ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ ଆଜି: ମଧ୍ୟକ୍ରମ ବିଫଳତା ବଡ଼ ଆହ୍ବାନ

ପର୍ଲ: ଦକ୍ଷିଣ ଆଫ୍ରିକା-ଭାରତ ଏକଦିବସୀୟ ଶୃଙ୍ଖଳାର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତଥା ଶୃଙ୍ଖଳା ନିର୍ଣ୍ଣାୟକ ଦ୍ବିତୀୟ ଦିନିକିଆ ଶୁକ୍ରବାର ଖେଳାଯିବ। ତିନି ଟିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଜିତି ଘରୋଇ ଦକ୍ଷିଣ ଆଫ୍ରିକା ୧-୦ରେ ଆଗୁଆ ଥିବାରୁ ଭ୍ରମଣକାରୀ ଭାରତ ପାଇଁ ଏହି ମ୍ୟାଚ୍ କର ବା ମର ସଦୃଶ ହେବ। ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତିଲେ ଶୃଙ୍ଖଳା ଜୀବୀତ ରହିବ। ଅନ୍ୟଥା ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଭଳି ଦିନିକିଆ ଶୃଙ୍ଖଳା ଜିତି ଲଗାତାର ଶୃଙ୍ଖଳା ବିଜୟ ହାସଲ କରିବାର ଗୌରବ ଅର୍ଜନ କରିବ। ଟେଷ୍ଟ୍ ଶୃଙ୍ଖଳାକୁ ୧-୨ରେ ହାରିଥିବା ଭାରତ ଆଉ ଏକ ଶୃଙ୍ଖଳା ପରାଜୟ ଏଡ଼ାଇବାକୁ ହେଲେ ଦଳର ମଧ୍ୟକ୍ରମକୁ ଅଧିକ ଦାୟିତ୍ବବାନ ହେବାକୁ ପଡ଼ିବ। କାରଣ ପ୍ରଥମ ଦିନିକିଆରେ ଭଲ ସ୍ଥିତିରେ ଥାଇ ମଧ୍ୟ ମଧ୍ୟକ୍ରମ ବ୍ୟାଟର୍‌ଙ୍କ ବେପରୁଆ ଏବଂ ବିତର୍କିତ ବ୍ୟାଟିଂ ପାଇଁ ଭାରତ ଶେଷରେ ୩୧ ରନ୍‌ରେ ପରାସ୍ତ ହୋ‌ଇଥିଲା।

ସେହିଭଳି ବୋଲରଙ୍କୁ ମଝି ଓ ଶେଷ ଓଭରଗୁଡ଼ିକରେ ୱିକେଟ୍ ନେବାକୁ ହେବ। ପ୍ରଥମ ଦିନିକିଆରେ ୬୮ ରନ୍‌ରେ ଦକ୍ଷିଣ ଆଫ୍ରିକାର ୩ ୱିକେଟ୍ ନେଇଥିବା ଭାରତୀୟ ବୋଲିଂ ବାହିନୀ ପରବର୍ତ୍ତୀ ୱିକେଟ୍ ପାଳି ଶେଷ ହେବାର ୧୧ ବଲ୍‌ ପୂର୍ବରୁ ପାଇଥିଲା। ତେମ୍ବା ବଭୁମା ଓ ରଶେ ଭାନଡର ଦୁସେନଙ୍କୁ ଶତକ ଅର୍ଜନ କରିବାର ସୁଯୋଗ ଦେଇଥିଲା। ଆଉ ଏହା ହିଁ ଶେଷରେ ଭାରତ ପରାଜୟର ପ୍ରମୁଖ କାରଣ ‌ହୋଇଥିଲା। ଏସବୁ ଦୁର୍ବଳତା ସତ୍ତ୍ବେ ଭାରତ ଶୁକ୍ରବାର ମ୍ୟାଚ୍‌ରେ ନିଜ ଚୂଡ଼ାନ୍ତ ଏକାଦଶରେ ବଡ଼ ଧରଣର ପରିବର୍ତ୍ତନ କରିବା ସମ୍ଭାବନା ଆଦୌ ନାହିଁ କହିଲେ ଚଳେ। ସେହିଭଳି ଦକ୍ଷିଣ ଆଫ୍ରିକା ତା’ର ବିଜୟୀ ସନ୍ତୁଳନକୁ ବିଗାଡ଼ିବାକୁ ଚାହିବ ନାହିଁ। ଦକ୍ଷିଣ ଆଫ୍ରିକା ଶୁକ୍ରବାର ବିଜୟୀ ହୋଇ ଶୃଙ୍ଖଳା ଜିତିବା ଲାଗି ପଡ଼ିଆକୁ ଓହ୍ଲାଇବ ବୋଲି ଏହି ଦଳର ଶତକହାସଲକାରୀ ଦୁସେନ କହିଛନ୍ତି। ଏହା କହି ସେ ପରୋକ୍ଷରେ ଭାରତକୁ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରତି ମ୍ୟାଚ୍ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ବିଗତ କିଛି ମାସ ଭିତରେ ଆମେ ଦିନିକିଆ କ୍ରିକେଟ୍ ଖେଳି ନଥିଲୁ। ସଂପ୍ରତି ଆମର ଲକ୍ଷ୍ୟ ବିଶ୍ବକପ୍‌ ଉପରେ ରହିଛି। ଏଣୁ ଚୂଡ଼ାନ୍ତ ଏକାଦଶଠାରୁ ଶ୍ରେଷ୍ଠ ବାହାର କରି ଶୃଙ୍ଖଳା ବଞ୍ଚାଇ ରଖିବାକୁ ଆମେ ଉଦ୍ୟମ କରିବୁ ବୋଲି ଭାରତୀୟ ଅଧିନାୟକ କେଏଲ୍ ରାହୁଲ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର