ଆବୁଧାବି: ଆସନ୍ତା ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ସହିତ କିଏ ଫାଇନାଲ୍ ଖେଳିବ ରବିବାର ନିର୍ଧାରିତ ହେବ। ଦ୍ବିତୀୟ କ୍ବାଲିଫାୟାର୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମୁକାବିଲା କରିବେ। ଏହାର ବିଜେତା ଦଳ ହିଁ ୪ ଥର ବିଜେତା ମୁମ୍ବାଇ ସହ ଟ୍ରଫି ଟକ୍କରରେ ଅବତୀର୍ଣ୍ଣ ହେବ। ରବିବାର ଦର୍ଶକମାନେ ଦୁଇ ବିପରୀତ ମୁଖି ଦଳର ମୁକାବିଲା ଦେଖିବେ। ସନ୍ରାଇଜର୍ସ ହାଇଦ୍ରାବାଦ ଲଗାତାର ୪ ବିଜୟ ସହ ଲୟରେ ରହିଛି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ଶେଷ ୬ ମୁକାବିଲାରୁ ୫ ହାରିଛି। ପ୍ରଥମାର୍ଧରେ ଅସ୍ଥିର ପ୍ରଦର୍ଶନ ଦେଇଥିବା ହାଇଦ୍ରାବାଦର ଗଚ୍ଛିତ ସମ୍ପଦକୁ ଡେଭିଡ୍ ୱାର୍ନର ଭଲ ଉପଯୋଗ କରି ଆଗକୁ ବଢ଼ିଛନ୍ତି। ଅନ୍ୟପକ୍ଷରେ ରିକି ପଣ୍ଟିଂଙ୍କ ମାର୍ଗଦର୍ଶନରେ ଚାଲିଥିବା ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମାର୍ଧରେ ଭଲ ଖେଳି ଅଧିକାଂଶ ସମୟ ଶୀର୍ଷରେ ରହିଥିଲେ ମଧ୍ୟ ଦ୍ବିତୀୟାର୍ଧ ବେଳକୁ ଦମ୍ ହରାଇ ଦେଇଥିଲା। ଯୋଗ୍ୟତା ଅର୍ଜନ କରିବା ଲାଗି ଦଳକୁ ମଧ୍ୟ ନିଜ ଶେଷ ଲିଗ୍ ମ୍ୟାଚ୍ରେ ବିଜୟ ଆବଶ୍ୟକ କରିଥିଲା। ଶ୍ରେୟସ ଆୟରଙ୍କ ଦଳ ଯଦି ରବିବାର ମୁକାବିଲା ଜିତିବ ତେବେ ପ୍ରଥମ ଥର ପାଇଁ ଫାଇନାଲ୍ ଖେଳିବାର ସୌଭାଗ୍ୟ ପାଇବ। ହାଇଦ୍ରାବାଦ କିନ୍ତୁ ନିଜ ୨୦୧୬ ବିଜେତା ଟ୍ରଫି ସହ ଆଉ ଏକ ସଂଯୋଗ କରିବା ଲକ୍ଷ୍ୟରେ ରହିଛି।
ଦିଲ୍ଲୀ ପାଇଁ ଶିଖର ଧାୱନ, ପୃଥ୍ବୀ ସ’ ଏବଂ ଅଜିଙ୍କ୍ୟ ରାହାଣେଙ୍କ ଅସ୍ଥିର ପ୍ରଦର୍ଶନ ଚିନ୍ତାର କାରଣ ରହିଛି। ବିଶେଷ କରି ପୃଥ୍ବୀ ସ’ଙ୍କ ନିରାଶାଜନକ ଅଭିଯାନ ଦଳକୁ ନିମ୍ନମୁଖା କରିଛି। ୧୩ ମ୍ୟାଚ୍ରୁ ସେ ମାତ୍ର ୨୨୮ ରନ୍ କରିଛି। ବରିଷ୍ଠ ଖେଳାଳି ରାହାଣେ ୭ ମ୍ୟାଚ୍ରୁ ୧୧୧ ରନ୍ କରିଛନ୍ତି। ମଝିରେ ଲଗାତାର ଶତକ ହାସଲ କରିଥିବା ଧାୱନ (୧୩ ମ୍ୟାଚ୍ରୁ ୫୨୫ ରନ୍) ଲୟକୁ ଫେରିଲେ ଦିଲ୍ଲୀ ନିଶ୍ଚିତ ଲଢ଼ୁଆ ପ୍ରଦର୍ଶନ ଦେବାରେ ସକ୍ଷମ ହେବ। ବୋଲିଂରେ କିନ୍ତୁ ଦିଲ୍ଲୀ ପାଇଁ କାଗିସୋ ରାବାଦା (୨୫), ଅନରିକ୍ ନର୍ଖିୟା (୨୦), ଆର୍ ଅଶ୍ବିନ୍ (୧୩) ଭଲ ପ୍ରଦର୍ଶନ କରି ଆସିଛନ୍ତି। ହାଇଦ୍ରାବାଦ ନିଶ୍ଚିତ ଆହତ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଋଦ୍ଧିମାନ ସାହାଙ୍କ ପ୍ରତ୍ୟାବର୍ତନ ଆଶାରେ ରହିବ। ଜାସନ୍ ହୋଲ୍ଡରଙ୍କ ସାମିଲ ପରଠାରୁ ହାଇଦ୍ରାବାଦ ଦଳର ସନ୍ତୁଳନ ବଢ଼ିଛି। କେବଳ ଦଳର ମଧ୍ୟକ୍ରମ ବ୍ୟାଟିଂ ଦୁର୍ବଳତା ରହିଛି। ଅନଭିଜ୍ଞ ପ୍ରିୟମ ଗର୍ଗ ଏବଂ ଅବଦୁଲ ସାମଦ ପ୍ରଭାବ ଛାଡ଼ି ପାରିନାହାନ୍ତି। ଡେଭିଡ୍ ୱାର୍ନର, କେନ୍ ୱିଲିୟମସନ୍, ମନୀଷ ପାଣ୍ଡେଙ୍କ ଠାରୁ ଦଳ ବ୍ୟାଟିଂରେ ଭଲ ଆଶା କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/dc-srh.jpg)