ଆଜି ଦ୍ୱିତୀୟ ଦିନିକିଆ: କୋହଲିଙ୍କୁ ନେଇ ସଂଶୟ ଜାରି

ଲଣ୍ଡନ: ପ୍ରଥମ ଦିନିକିଆକୁ ୧୦ ୱିକେଟ୍‌ରେ ଜିତିବା ପରେ ଆତ୍ମବିଶ୍ବାସଭରା ଭାରତୀୟ କ୍ରିକେଟ୍ ଦଳ ଶୃଙ୍ଖଳାର ଦ୍ବିତୀୟ ତଥା ଶୃଙ୍ଖଳା ନିର୍ଣ୍ଣାୟକ ମୁକାବିଲାରେ ଆଜି ଇଂଲଣ୍ଡକୁ‌ ଭେଟିବ। ଏହି ମ୍ୟାଚ୍‌ରେ ମଧ୍ୟ ଆଉ ଏକ ଆଧିପତ୍ୟଭରା ତଥା ଶକ୍ତିଶାଳୀ ପ୍ରଦର୍ଶନ ଦେବା ଲକ୍ଷ୍ୟରେ ରହିବ ରୋହିତ ସେନା। ତେବେ ପ୍ରଥମ ମ୍ୟାଚ୍‌ ଭଳି ଦ୍ବିତୀୟରେ ମଧ୍ୟ ପୂର୍ବତନ ଅଧିନାୟକ ବିରାଟ କୋହଲି ଖେଳିବା ନେଇ ସଂଶୟ ଦେଖାଦେଇଛି। ଇଂଲଣ୍ଡ ବିପକ୍ଷ ଶେଷ ଟ୍ବେଣ୍ଟି-୨୦ରେ କୋହଲିଙ୍କ ଊରୂସନ୍ଧି (ଜଙ୍ଘ ଓ ପେଟର ଯୋଡ଼ସ୍ଥଳ)ରେ ଲାଗିଥିବା ଆଘାତରୁ ସମ୍ଭବତଃ ସଂପୂର୍ଣ୍ଣ ମୁକୁଳି ପାରିନାହାନ୍ତି ସେ। ସେଥିପାଇଁ ଦଳୀୟ ଅଧିକାରୀମାନେ ମଧ୍ୟ ବୁଧବାର ରାତି ସୁଦ୍ଧା ତାଙ୍କୁ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।

କୋହଲି ଗତ ତିନି ବର୍ଷ ମଧ୍ୟରେ ଆଶାଜନକ ପ୍ରଦର୍ଶନ କରି ପାରିନାହାନ୍ତି। ଇଂଲଣ୍ଡ ଗସ୍ତରେ ବି ତାଙ୍କ ବ୍ୟାଟ୍‌ରୁ ଗୋଟିଏ ହେଲେ ବି ବଡ଼ ସ୍କୋର ଦେଖିବାକୁ ମିଳିନାହିଁ। ତଥାପି ଭାରତୀୟ ଦଳ ୨-୧ରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଥିଲା ବେଳେ ଦିନିକିଆ ଶୃଙ୍ଖଳାରେ ସେହି ସଫଳତାକୁ ଦୋହରାଇବା ଦ୍ବାର ଦେଶରେ ରହିଛି। ଆଗାମୀ ଭବିଷ୍ୟତ ଦୃଷ୍ଟିରୁ କିନ୍ତୁ ତାଙ୍କ ଲମ୍ବା ଅନୁପସ୍ଥିତି ଭାରତ ପାଇଁ ନିଶ୍ଚିତ ଭାବେ ଚିନ୍ତାର କାରଣ ହେବ।

ଓଭାଲ ସଫଳତାକୁ ଦୋହରାଇବା ଲକ୍ଷ୍ୟରେ ରୋହିତ ସେନା
ଦି ଓଭାଲ ପଡ଼ିଆରେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ପୂରା ଆଧିପତ୍ୟ ବିସ୍ତାର କରିଥିଲା। ଯଶପ୍ରୀତ ବୁମ୍‌ରାଙ୍କ ନେତୃତ୍ବରେ ଇଂଲଣ୍ଡକୁ ପ୍ରଥମେ ମାତ୍ର ୧୧୦ ରନ୍‌ରେ ଅଲଆଉଟ୍ କରିଦେଇଥିଲା। ଏହା ପରେ ରୋହିତ ଶର୍ମା ଏବଂ ଶିଖର ଧାୱନ ଅବିଭାଜିତ ପ୍ରଥମ ୱିକେଟ୍‌ରେ ୧୧୧ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରିନେଇ ଭାରତୀୟ ପ୍ରଶଂସକଙ୍କୁ କୀର୍ତ୍ତିମାନଭରା ବିଜୟ ଉପହାର ଦେଇଥିଲା। କ୍ରିକେଟ୍‌ର ମକ୍କା ଭାବେ ପରିଚିତ ଲର୍ଡସ ପଡ଼ିଆରେ ଟିମ୍ ଇଣ୍ଡିଆ ଏହି ସଫଳତାକୁ ପୁଣି ଥରେ ଦୋହରାଇବା ଲକ୍ଷ୍ୟରେ ରହିବ। କୋହଲି ଖେଳିବା ନେଇ ସନ୍ଦେହ ଥିବାରୁ ଭାରତ ଅପରିବର୍ତ୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନା ଅଧିକ। ଇଂଲଣ୍ଡ ମଧ୍ୟ ତା’ ଦଳରେ ବଡ଼ ଧରଣର ଅଦଳ ବଦଳ କରିନପାରେ।

ଚର୍ଚ୍ଚାରେ ଲର୍ଡସ ପିଚ୍
ଲର୍ଡସ ପିଚ୍‌ରେ ଘାସ କିମ୍ବା ଜଳୀୟ ଅଂଶ ଥିଲେ ବୁଧବାର ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ କରିବାର ସମ୍ଭାବନା ଅଧିକ। ଦୁଇ ସପ୍ତାହ ପୂର୍ବେ ଏଠାରେ ଖେଳାଯାଇଥିବା ସମରସେଟ୍-ମିଡିଲସେକ୍ସ କାଉଣ୍ଟି ମ୍ୟାଚ୍‌ରେ କ୍ୟୁରେଟର କାର୍ଲ ମ୍ୟାକଡରମଟ୍ ପିଚ୍‌ରେ କିଛିଟା ଘାସ ଛା‌ଡ଼ି ଦେଇଥିଲେ। ସେହି ମ୍ୟାଚ୍‌ରେ ଧଳା କୁକାବୁରା ବଲ୍ ଆଶାଠାରୁ ଅଧିକ ସୁଇଂ କରିଥିଲା। ମ୍ୟାକଡରମଟ୍ ଯଦି ପୁଣି ଥରେ ଏହି ପିଚ୍‌ରେ କିଛି ଘାସ ଛାଡ଼ନ୍ତି, ତାହେଲେ ବୋଲରଙ୍କ ପାଇଁ ଲର୍ଡସ ପିଚ୍‌ ମଧ୍ୟ ବେଶ୍ ସହାୟକ ହେବ। ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବୁଧବାର ଲଣ୍ଡନ ପାଗ ଆପାତତଃ ଶୁଖିଲା ରହିବ।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଶ୍ରେୟସ୍ ଆୟର/ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା, ୟୁଝବେନ୍ଦ୍ର ଚହଲ, ପ୍ରସିଦ୍ଧ କୃଷ୍ଣ।

ସମ୍ଭାବ୍ୟ ଇଂଲଣ୍ଡ: ଜାସନ ରୟ, ଜନି ବେୟାରଷ୍ଟୋ, ଜୋ ରୁଟ୍, ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର (ଅଧିନାୟକ), ଲିଆମ ଲିଭିଂଷ୍ଟୋନ୍, ମୋଇନ ଅଲୀ, ଡେଭିଡ୍ ୱିଲି, କ୍ରେଗ୍ ଓଭରଟନ୍, ବ୍ରାଇଡନ୍ କାର୍ସେ, ରିଶି ଟପ୍‌ଲି।

ସମ୍ବନ୍ଧିତ ଖବର