ଆଜି ଓଡ଼ିଶା-ସୌରାଷ୍ଟ୍ର ରଣଜୀ ମୁକାବିଲା: ୫ ବର୍ଷ ପରେ ମୁହାଁମୁହିଁ, ସୌରାଷ୍ଟ୍ର ବ୍ୟାଟି˚ କ୍ରମ ଭାଙ୍ଗିବା ଓଡ଼ିଶା ବୋଲରଙ୍କ ପାଇଁ ଆହ୍ବାନ

୮ ଥର ମୁହାଁମୁହିଁରେ ଓଡ଼ିଶା ୫ ଜିତିଛି, ଥରେ ହାରିଛି

କଟକ: ପ୍ରାୟ ୫ ବର୍ଷ ପରେ ରଣଜୀ ଟ୍ରଫିରେ ମୁହାଁମୁହିଁ ହେବେ ଓଡ଼ିଶା ଓ ସୌରାଷ୍ଟ୍ର। ଅହମଦାବାଦର ମୋଟେରାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ (ବି)ରେ ଏହି ମ୍ୟାଚ୍‌୍‌ ଖେଳାଯିବ। ଶେଷଥର ପାଇଁ ୨୦୧୬ରେ ଉଭୟ ଦଳ ପରସ୍ପରକୁ ଭେଟିଥିଲା ବେଳେ ଫଳାଫଳ ଓଡ଼ିଶା ସପକ୍ଷରେ ଯାଇଥିଲା। ଗତ ସପ୍ତାହରେ ନିଜ ନିଜର ପ୍ରଥମ ଲିଗ୍‌ ମ୍ୟାଚ୍‌କୁ ଉଭୟ ଦଳ ଅମୀମା˚ସିତ ରଖିଥିଲା ବେଳେ ଓଡ଼ିଶା ପାଳି ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ପାଇଛି। କିନ୍ତୁ ଜୟଦେବ ଉନାଦକତଙ୍କ ନେତୃତ୍ବାଧୀନ ଦଳ ଶକ୍ତିଶାଳୀ ମୁମ୍ବାଇଠୁ ଫଲୋଅନ୍‌ ହୋଇଥିଲେ ସୁଦ୍ଧା ଦ୍ବିତୀୟ ପାଳିରେ ଯେଉଁଭଳି ପ୍ରତ୍ୟାବର୍ତ୍ତନ କଲା, ତାହା ଓଡ଼ିଶା ପାଇଁ ସତର୍କ ଘଣ୍ଟି ହୋଇପାରେ। ତେଣୁ ନକ୍‌ଆଉଟ ପର୍ଯ୍ୟାୟକୁ ଯିବାକୁ ହେଲେ ଉଭୟ ଦଳ ପୂର୍ଣ୍ଣ ପଏଣ୍ଟ ହାସଲ କରିବା ଲକ୍ଷ୍ୟରେ ରହିବେ। ଗତ ସ˚ସ୍କରଣର ବିଜେତା ବିପକ୍ଷରେ ଭଲ ପ୍ରଦର୍ଶନ କଲେ ହିଁ ଓଡ଼ିଶା ଓ ଏହାର ଖେଳାଳିମାନଙ୍କ ପାଖରେ ଉଚ୍ଚସ୍ତର ପାଇଁ ବଡ଼ ସୁଯୋଗ ରହିବ। ଏଥିସହିତ ବୋଲି˚ କ୍ରମରେ ଜଣେ ବିଶେଷଜ୍ଞ ସ୍ପିନରଙ୍କୁ ସାମିଲ କରାଯିବା ଓ ବ୍ୟାଟି˚ କ୍ରମରେ ଗୋଟିଏ ପରିବର୍ତ୍ତନ କରାଯିବା ଉପରେ ଓଡ଼ିଶା ଦଳ ପକ୍ଷରୁ ବିଚାର କରାଯାଉଛି।

ପୂର୍ବ ମ୍ୟାଚ୍‌ରେ ଗୋଆ ବ୍ୟାଟରଙ୍କ ଆଗରେ ଓଡ଼ିଶା ବୋଲର ପ୍ରଭାବଶୂନ୍ୟ ରହିଥିଲା ବେଳେ ସୌରାଷ୍ଟ୍ର ବିପକ୍ଷରେ ଵିକେଟ ବାହାର କରିବା ବଡ଼ ଆହ୍ବାନ ହେବ। କେବଳ ବରିଷ୍ଠ ଖେଳାଳି ବସନ୍ତ ମହାନ୍ତି ପ୍ରାରମ୍ଭିକ ସଫଳତା ଦେଉଥିଲା ବେଳେ ଅଭିଷେକ ରାଉତ ଅନ୍ୟତମ ସଫଳ ବୋଲର ଭାବେ ଉଭା ହୋଇଛନ୍ତି। ନବାଗତ ଆଶିଷ ରାଏ କିଛିଟା ପ୍ରଭାବୀ ହୋଇଥିଲେ ସୁଦ୍ଧା ସୌରାଷ୍ଟ୍ର ବିପକ୍ଷରେ ଜଣେ ସ୍ପିନରର ଆବଶ୍ୟକତା ରହୁଥିବାରୁ ଚୂଡ଼ାନ୍ତ ଏକାଦଶରେ ତାଙ୍କର ସ୍ଥାନକୁ ନେଇ ଆଲୋଚନା ହୋଇପାରେ। ଦେବବ୍ରତ ପ୍ରଧାନ ଓ ରାଜେଶ ମହାନ୍ତିଙ୍କ ପ୍ରଦର୍ଶନ ମଧ୍ୟ ସନ୍ତୋଷଜନକ ହୋଇପାରିନାହିଁ। ଏହାବ୍ୟତୀତ ଓଡ଼ିଶା ବ୍ୟାଟରମାନଙ୍କ ପ୍ରଦର୍ଶନ ବି ଆଦୌ ସନ୍ତୋଷ ଜନକ ହୋଇପାରିନି। ବିଶେଷକରି ମଧ୍ୟଭାଗରେ ଅଧିନାୟକ ଶୁଭ୍ରା˚ଶୁ ସେନାପତି, ଗୋବିନ୍ଦ ପୋଦ୍ଦାର, ସନ୍ଦୀପ ପଟ୍ଟନାୟକଙ୍କ ପ୍ରଦର୍ଶନରେ ସ୍ଥିରତା ରହୁନି। ପ୍ରାରମ୍ଭରୁ ଅନୁରାଗ ଷଡ଼ଙ୍ଗୀ ଓ ଶାନ୍ତନୁ ମିଶ୍ରଙ୍କ ଯୋଡ଼ି ବଡ଼ ଭାଗୀଦାରି କରିବାରେ ବିଫଳ ହୋଇଛି। କେବଳ ରାଜେଶ ଧୂପର ହିଁ ଓଡ଼ିଶା ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଉଭୟ ପାଳିରେ ସେ ଯଥାକ୍ରମେ ୭୧* ଓ ୫୨ ରନ୍‌ କରି ସର୍ବାଧିକ ରନ୍‌ ସ˚ଗ୍ରହକାରୀ ହୋଇପାରିଛନ୍ତି। ଶାନ୍ତନୁ ମିଶ୍ର ପ୍ରଥମ ପାଳିରେ ବିଫଳ ହୋଇଥିଲେ ବି ଦ୍ବିତୀୟ ପାଳିରେ ଶତକ (୧୦୩) କରି ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଦୁଇଜଣଙ୍କ ପାଇଁ ଓଡ଼ିଶା ୩ ପଏଣ୍ଟ ପାଇବାକୁ ସକ୍ଷମ ହୋଇଥିଲା। ତେଣୁ ସୌରାଷ୍ଟ ବିପକ୍ଷରେ ପ୍ରତ୍ୟେକ ବ୍ୟାଟରଙ୍କଠୁ ବଡ଼ ସ୍କୋର ଆଶା କରାଯାଉଥିଲା ବେଳେ ବୋଲରମାନେ ଶୀଘ୍ର ଵିକେଟ ବାହାର କରିବା ଆବଶ୍ୟକ ହୋଇପଡ଼ିଛି।

ଓଡ଼ିଶା ଦଳ: ଶୁଭ୍ରା˚ଶୁ ସେନାପତି (ଅଧିନାୟକ), ଅ˚ଶୁମାନ ରଥ, ଜୟନ୍ତ ବେହେରା, ରାଜେଶ ଧୂପର, ସୁଜିତ ଲେଙ୍କା, ବସନ୍ତ ମହାନ୍ତି, ଶୁଭମ ନାୟକ, ପପୁ ରାଏ, ସନ୍ଦୀପ ପଟ୍ଟନାୟକ, ରାକେଶ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର, ଦେବବ୍ରତ ପ୍ରଧାନ, ଆଶିଷ ରାଏ, ରାଜେଶ ମହାନ୍ତି, ପ୍ରଶାନ୍ତ ରଣା, ଅଭିଷେକ ରାଉତ, ଦେବାଶିଷ ସାମନ୍ତରାୟ, ଅନୁରାଗ ଷଡ଼ଙ୍ଗୀ, ଶାନ୍ତନୁ ମିଶ୍ର, ତାରିଣୀ ସ’।

ସୌରାଷ୍ଟ୍ର ଦଳ: ଜୟଦେବ ଉନାଦକତ, ଆଦିତ୍ୟ ଜାଡେ଼ଜା, ପାର୍ଥ ଭୂତ, ଜୟ ଚୌହାନ, ଯୁବରାଜ ଚୁଡ଼ାସମା, ହାର୍ଭିକ ଦେଶାଇ, ସେଲଡନ ଜାକସନ, ଧର୍ମେନ୍ଦ୍ର ସି˚ହ ଜାଡେ଼ଜା, ବିଶ୍ବରାଜ ଜାଡେ଼ଜା, ଚିରାଗ ଜାନି, ଦେବାଙ୍ଗ କରାମତ, କେଭିନ ଜିଭରଜନୀ, କମଳେଶ ମାକଭାନା, ପ୍ରେରକ ମଙ୍କଡ଼, କିଶନ ପରମର, କୁଶାଙ୍ଗ ପଟେଲ, ସ୍ନେଲ ପଟେଲ, ଚେତେଶ୍ବର ପୂଜାରା, ଚେତନ ସାକାରିଆ, ଅର୍ପିତ ଭାସବଡ଼ା, ସମର୍ଥ ଭ୍ୟାସ।

୮ ଥର ମୁହାଁମୁହିଁରେ ଓଡ଼ିଶା ୫ ଜିତିଛି, ଥରେ ହାରିଛି
ଓଡ଼ିଶା ଓ ସୌରାଷ୍ଟ୍ର ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୮ଟି ରଣଜୀ ଟ୍ରଫି ମ୍ୟାଚ ଖେଳାଯାଇଛି। ସେଥିରୁ ଓଡ଼ିଶା ୫ ଜିତିଥିଲା ବେଳେ ଗୋଟିଏ ମ୍ୟାଚ ହାରିଛି। ଅନ୍ୟ ଦୁଇଟି ମ୍ୟାଚ ଅମୀମା˚ସିତ ରହିଥିଲା। ୨୦୦୦ ମସିହାରେ ଓଡ଼ିଶା ୨୦୯ ରନ୍‌ରେ, ୨୦୦୪ରେ ଓଡ଼ିଶା ୧୦ ଵିକେଟରେ, ୨୦୦୫ରେ ଓଡ଼ିଶା ୧୦ ରନ୍‌ରେ, ୨୦୧୫ରେ ଓଡ଼ିଶା ୨ ଵିକେଟରେ, ୨୦୧୬ରେ ଓଡ଼ିଶା ୩୨ ରନ୍‌ରେ ବିଜୟୀ ହୋଇଥିଲା ବେଳେ ୨୦୦୮ରେ ସୌରାଷ୍ଟ୍ର ୮୪ ରନ୍‌ରେ ଜିତିଥିଲା। ୨୦୦୩ରେ ଉଭୟ ଦଳଙ୍କ ମଧ୍ୟରେ ମ୍ୟାଚ୍‌ ଅମୀମା˚ସିତ ରହିଥିଲାବେଳେ ଓଡ଼ିଶା ଅଗ୍ରଣୀ ପାଇଥିଲା। କିନ୍ତୁ ୨୦୧୧ରେ ବାରବାଟୀରେ ମ୍ୟାଚ୍‌ରେ ସୌରାଷ୍ଟ୍ରର ପ୍ରଥମ ପାଳି ଜବାବରେ ଓଡ଼ିଶା ପାଳି ଶେଷ ନହେବାରୁ ଉଭୟ ଦଳ କୌଣସି ପଏଣ୍ଟ ପାଇନଥିଲେ। ଓଡ଼ିଶା ବିପକ୍ଷରେ ଚେତେଶ୍ବର ପୂଜାରା ଓ ରବୀନ୍ଦ୍ର ଜାଦେଜା ବ୍ୟକ୍ତିଗତ ତ୍ରିଶତକ ଅର୍ଜନ କରିଛନ୍ତି। ୨୦୦୮-୦୯ ଋତୁରେ ପୂଜାରା ୩୦୨* ରନ୍‌ କରିଥିଲା ବେଳେ ୨୦୧୧ରେ ବାରବାଟୀରେ ରବୀନ୍ଦ୍ର ଜାଦେଜା ୩୧୪ ରନ୍‌ର ପାଳି ଖେଳିଥିଲେ।

ସମ୍ବନ୍ଧିତ ଖବର