ଆଜି ଶେଷ ଦିନିକିଆ: ଧାୱନ ଖେଳିବେ, ଶୃଙ୍ଖଳା ମୂଳପୋଛ ଲକ୍ଷ୍ୟରେ ଭାରତ

ଅହମଦାବାଦ: ଆସନ୍ତାକାଲି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଖେଳାଯିବ। ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ପ୍ରଥମ ଦୁଇଟି ମ୍ୟାଚ୍‌କୁ ଜିତି ଆଗୁଆ ଶୃଙ୍ଖଳା କବ୍‌ଜା କରିସାରିଥିବା ଘରୋଇ ଭାରତ କାଲିର ମ୍ୟାଚ୍‌ ଜିତି ମୂଳପୋଛ ବିଜୟ ଲକ୍ଷ୍ୟ ରଖିଛି। ଏହା ହେଲେ ରୋହିତ ତାଙ୍କ ନେତୃତ୍ବର ପ୍ରଥମ ଶୃଙ୍ଖଳାରେ ମୂଳପୋଛ ବିଜୟ ହାସଲ କରିବେ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ ଏହି ମ୍ୟାଚ୍‌କୁ ଜିତି ସମ୍ମାନ ରଖିବା ଲକ୍ଷ୍ୟରେ ରହିଛି।

ଓପ୍‌ନର ଶିଖର ଧାୱନ୍‌ କୋଭିଡ୍‌ ସଂକ୍ରମଣରୁ ମୁକ୍ତ ହୋଇ ଦଳକୁ ଫେରିବା ଭାରତ ପାଇଁ ଖୁସୀ ଖବର ରହିଛି। ତେଣୁ ଅଧିନାୟକ ରୋହିତ ଶର୍ମାଙ୍କ ସହ ପ୍ରଥମ ମ୍ୟାଚ୍‌ରେ ଈଶାନ କିଷନ ଏବଂ ଦ୍ବିତୀୟ ମ୍ୟାଚ୍‌ରେ ଋଷଭ ପନ୍ତ୍‌ ପାଳି ଆରମ୍ଭ କରିଥିଲା ବେଳେ ଶେଷ ମ୍ୟାଚ୍‌ରେ ଧାୱନ୍‌ ହିଁ ପାଳି ଆରମ୍ଭ କରିବେ ବୋଲି ରୋହିତ ଗୁରୁବାର ସ୍ପଷ୍ଟ କରିଛନ୍ତି। ଫଳରେ ପନ୍ତ୍‌ ମଧ୍ୟକ୍ରମକୁ ଫେରିଆସିବେ। ସେହିପରି ଶୃଙ୍ଖଳା ଜିତି ସାରିଥିବାରୁ ଦଳରେ ଦୁଇ ତିନିଟି ପରିବର୍ତନ କରିବାର ଆଭାସ ଦେଇଛନ୍ତି ଅଧିନାୟକ। ଋତୁରାଜ ଗାଏକ୍ବାଡ ଏବଂ ଶ୍ରେୟସ ଆୟର ସୁସ୍ଥ ହୋଇ ସଂଗରୋଧରୁ ବାହାରକୁ ଆସିଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା କମ୍‌ ରହିଛି। ହେଲେ ବୋଲିଂକ୍ରମରେ ସ୍ପିନର ଅଦଳବଦଳ ପ୍ରକ୍ରିୟାରେ ୟୁଝ୍‌ବେନ୍ଦ୍ର ଚହଲ୍‌ଙ୍କ ସ୍ଥାନରେ କୁଲ୍‌ଦୀପ ଯାଦବ ଏବଂ ଦ୍ରୁତ ବୋଲିଂରେ ଶାର୍ଦୁଳ ଠାକୁରଙ୍କ ସ୍ଥାନରେ ଦୀପକ ଚହରଙ୍କୁ ଖେଳାଇବାର ଯୋଜନା କରିଛି ଭାରତ। ଅନ୍ୟପକ୍ଷରେ ଅଧିନାୟକ କିରଣ ପୋଲାର୍ଡ ଦ୍ବିତୀୟ ମ୍ୟାଚ୍‌ରୁ ବଞ୍ଚିତ ରହିଥିଲା ବେଳେ କାଲିର ମ୍ୟାଚ୍‌ ମଧ୍ୟ ଖେଳିନପାରନ୍ତି। ତାଙ୍କ ବଦଳରେ ଦ୍ବିତୀୟ ମ୍ୟାଚ୍‌ରେ ସ୍ଥାନ ପାଇଥିବା ଓଡେନ୍‌ ସ୍ମିଥ୍‌ଙ୍କୁ ଆଉ ଥରେ ସୁଯୋଗ ଦେବାକୁ ଦଳୀୟ କର୍ତ୍ତୃପକ୍ଷ ଚାହିଛନ୍ତି। ଫଳରେ ଭ୍ରମଣକାରୀ ଦଳ ଅପରିବର୍ତିତ ସହ ପଡ଼ିଆକୁ ଓହ୍ଲାଇବ। ଅହମଦାବାଦରେ ପାଗ ବେଶ୍‌ ଶୁଖିଲା ରହିବ ଏବଂ ମ୍ୟାଚ୍‌ ରୋମାଞ୍ଚକର ହେବା ସମ୍ଭାବନା ରହିଛି।

ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ୍‌, ବିରାଟ କୋହଲି, ଋଷଭ ପନ୍ତ୍‌ (ୱିକେଟ୍‌ରକ୍ଷକ), କେଏଲ୍‌ ରାହୁଲ, ସୂର୍ଯ୍ୟକୁମାର ଯାଦବ, ୱାସିଂଟନ୍‌ ସୁନ୍ଦର, ଶାର୍ଦୁଳ ଠାକୁର/ଦୀପକ ଚହର, ମହମ୍ମଦ ସିରାଜ, ୟୁଝ୍‌ବେନ୍ଦ୍ର ଚହଲ/କୁଲ୍‌ଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍‌ ଏକାଦଶ: ବ୍ରାଣ୍ଡନ କିଙ୍ଗ୍‌, ସାଇ ହୋପ୍‌ (ୱିକେଟ୍‌ରକ୍ଷକ), ଡାରେନ ବ୍ରାଭୋ, ସାମରା ବ୍ରୁକ୍ସ, ନିକୋଲାସ୍‌ ପୂରନ (ଅଧିନାୟକ), ଜାସନ୍‌ ହୋଲ୍‌ଡର, ଅକିଲ ହୁସେନ, ଫାବିଆନ୍‌ ଆଲେନ୍‌, ଓଡେନ୍‌ ସ୍ମିଥ୍‌, ଅଲ୍‌ଜାରି ଜୋସେଫ୍‌, କେମାର ରୋଚ୍‌।

ସମ୍ବନ୍ଧିତ ଖବର