କାନବେରା: ସିଡ୍ନିରେ ଯୁଗଳ ପରାଜୟ ବରଣ କରିଥିବା ଭାରତୀୟ ଦଳ ବୁଧବାର କାନବେରାରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ଖେଳିବ। ଭାରତ ପାଇଁ ଏହି ମ୍ୟାଚ୍ ସମ୍ମାନର ପ୍ରଶ୍ନ ନେଇ ଆସିଛି। ୦-୩ ମୂଳପୋଛ ଶୃଙ୍ଖଳା ପରାଜୟରୁ ବର୍ତିବାକୁ ଚେଷ୍ଟା କରିବ ବିରାଟ ବାହିନୀ। ତେବେ ଶୃଙ୍ଖଳା ଫଳାଫଳ ଧାର୍ଯ୍ୟ ହୋଇ ସାରିଥିବାରୁ ଉଭୟ ଦଳ ଏହି ମ୍ୟାଚ୍ରେ ସେମାନଙ୍କ ବେଞ୍ଚ୍ ଷ୍ଟ୍ରେଙ୍ଗ୍ଥ ତଥା ସଂରକ୍ଷିତ ଖେଳାଳିଙ୍କୁ ସୁଯୋଗ ଦେବାର ଯୋଜନା କରିଛନ୍ତି। କାନବେରାରେ ବଡ଼ ସ୍କୋର୍ ହେବାର ପରମ୍ପରା ଥିବାରୁ ବୁଧବାର ମଧ୍ୟ ପ୍ରଶଂସକମାନେ ଏକ ହାଇ ସ୍କୋରିଂ ମୁକାବିଲା ଦେଖିବାକୁ ପାଇବେ ବୋଲି ଆଶା ରଖିଛନ୍ତି। ସିଡନିରେ ଅଷ୍ଟ୍ରେଲିଆ ଦୁଇଟି ବଡ଼ ସ୍କୋର୍ କରି ସାରିଥିବାରୁ କାନବେରାରେ ମଧ୍ୟ ରନ୍ ବର୍ଷିବ ବୋଲି ବିଶ୍ବାସ ରହିଛି। ଏହି ପଡ଼ିଆରେ ଶେଷ ୭ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଛି। ଏହା ମଧ୍ୟରୁ ୬ ଥର ୩୨୦ରୁ ଊର୍ଧ୍ବ ରନ୍ ସ୍କୋରକୁ ବିଜୟୀ ଦଳ ସୁରକ୍ଷିତ ରଖିବାରେ ସଫଳ ହୋଇଛି। ଶେଷ ୪ଟି ମ୍ୟାଚ୍ରେ ଯଥାକ୍ରମେ ୩୭୨/୨, ୪୧୧/୪, ୩୪୮/୮ ଓ ୩୭୮/୫ ସ୍କୋର୍ ହୋଇଛି। ଶେଷ ଥର ପାଇଁ ଭାରତ କାନବେରାରେ ଖେଳି ହାରିଥିଲା। ଶିଖର ଧାୱନ ଏବଂ ବିରାଟ କୋହଲିଙ୍କ ଶତକ ଜରିଆରେ ଦଳ ଏକଦା ୨୭୭/୧ରେ ପହଞ୍ଚିଥିଲା। ଏହାପରେ ବିଜୟ ପାଇଁ ୭୫ ବଲ୍ରୁ ୭୭ ରନ୍ ଆବଶ୍ୟକ ଥିଲା। କିନ୍ତୁ କେନ୍ ରିଚାର୍ଡସନଙ୍କୁ ମୁକାବିଲା କରିନପାରି ୪୬ ରନ୍ରେ ଭାରତ ଶେଷ ୯ ୱିକେଟ୍ ହରାଇ ଦେବାରୁ ବିଜୟ ଲକ୍ଷ୍ୟରେ ପହଞ୍ଚିପାରିନଥିଲା।
ଭାରତ ପାଇଁ ଦଳୀୟ ସନ୍ତୁଳନ ଏବଂ ବୋଲିଂର ଗଭୀରତାକୁ ନେଇ ଚିନ୍ତା ଜାରି ରହିଛି। ଏହି ଚାପ ଜାରି ରହିଥିଲେ ମଧ୍ୟ ଡେଭିଡ୍ ୱାର୍ନର ଓ ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ଭାରତ ସମତୁଲ ଲଢ଼େଇ କରିବ ବୋଲି ଆଶା କରାଯାଉଛି। ଟେଷ୍ଟ୍ ଶୃଙ୍ଖଳାକୁ ନଜରରେ ରଖି ଭାରତ ଯଶପ୍ରୀତ୍ ବୁମରା ଓ ମହମ୍ମଦ ସାମିଙ୍କ ମଧ୍ୟରୁ ଜଣକୁ ବିଶ୍ରାମ ଦେବା ଯୋଜନାରେ ରହିଛି। କିନ୍ତୁ ଲଗାତାର ୫ ଦିନିକିଆ ହାରିଥିବାରୁ ଭାରତ ଧାରା ଭାଙ୍ଗିବା ଲକ୍ଷ୍ୟରେ ରହିବ। ଶେଷ ଥର ପାଇଁ ୨୦୧୬ରେ ଭାରତ ଲଗାତାର ୫ ଦିନିକିଆରେ ହାରିଥିଲା। ୪ ବର୍ଷ ତଳେ ବୁମରାଙ୍କ ପଦାର୍ପଣ ସହିତ ଭାରତ ମଧ୍ୟ ଅଷ୍ଟ୍ରେଲିଆକୁ ହରାଇବାରେ ସକ୍ଷମ ହୋଇଥିଲା।
ମୟଙ୍କ ଅଗ୍ରୱାଲଙ୍କୁ ଭାରତୀୟ ଦିନିକିଆ ଯୋଜନାରେ ତିଷ୍ଠିବାକୁ ହେଲେ ବୁଧବାର ନିଶ୍ଚିତ ଶେଷ ସୁଯୋଗ ମିଳିବ। ୫ ଦିନିକିଆ ଖେଳି ମୟଙ୍କ ୧୦୩.୬୧ ଷ୍ଟ୍ରାଇକ୍ ରେଟରେ ରନ୍ ସଂଗ୍ରହ କରିଥିଲେ ମଧ୍ୟ ସର୍ବାଧିକ ୩୨ ରନ୍ ପର୍ଯ୍ୟନ୍ତ ଯାଇପାରିଛନ୍ତି। ତାଙ୍କୁ ଏବେ ବଡ଼ ପାଳି ଖେଳିବାର ସମୟ ଆସିଯାଇଛି। ଭାରତୀୟ ଦଳର ପରିବର୍ତନ ଆକଳନ କରିବା କଷ୍ଟକର କାମ ହୋଇଥିଲେ ମଧ୍ୟ କୁଲଦୀପ ଯାଦବ କିମ୍ବା ସାର୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପାଇଁ ୱାର୍ନରଙ୍କ ସ୍ଥାନରେ ଡାଏର୍କି ସର୍ଟ କିମ୍ବା ମାଥ୍ୟୁ ୱାଦେ ଶୀର୍ଷକ୍ରମରେ ଖେଳିବେ। କାମେରନ୍ ଗ୍ରିନ୍ଙ୍କୁ ପଦାର୍ପଣ ସୁଯୋଗ ମିଳିବା ସମ୍ଭାବନା ମଧ୍ୟ ରହିଛି। ଚମତ୍କାର ଫର୍ମରେ ଥିବାରୁ ସିନ୍ ଆବୋଟ୍ଙ୍କୁ ପ୍ୟାଟ୍ କମିନ୍ସଙ୍କ ବଦଳରେ ସୁଯୋଗ ମିଳିବା ଅଧିକ ବିଶ୍ବାସ ରହିଛି।
ପିଚ୍ ଓ ପ୍ରତିକ୍ରିୟା: କାନବେରାର ମନୁକା ଓଭାଲର ଅଷ୍ଟ୍ରେଲିଆର ଅନ୍ୟତମ ଫ୍ଲାଟ୍ ପିଚ୍ ସହ ଲମ୍ବା ବାଉଣ୍ଡରି ରଖିଛି। ସର୍ବାଧିକ ୨୬ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ଯିବାର ପୂର୍ବାନୁମାନ କରାଯାଇଛି। ୱିକେଟରେ ପେସ୍ ଓ ବାଉନ୍ସ ରହିବ। ସୁନ୍ଦର ଆଉଟ୍ ଫିଲ୍ଡ ବି ରହିଛି। ବଡ଼ ଗ୍ରାଉଣ୍ଡ୍ ଥିବାରୁ ନିଜ ସଟ୍ର ମୂଲ୍ୟ ମିଳିବ। ସମାନ ସମୟରେ ଅତିରିକ୍ତ ପେସ୍ ଓ ବାଉନ୍ସରେ ବୋଲିଂ କଲେ ବୋଲରମାନେ ପ୍ରତିପକ୍ଷର କ୍ଷତି ପହଞ୍ଚାଇପାରିବେ। ଉଭୟ ଦଳ ନୂଆ ବଲ୍ରେ ଭଲ କରିବାକୁ ନିଶ୍ଚିତ ଚେଷ୍ଟା କରିବେ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍। ଅନ୍ୟପକ୍ଷରେ ଆମେ ଏଠାରେ ଜିତିବା ସହ କ୍ଲିନ୍ ସୁଇପ୍ ହେବାକୁ ଦେବୁ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଭାରତୀୟ ଯୁବ ତାରକା ଶ୍ରେୟସ ଆୟର୍।
ଭାରତ (ସମ୍ଭାବ୍ୟ): ମୟଙ୍କ ଅଗ୍ରୱାଲ, ଶିଖର ଧାୱନ/ଶୁଭମନ ଗିଲ୍, ବିରାଟ କୋହଲି (ଅଧିନାୟକ), ଶ୍ରେୟସ ଆୟର/ମନୀଷ ପାଣ୍ଡେ/ସଂଜୁ ସାମସନ୍, କେଏଲ୍ ରାହୁଲ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ସାର୍ଦୁଲ ଠାକୁର/ନଭଦୀଦ ସୈନି, ମହମ୍ମଦ ସାମି/ଯଶପ୍ରୀତ୍ ବୁମରା/ଟି ନଟରାଜନ (ଏମାନଙ୍କ ମଧ୍ୟରୁ ୨ ଜଣ), ୟୁଜବେନ୍ଦ୍ର ଚହଲ/କୁଲଦୀପ ଯାଦବ।
ଅଷ୍ଟ୍ରେଲିଆ (ସମ୍ଭାବ୍ୟ): ଆରୋନ୍ ଫିଞ୍ଚ୍ (ଅଧିନାୟକ), ମାଥ୍ୟୁ ୱାଦେ/ଡାଏର୍କି ସର୍ଟ, ଷ୍ଟିଭେନ୍ ସ୍ମିଥ୍, ମାର୍ନସ ଲବୁସାନ୍, ମୋଜେସ୍ ହେନରିକ୍ସ, ଆଲେକ୍ସ କ୍ୟାରି (ୱିକେଟରକ୍ଷକ), ଗ୍ଲେନ୍ ମ୍ୟାକ୍ସୱେଲ୍, ସିନ୍ ଆବୋଟ୍, ମିଚେଲ୍ ଷ୍ଟାର୍କ, ଆଦାମ ଜାମ୍ପା, ଜୋସ୍ ହାଜେଲଉଡ୍।
ଅଗରକରଙ୍କ ୧୮ ବର୍ଷର କୀର୍ତ୍ତିମାନ ଭାଙ୍ଗିବେ ସାମି
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ କାନ୍ବେରା ଦିନିକିଆ ମ୍ୟାଚ୍ରେ ୨ ୱିକେଟ୍ ଦଖଲ କରିପାରିଲେ ଦ୍ରୁତ ବୋଲର ମହମ୍ମଦ ସାମି ୧୫୦ ୱିକେଟ୍ ନେବାରେ ଦ୍ରୁତତମ ଭାରତୀୟ ବୋଲର ହୋଇପାରିବେ। ଏକ୍ଷେତ୍ରରେ ସେ ପୂର୍ବତନ ପେସର୍ ଅଜିତ୍ ଅଗରକରଙ୍କ ନାମରେ ଥିବା ୧୮ ବର୍ଷ ତଳର କୀର୍ତ୍ତିମାନକୁ ପଛରେ ପକାଇଦେବେ। ସାମି ଏବେସୁଦ୍ଧା ୭୯ ଦିନିକିଆ ମ୍ୟାଚ୍ରୁ ୧୪୮ ୱିକେଟ୍ ଅକ୍ତିଆର କରିସାରିଛନ୍ତି। ଭାରତୀୟ ଭାବେ ଅଗରକର ଏହି ମାଇଲଖୁଣ୍ଟ ଛୁଇଁବାକୁ ୯୭ ମ୍ୟାଚ୍ ଖେଳିଥିଲେ। ତେଣୁ ଆଉ ୨ ୱିକେଟ୍ ପାଇଗଲେ ସାମି ୧୫୦ ୱିକେଟ୍ ନେବାରେ ଦ୍ରୁତତମ ଭାରତୀୟ ବୋଲର ହୋଇଯିବେ। ସାମି ମଧ୍ୟ ଏକ୍ଷେତ୍ରରେ ବିଶ୍ବର ତୃତୀୟ ଦ୍ରୁତତମ ବୋଲର ରହିବେ। ଅଗରକରଙ୍କ ବ୍ୟତୀତ ଏହି କ୍ଲବ୍ରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ (୭୭ ମ୍ୟାଚ୍) ଏବଂ ପାକିସ୍ତାନର ପୂର୍ବତନ ସ୍ପିନର ସାକ୍ଲିନ୍ ମୁସ୍ତାକ (୭୯ ମ୍ୟାଚ୍) ରହିଛନ୍ତି।