ଆଜି ଦ୍ବିତୀୟ ସେମିଫାଇନାଲ୍: ଆଫ୍ରିଦିଙ୍କ ସହ ଲଢ଼ିବାକୁ ଆରୋନ ପ୍ରସ୍ତୁତ, ପାକିସ୍ତାନ ବିଜୟ ରଥ ରୋକିବା ସହଜ ହେବନି

ଆଇସିସି ନକ୍‌ଆଉଟ୍‌ରେ ଅଷ୍ଟ୍ରେଲିଆ ବଳିୟାନ

ଦୁବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ରେ ଗୁରୁବାର ଅପରାଜେୟ ପାକିସ୍ତାନ ଓ ପ୍ରଥମ ଟ୍ରଫି ଲକ୍ଷ୍ୟରେ ଥିବା ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହି ପ୍ରତୀକ୍ଷିତ ଲଢ଼େଇରେ ପାକିସ୍ତାନର ଯୁବ ବାମହାତୀ ଦ୍ରୁତ ବୋଲର ସାହିନ ସାହ ଆଫ୍ରିଦି ନିଶ୍ଚିତ ଭାବେ ନିର୍ଣ୍ଣାୟକ ନେବେ। ତେବେ ଆଫ୍ରିଦି ରୂପକ ତୋଫାନି ଆହ୍ବାନ ଲାଗି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍ ପୂରା ପ୍ରସ୍ତୁତ ଅଛନ୍ତି। ଅବଶ୍ୟ ଆଫ୍ରିଦି ଅଷ୍ଟ୍ରେଲିଆ ପାଇଁ ବଡ଼ ଆହ୍ବାନ ହେବେ ବୋଲି ସ୍ବୀକାର କରିଛନ୍ତି। କାରଣ ୨୧ ବର୍ଷୀୟ ଆଫ୍ରିଦିଙ୍କ ଅଗ୍ନିବର୍ଷୀ ସ୍ପେଲ୍‌ରେ ହିଁ ଭାରତର ଶକ୍ତିଶାଳୀ ବ୍ୟାଟିଂକ୍ରମ ଧ୍ବସ୍ତ ବିଧ୍ବସ୍ତ ‌ହୋଇଯାଇଥିଲା। ହେଲେ ଆଫ୍ରିଦିଙ୍କ ପାଇଁ କଙ୍ଗାରୁ ଦଳ ରଣନୀତି ପ୍ରସ୍ତୁତ କରିସାରିଛି ବୋଲି ଫିଞ୍ଚ୍ ସଙ୍କେତ ଦେଇଛନ୍ତି। ସେହିଭଳି ଅଷ୍ଟ୍ରେଲିଆ ପାଖରେ ମଧ୍ୟ ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ ଓ ଜୋସ୍ ହାଜେଲଉଡ୍‌ଙ୍କ ଭଳି ‌ବୋଲର ଅଛନ୍ତି ବୋଲି କହି ପାକିସ୍ତାନକୁ ପରୋକ୍ଷ ଚେତାବନୀ ‌ଦେଇଛନ୍ତି। ପାକିସ୍ତାନ ପାଖରେ ବାବର ଆଜମ, ମହମ୍ମଦ ରିଜୱାନ, ଫକର ଜମନ, ସୋଏବ ମଲ୍ଲିକ ଓ ମହମ୍ମଦ ହାଫିଜଙ୍କ ଭଳି ଖେଳାଳି ଥିବାରୁ ଆସନ୍ତାକାଲିର ମୁକାବିଲା ବେଶ୍ ରୋଚକ ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି।

ପାକିସ୍ତାନ ବିଜୟ ରଥ ରୋକିବା ସହଜ ହେବନି
ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଇତିହାସ ଦେଖିଲେ କିନ୍ତୁ ପାକିସ୍ତାନର ସଫଳତା ହାର ଅଷ୍ଟ୍ରେଲିଆଠାରୁ ଢେର ଅଧିକ। ପାକିସ୍ତାନ ୨୦୦୭ ମସିହାରେ ଉପବିଜେତା ହେବା ପରେ ୨୦୦୯ରେ ବିଜେତା ଆଖ୍ୟା ଅର୍ଜନ କରିଥିଲା। ଅନ୍ୟପକ୍ଷରେ ୨୦୧୦ରେ ଇଂଲଣ୍ଡଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିବା ଅଷ୍ଟ୍ରେଲିଆର ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଆସିଛି। ଅଷ୍ଟ୍ରେଲୀୟ ଓପନର ଡେଭିଡ୍ ୱାର୍ଣ୍ଣର ଫର୍ମକୁ ଆସିବା ପାକିସ୍ତାନ ପାଇଁ ବଡ଼ ବିପଦ ଭାବେ ଉଭା ହୋଇପାରେ। ମିଚେଲ ମାର୍ସ ମଧ୍ୟ ଗତ ମ୍ୟାଚ୍‌ରେ ବହୁତ ଭଲ କ୍ରିକେଟ୍ ଖେଳିଥିଲେ। ସ୍ପିନର ଆଦାମ ଜାମ୍ପା ବି ଚମତ୍କାର ଫର୍ମରେ ଅଛନ୍ତି। ହେଲେ ପାକିସ୍ତାନର ବିସ୍ଫୋରକ ମଧ୍ୟକ୍ରମ ବ୍ୟାଟର୍‌ ଆସିଫ ଅଲ୍ଲୀ ତାଙ୍କୁ ହଇରାଣରେ ପକାଇପାରନ୍ତି। ଗୁରୁବାର ମ୍ୟାଚ୍ କିନ୍ତୁ ଅଷ୍ଟ୍ରେଲିଆ ବ୍ୟାଟିଂ ବନାମ ପାକିସ୍ତାନ ବୋଲିଂ ହେବ ବୋଲି ଆଲୋଚନା ହେଉଛି। କାରଣ ଆଫ୍ରିଦିଙ୍କ ଛଡ଼ା ପାକିସ୍ତାନ ପାଖରେ ହାରିସ ରୌଫ ଓ ହାସନ ଅଲ୍ଲୀଙ୍କ ଭଳି ବୋଲର ଅଛନ୍ତି। ସ୍ପିନର ଇମାଦ ୱାସିମ ମଧ୍ୟ ଭଲ ଫର୍ମରେ ଅଛନ୍ତି। ଗୁରୁବାର ପାକିସ୍ତାନର ବିଜୟ ରଥକୁ ରୋକିବାର ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ପାକିସ୍ତାନ ଦ୍ବିତୀୟ ଥର ଟ୍ବେଣ୍ଟି-୨୦ ବିଶ୍ବ ବିଜେତା ହେବା ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇବାକୁ ଚେଷ୍ଟା କରିବ।

ପାକିସ୍ତାନ ଗ୍ରୁପ୍-୨ର‌ ଶ୍ରେଷ୍ଠ ଦଳ ଭା‌ବେ ସେମିଫାଇନାଲ୍ ଯାଇଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଗ୍ରୁପ୍-୧ର ଦ୍ବିତୀୟ ସ୍ଥାନରେ ରହି ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଦୁବାଇରେ କାକର ପଡ଼ୁଥିବାରୁ ଟସ୍ ପୁଣି ଥରେ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇବ। ଟସ୍ ଜିତିବା ଦଳ ଆଶାଜନକ ଭାବେ ପ୍ରତିପକ୍ଷକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବ। ଉଭୟ ଦଳ ୨୨ ଟ୍ବେଣ୍ଟି-୨୦‌ରେ ଭେଟାଭେଟି ହୋଇଛନ୍ତି। ପାକିସ୍ତାନ ୧୩ ମ୍ୟାଚ୍ ଜିତି ଢେର ଆଗରେ ଥିଲା ବେଳେ ଅଷ୍ଟ୍ରେଲିଆ ମାତ୍ର ୯ ମ୍ୟାଚ୍ ଜିତିଛି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଉଭୟ ୬ ମ୍ୟାଚ୍ ଖେଳିଥିଲା ବେଳେ ୩ଟି ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଛନ୍ତି। ଦୁବାଇରେ ଖେଳିଥିବା ୭ ମ୍ୟାଚ୍‌ରୁ ପାକିସ୍ତାନ ୫ଟି ଜିତିଥିଲା ବେଳେ ଅଷ୍ଟ୍ରେଲିଆ କେବଳ ୨ ମ୍ୟାଚ୍ ଜିତିଛି।

ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଡେଭିଡ୍ ୱାର୍ଣ୍ଣର, ଆରୋନ ଫିଞ୍ଚ୍ (ଅଧିନାୟକ), ମିଚେଲ ମାର୍ସ, ଷ୍ଟିଭେନ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଦ୍, ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଆଦାମ ଜାମ୍ପା, ଜୋସ୍ ହାଜେଲଉଡ୍।

ସମ୍ଭାବ୍ୟ ପାକିସ୍ତାନ: ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ, ଫକର ଜମନ, ମହମ୍ମଦ ହାଫିଜ/ହାଇଦର ଅଲ୍ଲୀ, ସୋଏବ ମଲ୍ଲିକ, ଆସିଫ ଅଲ୍ଲୀ, ସଦାବ ଖାନ୍, ଇମାଦ ୱାସିମ, ହାସନ ଅଲ୍ଲୀ/ମହମ୍ମଦ ନୱାଜ, ହାରିସ ରୌଫ, ସାହିନ ସାହ ଆଫ୍ରିଦି।

ଆଇସିସି ନକ୍‌ଆଉଟ୍‌ରେ ଅଷ୍ଟ୍ରେଲିଆ ବଳିୟାନ

ଆଇସିସି ନକ୍‌ଆଉଟ୍ ପ୍ରତିଯୋଗିତାରେ ପାକିସ୍ତାନ ଉପରେ ଅଷ୍ଟ୍ରେଲିଆର ପଲା ଭାରୀ ରହିଛି। ଆଇସିସି ପ୍ରତି‌ଯୋଗିତାର ନକଆଉଟ୍ ପର୍ଯ୍ୟାୟରେ ପାକିସ୍ତାନ-ଅଷ୍ଟ୍ରେଲିଆ ଚାରି ଥର ମୁହାଁମୁହିଁ ‌ହୋଇଥିଲା ବେଳେ ସବୁଥର ଅଷ୍ଟ୍ରେଲିଆ ଜିତିଛି। ୧୯୮୭ ଏକଦିବସୀୟ ବିଶ୍ବକପ୍ ସେମିଫାଇନାଲ୍, ୧୯୯୯ ଏକଦିବସୀୟ ବିଶ୍ବକପ୍ ଫାଇନାଲ୍, ୨୦୧୦ ଟ୍ବେଣ୍ଟି-୨୦ ବିଶ୍ବକପ୍ ସେମିଫାଇନାଲ୍ ଓ ୨୦୧୫ ଏକଦିବସୀୟ ବିଶ୍ବକପ୍‌ର କ୍ବାର୍ଟର ଫାଇନାଲ୍‌ରେ ପାକିସ୍ତାନକୁ ଅଷ୍ଟ୍ରେଲିଆ ହରାଇଛି। ୟୁଏଇରେ କିନ୍ତୁ ପାକିସ୍ତାନର ଚମତ୍କାର ରେକର୍ଡ ରହିଛି। ଏଠାରେ ଖେଳିଥିବା ଗତ ୧୬ ଟ୍ବେଣ୍ଟି-୨୦ରେ ପାକିସ୍ତାନ ଅପରାଜେୟ ରହିଛି। ଶେଷଥର ପାଇଁ ୨୦୧୫ ନଭେମ୍ବରରେ ସାରଜାଠାରେ ପାକିସ୍ତାନ ସୁପରଓଭରରେ ଇଂଲଣ୍ଡଠାରୁ ହାରିଥିଲା।

ସମ୍ବନ୍ଧିତ ଖବର