୟକ), ହର୍ନୁର ସିଂହ, ଅଙ୍ଗ୍‌କ୍ରିସ୍‌ ରଘୁବଂଶୀ, ସେକ୍‌ ରସିଦ୍‌, ସିଦ୍ଧାର୍ଥ ଯାଦବ, ରାଜ୍‌ ବୱା, କୌଶଲ ତାମ୍ବେ, ଦୀନେଶ ବାନା (ୱିକେଟ୍‌ରକ୍ଷକ), ରାଜ୍‌ବର୍ଦ୍ଧନ ହଙ୍ଗାର୍‌ଗେକର, ଭିକି ଓସ୍‌ୱାଲ, ରବି କୁମାର।

ଇଂଲଣ୍ଡ ଦଳ: ଟମ୍‌ ପ୍ରିଷ୍ଟ (ଅଧିନାୟକ), ଜର୍ଜ ଥୋମାସ୍‌, ଜାକୋବ୍‌ ବେଥେଲ, ଜର୍ଜ ବେଲ୍‌, ୱିଲିୟମ୍‌ ଲକ୍ସଟନ୍‌, ଜେମ୍‌ସ ରିଉ, ଆଲେକ୍ସ ହର୍ଟନ (ୱିକେଟ୍‌ରକ୍ଷକ), ରେହାନ ଅହମ୍ମଦ, ଥୋମାସ୍‌ ଅସ୍ପିନ୍‌ୱାଲ, ଜେମ୍‌ସ ସେଲେସ୍‌/ଫତେ ସିଂହ, ଜୋସୁଆ ବୟଡେନ୍‌।

ଭାରତୀୟ ସ୍ପିନରଙ୍କ ଦବ୍‌ଦବା
ଭାରତୀୟ ସ୍ପିନର ୫ ମ୍ୟାଚ୍‌ରୁ ୧୨.୩୪ ହାରରେ ୨୬ ୱିକେଟ୍‌ ଦଖଲ କରିଛନ୍ତି। ଯାହାକି ଚଳିତ ବିଶ୍ବକପ୍‌ରେ ‌ଯେକୌଣସି ଦଳ ପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏକ୍ଷେତ୍ରରେ ଇଂଲଣ୍ଡ ସ୍ପିନରଙ୍କ ହାରାହାରି ତୃତୀୟରେ ରହିଛି। ତେବେ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ରେ ଇଂଲଣ୍ଡର ରେହାନ ଏକମାତ୍ର ବୋଲର ଯିଏକି ୩ ଥର ୪ ୱିକେଟ୍‌ ସଫଳତା ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର