ଭୁବନେଶ୍ବର: ଚଳିତ ଆଇଏସ୍ଏଲ୍ରେ ଓଡ଼ିଶା ଏଫ୍ସି ତା’ର ଶେଷ ଘରୋଇ ମ୍ୟାଚ୍ ଶୁକ୍ରବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଖେଳିବ। ଏଥିରେ ଓଡ଼ିଶା ସମ୍ମୁଖରେ ରହିଛି ପଡ଼ୋଶୀ ମହମ୍ମଡାନ ଏସ୍ସି। କୋଲ୍କାତାରେ ମୋହନ ବାଗାନ ଏସ୍ଜିଠୁ ୦-୧ ପରାଜୟ ପରେ ଓଡ଼ିଶା ଏଫ୍ସି ଏହି ମ୍ୟାଚ୍ ଜିତି ପ୍ଲେ ଆଶା ଉଜ୍ଜୀବିତ ରଖିବା ଲକ୍ଷ୍ୟରେ ରହିଛି। ସଂପ୍ରତି ଏହି ଦଳ ୨୯ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହି ପ୍ଲେ ଅଫ୍ ପ୍ରବେଶ ଆଶାକୁ ଉଜ୍ଜୀବିତ ରଖିଛି। ହେଲେ ଓଡ଼ିଶା ଏଫ୍ସି ପାଇଁ ସେତେଟା ସହଜ ନୁହେଁ। ପରବର୍ତ୍ତୀ ଦୁଇ ମ୍ୟାଚ୍ ଜିତିବା ସହ ଅନ୍ୟ ଦଳର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ ଏହି ଭୁବନେଶ୍ବର ଭିତ୍ତିକ ଦଳକୁ। ନିଲମ୍ବନ ପାଇଁ ଦଳର ତାରକା ଖେଳାଳି ମୌତର୍ଦା ଫଲ୍, ଅହମଦ ଜାହୋଉ ଓ ହୁଗୋ ବୌମସ ଶୁକବ୍ରାର ମ୍ୟାଚ୍ ଖେଳିବେନି। ଫଳରେ ସର୍ଜିଓ ଲୋବେରୋଙ୍କ ଦଳ ଲାଗି ଏହି ମ୍ୟାଚ୍ ବଡ଼ ଆହ୍ବାନ ଆଣିଛି। ଚଳିତ ଋତୁରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଗୋଲ୍ଶୂନ୍ୟ ଭାବେ ଅମୀମାଂସିତ ରହିଥିଲା। ଏଥିସହ ଏହି ୧୩ ଦଳୀୟ ପ୍ରତିଯୋଗିତାରେ ମହମ୍ମଡାନ ଦଳ ୧୧ ପଏଣ୍ଟ ସହ ଟେବୁଲର ଶେଷ ସ୍ଥାନରେ ଥିବାରୁ ବିଜୟ ସହ ଘରୋଇ ଅଭିଯାନ ଶେଷ ଲକ୍ଷ୍ୟରେ ରହିଛି ଓଡ଼ିଶା।
ମ୍ୟାଚ୍ ପୂର୍ବରୁ ଲୋବେରୋ କହିଛନ୍ତି ଯେ ‘‘ଆମର କିଛି ଖେଳାଳି ଏହି ମ୍ୟାଚ୍ରେ ଖେଳିପାରିବେନି। ତଥାପି ଆମ ପାଖରେ ଭଲ ଦଳ ରହିଛି। ଯେଉଁମାନେ ଅଛନ୍ତି ସେମାନଙ୍କୁ ନେଇ ଭଲ କରିବୁ ତାହା ଉପରେ ଧ୍ୟାନ ରଖିଛୁ। ଆମ ପାଇଁ ପ୍ଲେ ଅଫ୍ ଖେଳିବା କଷ୍ଟକର ରହିଥିଲେ ମଧ୍ୟ ଫୁଟ୍ବଲ୍ରେ ସବୁ ସମ୍ଭବ। ପରବର୍ତ୍ତୀ ଦୁଇ ମ୍ୟାଚ୍ ଜିତିବା ହେଉଛି ଆମର ମୂଳ ଲକ୍ଷ୍ୟ’’।